Rivers of Odisha : ଓଡ଼ିଶାରେ କିନ୍ତୁ ଭୂଗୋଳ ଅଧ୍ୟୟନ, ଗବେଷଣା ଓ ରଚନା ଆଜି ବି ଅପରିପକ୍ୱ ଅବସ୍ଥାରେ ରହିଛି ଏହା କହିଲେ ଅତ୍ୟୁକ୍ତି ହେବନାହିଁ। ସ୍କୁଲରେ ହିଁ ଯାହା ଆମେ ଭୂଗୋଳ ପଢ଼ିଥାଉ, ତା’ପରେ ଏହି ବିଷୟ ପ୍ରତି ପ୍ରାୟ ଆଗ୍ରହ ପ୍ରକାଶ ପାଇନଥାଏ। ସ୍ୱଭାବତଃ, ଭୌତିକ ଭୂଗୋଳ ହେଉକି, ମାନବ ଭୂଗୋଳ ହେଉ କି ପ୍ରାଦେଶିକ ଭୂଗୋଳ ହେଉ ଏ ସମ୍ପର୍କରେ ପୁସ୍ତକ ଖଣ୍ଡିଏ ଆଖିରେ ପଢ଼ିବା
ଭାସ୍କର ପରିଚ୍ଛା
ଭୂଗୋଳ ଏଭଳି ଏକ ବିଷୟ ଯେଉଁଥିରେ ପୃଥିବୀର ଉପର ଭାଗ ଓ ପ୍ରାକୃତିକ ସମ୍ବଳ ଯଥା ଦେଶ, ଦୁନିଆଁ, ମହାଦେଶ, ନଗର, ନଦୀ ଝରଣା, ସମୁଦ୍ର, ପାହାଡ଼ ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦି ପଢ଼ାଯାଏ। ଭୂଗୋଳ ଏକ ମାତ୍ର ବିଷୟ ଯାହା ଧରାତଳର ସ୍ଥାନୀୟ ବିନ୍ୟାସକୁ ବୁଝିବାରେ ସହାୟତା କରିଥାଏ। ସମସ୍ତ ପ୍ରାକୃତିକ ଓ ମାନବିକ ବିଜ୍ଞାନକୁ ଗୋଟିଏ ମଞ୍ଚକୁ ଆଣିବାରେ ଭୂଗୋଳର ଅବଦାନ ଅନସ୍ୱୀକାର୍ଯ୍ୟ।
ଓଡ଼ିଶାରେ କିନ୍ତୁ ଭୂଗୋଳ ଅଧ୍ୟୟନ, ଗବେଷଣା ଓ ରଚନା ଆଜି ବି ଅପରିପକ୍ୱ ଅବସ୍ଥାରେ ରହିଛି ଏହା କହିଲେ ଅତ୍ୟୁକ୍ତି ହେବନାହିଁ। ସ୍କୁଲରେ ହିଁ ଯାହା ଆମେ ଭୂଗୋଳ ପଢ଼ିଥାଉ, ତା’ପରେ ଏହି ବିଷୟ ପ୍ରତି ପ୍ରାୟ ଆଗ୍ରହ ପ୍ରକାଶ ପାଇନଥାଏ। ସ୍ୱଭାବତଃ, ଭୌତିକ ଭୂଗୋଳ ହେଉକି, ମାନବ ଭୂଗୋଳ ହେଉ କି ପ୍ରାଦେଶିକ ଭୂଗୋଳ ହେଉ ଏ ସମ୍ପର୍କରେ ପୁସ୍ତକ ଖଣ୍ଡିଏ ଆଖିରେ ପଢ଼ିବା କଷ୍ଟ। ଡ ରଞ୍ଜନ ପ୍ରଧାନଙ୍କ ପୁସ୍ତକ ‘ଓଡ଼ିଶାର ନଦନଦୀ ‘ସେହି ଅଭାବକୁ ଅନେକାଂଶରେ ପୂରଣ କରୁଛି ବୋଲି ବୁଝିବାକୁ ହେବ।
ଆଲୋଚ୍ୟ ପୁସ୍ତକଟି ଏଥିପାଇଁ ଉପାଦେୟ ଯେ ଓଡ଼ିଶାର ଛୋଟବଡ଼ ଶତାଧିକ ନଦୀର ଉତ୍ପତ୍ତିସ୍ଥଳ, ଭୌଗୋଳିକ ଅବସ୍ଥିତି, ତତ୍ସମ୍ପର୍କିତ ଆଖ୍ୟାନ, ଲୋକକଥା, ପରମ୍ପରା, ବାଣିଜ୍ୟିକ ଇତିହାସ ଓ ନଦୀକୂଳିଆ ମଣିଷଙ୍କ ସଂଘର୍ଷ ଆଉ ସଫଳତା ସମ୍ବଳିତ ଅନେକ କଥା ଏଥିରେ ରହିଛି। ଏବଂ, ସେଇଥିପାଇଁ ଏହି ଗବେଷଣା ଗ୍ରନ୍ଥଟି ଓଡ଼ିଆ ଭାଷାରେ ଏକ ଅଭିନବ ପ୍ରୟାସ। ଯେହେତୁ ଲେଖକ ନିଜେ ରାଜ୍ୟର ନଦୀସମୁହର ଅବବାହିକା ଭ୍ରମଣ କରିଛନ୍ତି ଓ ସେହିସବୁ ଉପଲବ୍ଧିଗୁଡ଼ିକୁ ଏକାଠି କରିଛନ୍ତି ସେହି କାରଣରୁ ପୁସ୍ତକଟି ପ୍ରାମାଣିକ ହେବା ବ୍ୟତୀତ ଆମ ନଦୀ ସମୂହର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛି।
ଓଡ଼ିଶା ଏକ ନଦୀ ବହୁଳ ରାଜ୍ୟ ଏକଥା ଯେତିକି ସତ ,ନଦୀମାନେ ଓଡ଼ିଶାର ଲୋକଙ୍କ ସୁଖ ଓ ସମୃଦ୍ଧିର କାରଣ ନହୋଇ ଦୁଃଖ ଓ ଦୁର୍ଦ୍ଦଶାର କାରଣ ହୋଇଛନ୍ତି ତାହା ସମାନ ଭାବରେ ସତ। ନଦୀ ଜଳ ବଣ୍ଟନକୁ ନେଇ ପଡ଼ୋଶୀ ରାଜ୍ୟମାନଙ୍କ ସହ ସୃଷ୍ଟି ହୋଇଥିବା ବିବାଦ ଓ ସମସ୍ୟା ନଦୀ ଜଳ ଓ ତାହାର ଉପଯୋଗ ଉପରେ ପୁନଃ ଅବଲୋକନର ଅପେକ୍ଷା ରଖୁଛି। ଯେଉଁମାନେ ରାଜ୍ୟର ନଦୀଗୁଡ଼ିକ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହୀ ସେମାନଙ୍କ ବ୍ୟତୀତ କୌତୁହଳୀ ପାଠକ ଓ ଅନୁସନ୍ଧିତ୍ସୁ ଗବେଷକଙ୍କୁ ମଧ୍ୟ ଏହି ଗ୍ରନ୍ଥଟି ଆମୋଦ ଦେବା ସହ ବୌଦ୍ଧିକ ପୋଷଣ ଯୋଗାଇବାରେ ସାହାଯ୍ୟ କରିବ ।
Also readhttps://purvapaksa.com/a-unique-memoir-bhave-anubhabe-bauribandhu/
