VK Pandian: ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ କଲେ ମନ୍ମଥ ରାଉତରାୟ
ପାନ ଗୁଆ ଖଇର ଗୁଆକାତି… ଆହା କି ସୁନ୍ଦର ରାଜନୀତି… ଏହାଥିଲା ପ୍ରଶାନ୍ତ ନନ୍ଦଙ୍କ ଏକ ସିନେମାର ଗୀତ। ସେତେବେଳେ ଏହି ଗୀତ ବହୁତ ଲୋକପ୍ରିୟ ହୋଇଥିଲା। ଯିଏ ରାଜନୀତିରେ ଥରେ ପାଦ ଦେଇଛି ସେ ଜାଣିଛି ଏଥିରେ କଣ ମହୁ ଅଛି। ଯାହାର ପାଟିରେ ଥରେ ଏହି ମିଠା ଲାଗିଛି ସେ ତାକୁ ଜୀବନସାରା ଭୁଲି ପାରିବ ନାହିଁ। ସଦ୍ୟତମ ଘଟଣାକୁ ଦେଖିଲେ ଏହା କେତେ ସତ ତାହା ସହଜେ ଅନୁମେୟ। ଯଦି ଆମେ ବିଜେଡ଼ିର ରାଜନୀତି ଉପରେ ଦୃଷ୍ଟି ପକାଇବା ତାହାଲେ ଏବେବି ଦଳର ସୁପରବସ ରହିଛନ୍ତି ଭି.କେ. ପାଣ୍ଡିଆନ। ପାଣ୍ଡିଆନଙ୍କ କବଜାରେ ଏବେ ବି ରହିଛି ବିଜେଡି।
ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ। ନବୀନ ନିବାସରେ ସକ୍ରିୟ ରହିଛନ୍ତି ପାଣ୍ଡିଆନ। ପ୍ରତିଦିନ ଭେଟୁଛନ୍ତି ଦଳର ନେତା ଓ ବିଧାୟକ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ମାଟି କାମୁଡିବା ସହ ଦୀର୍ଘ ୨୪ ବର୍ଷ ପରେ କ୍ଷମତାଚ୍ୟୁତ ହୋଇଛି। ଏହା ପରେ ଦଳର ସର୍ବେସର୍ବା ବୋଲାଉ ଥିବା ପାଣ୍ଡିଆନ ଲାଙ୍ଗୁଡ ଜାକି ଦଳରୁ ସନ୍ନ୍ୟାସ ନେଇଥିଲେ। ବିଜେଡ଼ିର ପରାଜୟ ପାଇଁ ନିଜ ଦଳଠୁ ଆରମ୍ଭ କରି ରାଜ୍ୟବାସୀ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ପାଣ୍ଡିଆନ ସନ୍ନ୍ୟାସ ନେବା ପରେ ସମସ୍ତେ ଆଶ୍ୱସ୍ତି ହୋଇଥିଲେ। କିନ୍ତୁ ତାହା ସତ ନୁହେଁ। ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ଭଳି ପାଣ୍ଡିଆନ ପରଦା ଆଢୁଳରେ ରହି ଦଳକୁ ତାଙ୍କ ହାତ ମୁଠାରେ ରଖିଛନ୍ତି। ଯାହା ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ୍ କରିଛି ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ । ଆଉ ଏ ଫଟୋ ଭାଇରାଲ୍ ହେବା ପରଠୁ ବଢ଼ିଛି ରାଜନୈତିକ ଚର୍ଚ୍ଚା ।
ଦ୍ୱିତୀୟ ବିବାହ ପରେ ପତ୍ନୀଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କ ସହ ଫଟୋ ଉଠାଇଲେ, ତା ସହ ପାଣ୍ଡିଆନଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି ମନ୍ମଥ ରାଉତରାୟ । ଯାହା ଭାଇରଲ ହେବା ପରେ ବଢିଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଲା ପରେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏବେ ବି ନବୀନ ନିବାସରେ ରହି ନେଉଛନ୍ତି ସବୁ ନିଷ୍ପତ୍ତି । ଆଉ ପାଣ୍ଡିଆନଙ୍କ ପ୍ରଭୁତ୍ୱ ପାଇଁ ବରିଷ୍ଠଠୁ କନିଷ୍ଠ ସବୁ ଅସନ୍ତୁଷ୍ଟ । ଆଉ ଚାଲିଛି ଏକାଧିକ ଗୋଷ୍ଠୀ ।
ପାଣ୍ଡିଆନଙ୍କ ଦବଦବା ଥିବା ବିଜେଡି ବିଧାୟକ ସାରଦା ଜେନା ବି ସ୍ୱର ମିଳାଇ ସ୍ୱୀକାର କରି କହିଛନ୍ତି, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି, ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି । ଏମିତିକି ଦଳର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରିବା, ଏହା ଗୋଟେ ଟିମର ଦାୟିତ୍ୱ ଥିଲା ବୋଲି କହିଛନ୍ତି ସାରଦା । ଯାହାକୁ କଟାକ୍ଷ କରି ବିଜେପି କହିଛି, ବିଜେଡି ଶେଷ ନହେବା ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ ନାହିଁ ।
ନିକଟରେ ବଜେଟ ଅଧିବେଶନ ଆରମ୍ଭ ବେଳେ ଗୃହ ଅଚଳ ନେଇ ବି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୃହକୁ ବନ୍ଦ କରୁଛି । ବିରୋଧୀ ନୁହଁନ୍ତି କିଛି ଦିନ ତଳେ ନିଜେ ମନ୍ମଥ ମଧ୍ୟ ସ୍ୱୀକାର କରିଥିଲେ ଯେ, ନବୀନ ନିବାସରେ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ଏଠି ପ୍ରଶ୍ନ ରାଜନୀତିରୁ ସନ୍ନ୍ୟାସ ପରେ ବି କାହିଁକି ବିଜେଡିକୁ ଛାଡ଼ି ପାରୁ ନାହାନ୍ତି ପାଣ୍ଡିଆନ । ଆଉ ଦଳ ବିପର୍ଯ୍ୟାୟର କାରଣ କହୁଥିଲେ ବି କାହିଁକି ପାଣ୍ଡିଆନକୁ ଛାଡ଼ି ପାରୁ ନାହାନ୍ତି ନବୀନ । ନବୀନ କି ବିଜେଡିର କିଛି ସିକ୍ରେଟ ରଖିଛନ୍ତି କି ପାଣ୍ଡିଆନ୍ ?
ଯଦି ଆମେ ପଛକୁ ଦେଖିବା, ବିଜେଡିର ପ୍ରଦର୍ଶନ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରି ପାଣ୍ଡିଆନ୍ କହିଥିଲେ, ଯଦି ମୋ ବିରୋଧରେ ଏହି ପ୍ରଚାର କାହାଣୀର ବିଜେଡିର ପରାଜୟ ପଛରେ ଭୂମିକା ରହିଛି ତେବେ ମୁଁ ଦୁଃଖିତ। ନବୀନଙ୍କୁ ସହଯୋଗ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ବୋଲି ସେ ଗୁରୁତ୍ୱାରୋପ କରିବା ସହ ପାରିବାରିକ ସମ୍ପତ୍ତି ବ୍ୟତୀତ ଅନ୍ୟ କୌଣସି ସମ୍ପତ୍ତିର ମାଲିକ ହେବାକୁ ମନା କରିଥିଲେ।
ନିର୍ବାଚନ ଫଳାଫଳ ଓ ପାଣ୍ଡିଆନଙ୍କ ଇସ୍ତଫା
୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ପାଣ୍ଡିଆନ ୨୦୨୪ ଜୁନ୍ ୯ତାରିଖରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ। ତାଙ୍କ ତାମିଲ ଉତ୍ପତ୍ତିକୁ ଟାର୍ଗେଟ କରି ବିଜେପିର ଅଭିଯାନକୁ ସେ କ୍ଷତିର ଏକ କାରଣ ବୋଲି ସ୍ୱୀକାର କରି କହିଥିଲେ, “ମୁଁ ମୋର ଜନ୍ମସ୍ଥାନ କାରଣରୁ ମୋର ସୀମିତତାକୁ ସମ୍ମାନର ସହ ଗ୍ରହଣ କରୁଛି।
ରାଜନୈତିକ ପ୍ରତିକ୍ରିୟା ଓ ବିବାଦ
ପାଣ୍ଡିଆନଙ୍କୁ ଓଡ଼ିଆ ଅସ୍ମିତା (ଓଡ଼ିଆ ଗୌରବ) ଧମକ ଦେଉଥିବା ଜଣେ ‘ବାହାର ଲୋକ’ ଭାବେ ବିଜେପି ତାଙ୍କ ତାମିଲ ମୂଳକୁ ଉପଯୋଗ କରି ବିଜେଡିର ସମର୍ଥନ ହ୍ରାସ କରିଛି। ସମାଲୋଚକମାନେ କୋଭିଡ଼ ପରବର୍ତ୍ତୀ ସମୟରେ ନବୀନଙ୍କ ଜନସାଧାରଣରେ ଦେଖାନଯିବା ଏବଂ ବେକାରୀ/ଦାରିଦ୍ର୍ୟକୁ ନେଇ ସରକାର ବିରୋଧୀ ମନୋଭାବକୁ ମଧ୍ୟ କାରଣ ବୋଲି ଦର୍ଶାଇଥିଲେ।
ପୂର୍ବରୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରଭାତ ବିଶ୍ୱାଳଙ୍କ ଝିଅ ବିବାହରେ ମଧ୍ୟ ଯୋଗ ଦେଇ ସାମ୍ନାକୁ ଆସିଥିଲେ ପାଣ୍ଡିଆନ । ଏଠି ଦେଖିବାକୁ ବାକି ରହିଲା ବିଜେଡ଼ିର ମଙ୍ଗ ଧରି ପୁଣି ଦଳକୁ କ୍ଷମତାକୁ ଆଣୁଛନ୍ତି ନା ଦଳକୁ ସବୁଦିନ ପାଇଁ ବୁଡାଉଛନ୍ତି। ତାହା କେବଳ ସମୟ କହିବ।
Previous article:https://purvapaksa.com/mo-bus-accidents-claimed-6-lives-in-8-months/
