୨୦୨୪ରେ ଓଡ଼ିଶାର ରାଜନୀତି ଯେପରି ଅପ୍ରତ୍ୟାଶିତ ଭାବରେ ପଲଟିଗଲା ତାହା ଦେଶର ରାଜନୀତିକ ଦର୍ପଣରେ ଏକ ଅବିସ୍ମରଣୀୟ ଘଟଣା। ୨୫ ବର୍ଷ କ୍ଷମତା ବାହାରେ ରହିଥିବା ଏକ ଦଳ, ହଠାତ୍ କରି ଶାସନ ଗାଦିର ମାଲିକାନା ହାସଲ କଲା କିନ୍ତୁ ମାତ୍ର ୧୮ ମାସରେ ସେହି ଶାସନକୁ ନେଇ ଜନମତ ବଦଳିବା ଆରମ୍ଭ କରିଛି। ଏହି ୧୮ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ଘଟଣାକୁ ବିଶ୍ଳେଷଣ କରିବା ପରେ ରାଜନୀତିକ ପର୍ବେକ୍ଷକମାନେ ଅଟଳ ସ୍ୱରରେ କହୁଛନ୍ତି- ବିଜେପି ସରକାର ଏକ କଦଳୀ ଗଛରେ ପରିଣତ ହୋଇଯାଇଛି। କଦଳୀ ଗଛ ଫଳ ଦିଏ ଥରେ। ତା’ପରେ ତାକୁ କଟାଯାଏ ଏବଂ ନୂଆ ଗଛ ଲଗାଇବାକୁ ପଡ଼େ। କର୍ମୀମାନଙ୍କ ଭାଷାରେ ଏହି ଉପମା ସାଧାରଣ ରୋଷର ପ୍ରତୀକ ନୁହେଁ ବରଂ ଏକ ଭୟଙ୍କର ସତର୍କ ସଙ୍କେତ।

ବିଜେପିରେ ମହାସଂଗ୍ରାମ: ଦଳକୁ ବୁଡ଼ାଉଥିବା ନେତା
ଓଡ଼ିଶାର ବିଜେପିର ସବୁଠୁ ବଡ଼ ସମସ୍ୟା ଏବେ ବାହାର ଶତ୍ରୁ ନୁହେଁ- ଭିତର ଶତୁ। ରାଜ୍ୟର ତିନିଜଣ କେନ୍ଦ୍ରୀୟ ଚରିତ୍ର –
• ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,
• ଦଳୀୟ ସଭାପତି ମନମୋହନ ସାମଲ,
• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,
ଏମାନଙ୍କ ମଧ୍ୟରେ ଯେପରି ସମ୍ପର୍କ ଅସୁସ୍ଥ, ସେହି ଅସୁସ୍ଥତାର ଲକ୍ଷଣ ଏବେ ଦଳୀୟ ସଂଗଠନର ପ୍ରତ୍ୟେକ ନାଡିରେ ଚାଲିବା ଆରମ୍ଭ କରିଛି। ଏବେ ଦଳରେ ଏହି ତିନିଜଣ ବରିଷ୍ଠ ନେତାଙ୍କ ଭିତରେ ଯେପରି ମହାସଂଗ୍ରାମ ଚାଲିଛି ତାହାକୁ ଦଳୀୟ କର୍ମୀ ଓ ଜନତା ପସନ୍ଦ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳୀୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବାରୁ ସରକାର ଯେପରି ଚାଲିବା କଥା ସେପରି ଚାଲିପାରୁନାହିଁ। ଏହି ତିନି ନେତା ଏବେ ରାଜ୍ୟରେ ସରକାରକୁ ପ୍ରଭାବୀ ଢଙ୍ଗରେ ଚଳାଇବା ପରିବର୍ତ୍ତେ ନିଜ ନିଜର ଗୋଷ୍ଠୀ ତିଆରି କରି ଦଳୀୟ ସଂଗଠନକୁ ଦୁର୍ବଳ କରିବାରେ ଲାଗିଛନ୍ତି। ଫଳରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜ୍ୟ ପାଇଁ କାମ କରିବା ପରିବର୍ତ୍ତେ ନିଜ ସ୍ୱାର୍ଥ ସୁରକ୍ଷା ପାଇଁ ଗୋଷ୍ଠୀ ଭୁକ୍ତ ହୋଇ ସରକାରକୁ ବିଫଳ ବୋଲି ପ୍ରମାଣିତ କରିବାରେ ଲାଗିଛନ୍ତି। ଯାହାକି ବିହାର ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ ସମୟରେ ଦଳ ଓ ସଂଗଠନରେ ଫାଟ ଥିବା ଜଳ ଜଳ ହୋଇ ପ୍ରମାଣିତ ହୋଇଛି। ମନ୍ତ୍ରୀମାନେ ଦୁଇ ଦଳ ହୋଇଛନ୍ତି। ବିଧାୟକମାନେ ତିନି ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ସରକାରରେ ଥିବା ମନ୍ତ୍ରୀମାନେ ସରକାରୀ କାମଠାରୁ ଅଧିକ ସମୟ ନିଜ ଗୋଷ୍ଠୀ ଗଢ଼ିବାରେ ଲାଗିଛନ୍ତି।
ରାଜନୀତିରେ ଗୋଷ୍ଠୀବାଦ ନୂଆ କଥା ନୁହେଁ
କିନ୍ତୁ ସରକାର ଓ ଦଳକୁ ଅସ୍ତିତ୍ୱ ସଙ୍କଟକୁ ନେଇଯାଉଥିବା ଗୋଷ୍ଠୀବାଦ ଏକ ଗୁରୁତର ସମସ୍ୟା।
ଏବଂ ଏହି ସମସ୍ୟାର ଚିହ୍ନ ସ୍ପଷ୍ଟ –
• ଦଳୀୟ ସଭାରେ ଆସନ ଫାଙ୍କା,
• ସମନ୍ୱୟ ବୈଠକରେ ଅସହିଷ୍ଣୁତା,
• ରାଜନୀତିକ ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଦେଇ କିଛି ମନ୍ତ୍ରୀଙ୍କ ଧର୍ମେନ୍ଦ୍ରଙ୍କ ପଛେଁ ପଛେଁ ଧାଉଥିବା ସ୍ୱଭାବ।
ବିହାର ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ ସମୟରେ ଯେପରି ଦଳରେ ଫାଟ ଦେଖିବାକୁ ମିଳିଲା, ସେହି ଭିତରୁ ଓଡ଼ିଶାର ଶାସନ ରୂପରେ ବିଜେପିର ଗୋଷ୍ଠୀକନ୍ଦଳ ଯେପରି ଭାରୀ ହେଉଛି ତାହା ଜନତା ବୁଝି ପାରୁଛନ୍ତି।
ନିଜ ଗୋଡ଼ରେ କୁରାଢ଼ୀ ମାରୁଥିବା ନେତାମାନେ ,ଓଡ଼ିଶାର ନୂଆପଡ଼ା ଉପନିର୍ବାଚନକୁ ନେଇ ଯେପରି ପରିକଳ୍ପିତ ଖେଳ ଖେଳାଗଲା, ସେହି ଘଟଣା ଦଳୀୟ ମହଲରେ ଏବେ ‘ଖୋଲା ଗୁପ୍ତ ରହସ୍ୟ’ ହୋଇ ଆଲୋଚନା ହେଉଛି। ତିନିଜଣ ମନ୍ତ୍ରୀ ଓ ପଶ୍ଚିମ ଓଡ଼ିଶାର କିଛି ଦଳୀୟ ବିଧାୟକ ନୂଆପଡ଼ାରେ ବିଜେପିକୁ ହରେଇବା ପାଇଁ ଗୋପନରେ ଯେପରି ଷଡ଼ଯନ୍ତ୍ର କଲେ, ତାହା ଗୋଟିଏ ମାରାତ୍ମକ ପ୍ରମାଣ- ବିଜେପି ଏବେ ନିଜ ଶତ୍ରୁ ନିଜେ।
ବିରୋଧୀ ଦଳ ତ କିଛି କରୁନଥିଲେ। କରିବାକୁ ବିଜେପି ନେତା ତାଙ୍କୁ ଅବସର ନ ଦେଇ ତାଙ୍କ କାମ କରିଦେଉଥିଲେ। ବିଜେପି ନିଜେ ନିଜକୁ ଖୋଦ ହରାଇବାକୁ ନିଜେ ଷଡ଼ଯନ୍ତ୍ର କରୁଥିଲା। ଏ କଥା ବି ଦଳୀୟ ମହଲରେ ଆଲୋଚନା ହେଉଛି। ଯଦି ଏ କଥା ସତ୍ୟ ହୋଇଥାଏ ତେବେ ଆଗାମୀ ନିର୍ବାଚନରେ ଦଳକୁ ଓ ସରକାରକୁ କେହି ବଞ୍ଚାଇ ପାରିବେ ନାହିଁ। ଚାରିଆଡ଼େ ଏବେ ଏହି ଆଲୋଚନା ଚାଲିଛି – “ଏହି ଗତିରେ ବିଜେପି ୨୦୨୯କୁ ନୁହେଁ, ୨୦୨୭ର ପଞ୍ଚାୟତ ନିର୍ବାଚନ ପରେ ପୂନର୍ବାର ବନବାସ ପାଇଁ ପ୍ରସ୍ତୁତି ଆରମ୍ଭ କରିବ।”
ନିଗମ ନିଯୁକ୍ତି ବନ୍ଦ: ପାର୍ଟି କର୍ମୀମାନଙ୍କର ହୃଦୟଭଙ୍ଗ ଶାସନ କେବଳ ନୀତି ଓ ପ୍ରଶାସନ ଉପରେ ନୁହେଁ, ଦଳୀୟ ସଂଗଠନ ଜୀବିତ ରହିବାକୁ କର୍ମୀମାନଙ୍କ ମନୋବଳ ଆବଶ୍ୟକ। କିନ୍ତୁ ଏବେ ସେଥିରେ ବଡ଼ ଧରଣର ଅଧୋଽପତନ ଦେଖିବାକୁ ମିଳୁଛି।
![]()
ନିଗମ, ମଣ୍ଡଳ, ବୋର୍ଡ- କୌଣସିଠାରେ ଶାସନର ୧୮ ମାସରେ ବି ନିଯୁକ୍ତି ହେଉନାହିଁ।
ଦଳରେ ଯେଉଁମାନେ ଦିନରାତି ପରିଶ୍ରମ କଲେ, ସଡ଼କରେ ଧକ୍କା ଖାଇଲେ, ଗାଁ ଗାଁ ବୁଲି ପାର୍ଟିକୁ କ୍ଷମତାକୁ ଆଣିଲେ- ସେମାନେ ଏବେ ଅବାଞ୍ଚିତ ହୋଇଯାଇଛନ୍ତି। ଏପରିକି ମନ୍ତ୍ରୀମାନେ ସେମାନଙ୍କୁ ଆଉ ଏବେ ଚିହ୍ନୁ ନାହାନ୍ତି। ତୁମେମାନେ କ’ଣ ଆମ ଦଳର କର୍ମୀ ବୋଲି ଲଜ୍ଜାହୀନ ଭାବରେ ପଚାରବାକୁ କୁଣ୍ଠା ପ୍ରକାଶ କରୁନାହାନ୍ତି।
ଓକିଲ ନିଯୁକ୍ତିରେ ଅଚଳାବସ୍ଥା ଲାଗି ରହିଛି। ସରକାର କିପରି ତଳକୋର୍ଟମାନଙ୍କ ଅପଦସ୍ତ ହେଉଛନ୍ତି ତାହା ବ୍ରହ୍ମପୁରର ବିଜେପି ନେତା ତଥା ବାର କାଉସିଲର ସଦସ୍ୟ ପିତବାସ ପଣ୍ଡାଙ୍କ ହତ୍ୟାମାମଲାରେ ଦେଖିବାକୁ ମିଳିଛି। ଦଳୀୟ ନେତାଙ୍କ ଭିତରେ ସମନ୍ୱୟ ଅଭାବରୁ ଓକିଲ ନିଯୁକ୍ତି ହୋଇପାରୁନଥିବା କୁହାଯାଉଛି। ଅଭିଯୋଗ ଏପରିକି – ଦଳୀୟ କନ୍ଦଳରୁ ଓକିଲ ନିଯୁକ୍ତି ବନ୍ଦ।
ମନ୍ତ୍ରୀମାନେ ମୋହନଙ୍କୁ ମାନୁନାହାନ୍ତି: ଏକ ଅପ୍ରିୟ ସତ୍ୟ
ଏକ ସରକାର ପାଇଁ ସବୁଠୁ ବଡ଼ ସଙ୍କଟ କ’ଣ?
ମୁଖ୍ୟମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀମାନେ ସମ୍ମାନ ନ କରିବା।
ଓଡ଼ିଶାରେ ସେହି ଭୟଙ୍କର କଥା ଏବେ ସାର୍ବଜନୀନ ହୋଇପଡ଼ିଛି।
ଅଧିକାଂଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରେ।
କେହି ମୋହନ ମାଝୀଙ୍କୁ “ମୁଖ୍ୟମନ୍ତ୍ରୀ” ବୋଲି ମାନୁଛନ୍ତି କି?
ରାଜନୀତିକ ମଞ୍ଚରେ ଉତ୍ତର ସ୍ପଷ୍ଟ – “ନାହିଁ।”
ଧର୍ମେନ୍ଦ୍ରଙ୍କ ଗସ୍ତ ସମୟରେ —
• କିଛି ମନ୍ତ୍ରୀ କ୍ୟାବିନେଟ୍ ବୈଠକ ଛାଡ଼ି ଏୟାରପୋର୍ଟକୁ ଯାଇଥିଲେ,
• ଆଉ ଜଣେ ମନ୍ତ୍ରୀ ସିଙ୍ଗାପୁରରେ ସରକାରୀ ଖର୍ଚ୍ଚରେ ଅଏସ କରୁଥିବାକୁ ମୋହନ ମାଝୀ ନିଜେ ଖୋଲାଖୋଲି କହୁଛନ୍ତି।
ଏହା କେବଳ ଶାସନର ଦୂରବସ୍ଥା ନୁହେଁ- ଏହା ମୁଖ୍ୟମନ୍ତ୍ରୀଙ୍କର ଅସମ୍ମାନ।
ଜିଲ୍ଲା କର୍ମୀଙ୍କୁ ଚିହ୍ନୁ ନାହାନ୍ତି ମନ୍ତ୍ରୀ: ଏକ ଶୃଙ୍ଖଳାବଦ୍ଧ ଅପମାନ
ରାଜନୈତିକ ଦଳମାନଙ୍କର ମୂଳ ଶକ୍ତି- ଜିଲ୍ଲା ସ୍ତରର କର୍ମୀ। ବିଜେପି ସରକାରରେ ଉପକୂଳିଆ ମନ୍ତ୍ରୀମାନେ ପଶ୍ଚିମ ଓଡ଼ିଶାର ଦଳୀୟ ପଦାଧିକାରୀ, ଜିଲ୍ଲା ସ୍ତରର କର୍ମୀଙ୍କୁ ଚିହ୍ନୁ ନାହାନ୍ତି ଏପରିକି ସେମାନଙ୍କୁ ଦଳର କର୍ମୀ ନୁହନ୍ତି ବୋଲି କହୁଛନ୍ତି। ସେ କ୍ଷତ୍ରରେ ଦଳ କିପରି ଆଗକୁ ଯିବ। ଯେଉଁ ପଶ୍ଚିମ ଓଡ଼ିଶାର କର୍ମୀ ଓ ପଦାଧିକାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ବିଜେପି ଆଜି କ୍ଷମତାକୁ ଆସିଛି; ଯଦି ସେମାନେ ଅବହେଳିତ ତେବେ ସାଧାରଣ ଲୋକଙ୍କ କଥା ପଚାରେ କିଏ?
ଏବଂ ସେମାନଙ୍କ ମଧ୍ୟରୁ କିଛି ଦଳୀୟ ସମ୍ମିଳନୀକୁ ବଏକଟ କରିବା ପର୍ଯ୍ୟନ୍ତ ଯୋଜନା କରୁଛନ୍ତି।
କ୍ଷମତା ରାଜନୀତିରେ ଏହା ଏକ ଭୟଙ୍କର ସଙ୍କେତ।
ଦଳୀୟ କର୍ମୀ ଦୂର ହେବା ମାନେ -ଦଳ କଙ୍କାଳରେ ପରିଣତ ହୋଇଯିବ।
ଏହି ପଥରେ ଚାଲିଲେ ୨୦୨୯ ଅତ୍ୟନ୍ତ ଦୂରର କଥା
ଏହି ୧୮ ମାସରେ ଯେପରି ଲୋକମତ ପ୍ରକାଶ ପାଇବାରେ ଲାଗିଛି ତାହା ଭୂମିକମ୍ପ ପୂର୍ବରୁ ଝଡ଼ତୋଫାନର ପୂର୍ବ ସଙ୍କେତ। ଯଦି ଏହି ଦଳୀୟ କନ୍ଦଳ, ଗୋଷ୍ଠୀବିବାଦ, ଅସମନ୍ୱୟ ଓ ନେତୃତ୍ୱ ସଙ୍କଟ ଜାରି ରହିଲା- ତେବେ ନିଶ୍ଚିତ ଭାବେ ବିଜେପି ୨୦୨୯ର ନିର୍ବାଚନ ନୁହେଁ- ଆଗାମୀ ୩ ବର୍ଷରେ ମଧ୍ୟ ଜନତାଙ୍କ ହୃଦୟରୁ ଅପସରି ଯିବଟା ଥୟ।
କଦଳୀ ଗଛର ଉପମା ଦିଆଯିବାର କାରଣ; ଏହି ସରକାର ପ୍ରଥମେ ଫଳ ଦେବାର ସମୟରେ-
• କାମ ହେଉନାହିଁ,
• କର୍ମୀମାନେ ଅସନ୍ତୁଷ୍ଟ,
• ମନ୍ତ୍ରୀମାନେ ବିଦ୍ରୋହୀ,
• ନେତୃତ୍ୱ ଦୁର୍ବଳ,
• ଦଳୀୟ ନୀତି ଶୃଙ୍ଖଳା ଆହତ।
କଦଳୀ ଗଛ ଯଦି ପ୍ରଥମ ଫଳ ଦେବା ପୂର୍ବରୁ ମରିଯାଏ, ସେହି ଗଛ ମାଟିକୁ କ’ଣ ଦେବ?
ବିଜେପି ପାଇଁ ଏକ ସତର୍କ ସଙ୍କେତ
ଓଡ଼ିଶାରେ ବିଜେପିର ୨୦୨୪ର ବିଜୟ ଏକ ଐତିହାସିକ ଅବସର ଥିଲା। କିନ୍ତୁ ୧୮ ମାସରେ ଏହି ଅବସର – ଅସମନ୍ୱୟ, ଅହଂକାର, ଗୋଷ୍ଠୀବାଦ, ଅପମାନ ଓ ଅରାଜନୀତିକ ବ୍ୟବହାରରେ ଲୁପ୍ତ ହେଉଥିବାର ସଙ୍କେତ ମିଳୁଛି।
ଏହା ଏକ ସରକାର ମାତ୍ର ନୁହେଁ। ଏହା ଏକ ପରୀକ୍ଷା- ଓଡ଼ିଶାର ଭବିଷ୍ୟତ ପାଇଁ, ଏବଂ ବିଜେପି ପାଇଁ।
ଯଦି ପରିବର୍ତ୍ତନ ନ ଆସିଲା – ଯଦି ମୋହନ-ମନମୋହନ-ଧର୍ମେନ୍ଦ୍ର ତ୍ରିକୋଣର ଦ୍ଵନ୍ଦ୍ଵ ନ ହଟିଲା- ଯଦି କର୍ମୀ ଓ ଜନତାଙ୍କର ଅପମାନ ସମାଧାନ ନ ହେଲା;
ତେବେ ୨୦୨୯ରେ ନୁହେଁ, ଆସନ୍ତା କିଛି ବର୍ଷରେ ମଧ୍ୟ ବିଜେପି ସରକାର ଶୀଘ୍ର ନିଜର ଲୋକପ୍ରିୟତା ହରାଇ ମାଟିରେ ମିଶିଯିବ।
ଓଡ଼ିଶାର ରାଜନୀତିର ଏହି ଅଧ୍ୟାୟ – ମିଥ୍ୟା ଗୌରବ ଓ ଅସମନ୍ୱୟର ଦିନଗୁଡ଼ିକ -ଆସନ୍ତା ଦଶକର ପାଠପୁସ୍ତକରେ ରହିବା ଉଚିତ – “କିପରି ଗୋଟିଏ ଶକ୍ତିଶାଳୀ ଦଳ ନିଜେ ନିଜକୁ ନଷ୍ଟ କଲା।”
also read https://purvapaksa.com/are-the-terrorist-handlers-hiding/
Are the terrorist handlers hiding? ।। ଆତଙ୍କବାଦୀଙ୍କ ହ୍ୟାଣ୍ଡଲରମାନେ ଲୁଚି ରହିଛନ୍ତି କି?


