Assembly: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍ ଅଧିବେଶନ ଶେଷ ହୋଇଛି। ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍-୨୦୨୪।
ଗୃହର ୨୫ତମ କାର୍ଯ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବେଶ ଘଟଣା ବହୁଳ ଥିଲା। କଂଗ୍ରେସ ଦଳର ସମସ୍ତ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ। ଏହା ସହ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା। ବୁଧବାର ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ ୭ଟା ୫ ପର୍ଯ୍ୟନ୍ତ ଚାଲିଥିଲା।
ବିଧାନସଭାରେ ବିଲ ପାସ ହେବାର ରେକର୍ଡ ରହିଛି ୨୦୦୩ ପୁଲିସ ବିଲ ପାସ ସମୟର। ତତ୍କାଳନୀ ମିଳିତ ସରକାର ୨୦୦୩ ନଭେମ୍ବର ୧୦ ତାରିଖରେ ପୁଲିସ ବିଲ ଆଣିଥିଲେ। ଏହି ବିଲ ୨୦୦୩ ନଭେମ୍ବର ୧୧ ଅପରାହ୍ନ ୩ଟା ୫୬ରୁ ଆରମ୍ଭ ହୋଇ ନଭେମ୍ବର ୧୨ ସକାଳ ୮ଟା ୩୨ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସାଢେ ଷୋଳ ଘଣ୍ଟା ପର୍ଯ୍ୟନ୍ତ ବିଲ ପାସ ପାଇଁ ଚାଲିଥିବା ବିଧାନସଭା ସର୍ବକାଳୀନ ରେକର୍ଡ ରହିଛି। ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ ହେବା ପାଇଁ ସାଢେ ୧୨ ଘଣ୍ଟା ସମୟ ଲାଗିଛି।
ଏହାସହ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍ ଅଧିବେଶନ ଶେଷ ହୋଇଛି। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନ ୨୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ଟି କାର୍ଯ୍ୟ ଦିବସ ଚାଲିଥିଲା। ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ, ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ।
ବିଲ ପାସ ପାଇଁ ସର୍ବକାଳୀନ ରେକର୍ଡ
ବିଧାନସଭା ଇତିହାସରେ ପୁଣି ରେକର୍ଡ । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍ ୨୦୨୪ । ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗତ କରିଥିଲେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ୨୦୨୪ । ବିଶ୍ୱବିଦ୍ୟାଳୟ ବିଲ୍ ନେଇ ବିରୋଧୀ ଏବଂ ଶାସକ ଦଳ ଭିତରେ ହୋଇଥିଲା ଘମାଘୋଟ ଆଲୋଚନା । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ଶେଷ ଯାଏଁ ଗୃହରେ ଉପସ୍ଥିତ ଥିଲେ ।
ସେହିପରି ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗଣେଶ୍ୱର ବେହେରା, ଧ୍ରୁବ ସାହୁ ବିଲ୍ ବିରୋଧରେ ବଳିଷ୍ଠ ଯୁକ୍ତି ବଢିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଥିଲେ । ଶାସକ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ । କିନ୍ତୁ ଭୋଟିଂ ହେଉଥିବାରୁ ଉପସ୍ଥିତ ନଥିବା ବିଧାୟକ କାହିଁକି ଆସିନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଫୋନ୍ କରି ଅନୁପସ୍ଥିତ ଥିବା ବିଧାୟକ ମାନଙ୍କୁ ମଧ୍ୟ କାରଣ ପଚାରିଥିଲେ ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁସାରେ ଗତକାଲି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍ ବିରୋଧୀ ଏବଂ ଶାସକ ଦଳ ଭିତରେ ଏକ ଘମାଘୋଟ ଲଢେଇ ସାମ୍ନାକୁ ଆଣିଥିଲା । ବିଜେଡି ବିଧାୟକ ଅରୁଣ ସାହୁ ୩ ଘଣ୍ଟା ୧୦ ମିନିଟରୁ ଅଧିକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଢ଼ ଘଣ୍ଟାରୁ ଅଧିକ, ଗଣେଶ୍ୱର ବେହେରା ୧ ଘଣ୍ଟାରୁ ଅଧିକ ସମୟ ଧରି ନିଜର ଯୁକ୍ତି ରଖିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଘଂଟାଏରୁ ଅଧିକ ସମୟ ଧରି କାଉଣ୍ଟର କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କୁ କଡା କାଉଣ୍ଟର କରିଥିଲେ । ସାଢେ ୧୨ ଘଣ୍ଟା ଧରି ବହୁ ଯୁକ୍ତି ତର୍କ ଏବଂ ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ୨୦୨୪ ବିଧାନସଭାରେ ପାରିତ ହୋଇଛି। ଭୋର ସମୟରେ ଓଡ଼ିଶା ପ୍ରତି ଶିକ୍ଷାର ସୂର୍ଯ୍ୟୋଦୟ ହେବ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ବିଲ୍ ପାରିତ ପାଇଁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ । ଏହାପରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ପାରିତ ନେଇ ଆଲୋଚନା ଆରମ୍ଭ ହୋଇଥିଲା ।
ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ ହେବା ପରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର । ୨୦୨୪ରେ ଯେଉଁ ବିଲ୍ ଅଣା ଯାଇଛି ତାହା ୧୯୮୯ର ବିଲକୁ ସଂଶୋଧନ କରାଯାଇଛି ବୋଲି କୁହାଯାଇଛି । ବିଲର ବୈଧତା କ’ଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ ବୋଲି ସେ କହିଛନ୍ତି । ବିଲ୍ରେ ଗଭର୍ଣ୍ଣରଙ୍କ ପାୱାରକୁ କାଟି ଦିଆଯାଇଛି। ୟୁଜିସିର ଡ୍ରାଫ୍ଟ ଗାଇଡ଼ ଲାଇନ, ଜାତୀୟ ଶିକ୍ଷା ନୀତିର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳ ମେଳ ନାହିଁ। ଯେହେତୁ ୪ ବର୍ଷ ତଳେ ବିଜେପି ବିରୋଧରେ ଥିଲେ, ୟୁଜିସିକୁ ଲଗେଇ ମାମଲା କରିଥିଲେ। ତେଣୁ ନିଜ ଜିଦ ରକ୍ଷା ପାଇଁ ବିଲ ଆଣି ତରବରିଆ ଭାବେ ସଂଖ୍ୟା ବଳ ରେ ପାସ କରିଛନ୍ତି। ବିଲ ଉପରେ ସାଢେ ୧୨ ଘଣ୍ଟା ଆଲୋଚନା ହେଲା। ଆହୁରି ହୋଇ ପାରିଥାନ୍ତା। ହେଲେ ସେତିକି ସୁଯୋଗ ଦିଆଯାଉନି। ମୁଁ କେବଳ ୩ ଘଣ୍ଟା ୧୦ ମିନିଟ ଆଲୋଚନାରେ ଭାଗ ନେଇଛି।
ସେପଟେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଗଣତନ୍ତ୍ର ପୁଣି ବିଧାନସଭା ଗୃହରେ ପ୍ରତିଷ୍ଠା ହୋଇଛି । ସାଢେ ୧୨ ଘଣ୍ଟା ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଛି । କ୍ଲଜ ବାଏ କ୍ଲଜ ଆଲୋଚନା ବେଳେ ସବୁ ଉତ୍ତର ଉଚ୍ଚ ଶିକ୍ଷା ମନ୍ତ୍ରୀ ରଖିଛନ୍ତି। ଏହି ବିଲ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ପୂର୍ବ ସରକାର ବିଶ୍ୱବିଦ୍ୟାଳୟ କ୍ଷମତା ସଂକୀର୍ଣ୍ଣ କରିଥିଲେ ଏବେ ତାହାକୁ ସ୍ୱାୟତ୍ତ କରାଯାଇଛି।ନୂଆ ବିଲ ଦ୍ୱାରା ସରକାରୀ ନିୟନ୍ତ୍ରଣ କମିବ। ନୂଆ ବିଧାୟକଙ୍କୁ ବିଲ ବିଷୟରେ ବୁଝିବାକୁ ସୁଯୋଗ ମିଳିଛି। ଆମେ ରାତି ସାରା ଏଥିରେ ଭାଗ ନେଇଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି ଇରାଶିଷ।
Previous article: https://purvapaksa.com/the-mining-scam-and-the-bjd-are-two-sides-of-the-same-coin-cag-exposes-bjds-mine-owner-preeti/
ଖଣି ଦୁର୍ନୀତି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ; ବିଜେଡିର ଖଣିମାଲିକ ପ୍ରୀତିକୁ ପଦାରେ ପକାଇଦେଲେ ସିଏଜି