ଗତ ୨୪ବର୍ଷ ଧରି ବିଜେଡି ସରକାର ଅମଳରେ ଘିଅମହୁରେ ଭାସୁଥିବା ବିଜେଡି ମାର୍କା ଅଫିସରମାନେ ସରକାର ବଦଳିବା ପରେ ବି ନିଜକୁ ପରିବର୍ତ୍ତନ କରିନାହାନ୍ତି । ବରଂ ସେମାନେ କିପରି ବିଜେପି ସରକାରକୁ ବଦନାମ୍ କରାଯାଇ ପାରିବ ସେ ଦିଗରେ ଅଧିକ ଲାଗିପଡ଼ିଛନ୍ତି।
ବିଭିନ୍ନ ବିଭାଗରେ ଉନ୍ନୟନମୂଳକ କାମକୁ ମନ୍ତ୍ରୀ ନୁହନ୍ତି, ଅଫିସରମାନେ କାର୍ଯ୍ୟକାରୀ କରିଥାଆନ୍ତ। କିନ୍ତୁ ଚଳିତ ଆର୍ତିକ ବର୍ଷର ୫ମାସ ଏହା ଭିତରେ ବିତି ଯାଇଥିଲେ ମଧ୍ୟ ଦଳୀୟ ଚିନ୍ତାଧାରାରେ ବୁଡ଼ି ରହିଥିବା ଏହି ଅଫିସରମାନେ କାମ କରୁନାହାନ୍ତି। ଯାହା ଫଳରେ ଚଳିତ ବର୍ଷ ପାଇଁ ବଜେଟରେ ଦିଆଯାଇଥିବା ଅର୍ଥ ବିନିଯୋଗ ହୋଇପାରିନାହିଁ। ଏହି ତାଲିକାରେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ, ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଶକ୍ତି ବିଭାଗ, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ, ଗ୍ରାମ୍ୟ ଉନ୍ନୟନ ଭଳି ବିଭାଗର ଖର୍ଚ୍ଚ ପରିମାଣ ଅତି ନଗଣ୍ୟ ରହିଛି। ଅଫିସରମାନେ କାମ କରୁନଥିବାରୁ ମନ୍ତ୍ରୀମାନେ ଅପାରଗ ବୋଲି ସାଧାରଣରେ ପ୍ରଚାର ହେବାରେ ଲାଗିଛି।
ମଳିଥିବା ସୂଚନାନୁସାରୋ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରି ଯୁବବର୍ଗଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟରେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଚଳିତ ଆର୍ଥିକବର୍ଷ ପାଇଁ ଯେଉଁ ଯୋଜନା ଓ ଆଭିମୁଖ୍ୟ ରଖିଥିଲା, ତାହା ଏବେ ବାଟବଣା ହେଲାଭଳି ପରିଲକ୍ଷିତ ହେଉଛି। ଗତ ୫ମାସ ମଧ୍ୟରେ ଏପର୍ଯ୍ୟନ୍ତ ବିଭାଗ ୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ହୋଇପାରିନାହିଁ। ଅଗଷ୍ଟ ୧୧ରୁ ୧୩ ତାରିଖ ମଧ୍ୟରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଯେଉଁ ଖର୍ଚ୍ଚ ପ୍ରଦର୍ଶନ କରାଯାଇଥିଲା ତାହା ଅତ୍ୟନ୍ତ ନଗଣ୍ୟ ରହିଥିଲା। ବିଭାଗୀୟ ସଚିବ ସମୀକ୍ଷାବେଳେ ଦର୍ଶାଇଥିଲେ ଯେ, ବିଭାଗ ପକ୍ଷରୁ ଚଳିତବର୍ଷ ୧୧୨୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି। ଜୁଲାଇ ଶେଷ ସୁଦ୍ଧା ୧.୭୬ % ଅର୍ଥ ଖର୍ଚ୍ଚ ହୋଇଛି। ସଚିବଙ୍କ ଏହି ହିସାବକୁ ନେଇ ଅନ୍ୟ ସମସ୍ତ ବିଭାଗର ଅଧିକାରୀ ଓ ନିଜେ ଉନ୍ନୟନ ଆୟୁକ୍ତ ଆଶ୍ଚର୍ଯ୍ୟଚକିତ ହୋଇଥିଲେ।
କେବଳ ଯେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ଅସମର୍ଥ ରହିଛି ତାହା ନୁହେଁ, ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଶକ୍ତି ବିଭାଗ, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ, ଗ୍ରାମ୍ୟ ଉନ୍ନୟନ ଭଳି ବିଭାଗର ଖର୍ଚ୍ଚ ମଧ୍ୟ ନିରୁତ୍ସାହଜନକ ରହିଛି।
ନଗର ଉନ୍ନୟନ ବିଭାଗ ଜୁଲାଇ ଶେଷ ସୁଦ୍ଧା ୧୯.୩୯ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିଛି। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗ ୨୩.୬୬ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିଥିବାବେଳେ ଶକ୍ତି ବିଭାଗ ମାତ୍ର ୬.୯୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି। ଉଚ୍ଚଶିକ୍ଷା ବିଭାଗ ୧୬.୧ ପ୍ରତିଶତ, ଅନୁସୂଚିତ ଜାତି, ଜନଜାତି ବିଭାଗ ୧୩,୦୧ ପ୍ରତିଶତ, ଗ୍ରାମ୍ୟ ଉନ୍ନୟନ ବିଭାଗ ୨୨.୨୩ ପ୍ରତିଶତ ଏବଂ ନିର୍ମାଣ ବିଭାଗ ୩୨,୫୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡ଼ିଛି।
