ରାଜ୍ୟର ସର୍ବବୃହତ ଆଞ୍ଚଳିକ ଦଳ ବିଜୁ ଜନତା ଦଳରେ ସବୁଦିନ କିଛି ନା କିଛି ଘଟୁଛି। ଆଉ ଏସବୁଥିର କେନ୍ଦ୍ରବିନ୍ଦୁ ହେଉଛନ୍ତି ଜଣେ ବ୍ୟକ୍ତି। ସେ ବ୍ୟକ୍ତିଙ୍କୁ କେନ୍ଦ୍ର କରି ଏବେ କିଛି ବରିଷ୍ଠ ନେତା ଦଳ ଛାଡ଼ିବା ନିଜକୁ ପ୍ରସ୍ତୁତ କରୁଥିବାବେଳେ କିଛି ନୂଆ ଯୁବ ନେତାମାନଙ୍କୁ ଅଣଦେଖା କରାଯାଉଥିବା ହେତୁ ସେମାନେ ଅସନ୍ତୋଷ ଥିବା ଦର୍ଶାଇଛନ୍ତି। ଗତକାଲି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏପରି କିଛି ଯୁବ ନେତାଙ୍କ ଅସନ୍ତୋଷ ପ୍ରଦର୍ଶନ ଦଳକୁ ପୁଣିଥରେ ଚର୍ଚ୍ଚା ପରିଷରକୁ ଆଣିଛି। ବିଜେଡିର ନେତାମାନଙ୍କର ଦଳୀୟ ନେତୃତ୍ୱ ବିରୋଧରେ ଏଭଳି ବିଦ୍ରୋହ ଯୋଗୁ ବିଜେପିର କେନ୍ଦ୍ରନେତାମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ଅନ୍ୟମାନଙ୍କୁ ଆଉଟ୍ କରିବାକୁ ପୂରା ପ୍ରସ୍ତୁତ ପାଣ୍ଡିଆନ୍
ସାଧାରଣତଃ ନିର୍ବାଚନ ପାଖେଇ ଆସିଲେ ରାଜନୈତିକ ଦଳଗୁଡ଼ିକର ଆଭ୍ୟନ୍ତରୀଣ ବିବାଦ ସାମ୍ନାକୁ ଆସିଥାଏ। ଏହା ଟିକଟକୁ କେନ୍ଦ୍ର କରି ହୋଇଥାଏ। ଏବେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଷେ ହେଲା ଶେଷ ହୋଇଛି। ଅବଶ୍ୟ ତ୍ରିସ୍ତରୀୟ ନିର୍ବାଚନ ପାଇଁ ବାଟ ଫିଟିଲାଣି କିନ୍ତୁ ଏଥିପାଇଁ ଢେର ସମୟ ବାକି ରହିଛି। ଏଣୁ ଦଳୀୟ ଅସନ୍ତୋଷ ବ୍ୟାପକ ହେବାର କିଛି କାରଣ ନାହିଁ। କିନ୍ତୁ ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ ବିଜେଡିରେ ସବୁଦିନ କିଛି ନା କିଛି ଘଟୁଛି। କେତେବେଳେ ବିଜେଡି ସୁପ୍ରିମୋଙ୍କୁ ନେଇ ତ ଆଉ କେତେବେଳେ ତାଙ୍କ ସେବାକରୀ ଆତ୍ମଘୋଷିତ ଶିଷ୍ୟ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ ନେଇ। ପାଣ୍ଡିଆନ୍ ଚାକିରି ଛାଡ଼ି ବିଜେଡିରେ ଥିଲେ ମଧ୍ୟ କେବଳ ନବୀନଙ୍କ ବ୍ୟତୀତ ଅନ୍ୟକିଛି ଦିଗରେ ମୁଣ୍ଡ ପୂରାଉ ନ ଥିବା ଅଫିସିଆଲି କୁହାଯାଇଛି। ଏପରିକି ଦଳୀୟ କାର୍ଯ୍ୟକ୍ରମ ତାଙ୍କ ଦ୍ୱାରା ପରିଚାଳିତ ହେଉନାହିଁ ବୋଲି ମଧ୍ୟ ଖୋଦ୍ ବିରୋଧୀ ଦଳ ନେତା କହିଛନ୍ତି। କିନ୍ତୁ ଦର୍ଶକ ଓ ଆଲୋଚକମାନେ ଏହାକୁ ମାନିବାକୁ ନାରାଜ। କାରଣ ମିଡିଆରେ ପାଣ୍ଡିଆନ୍ଙ୍କୁ ନେଇ ଯେଉଁ ଚର୍ଚ୍ଚା ଏବେ ଗତ କିଛିଦିନ ହେଲା ବଢ଼ିଛି ସେଥିରୁ ଆମ ଦର୍ଶକଙ୍କ ବିଚାର ଯେ ପାଣ୍ଡିଆନ୍ ଡାଉନ ନୁହେଁ ବରଂ ଅନ୍ୟମାନଙ୍କୁ ଆଉଟ୍ କରିବାକୁ ପୂରା ପ୍ରସ୍ତୁତ ହୋଇ ସାରିଛନ୍ତି। ଆଉ ଯେମିତି ତାଙ୍କର ପ୍ରତିଟି କାର୍ଯ୍ୟ ରୂପାୟନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଆପ୍ରୁଭାଲ ରହେ ଠିକ୍ ସେମିତି ଏହି କାର୍ଯ୍ୟରେ ମଧ୍ୟ ନବୀନଙ୍କ ଜବରଦସ୍ତ ହଁ ସାମିଲ ରହିଛି।
ହାଁ ଜୀ’ କହୁଥିବା ନେତାଙ୍କୁ ଗୁରୁତ୍ୱ
ଏ ପ୍ରକାର ପରିବର୍ତ୍ତିତ ପରିସ୍ଥିତିରେ ନବୀନ ନିବାସରେ ଏବେ କେବଳ ପାଣ୍ଡିଆନ୍ ଓ ତାଙ୍କୁ ହାଁ ଜୀ’ କହୁଥିବା କିଛି ନେତା ରହିଛନ୍ତି। ଆଉ ଯେଉଁମାନେ ତାଙ୍କୁ ତିଳେମାତ୍ର ବିରୋଧ କରୁଛନ୍ତି ସେମାନଙ୍କୁ ବିଭିନ୍ନ ଆଳରେ ନବୀନ ନିବାସ ମାଡ଼ିବାକୁ ମନା କରାଯାଇଛି। ଯଦିବା କେହି କେବେ ଆସିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ନବୀନଙ୍କୁ ସାକ୍ଷାତ୍ କରିବା ପାଇଁ ସୁଯୋଗ ମିଳୁନାହିଁ।
ଏଭଳି ଏକ ପରିସ୍ଥିତିରେ ଅସନ୍ତୋଷ ଦାନା ବାନ୍ଧିବା ସ୍ୱାଭାବିକ। ପୁଣି ଏ ଅସନ୍ତୋଷ ଏତେ ସଂଗଠିତ ହୋଇଛି ଯେ ତାହା ବିସ୍ଫୋରଣର ରୂପ ନେଉଛି। ଯେଉଁମାନେ ଓଡ଼ିଆ ଅସ୍ମିତା ଯୋଗୁ ଦଳ କ୍ଷମତାରୁ ଦୂରେଇଲା ବୋଲି ଅନୁଭବ କରିଛନ୍ତି ସେମାନେ ଏବେ ଦଳ କାର୍ଯ୍ୟରୁ ଦୂରରେ ରହିଛନ୍ତି। କ୍ଷମତାରେ ଥିବା ସାଂସଦ ଦେବାଶୀଷ ସମାନ୍ତରାୟ, ମୁନ୍ନା ଖାଁ ଓ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇ; ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ବି ଏଥିରେ ସାମିଲ ରହିଛି।
ବରିଷ୍ଠଙ୍କ ସହ କନିଷ୍ଠ ତଥା ଯୁବ ନେତାମାନେ ମଧ୍ୟ ଦଳରେ ଯେଉଁ କାର୍ଯ୍ୟ କଳାପ ଚାଲିଛି ସେଥିରେ ବଡ଼ ଅସୁଖ ଅନୁଭବ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହାର ଏକ ସୁରାକ ଦେଖିବାକୁ ମିଳିଥିଲା। ଆଉ ଏହି ସ୍ଫୁଲିଙ୍ଗକୁ ପ୍ରଶମିତ କରିବା ପାଇଁ ଆଜି ବରିଷ୍ଠ ନେତାମାନେ ବୈଠକ କରିବାକୁ ଯୋଜନା କରିଛନ୍ତି।
ଅଗଷ୍ଟ ୨୬ ତାରିଖରେ ବିଜେଡି ଯୁବମୋର୍ଚ୍ଚାର ସଭାପତିଭାବେ ଚିନ୍ମୟ ସାହୁ ଏବଂ ଛାତ୍ର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ମନୋନୀତ କରାଯାଇଥିଲା। ଏହା ବିରୋଧରେ କିନ୍ତୁ ଯୁବ ଓ ଛାତ୍ର ନେତାମାନେ ସ୍ୱର ଉତ୍ତୋଳନ କରିଥିଲେ। ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ଦୁଇ ପଦବୀ ଲାଗି ଆଶାୟୀ ଥିବା ବ୍ୟକ୍ତି ଓ ତାଙ୍କୁ ସହଯୋଗ କରୁଥିବା ଛାତ୍ରଛାତ୍ରୀ ଓ ଯୁବନେତାମାନେ ଏକାଠି ହୋଇଥିଲେ। ସନ୍ଧ୍ୟାରେ ଶଙ୍ଖଭବନରେ ଏନେଇ ପ୍ରତିବାଦର ସ୍ୱର ଉଠିଥିଲା। କିନ୍ତୁ ଏହି ଅସନ୍ତୋଷକୁ ନବୀନ ନିବାସ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏପରିକି ଏମାନଙ୍କ କଥାକୁ କାନ ନ ଦେଇ ନୂତନ ସଭାପତି ଓ ପରାମର୍ଶଦାତାଙ୍କୁ ବିଭିନ୍ନ ଅଞ୍ଚଳ ବୁଲି ଯୁବ ଓ ଛାତ୍ରମାନଙ୍କୁ ଏକାଠି କରିବା ଲାଗି ଆହ୍ୱାନ ଦେଇଥିବା କଥା ପ୍ରଚାର କରାଯାଇଛି।
ଅର୍ଥାତ୍ ଏହା ସ୍ପଷ୍ଟ ଯେ ବିଜୁ ଜନତା ଦଳରେ ଯାହା ବି ଘଟୁଛି ଏବଂ ଘଟିବାକୁ ଯାଉଛି ସବୁକିଛି ଏକ ପାଖିଆ।
ନବୀନ ନିବାସ ଆଦେଶ ଶିରୋଧାର୍ଯ୍ୟ
ଯାହା ନବୀନ ନିବାସର ଆଦେଶ ତାହାକୁ ବାହାରେ ପାଳନ କରିବାକୁ କର୍ମୀ ବାଧ୍ୟ। ଏହିଭଳି ଆଦେଶକୁ କିନ୍ତୁ କିଛି ବରିଷ୍ଠ ନେତା ଓ ବିଧାୟକ ମାନିବାକୁ ନାରାଜ। ଏହି ତାଲିକାରେ ଅରୁଣ ସାହୁ, ରାଜା ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଦେବାଶୀଷ ସାମନ୍ତରାୟ, ମୁନ୍ନା ଖାଁ ପ୍ରମୁଖ ବରିଷ୍ଠ ନେତାଙ୍କ ନାଁ ରହିଛି। ଏମାନେ ପାଣ୍ଡିଆନ୍ଙ୍କୁ ବିରୋଧ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏସବୁ ନେତା ଖୁବ୍ ଶୀଘ୍ର ବିଜେଡିରୁ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ନିର୍ବାଚିତ ପ୍ରତିନିଧିମାନେ ଆଗକୁ ସୁଯୋଗକୁ ଅପେକ୍ଷା କରିଥିବା କୁହାଯାଉଛି।
ଏବେ କେମିତି ସମ୍ଭାଳିବେ ବିଜେଡି ଘର। ଗୋଟିଏ ପଟେ ପାଣ୍ଡିଆନ୍ ବିରୋଧୀ ସ୍ୱର ଅପରପକ୍ଷେ ନବୀନଙ୍କ ସ୍ପଷ୍ଟତାର ଅଭାବକୁ କେମିତି ବିଚାର କରିବେ ଦଳର ନେତା? ଅପରପକ୍ଷେ ଦଳ ଡେଇଁବା ଲାଗି ଅସନ୍ତୁଷ୍ଟଙ୍କ ପାଖରେ ସୁଯୋଗ ନାହିଁ। କାରଣ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରୀୟ ନେତାମାନେ ଚାହୁଁ ନାହାନ୍ତି ବିଜେଡିରେ ବିଭାଜନ ହେଉ ବା ପାଣ୍ଡିଆନ୍ ହଟନ୍ତୁ। ଅପରପକ୍ଷେ ଅଣ କଂଗ୍ରେସ ଆଦର୍ଶରେ ବଢ଼ିଥିବା ନେତାମାନେ କଂଗ୍ରେସକୁ ମୁହାଁଇବା କ୍ଷତିକର ହୋଇପାରେ ବୋଲି ସେମାନେ ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ବିଜେଡିରେ ଅସନ୍ତୋଷ କି ରୂପ ନେବ ତାହାକୁ କେବଳ ଅପେକ୍ଷା କରିବାକୁ ହେବ।
ବିଜେପି ନେତାମାନେ ଅଧିକ ଚିନ୍ତିତ
ବିଜେଡିରେ ନିର୍ବାଚନ ପରଠାରୁ ପାଣ୍ଡିଆନ୍ ଦମ୍ପତ୍ତିଙ୍କୁ ନେଇ ଯେପରି ବିଦ୍ରୋହ ଓ ଅସନ୍ତୋଷର ଦାନା ବାନ୍ଧୁଛି ତାହାକୁ ବିଜେଡି ଅପେକ୍ଷା ବିଜେପିର କେନ୍ଦ୍ରୀୟ ନେତାମାନେ ଅଧିକ ଚିନ୍ତିତ ଓ ବିବ୍ରତ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। କାରଣ ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୨.୭୭ ପ୍ରତିଶତ ଖ୍ରୀଷ୍ଟିୟାନ ମତଦାତା ଓ ୨.୧୭ ପ୍ରତିଶତ ମୁସଲିମ ମତଦାତା ଅଛିନ୍ତି। ଏମାନଙ୍କ ମଧ୍ୟରୁ ବହୁତ ବଡ଼ ଅଂଶ ବିଜେଡି ସହିତ ଅଛନ୍ତି। ଏମାନେ ପୂର୍ବରୁ କଂଗ୍ରେସ ସହିତ ଥିଲେ। ଏହି ଅଳ୍ପସଂଖ୍ୟକ ମତାଦାତାମାନେ କେବେବି ବିଜେପି ସହିତ ନ ଥିଲେ କି ଆଗାମୀ ଦିନରେ ମଧ୍ୟ ରହିବେ ନାହିଁ। ତେଣୁ ବିଜେପି ଚିନ୍ତା କରୁଛି ଏହି ଅଳ୍ପସଂଖ୍ୟକ ମତଦାତା ବିଜେଡି ସହିତ ରୁହନ୍ତୁ। ଏହି ରାଜନୀତିକ ସମୀକରଣକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟରେ ବିଜେଡି ବଞ୍ଚି ରହିବା ଆବଶ୍ୟକ। ଏଥିପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କୁ ଗୁରୁତ୍ୱ ନ ଦେଇ କେବଳ ନବୀନ ଓ ପାଣ୍ଡିଆନଙ୍କୁ ଗୁରୁତ୍ୱ ଦେଉଛନ୍ତି।
ବିଜେପିର ନବୀନ ଓ ପାଣ୍ଡିଆନ ଏଭଳି ପ୍ରୀତି ଦେଖି କିଛି ବିଜେଡି ନେତା ଏବେ ଆଉ ବିଜେପି ନେତାଙ୍କୁ ବିଶ୍ୱାସ କରୁନାହାନ୍ତି। ସେମାନେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା କାହା ଉପରେ ନିର୍ଭର ନ କରି ନିଜେ ବସି ସ୍ଥିର କରିବେ ବୋଲି ଆଲୋଚନା କରୁଛନ୍ତି। ଯଦି ଏହା ହୁଏ ତେବେ କିଛି ବିଜେଡି ନେତା ସ୍ୱତଃ ଦଳ ଛାଡ଼ିବେ, ଯାହାକି ଗତକାଲି ପୂର୍ବତନ ବିଧାୟକ ପ୍ରଫୁଲ ମଲ୍ଲିକ ସୂଚନା ଦେଇସାରିଛନ୍ତି। ଆଉ କିଛି ନେତାଙ୍କୁ ନବୀନ ଓ ପାଣ୍ଡିଆନ ଯୋଡି ଶୃଙ୍ଖଳା ଆଳରେ ଦଳରୁ ବାହାରର ରାସ୍ତା ଦେଖାଇବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏସବୁ ଭିତରେ ଆମକୁ କେବଳ ମୁକ ଦର୍ଶକ ଭଳି ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
Also readhttps://purvapaksa.com/donald-trumps-global-tariffs-were-illegal/
