ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳରେ ସବୁକିଛି ଠିକ୍ ଚାଲୁ ନାହିଁ। କେତେବଳେ କେଉଁ ଗୋଷ୍ଠୀ ବାହାରି କ’ଣ କହୁଛନ୍ତି ତାହାର ଠିକ୍ ଠିକଣା ନାହିଁ। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ସେବା କରୁ କରୁ ନବୀନଙ୍କ ରାଜନୀତିକ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପତ୍ନୀ ଦଳର ସଭାପତି ହେବେ ବୋଲି ଚର୍ଚ୍ଚା ହେଲାଣି।
ଏଭଳି ପରିସ୍ଥିତିରେ ଆପଣମାନେ ଭାବୁଥିବେ ରାଜ୍ୟ ଇତିହାସରେ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ଭାଗ୍ୟ ଭଳି ବିଜେଡି ଭାଗ୍ୟରେ ଏବେ ସୂର୍ଯ୍ୟ ଅସ୍ତ ହେବାକୁ ଯାଉଛନ୍ତି ବା ବିଜେଡି ଏବେ ଭାଙ୍ଗିବା ପରିସ୍ଥିତିକୁ ଆସିଛି। କିନ୍ତୁ ରାଜନୀତିକ ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ଏହା ଆଦୌ ନୁହେଁ। ବରଂ ବିଜେଡିକୁ ହାତ ଧରି ଠିଆ କରିଥିବା ବିଜେପି ଏବେ ବି ବିଜେଡି ସାଙ୍ଗରେ ରହିଛି ଏବଂ ତାହା କିପରି ଆଗକୁ ନିରନ୍ତର ରହିବ ତାହାକୁ ନିଶ୍ଚିତ କରିଛି।
୧୯୯୭ ମସିହା କଥା। ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜ୍ୟରେ ଅଣ କଂଗ୍ରେସ ରାଜନୀତି ଏକ ନୂଆ ରୂପ ନେଲା। ଭଙ୍ଗୁର ଅବସ୍ଥାରେ ଥିବା ଜନତା ଦଳରେ ଆଉ ନେତାଏଁ ରହିବାକୁ ଚାହିଁଲେ ନାହିଁ। କିଏ କଂଗ୍ରେସ ଯାଉଥାଏ ତ ଆଉ କିଏ ଅପେକ୍ଷା କରିଥାଏ ନୂତନ ସୁଯୋଗକୁ। ଏ ଭିତରେ ବିଜୁ ବାବୁଙ୍କ ଅଣ ରାଜନୀତିକ ପୁଅ ଯିଏ ସାହିତ୍ୟ, କଳା ଏବଂ ଅଭିନୟରେ ନିଜକୁ ଦେଶ ବାହାରେ ସଜାଇ ରଖିଥିଲେ ତାଙ୍କୁ କିଛି ନେତା ବାପାଙ୍କ ନାଁରେ ରାଜ୍ୟ ରାଜନୀତିକୁ ସମ୍ଭାଳିବା ଲାଗି ମନେଇବାରେ ସକ୍ଷମ ହେଲେ।
ଆଉ ରାଜ୍ୟ ରାଜନୀତିରେ ଆବିର୍ଭାବ ହୋଇଥିଲା ବିଜୁ ଜନତା ଦଳ। ନବୀନଙ୍କୁ ସେତେବେଳେ ଭାରତୀୟ ଜନତା ପାର୍ଟିର ନେତାମାନେ ବେଶ୍ ସହାୟତା କରିଥିଲେ। ଓଡ଼ିଶାରେ ବିଜେପିର ଦୁବ କଅଁଳୁ ନ ଥିବାବେଳେ ସେମାନେ ବିଜୁବାବୁଙ୍କ ନାଁକୁ ଲୋକଙ୍କ ପାଖକୁ ଆଣି ମନ କିଣିବା ଓ ଭୋଟ୍ ଜିଣିବା ଆରମ୍ଭ କଲେ। ଏ ଯାତ୍ରା ଆରମ୍ଭ ହେଲା ବିଜୁଙ୍କ ଦେହାନ୍ତର ୮ ମାସ ପରେ ଅର୍ଥାତ୍ ଡିସେମ୍ବର ମାସରେ। ଆଉ ତା’ପରେ ଆଜି ଯାଏ ବିଜେଡି ନିଜର ସଫଳତାର ଜୟଯାତ୍ରା ଜାରି ରଖିଛି।
ବିଜେପି ବି ନିଜକୁ ସୁସ୍ଥ ସବଳ କରି ଆଜି ରାଜନୀତିର ଶିଖର ଛୁଇଁଛି, ଓଡ଼ିଶାରେ ଏକାକୀ ସରକାର ଗଠନ କରିଛି। ଏହି ତିନି ଦଶନ୍ଧିରୁ ଅଧିକ ସମୟ ଭିତରେ ପରିସ୍ଥିତି ବଦଳିଛି, ରାଜନୀତିକ ସମୀକରଣ ବଦଳିଛି। ବିଜେଡି-ବିଜେପି ଭିତରେ ଶତ୍ରୁତା ହୋଇଛି, ସେମାନେ ଏକାଠି ହୋଇ ଶାସନ କରନ୍ତୁ ତାହାକୁ ଦଳ ବା ବଳ କେହି ସମର୍ଥନ କରିନାହାନ୍ତି। କିନ୍ତୁ ଆଜି ବି ବିଜେପି ଚାହୁଁଛି ବିଜେଡି ରହୁ। କାରଣ ବିଜେଡି ନ ରହିଲେ ବିଜେପିର ଅସ୍ଥିତ୍ୱ ରହିବ ନାହିଁ। ରାଜ୍ୟର ଅଣ କଂଗ୍ରେସ ଭୋଟ୍କୁ ବିଜେଡି ସେହିପରି ବାଟ କାଟୁ ଥାଉ। ନ ହେଲେ ବିଜେପିର ତିଷ୍ଠିବା ଅସମ୍ଭବ ହୋଇପଡ଼ିବ।
କିଛି ତଥ୍ୟ ପରିସଂଖ୍ୟାନ ଆଧାରରେ ଏହାକୁ ବୁଝିବାକୁ ଚେଷ୍ଟା କରିବା। ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ ଲୋକସଭା ଆସନରୁ ୨୦ଟି ଅକ୍ତିଆର କରିଛି। ଆଉ ଗୋଟିଏ ଆସନ କଂଗ୍ରେସ ପାଇଥିବାବେଳେ ବିଜେଡିର ଆସନ ସଂଖ୍ୟା ଶୂନ ହୋଇଯାଇଥିଲା। ଆପଣ ଭାବୁଥିବେ ଯଦି ଗୋଟିଏ ବି ଆସନ ପାଇବାରେ ବିଜେଡି ସକ୍ଷମ ହୋଇପାରିଲା ନାହିଁ ତେବେ ରାଜ୍ୟବାସୀଙ୍କ ଆଗ୍ରହ ବିଜେଡି ପ୍ରତି ନ ଥିବା ସହ ସମାନ ହୋଇଛି। କିନ୍ତୁ ତାହା ନୁହେଁ।
ରାଜ୍ୟରେ ଯେତିକି ଭୋଟ୍ ଲୋକସଭା ପାଇଁ ଭୋଟ୍ଦାନ ହୋଇଛି ସେଥିରୁ ୪୫.୩୪ ପ୍ରତିଶତ ଭୋଟ୍ ବିଜେପିକୁ ମିଳିଥିବାବେଳେ ବିଜେଡିକୁ ୩୭.୫୩% ମିଳିଛି। ଅର୍ଥାତ୍ ଭୋଟ୍ ପ୍ରତିଶତରେ ମାତ୍ର ୮ ପ୍ରତିଶତ କମ୍ ଭୋଟ୍ ପାଇଛି ବିଜେଡି। ଯଦି ୨୦୧୯ ନିର୍ବାଚନକୁ ତୁଳନା କରିବା ତେବେ ବିଜେଡି ଯେତିକି ଭୋଟ୍ ହରାଇଛି ସେଥିରୁ ମାତ୍ର ୧ ପ୍ରତିଶତ ଅଧିକ ଭୋଟ୍ ପାଇଛି ବିଜେପି।
୨୦୧୯ ତୁଳନାରେ ବିଜେଡି ୫.୨ ପ୍ରତିଶତ ଭୋଟ୍ କମ୍ ପାଇଥିବାବେଳେ ବିଜେପି ମାତ୍ର ୬.୯୪ ପ୍ରତିଶତ ପଏଣ୍ଟ ଭୋଟ୍ ଅଧିକ ହାସଲ କରିଛି। ଅର୍ଥାତ୍ ଯଦି ବିଜେଡି ଏହାର ଭୋଟ୍କୁ ଧରି ରଖିବାରେ ସମର୍ଥ ହୋଇଥାଆନ୍ତା ତେବେ ବିଜେପିର ୨୦ ଆସନ ପାଇବା ସ୍ୱପ୍ନ ପ୍ରାୟ ହୋଇଥାଆନ୍ତା।
ଠିକ୍ ସେହିଭଳି ବିଧାନସଭା ନିର୍ବାଚନକୁ ଦେଖିଲେ ସରକାର ଗଠନ କରିବା ଦୂରର କଥା, ବିଜେପି ବିରୋଧୀ ଦଳ ପାଇଁ ଯୋଗ୍ୟ ହୋଇଥାଆନ୍ତା କି ନା ତାହା ବି ଆଲୋଚନାର ବିଷୟ ହୋଇଥାଆନ୍ତା। କାରଣ ନିର୍ବାଚନ ପରିସଂଖ୍ୟାନକୁ ଦେଖିଲେ ଆଜି ବି ରାଜ୍ୟର ସର୍ବାଧିକ ମତ ବିଜେଡି ପକ୍ଷରେ ପ୍ରଦାନ କରାଯାଇଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ବିଜୁ ଜନତା ଦଳ ସମୁଦାୟ ପଞ୍ଜିକୃତ ଭୋଟ୍ର ୪୦.୨୨ ପ୍ରତିଶତ ପାଇଥିବାବେଳେ ବିଜେପି ଖାତାରେ ୪୦.୦୭ ପ୍ରତିଶତ ଭୋଟ୍ ପଡ଼ିଛି।
ସଂଖ୍ୟାକୁ ଦେଖିଲେ ବିଜେଡି ନାଁରେ ବିଧାନସଭା ପାଇଁ ୧ କୋଟି ୧ ଲକ୍ଷ ୨ହଜାର ୪୫୪ ଭୋଟ୍ ପଡ଼ିଥିବାବେଳେ ବିଜେପିକୁ ୧ କୋଟି ୬୪ ହଜାର ୮୨୭ ଭୋଟ୍ ମିଳିଛି। ଅର୍ଥାତ୍ ବିଜେପି ତୁଳନାରେ ବିଜେଡିକୁ ୩୭ ହଜାର ୫୨୭ ଭୋଟ୍ ଅଧିକ ମିଳିଛି। ଅର୍ଥାତ୍ ବିଜୁ ଜନତା ଦଳ ରାଜ୍ୟରେ ବିଜେପିଠାରୁ ୦.୧୫ ପ୍ରତିଶତ ପଏଣ୍ଟ ଅଧିକ ଭୋଟ୍ ପାଇଛି। ୫ ଥର ସରକାର ଗଠନ କରିବା ପରେ ବି ଏତେ ସଂଖ୍ୟାରେ ଭୋଟ୍ ଅକ୍ତିଆର କରିବା ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ବୟାନ କରୁଛି। ସେଥିଲାଗି ତ କିଛି ବିଜେଡି କର୍ମୀ କହୁଛନ୍ତି ଆଜି ବି ନିର୍ବାଚନ ହେଲେ ଓଡ଼ିଶାରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ!
କିନ୍ତୁ ଏହା ସମ୍ଭବ ହୋଇନପାରେ। ଏ ପଛରେ କାରଣ ହେଉଛି ବିଜେଡିରେ ଲାଗି ରହିଥିବା ବିବାଦ ଏବଂ ନବୀନଙ୍କ ଅସୁସ୍ଥତା। ଏ ଦୁଇଟି କେବେ ସମାଧାନ ହେବା ଭଳି ପ୍ରତୀତ ହେଉନାହିଁ। ତେଣୁ ନିର୍ବାଚନ ହେଲେ ବିଜେଡି ସଙ୍କୁଚିତ ହେବ ସିନା ପ୍ରସାରିତ ହେବା ସମ୍ଭବ ହେବ ନାହିଁ।
ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ବିଜେପି ତାହା ହେଲେ ବିଜେଡିର ଦୀର୍ଘାୟୁ କାହିଁକି କାମନା କରୁଛି। ଏହା ପଛରେ କାରଣ ହେଲା କଂଗ୍ରେସର ବିକାଶ। ଗଲା କିଛିଦିନ ହେଲା ରାଜ୍ୟରେ କଂଗ୍ରେସ ଯେଉଁଭଳି ସବଳ ହେଉଛି ବା ନିଜର ଅସ୍ଥିତ୍ୱକୁ ଜାହିର କରୁଛି ତାହା ରାଜ୍ୟରେ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। କାରଣ ବିଜେପି କେବେ ହେଲେ ବି ଦେଶର କୌଣସି ବି କୋଣରେ କଂଗ୍ରେସର ଉନ୍ନତିକୁ ହଜମ କରିପାରିବ ନାହିଁ। ଏହାକୁ ପାରିବାରିକ ପାର୍ଟି ଭାବେ ଆଖ୍ୟାୟିତ କରି ବିଜେପି ଶାସନ କ୍ଷମତା ପାଉଛି, ଏଣୁ ଯଦି ଏହାର ବିକାଶ ହୁଏ ତେବେ ବିଜେପିର ଅବକ୍ଷୟ ଆରମ୍ଭ ହେଲା ବୋଲି କୁହାଯାଇପାରେ।
ଏଣୁ କଂଗ୍ରେସକୁ ଜବାବ ଦେବା ଲାଗି ବିଜେପି ରାଜ୍ୟରେ ଆଞ୍ଚଳିକ ଦଳକୁ ବିଲୟ ନୁହେଁ ବରଂ ତା‘ର ଅସ୍ତିତ୍ୱ ରକ୍ଷାକୁ ଗୁରୁତ୍ୱ ଦେବ। ଆଉ ସେଥିଯୋଗୁ ରାଜ୍ୟର ବିଜେପି ନେତାମାନେ ଯେତେ ବାଡ଼େଇଛାଟି ହେଲେ ବି କେନ୍ଦ୍ରୀୟ ନେତାମାନେ ବିଜେଡିର ନେତୃତ୍ୱ ବିରୋଧରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ କରିବାକୁ ଚାହୁଁ ନାହାନ୍ତି। ନିର୍ବାଚନ ପରବର୍ତ୍ତୀ ସମୟର ପ୍ରତିଟି ସେକେଣ୍ଡରେ ନବୀନ ଏବଂ ଏହାଙ୍କ ମୁଖ୍ୟ ସହଯୋଗୀ ପାଣ୍ଡିଆନ୍ଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ଦେବା ସହ ସମବେଦନା ଜଣାଇଛନ୍ତି ବିଜେପିର କେନ୍ଦ୍ରୀୟ ନେତାମାନେ।
ନବୀନଙ୍କ ଡାକ୍ତରଖାନାରେ ପ୍ରବେଶ ସମୟରେ ତାଙ୍କର ସୁସ୍ଥତା କାମନା କରିବା। ଡାକ୍ତରଖାନାରୁ ଫେରିବା ପରେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇବା ଏହାକୁ ପ୍ରମାଣିତ କରୁଛି। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଦିଲ୍ଲୀ ଆସିଲେ ଭେଟିବା ଲାଗି ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।
ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ଘରକୁ ଯାଇ ତାଙ୍କ ସୁସ୍ଥତା କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଏହା ମାନବିକତା ହୋଇପାରେ କିନ୍ତୁ ଓଡ଼ିଶା ବ୍ୟତୀତ ଏପରି ଘଟଣା ଭାରତୀୟ ରାଜନୀତିରେ ବିରଳଭାବେ ଗ୍ରହଣ କରାଯାଏ।
ଖାଲି ନବୀନ ନୁହନ୍ତି, ନବୀନଙ୍କ ପ୍ରମୁଖ ସେବକ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ ନେଇ ରାଜ୍ୟ ବିଜେପିର ପୀଡ଼ା ବଢ଼ୁଥିଲେ ମଧ୍ୟ କେନ୍ଦ୍ରୀୟ ନେତାମାନେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନକୁ ସବୁଜ ସଙ୍କେତ ଦେଉ ନାହାନ୍ତି। ବରଂ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀଙ୍କ ଭିଆର୍ଏସ୍କୁ ଯୁଦ୍ଧକାଳୀନ ଭାବେ ଅନୁମୋଦନ କରିଛନ୍ତି। ଅପରପକ୍ଷେ ଯେତିକି ଦୁର୍ନୀତି ତାଙ୍କ ସମୟରେ ହୋଇଛି ତାହାର ନଥି ଖୋଲିବ ବୋଲି ଓଡ଼ିଶା ବିଜେପିର ନେତାମାନେ ନିର୍ବାଚନ ପୂର୍ବରୁ ଓ ଜିତିବାର କିଛିଦିନ ପର୍ଯ୍ୟନ୍ତ କହୁଥିଲେ ମଧ୍ୟ ଏବେ ତାହା ଆଉ ଶୁଣିବାକୁ ମିଳୁ ନାହିଁ।
ପୁଣି ପାଣ୍ଡିଆନ୍ଙ୍କ ବିରୋଧରେ କିଛି ଦଳଛଡ଼ା ନେତାଙ୍କୁ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତାମାନେ ସହଯୋଗ କରିବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି। ଅର୍ଥାତ୍ ବିଜେଡି ବିରୋଧରେ ଆଉ ଏକ ରାଜନୀତିକ ଦଳକୁ ମୁଣ୍ଡ ଟେକିବାକୁ ଦେବାକୁ ଚାହୁଁ ନାହାନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ଏ ସବୁ ସମୀକରଣରୁ ଏହା ସ୍ପଷ୍ଟ ଯେ ଭାରତୀୟ ଜନତା ପାର୍ଟି ଏବେ ବିଜେଡିକୁ ସବୁଠାରୁ ଅଧିକ ଚାହୁଁଛି। ପୁରୁଣା ପ୍ରେମକୁ ବଞ୍ଚାଇ ରଖିବାକୁ ଉଚିତ ଭାବିଛି। କିନ୍ତୁ କେନ୍ଦ୍ରୀୟ ନେତାଙ୍କ ଏହି ପ୍ରେମ ରାଜ୍ୟରେ ଅଚଳାବସ୍ଥା ସୃଷ୍ଟି କରିବ ନାହିଁତ?
Also readhttps://purvapaksa.com/gita-mehtas-concern-over-vk-pandian-surfaces-in-ruben-banerjees-book/


