ଓଡ଼ିଶାର ରାଜନୀତିକ ପାଣିପାଗ ପୁଣିଥରେ ଗରମ। ରାଜ୍ୟସଭା ନିର୍ବାଚନ ଯେତେ ନିକଟକୁ ଆସୁଛି, ସେତେ ଦଳୀୟ ଗଣିତ, ରଣନୀତି ଓ ମନୋବୃତ୍ତିର ଖେଳ ସ୍ପଷ୍ଟ ହେଉଛି। ଏହି ପରିପ୍ରେକ୍ଷିତରେ ବିଜେପି ସଂସଦୀୟ ବୋର୍ଡ ଓଡ଼ିଶାରୁ ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି—ରାଜ୍ୟସଭାପତି ମନମୋହନ ସାମଲ ଓ ଅବସର ନେଉଥିବା ସାଂସଦ ସୁଜିତ କୁମାର। କିନ୍ତୁ ତୃତୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା ନ ହେବାରୁ ରାଜନୀତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା, ଅନୁମାନ ଓ ଆକଳନ।
କେହି କୁହୁଛନ୍ତି ବିଜେପି ଡରିଗଲା। କେହି କହୁଛନ୍ତି ବିଜେଡି-କଂଗ୍ରେସ ମିଳିତ ପଦକ୍ଷେପ ଦେଖି ବିଜେପି ପଛକୁ ହଟିଗଲା। କିନ୍ତୁ ରାଜନୀତିକ ମଞ୍ଚରେ ଏକ ଅନ୍ୟ ମତ ମଧ୍ୟ ଚାଲିଛି—ବିଜେପି ତୃତୀୟ ପ୍ରାର୍ଥୀଙ୍କ କାର୍ଡକୁ ଏପର୍ଯ୍ୟନ୍ତ ଖୋଲିନାହିଁ, ଝୁଲାଇ ରଖିଛି। ଏହା ଡର ନୁହେଁ, ଏକ ଚାଲ। ଏକ ରଣନୀତି। ଏକ ସମୟୋଚିତ ଚେସ୍ ଚାଲ।
ଘୋଷଣା ହେଲା ଦୁଇ ନାଁ, କିନ୍ତୁ ପ୍ରଶ୍ନ ରହିଗଲା ତୃତୀୟଟି
ଦଳ ସୂତ୍ର କହୁଛି, ଏବେ ବି ସଂସଦୀୟ ବୋର୍ଡର ବୈଠକ ଚାଲିଛି। ସମଗ୍ର ଦେଶ ପାଇଁ ୯ଟି ଆସନ ଘୋଷଣା ହୋଇଛି, ବାକି ଆସନ ପାଇଁ ଆଲୋଚନା ଚାଲିଛି। ଓଡ଼ିଶାର ତୃତୀୟ ପ୍ରାର୍ଥୀ ନାଁ ମଧ୍ୟ ଶୀଘ୍ର ଆସିବ ବୋଲି ଦଳ ଭିତରେ ସୂଚନା ରହିଛି। ତଥାପି ପ୍ରଶ୍ନ ହେଉଛି—କିଏ ସେ ତୃତୀୟ ନାଁ? କାହିଁକି ଏତେ ଗୁପ୍ତତା? କାହିଁକି ଏତେ ବିଳମ୍ବ?
ରାଜନୀତିରେ ବିଳମ୍ବ ସବୁବେଳେ ଦୁର୍ବଳତାର ସଙ୍କେତ ନୁହେଁ। କେବେ କେବେ ବିଳମ୍ବ ହୁଏ ମନୋବିଜ୍ଞାନର ଏକ ଚାଲ। ପ୍ରତିପକ୍ଷଙ୍କୁ ଅନିଶ୍ଚିତତାରେ ରଖିବା, ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିବା, ଓ ଶେଷ ମୁହୂର୍ତ୍ତରେ ଚମକ ଦେବା—ଏହା ରାଜନୀତିର ପରିଚିତ ଶୈଳୀ।
ସମ୍ଭାବ୍ୟ ତୃତୀୟ ପ୍ରାର୍ଥୀଙ୍କ ତାଲିକାରେ କିଏ?
ବିଜେପି ତୃତୀୟ ପ୍ରାର୍ଥୀ ଭାବେ ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି, ଯାହାଙ୍କୁ ବିଜେଡିର ଅସନ୍ତୁଷ୍ଟ ବିଧାୟକମାନେ ନୈତିକ ସମର୍ଥନ ଦେବାକୁ ପଛାଇବେ ନାହିଁ। ଏହି ରେସ୍ରେ ଯେଉଁ ନାମ ଚର୍ଚ୍ଚା ହେଉଛି ସେ ହେଲେ ଦିଲ୍ଲୀପ ରାୟ। ଦିଲ୍ଲୀପ ରାୟ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଲଢ଼ିବେ। ଦିଲ୍ଲୀପଙ୍କ ଉଭୟ କଂଗ୍ରେସ ଓ ବିଜେଡିରେ ଅନେକ ମିତ୍ର ଅଛନ୍ତି। ସେ ସ୍ୱାଧୀନ ଲଢ଼ିଲେ ବିଜେଡି ଓ କଂଗ୍ରେସର ଚିନ୍ତା ଆହୁରି ବଢ଼ିଯିବ। ଉଭୟ ଦଳ ବିଜେପି ଚେକ ମେଟ ଦେବା ଅପେକ୍ଷା କିପରି ନିଜ ଦଳର ବିଧାୟକଙ୍କୁ ଏକାଠି ରଖିବେ ତାହା ସେମାନଙ୍କ ପାଇଁ ପ୍ରାଥମିକତା ହୋଇଯିବ। କାରଣ ବିଜେଡି ଓ କଂଗ୍ରେସର ଦଳୀୟ ବୈଠକକୁ ଅନେକ ବିଧାୟକ ଯାଉ ନ ଥିବାରୁ କ୍ରସ ଭୋଟିଂ ଭୟ ସେମାନଙ୍କୁ ଘାରିବାରେ ଲାଗିଛି। ଯଦି ବିଜେପି ତୃତୀୟ ପ୍ରାର୍ଥୀ ଦିଏ ଓ ଦିଲ୍ଲୀପ ରାୟ ସ୍ୱାଧୀନ ଲଢ଼ନ୍ତି ତେବେ ବିଜେଡି ସଂତୃପ୍ତ ମିଶ୍ର ହାରିଯିବାର ବହୁତ ସମ୍ଭାବନା ରହିଛି। କାରଣ ୧୯୯୮ ଓ ୨୦୧୪ରେ ବିଜେଡି ଓ ବିଜେଡି ସମର୍ଥୀତ ପ୍ରାର୍ଥୀ ସଂଖ୍ୟାବଳ ଥାଇ ବି ହାରିବାର ରେକର୍ଡ ରହିଛି।

ଦିଲ୍ଲୀ ସଂସଦୀୟ ବୋର୍ଡ ବୈଠକର ଖବର
ବିଜେପିର କେନ୍ଦ୍ରୀୟ ନେତୃତ୍ୱ (ଅମିତ ଶାହ ଏବଂ ଜେ.ପି. ନଡ୍ଡା) ଓଡ଼ିଶାର ସଂଖ୍ୟା ଗଣିତକୁ ନେଇ ଅତ୍ୟନ୍ତ ସତର୍କ ଅଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ:
• ବିଜେଡିର ଅନ୍ତଃକନ୍ଦଳ ଉପରେ ନଜର: ବିଜେପି ପାଖରେ ସଠିକ୍ ରିପୋର୍ଟ ଅଛି ଯେ ବିଜେଡିର ଅତି କମରେ ୧୨-୧୫ ବିଧାୟକ ଦଳୀୟ ନିଷ୍ପତ୍ତିରେ ଖୁସି ନାହାନ୍ତି। ବିଜେପି ଏହି ବିଧାୟକମାନଙ୍କ ସହ ପରଦା ପଛରେ ସମ୍ପର୍କ ରଖିଛି କି ନାହିଁ, ତାହାହିଁ ବଡ଼ ସସପେନ୍ସ।
• କଂଗ୍ରେସର ଦ୍ୱିଧା: କଂଗ୍ରେସର କିଛି ବିଧାୟକ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅରାଜି। ବିଜେପି ଏହି ‘ଭୋଟ୍ ବ୍ୟାଙ୍କ’କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିବାକୁ ଯୋଜନା କରୁଛି।
‘ୱେଟ୍ ଆଣ୍ଡ ୱାଚ୍’ର ପ୍ରକୃତ କାରଣ
ବିଜେପି ଚାହୁଁଛି ଯେ ବିଜେଡି ପ୍ରଥମେ ନିଜର ସମସ୍ତ ପତ୍ତା ଖୋଲିଦେଉ। ଯଦି ଆଜି ବିଜେପି ନାମ ଘୋଷଣା କରିଥାନ୍ତା, ତେବେ ବିଜେଡିକୁ ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ଅଧିକ ସମୟ ମିଳିଥାନ୍ତା। କିନ୍ତୁ ଶେଷ ଦିନରେ ପ୍ରାର୍ଥୀ ଦେଲେ, ବିରୋଧୀ ଦଳକୁ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସମୟ ମିଳିବ ନାହିଁ।

ବିଜେଡି-କଂଗ୍ରେସ ମିଳନ ଓ ରାଜନୀତିକ ନାରେଟିଭ
ବିଜେଡି ଘୋଷଣା କରିଥିବା ମିଳିତ ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ସୂଚନା ଆସିବା ସହିତ ରାଜନୀତିର ଦୃଶ୍ୟପଟ ପରିବର୍ତ୍ତିତ ହେଲା। ଦୁଇ ଦଶନ୍ଧି ଧରି ବିରୋଧୀ ଶିବିରରେ ଥିବା ଦଳ ମଧ୍ୟରେ ଏହି ନୂତନ ସମୀକରଣ ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ।
ଏହି ପରିସ୍ଥିତିରେ ବିଜେପି ଦୁଇଟି ନାଁ ଘୋଷଣା କରିବା ପରେ ବିଜେଡି ଓ କଂଗ୍ରେସ ଶିବିରରୁ ଆସିଲା ଏକ ନାରେଟିଭ—“ବିଜେପି ଡରିଗଲା।” କିନ୍ତୁ ରାଜନୀତିର ଖେଳ କେବଳ ଭାବନାର ନୁହେଁ, ଗଣିତର।
ସୁଦୀପ୍ତ ରାୟଙ୍କ ବକ୍ତବ୍ୟ: ସଙ୍କେତ କି ସଂକଳ୍ପ?
ଗତକାଲି ବିଜେପି ନେତା ସୁଦୀପ୍ତ ରାୟ ପ୍ରେସମିଟ୍ କରି ସ୍ପଷ୍ଟ କରିଥିଲେ- ଡା. ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା ପୂର୍ବରୁ ବିଜେପି ସହିତ କୌଣସି ଆଲୋଚନା ହୋଇନାହିଁ। ତେଣୁ ବିଜେପି ସେହି ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ।
ଏହି ବକ୍ତବ୍ୟ କେବଳ ବ୍ୟକ୍ତିଗତ ମତ ନୁହେଁ। ଏହା ଦଳର ମନୋଭାବର ପ୍ରକାଶ। ଏଥିରୁ ଏକ ସନ୍ଦେଶ ସ୍ପଷ୍ଟ- ବିଜେପି ମିଳିତ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ମନସ୍କାମନାରେ ନାହିଁ। ତେଣୁ ତୃତୀୟ ପ୍ରାର୍ଥୀ ଆସିବାର ସମ୍ଭାବନା ବେଶି।
ନାମାଙ୍କନ ପାଇଁ ଅଛି ସମୟ, ରଣନୀତି ପାଇଁ ଅଛି ଅବସର
ନାମାଙ୍କନ ପାଇଁ ଆଉ ଦୁଇ ଦିନ ସମୟ ଅଛି। ଏହି ସମୟ ମଧ୍ୟରେ ଅନେକ ଗଣିତ ଆସିବ। ବିଧାୟକମାନଙ୍କ ମନୋଭାବ, ଦଳୀୟ ଅନୁଶାସନ, କ୍ରସ ଭୋଟିଂର ସମ୍ଭାବନା—ସବୁକିଛି ଏବେ ବିଚାରାଧୀନ।
ଯଦି ବିଜେପି ତୃତୀୟ ପ୍ରାର୍ଥୀ ଦେଉଛି, ତେବେ ମୁକାବିଲା ହେବ ସିଧାସଳଖ। ତେବେ ଗଣିତ ଓ ରଣନୀତି ଦୁହିଁ ମୁଖ୍ୟ ଭୂମିକା ନେବ।
ବିଜେଡି-କଂଗ୍ରେସ ଉତ୍ସାହ: କେତେ ଦିନ?
ଏବେ ବିଜେଡି ଓ କଂଗ୍ରେସ ଶିବିରରେ ଖୁସିର ହଲଚଲ ଦେଖାଯାଉଛି। ସେମାନେ ଭାବୁଛନ୍ତି ବିଜେପି ପଛକୁ ହଟିଛି। କିନ୍ତୁ ଯଦି ତୃତୀୟ ପ୍ରାର୍ଥୀ ଆସିଯାଏ ଓ ମୁକାବିଲା ହୁଏ, ତେବେ ଏହି ଉତ୍ସାହ ଦୀର୍ଘ ସମୟ ରହିବ କି?
ରାଜନୀତିରେ ଅନେକ ସମୟ ଶେଷ ମୁହୂର୍ତ୍ତର ଚାଲ ସମଗ୍ର ଖେଳ ଓଲଟାଇ ଦେଇଥାଏ। ଏବେ ଦୃଷ୍ଟି ରହିଛି ବିଜେପିର ତୃତୀୟ କାର୍ଡ ଉପରେ।
ବିଜେପି ତୃତୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା ନ କରି ଏକ ରଣନୀତିକ ଅନିଶ୍ଚିତତା ସୃଷ୍ଟି କରିଛି। ଏହା ଡର କି ଚାଲ—ସେଥି ପ୍ରମାଣ ମିଳିବ ଆସନ୍ତା ଦିନରେ।
କିନ୍ତୁ ଏତେଟା ସ୍ପଷ୍ଟ—ଓଡ଼ିଶାର ରାଜନୀତିକ ଚେସ୍ ବୋର୍ଡରେ ଏବେ ଖେଳ ଚାଲିଛି। ଘୋଷଣା ହେବା ପୂର୍ବରୁ ମଧ୍ୟ ଚାଲ ଚାଲିଯାଇଛି। ଯିଏ ଶେଷରେ ମାତ ଦେବେ, ସେଇ ହେବ ଜିତୁଆ।
ରାଜନୀତିରେ ଝୁଲାଇ ରଖିବା କେବେ କେବେ ସବୁଠାରୁ ବଡ଼ ଆକ୍ରମଣ ହୁଏ।
AlsoRead; https://purvapaksa.com/how-to-remove-holi-colors/

