ଗୁଇନ୍ଦାଗିରି ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାର ଗିରଫ ପରେ ନୂଆ-ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦାବି କରାଯାଉଛି ଯେ ପହଲଗାମ ଆକ୍ରମଣ ପୂର୍ବରୁ ସେ ପାକିସ୍ତାନ ଯାଇଥିଲା। ସେଠାରୁ ଫେରି ସେ କାଶ୍ମୀର ବୁଲିବାକୁ ଯାଇଥିଲା। ସେ ପାକିସ୍ତାନର ଗୁପ୍ତଚର ଅଧିକାରୀଙ୍କ ସହ ସମ୍ପର୍କରେ ଥିଲା। ଏହି ସାମ୍ପ୍ରତିକ ଘଟଣା ପରେ ବିଶ୍ୱର ଗୁପ୍ତଚର ଏଜେନ୍ସିଗୁଡ଼ିକ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଉଛି।
ଦେଶର ସୁରକ୍ଷାର ପ୍ରଥମ ପଂକ୍ତି ହେଉଛି ଏହାର ଗୁଇନ୍ଦା ଏଜେନ୍ସି। ଗୁଇନ୍ଦା ଏଜେନ୍ସିଠାରୁ ମିଳୁଥିବା ଗୁପ୍ତ ସୂଚନା ଉପରେ ହିଁ ଯୁଦ୍ଧର ସଫଳତା ଓ ବିଫଳତା ନିର୍ଭର କରିଥାଏ। ବିଶ୍ୱର ବିଭିନ୍ନ ଦେଶର ଗୁପ୍ତଚର ଏଜେନ୍ସିଗୁଡ଼ିକ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହି ଏଜେନ୍ସିଗୁଡ଼ିକ ନିଜ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ତଥ୍ୟ ସଂଗ୍ରହ କରନ୍ତି। ନିଜ ଦେଶର ସ୍ୱାର୍ଥରେ ଗୁପ୍ତ ଅଭିଯାନ ମଧ୍ୟ ପରିଚାଳନା କରନ୍ତି। ଏହା ସହିତ ଜାତୀୟ ସୁରକ୍ଷା ପାଇଁ ବିପଦର ଆକଳନ ମଧ୍ୟ କରନ୍ତି। ଆସନ୍ତୁ ଜାଣିବା ବିଶ୍ୱର ଶୀର୍ଷ ୧୦ଟି ଗୁପ୍ତଚର ଏଜେନ୍ସି ବିଷୟରେ, ସେମାନଙ୍କର ଗଠନ କାହାଣୀ କ’ଣ।
CIA: ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଜନ୍ମ
ଆମେରିକାର ଗୁପ୍ତଚର ଏଜେନ୍ସି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (CIA) ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଗୁପ୍ତଚର ଏଜେନ୍ସି ବୋଲି ବିବେଚନା କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜଭେଲ୍ଟ ଅଫିସ ଅଫ ଦି କୋଅର୍ଡିନେଟର ଅଫ ଇନଫର୍ମେସନ (COI) ଗଠନ କରିଥିଲେ। ତାରିଖ ଥିଲା ୧୧ ଜୁଲାଇ ୧୯୪୧। ଏହାର ଉଦ୍ଦେଶ୍ୟ ଥିଲା ଯୁଦ୍ଧ ସହ ଜଡ଼ିତ ଅନ୍ୟ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିବା। ଏହାପରେ ୧୩ ଜୁନ ୧୯୪୨ରେ ଆମେରିକାରେ ଏକ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ଗଠନ କରାଗଲା, ଯାହାର ନାମ ରଖାଗଲା ଅଫିସ ଅଫ ଷ୍ଟ୍ରାଟେଜିକ ସର୍ଭିସେସ (OSS)।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ତତ୍କାଳୀନ ରାଷ୍ଟ୍ରପତି ହାରୀ ଏସ ଟ୍ରୁମାନ ଅକ୍ଟୋବର ୧୯୪୫ରେ ସମସ୍ତ ଯୁଦ୍ଧ ଏଜେନ୍ସିଗୁଡ଼ିକୁ ଭାଙ୍ଗି ଦେଇଥିଲେ। ଏଥିରେ OSS ମଧ୍ୟ ସାମିଲ ଥିଲା। ଏହା ସହିତ OSSର ସମସ୍ତ ଉପ-ଏକକଗୁଡ଼ିକୁ ମିଶାଇ ଷ୍ଟ୍ରାଟେଜିକ ସର୍ଭିସେସ ୟୁନିଟ (SSU) ଗଠନ କରାଗଲା। ଏହାଠାରୁ ଆଗକୁ ବଢ଼ି ୨୨ ଜାନୁଆରୀ ୧୯୪୬ରେ ନିଷ୍ପତ୍ତି ନିଆଗଲା ଯେ SSUର ସ୍ଥାନରେ ଏକ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଗ୍ରୁପ (CIG) ଗଠନ କରାଯିବ, ଯାହା ସ୍ୱାଧୀନ ଭାବେ ଗବେଷଣା ଓ ବିଶ୍ଳେଷଣ କରିବ।
କିନ୍ତୁ, ୧୯୪୭ ଆସିବା ସମୟରେ ରାଷ୍ଟ୍ରପତି ଟ୍ରୁମାନ ଅନୁଭବ କଲେ ଯେ ଦେଶରେ ଏକ ସମ୍ପୂର୍ଣ୍ଣ ସକ୍ରିୟ ଗୁପ୍ତଚର ସଂଗଠନ ହେବା ଆବଶ୍ୟକ। ଏଥିପାଇଁ ସେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟରେ ହସ୍ତାକ୍ଷର କଲେ, ଯାହା ଅନୁଯାୟୀ ୧୮ ସେପ୍ଟେମ୍ବର ୧୯୪୭ରେ CIAର ଗଠନ ହେଲା। ଏହି ଆକ୍ଟ ମାଧ୍ୟମରେ CIAକୁ ଏକ ସ୍ୱାଧୀନ ନାଗରିକ ଗୁପ୍ତଚର ଏଜେନ୍ସି ଭାବେ ମାନ୍ୟତା ଦିଆଗଲା।
ମୋସାଦ : ଇସ୍ରାଏଲର ମୃତ୍ୟୁଦୂତ
ଇସ୍ରାଏଲୀ ଗୁପ୍ତଚର ଏଜେନ୍ସିର ନାମ ହେଉଛି ମୋସାଦ। ଏହା ତା’ର କାରନାମା ହେତୁ ବିଶ୍ୱବ୍ୟାପୀ ସବୁଠାରୁ ଅଧିକ ସମ୍ମାନିତ। କୁହାଯାଏ ଯେ ଇସ୍ରାଏଲର ସୁରକ୍ଷା ପାଇଁ ଏହି ଏଜେନ୍ସି ବିଶ୍ୱର ଯେକୌଣସି କୋଣରୁ ଶତ୍ରୁଙ୍କୁ ଖୋଜି ମାରେ। ଏହା ମାନାଯାଏ ଯେ ଯିଏ ଥରେ ମୋସାଦର ହିଟ୍ ଲିଷ୍ଟରେ ଆସେ, ତା’ର ବଞ୍ଚିବା ଅସମ୍ଭବ।
ଇସ୍ରାଏଲର ପ୍ରତିଷ୍ଠା ସହିତ ମୋସାଦର ମଧ୍ୟ ମୂଳଦୁଆ ପଡ଼ିଥିଲା। ଦେଶର ଗଠନ ସହିତ ପ୍ରଧାନମନ୍ତ୍ରୀ ହୋଇଥିବା ଡେଭିଡ ବେନ ଗୁରିୟନଙ୍କୁ ଏକ ଏପରି ଗୁପ୍ତଚର ଏଜେନ୍ସିର ଆବଶ୍ୟକତା ଅନୁଭବ ହେଲା, ଯାହା ସେନାର ଗୁପ୍ତଚର ବିଭାଗ ଓ ଅନ୍ୟ ସମସ୍ତ ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟ ସ୍ଥାପନ କରିପାରେ। ଏଥିପାଇଁ ଗୁପ୍ତଚର ଏଜେନ୍ସିର ଗଠନ ୧୩ ଡିସେମ୍ବର ୧୯୪୯ରେ ହେଲା। ଏହି ଗୁପ୍ତଚର ଏଜେନ୍ସିର ପ୍ରଥମ ନିର୍ଦ୍ଦେଶକ ରୁଭେନ ଶିଲୋହଙ୍କୁ କରାଗଲା। ମୋସାଦର ପୂରା ନାମ ହେଉଛି ମୋସାଦ ଲେ-ମୋଦିଇନ ଉଲେ-ତଫକିଦିମ ମେୟୁହାଦିମ, ଅର୍ଥାତ ସେଣ୍ଟ୍ରାଲ ଇନଷ୍ଟିଟ୍ୟୁଟ ଫର ଇଣ୍ଟେଲିଜେନ୍ସ ଆଣ୍ଡ ସ୍ପେଶାଲ ଅପରେସନ୍ସ। ଏହାର ମୁଖ୍ୟାଳୟ ତେଲ ଆଭିଭରେ ଅଛି।
RAW: ବିଫଳାତରୁ ଜନ୍ମ ନେଇଥିଲା ଭାରତର ଗୁପ୍ତଚର ଏଜେନ୍ସି
ଏହା ୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧର କଥା। ୨୨ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତର ପଲା ନିଶ୍ଚିତଭାବେ ଭାରୀ ଥିଲା, କିନ୍ତୁ ପାକିସ୍ତାନ ବିଷୟରେ ଆହୁରି ଅଧିକ ତଥ୍ୟ ପାଇଥିଲେ ବୋଧହୁଏ ଏହି ଯୁଦ୍ଧର ଫଳାଫଳ ଅନ୍ୟ କିଛି ହୋଇଥାନ୍ତା। ପ୍ରକୃତରେ, ୨୨ ସେପ୍ଟେମ୍ବର ୧୯୬୫ରେ ଯୁଦ୍ଧବିରତି ଘୋଷଣା ହେବା ସମୟରେ ପାକିସ୍ତାନର ସମସ୍ତ ଅସ୍ତ୍ରଶସ୍ତ୍ର ସରିଯାଇଥିଲା। ଆମେରିକା ପାକିସ୍ତାନକୁ ଅସ୍ତ୍ର ଯୋଗାଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା, ତେଣୁ ତାହାକୁ ଅସ୍ତ୍ର ଯୋଗାଣ ମଧ୍ୟ ସମ୍ଭବ ନ ଥିଲା।
କିନ୍ତୁ, ସେତେବେଳେ ଭାରତର ଆଭ୍ୟନ୍ତରୀଣ ଗୁପ୍ତଚର ଏଜେନ୍ସି ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ଏହି ବିଷୟରେ ତଥ୍ୟ ସଂଗ୍ରହ କରିପାରି ନଥିଲା। ଏହା ହେତୁ ଯୁଦ୍ଧ ଅନିର୍ଣ୍ଣୟ ସ୍ଥିତିରେ ଶେଷ ହେଲା। ଯଦି ପାକିସ୍ତାନର ସ୍ଥିତି ବିଷୟରେ ତଥ୍ୟ ଥାଇଥାନ୍ତା, ତେବେ ଫଳାଫଳ ଅନ୍ୟ କିଛି ହୋଇଥାନ୍ତା।
ଏହି ଅସଫଳତା ଜଣାପଡ଼ିବା ପରେ ଭାରତ ଦେଶ ବାହାରୁ ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ନୂଆ ଏଜେନ୍ସି ଗଠନର ନିଷ୍ପତ୍ତି ନେଲା। ୨୧ ସେପ୍ଟେମ୍ବର ୧୯୬୮ରେ ଏହି ଗୁପ୍ତଚର ଏଜେନ୍ସିର ଗଠନ ହେଲା ଏବଂ ନାମ ରଖାଗଲା ରିସର୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (RAW)। ରାମେଶ୍ୱର ନାଥ କାଓଙ୍କୁ RAWର ପ୍ରଥମ ମୁଖ୍ୟ ଏବଂ ଶଙ୍କରନ ନାୟାରଙ୍କୁ ଦ୍ୱିତୀୟ ଦାୟିତ୍ୱ ଦିଆଗଲା। ଏହା ସହିତ IBରୁ ପ୍ରାୟ ୨୫୦ ଜଣଙ୍କୁ RAWକୁ ସ୍ଥାନାନ୍ତର କରି ଏହି ଏଜେନ୍ସିର ଆରମ୍ଭ ହେଲା।
MI-6: ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଗଠିତ ବ୍ରିଟିଶ ଗୁପ୍ତଚର ଏଜେନ୍ସି
ବ୍ରିଟେନର ଗୁପ୍ତଚର ଏଜେନ୍ସିର ନାମ ହେଉଛି ସିକ୍ରେଟ ଇଣ୍ଟେଲିଜେନ୍ସ ସର୍ଭିସ (SIS), ଯାହାକୁ ସାଧାରଣତଃ MI-6 ନାମରେ ଜଣାଯାଏ। ଏହି ଗୁପ୍ତଚର ଏଜେନ୍ସିର ଗଠନ ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ୧୯୦୯ ମସିହାରେ ସିକ୍ରେଟ ସର୍ଭିସ ବ୍ୟୁରୋ ଭାବେ ଦେଶ ବାହାରର ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ କରାଗଲା। ଆରମ୍ଭରେ ଏହାର ଦୁଇଟି ଶାଖା ଥିଲା – ନୌସେନା ଓ ସ୍ଥଳସେନା। କିନ୍ତୁ ଶୀଘ୍ର ଦେଶ ବାହାର ଓ ଆଭ୍ୟନ୍ତରୀଣ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ଏହାର ବିଭାଜନ ହେଲା। ୧୯୧୧ ମସିହାରେ ଏହାର ବିଭାଜନକୁ ଔପଚାରିକ ଅନୁମୋଦନ ଦିଆଗଲା ଏବଂ ୧୯୧୬ ମସିହାରେ ଏହି ଦୁଇ ଏଜେନ୍ସିକୁ ଡାଇରେକ୍ଟୋରେଟ ଅଫ ମିଲିଟାରୀ ଇଣ୍ଟେଲିଜେନ୍ସ ଅଧୀନକୁ ଅଣାଯାଇଥିଲା। ଏହିଠାରୁ MI ନାମର ଉତ୍ପତ୍ତି ହୋଇଥିଲା।
MIର ଅର୍ଥ ହେଉଛି ମିଲିଟାରୀ ଇଣ୍ଟେଲିଜେନ୍ସ। ବର୍ତ୍ତମାନ ବ୍ରିଟେନରେ ଏପରି ଦୁଇଟି ଏଜେନ୍ସି ଅଛି- MI-5, ଅର୍ଥାତ ମିଲିଟାରୀ ଇଣ୍ଟେଲିଜେନ୍ସ-୫, ଯାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଦାୟୀ, ଯେପରି ଭାରତରେ IB। ଏହାର ଆଧାରରେ SISକୁ MI-6 କୁହାଯାଏ।
ISI: ଇଂରେଜ ଅଫିସର ରଖିଥିଲେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିର ମୂଳଦୁଆ
ପାକିସ୍ତାନର ବାହ୍ୟ ଗୁପ୍ତଚର ତନ୍ତ୍ର ଭାରତ ତୁଳନାରେ ଅଧିକ ପୁରୁଣା। ପାକିସ୍ତାନର ଗୁପ୍ତଚର ଏଜେନ୍ସି ISI ତା’ର କୁକର୍ମ ପାଇଁ ବିଶ୍ୱବ୍ୟାପୀ କୁଖ୍ୟାତ। ଏହାର ଗଠନ ୧୯୪୮ ମସିହାରେ ଜଣେ ଇଂରେଜ ଅଫିସର ରବର୍ଟ କାଉଥୋର୍ମ କରିଥିଲେ। ISI ବିଶ୍ୱବ୍ୟାପୀ ଆତଙ୍କବାଦ ବିସ୍ତାର କରିବା ପାଇଁ ଜଣାଶୁଣା। ଏହା ଉପରେ ତାଲିବାନ ସମେତ ଅନେକ ଆତଙ୍କବାଦୀ ଗୋଷ୍ଠୀକୁ ପାଳନ-ପୋଷଣ କରିବାର ଅଭିଯୋଗ ଲାଗି ରହିଛି।
KGBରୁ FIS
ସୋଭିଏତ ସଂଘର ବିଘଟନ ପୂର୍ବରୁ ତାହାର ଗୁପ୍ତଚର ଓ ସୁରକ୍ଷା ଏଜେନ୍ସି ଥିଲା KGB। ଏହାର ପୂରା ନାମ ଥିଲା କୋମିତେତ ଗୋସୁଦାରସ୍ତଭେନୋୟ ବେଜୋପାସନୋସ୍ତି, ଯାହାର ଅର୍ଥ ରାଜ୍ୟ ସୁରକ୍ଷା ସମିତି। ୧୯୫୪ ମସିହାରୁ ୧୯୯୧ ମସିହା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିଥିଲା। ଏହାପରେ ସୋଭିଏତ ସଂଘର ବିଘଟନ ହେବା ପରେ ରୁଷ ନିଜର ଗୁପ୍ତଚର ଏଜେନ୍ସି ଗଠନ କଲା, ଯାହାର ନାମ ହେଉଛି ଫରେନ ଇଣ୍ଟେଲିଜେନ୍ସ ସର୍ଭିସ (FIS)। ଏହାକୁ ଫେଡେରାଲ ସିକ୍ୟୁରିଟି ସର୍ଭିସେସ ନାମରେ ମଧ୍ୟ ଜଣାଯାଏ। ଏହାର ମୁଖ୍ୟାଳୟ ମସ୍କୋରେ ଅଛି।
ମିନିଷ୍ଟ୍ରୀ ଅଫ୍ ଷ୍ଟେଟ୍ ସିକ୍ୟୁରିଟି: ୧୯୮୩ରେ ଗଠିତ ଚୀନ ଗୁପ୍ତଚର ଏଜେନ୍ସି
ଚୀନର ଗୁପ୍ତଚର ଏଜେନ୍ସିକୁ ମିନିଷ୍ଟ୍ରୀ ଅଫ୍ ଷ୍ଟେଟ ସିକ୍ୟୁରିଟି (MSS) ନାମରେ ଜଣାଯାଏ। ଏହାର ଗଠନ ୧ ଜୁଲାଇ ୧୯୮୩ରେ ହେଇଥିଲା। ଚୀନର ଏହି ଗୁପ୍ତଚର ଏଜେନ୍ସି ସେଣ୍ଟ୍ରାଲ ନ୍ୟାସନାଲ ସିକ୍ୟୁରିଟି କମିଶନ ଅଧୀନରେ କାର୍ଯ୍ୟ କରେ।
ଏଜେନ୍ସି ଡାଇରେକ୍ସନ ଜେନେରାଲ ଡି ଲା ସିକ୍ୟୁରିଟି: ଏହିପରି ଗଠିତ ହେଲା ଫ୍ରାନ୍ସର ଗୁପ୍ତଚର ଏଜେନ୍ସି
ଫ୍ରାନ୍ସର ଗୁପ୍ତଚର ଏଜେନ୍ସିର ନାମ ହେଉଛି ଡାଇରେକ୍ସନ ଜେନେରାଲ ଡି ଲା ସିକ୍ୟୁରିଟି (DGSE)। ଏହାର କ୍ଷମତାକୁ ମଧ୍ୟ ପ୍ରଶଂସା କରାଯାଇଛି। ଏହି ଏଜେନ୍ସିର ଗଠନ ୨ ଏପ୍ରିଲ ୧୯୮୨ରେ ହେଇଥିଲା। ଏହି ଏଜେନ୍ସିର ଦାବି ଅନୁଯାୟୀ, ଏହା ଫ୍ରାନ୍ସରେ ହେବାକୁ ଥିବା ୧୫ରୁ ଅଧିକ ଆତଙ୍କବାଦୀ ଆକ୍ରମଣକୁ ତା’ର ଗୁପ୍ତ ତଥ୍ୟର ବଳରେ ରୋକି ଦେଇଛି।
ଅଷ୍ଟ୍ରେଲୀୟ ଗୁପ୍ତଚର ଏଜେନ୍ସି: ୧୯୫୨ରେ ହେଲା ଗଠନ
ଅଷ୍ଟ୍ରେଲିଆର ଗୁପ୍ତଚର ଏଜେନ୍ସିର ଗଠନ ୧୯୫୨ ମସିହାରେ ହେଇଥିଲା। ଅଷ୍ଟ୍ରେଲିଆର ସ୍ୱାର୍ଥ ରକ୍ଷା ପାଇଁ ବିଦେଶରୁ ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ଗଠିତ ଏଜେନ୍ସିର ନାମ ଅଷ୍ଟ୍ରେଲିୟାନ ସିକ୍ରେଟ ଇଣ୍ଟେଲିଜେନ୍ସ ସର୍ଭିସେସ (ASIS)।
BND: ଜର୍ମାନୀର ଗୁପ୍ତଚର ଏଜେନ୍ସି
ଜର୍ମାନୀର ସଂଘୀୟ ଗୁପ୍ତଚର ଏଜେନ୍ସିର ନାମ BND, ଯାହାର ଗଠନ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ହେଇଥିଲା। ଏହାର କାର୍ଯ୍ୟ ହେଉଛି ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ରକ୍ଷା କରିବା। ଜର୍ମାନୀ ତା’ର ଏହି ଗୁପ୍ତଚର ଏଜେନ୍ସି ଉପରେ ହଜାର ହଜାର କୋଟି ବଜେଟ ଖର୍ଚ୍ଚ କରେ। ଜାସୁସୀରେ BND ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରେ।
Also readhttps://purvapaksa.com/isis-honeytrap-college/
ISI’s Honeytrap College || ଏହି କଲେଜରେ ସୁନ୍ଦରୀ ଝିଅଙ୍କୁ ଆଇଏସଆଇ ଦିଏ ‘ପଟେଇବା’ ଟ୍ରେନିଂ !