ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରୁ ମିଳିଲା ଜାମିନ। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ଉଲ୍ଲେଖ ଥାଉ କି ବିଏମ୍ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଥିଲେ। ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା । ତେବେ ବିବାଦ ଘନେଇବାରୁ କମିଶନରଙ୍କୁ ମାଡ଼ ଘଟଣାରେ ଗତ ଗୁରୁବାର ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ କୋର୍ଟରୁ ଜାମିନ ନମିଳିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଆକ୍ରମଣ ପାଇଁ ଷଡ୍ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା ।
ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୨୧(୧), ୧୨୧(୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪, ୩୩୩, ୩୫୧(୨), ୫୪, ୬୧(୨), ୬୨ ଦଫା ଲାଗିଥିଲା। ତେବେ ଆଜି ପୁଣି ମାମଲାର ବିଚାର କରି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ କରିଥିଲେ ଜାମିନ ଆବେଦନ । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ ନିକଟରେ ସମସ୍ତେ ଆବେଦନ କରିଥିଲେ । ତେବେ ଅନ୍ୟମାନଙ୍କ ଜାମିନ ନେଇ କୌଣସି ସ୍ପଷ୍ଟତା ମିଳି ନାହିଁ । ଗତ ୩୦ ତାରିଖରେ ବିଏମସି କାର୍ଯ୍ୟାଳୟରେ ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଥିଲା । ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର୍ ଜୀବନ ରାଉତ ଏବଂ ତାଙ୍କ ସମର୍ଥକମାନେ ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା । ଏ ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ୫ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ଜଗନ୍ନାଥ ପ୍ରଧାନ ଜାମିନ ମିଳିବା ପରେ ତାଙ୍କ ସମର୍ଥକ ବେଶ ଖୁସି ରହିଥିବା ଜଣାପଡ଼ିଛି।
Also Read https://purvapaksa.com/more-than-400-suspected-bangladeshi-detained-in-odisha-last-two-days/
