ସରକାରୀ ବାବୁମାନେ ମିଶି ବିଜେପି ସରକାରର ସୋସିଆଲ ମିଡିଆକୁ ବିଜେଡି ଆଇଟି ସେଲକୁ ଦେଲା ଭଳି ଲାଗୁଛି । ତେଣିକି ପରିସ୍ଥିତି କଣ ହେବ ଆପଣମାନେ ବିଚାର କରନ୍ତୁ । ଏ ସରକାରରେ ଥିବା ବାବୁମାନେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ନିଜର ବିଭାଗର ସୋସିଆଲ ମିଡିଆକୁ ହେଣ୍ଡଲ କରିବାକୁ ଦେଉଛନ୍ତି । ଯାହାକୁ ଦେଖିଲା ପରେ ଲାଗୁଛି ବିଜେପି ଆଇଟି ସେଲର ଅସ୍ଥିତ୍ୱ ବୋଧେ ବିଜେପି ସରକାର ଭୁଲିଯାଇଛନ୍ତି । ବର୍ଷ ବର୍ଷ ଧରି ବିଜେପି ପାଇଁ ସୋସିଆଲ ମିଡିଆରେ ଲଢେଇ କରୁଥିବା ବିଜେପିର ଆଇଟି ସେଲର ଅନେକ କାର୍ଯ୍ୟକର୍ତ୍ତ ଏବେ ଭକୁଆ ଭଳି ଅନେଇ ବସିଛନ୍ତି । ଭକୁଆ ବୋଲି ଆମେ ଏଥିପାଇଁ କହୁଛୁ ଦିନ ରାତି ଖଟିଲେ, କିଏ ଦାଦନ ଥାଇ ବା ବାହାର ରାଜ୍ୟରେ ଛୋଟ ବଡ଼ କାମ କରିକି ନିଜ ପକେଟରୁ ରିଚାର୍ଜ କରି ଦଳ ପାଇଁ ଦିନରାତି ସୋସିଆଲ ମିଡିଆରେ ଲଢୁଥିଲେ ସେମାନେ ବିଜେପି ସରକାର ଆସିବା ପରେ ପାଇଲେ କଣ?
ସରକାରକୁ ଆସିବା ପରେ ସରକାରୀ ବାବୁମାନଙ୍କ କଥାରେ ପଡ଼ି ସରକାରୀ ତହବିଲ ଲକ୍ଷ ଲକ୍ଷ ଟଙ୍କା ଖାଲି ସୋସିଆଲ ମିଡିଆରେ ପ୍ରଚାର ପାଇଁ ଖର୍ଚ୍ଚ କରୁଛନ୍ତି। ବିଜେପି ଆଇଟି ସେଲର ପିଲାମାନେ ଯେଉଁମାନେ ନିସ୍ୱାର୍ଥ ଭାବରେ ଦଳ ପାଇଁ କାର୍ଯ୍ୟ କରୁଥିଲେ ସେମାନେ ଆଜି ତାଙ୍କ ସର୍ମ୍ପକୀୟ ବିଧାୟକ ମନ୍ତ୍ରୀଙ୍କ ଦୟାରେ ଯାହା ଚଳୁଛନ୍ତି । ଆଉ ଟଙ୍କା ଯାଉଛି ବିଜେଡି ସମୟରେ ଯେଉଁମାନେ ସରକାରୀ ବିଭାଗରେ ସୋସିଆଲ ମିଡିଆ କଥା ବୁଝୁଥିଲେ। ଦିନେ ବିଜେଡି ପରାଜୟର କାରଣ ସୋସିଆଲ ମିଡିଆରେ ବିଜେଡିର ଦୁର୍ବଳତା ପାଇଁ ହେଲା ବୋଲି ବିଜେଡି ସୁପ୍ରିମୋ ନିଜ ମୁହଁରେ ସ୍ୱୀକାର କରିଥିଲେ । ଆଜି ସରକାର ବଦଳିବା ପରେ ବି ପୁଣି ସେହି ସଂସ୍ଥାମାନଙ୍କ ହାତରେ ରହିଛି ବିଜେପି ସରକାରୀ ବିଭାଗମାନଙ୍କର ପ୍ରଚାର ଦାୟିତ୍ୱ।

ଆମ କଥା ଯଦି ଆପଣଙ୍କୁ ଅଡୁଆ ଲାଗୁଛି ତେବେ ଆପଣ ନଜର ପକାନ୍ତୁ ବିଧାନସଭାରେ ଖୋଦ ମୁଖ୍ୟମନ୍ତ୍ରୀ ରଖିଥିବା କିଛି ତଥ୍ୟ ଉପରେ।
ସରକାରୀ ବିଭାଗଗୁଡ଼ିକରେ ସୋସିଆଲ ମିଡିଆ ଚଳାଇବା ପାଇଁ ରାଜ୍ୟ ସରକାରଙ୍କର କ’ଣ ସବୁ ବ୍ୟବସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ ଶାସକ ଦଳର ବିଧାୟକ ଟଙ୍କଧର ତ୍ରିପାଠୀ। ସେ ଆହୁରି ଜାଣିବାକୁ ଚାହିଁଥିଲେ କି ସରକାରୀ ବିଭାଗଗୁଡ଼ିକ ସୋସିଆଲ୍ ମିଡିଆ ଚଳାଇବା ପାଇଁ ଘରୋଇ ସଂସ୍ଥାର ସହାୟତା ନେଉଛନ୍ତି କି? ଯଦି ହଁ, ତେବେ କେଉଁ କେଉଁ ବିଭାଗ ଏଥିପାଇଁ କେଉଁ ସଂସ୍ଥାଙ୍କୁ ମୁତୟନ କରିଛନ୍ତି ଏବଂ ସେ ବାବଦରେ ବର୍ଷକୁ କେତେ ଅର୍ଥ ବ୍ୟୟ କରୁଛନ୍ତି ତାହାର ଏକ ବିଭାଗୱାରୀ ତାଲିକା ମାଗିଥିଲେ।
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସମୟରେ ବିଭିନ୍ନ ବିଭାଗଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ପାଇଁ ସରକାରଙ୍କର କୌଣସି ନିୟମ କି ନିର୍ଦ୍ଦେଶାବଳୀ ନାହିଁ। ବିଭାଗଗୁଡ଼ିକ ନିଜସ୍ୱ ଆବଶ୍ୟକତା, ପ୍ରଚାର କାର୍ଯ୍ୟ ଓ ସାମଗ୍ରିକ ଯୋଗ୍ୟତା ଅନୁସାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ସେଥିପାଇଁ ବିଭାଗଗୁଡ଼ିକ ସେମାନଙ୍କ ଆର୍ଥିକ କ୍ଷମତା ଅନୁଯାୟୀ ବେସରକାରୀ ସଂସ୍ଥାକୁ ନିୟୋଜିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଏହାର ତାଲିକା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ କେବଳ ୧୬ଟି ବିଭାଗର ନାଁ ଅଛି। ବାକି ୧୬ଟି ବିଭାଗର ନାଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ନାହିଁ। ସୁତରାଂ ଏହି ବିଭାଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଅନ୍ଧାରରେ ଅଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ତାଲିକା ଅନୁଯାୟୀ ପଞ୍ଚାୟତିରାଜ ବିଭାଗର ସୋସିଆଲ୍ ମିଡିଆ କାମ ନେଇଛି ସିଏସଏମ୍ ଟେକ୍ନୋଲୋଜି ଲିମିଟେଡ୍ । ସେ ବାବଦରେ ବର୍ଷକୁ ଦିଆଯାଉଛି ୨୬ ଲକ୍ଷ ୫୫ ହଜାର ଟଙ୍କା । ସେହି ସିଏସଏମ୍ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଛି ସ୍ୱାସ୍ଥ୍ୟ ବିଭାଗର ସୋସିଆଲ୍ ମିଡିଆ କାମ । ସେ ବାବଦରେ ବର୍ଷକୁ ଯାଉଛି ୨୬ ଲକ୍ଷ ୫୫ ହଜାର ଟଙ୍କା । ସମବାୟ ବିଭାଗର ସୋସିଆଲ୍ ମିଡିଆ କାମ ପାଇଛି ଓଏସିସ୍ ଟେକ୍ ସଲ୍ୟୁସନସ୍ ପ୍ରାଇଭେଟ୍ ଲିମିଡେଟ୍ । ସେଥିପାଇଁ ବିଭାଗ ଖର୍ଚ୍ଚ କରୁଛି ବର୍ଷକୁ ୫୩ ଲକ୍ଷ ୧୦ ହଜାର ଟଙ୍କା । ଓମ୍ କମ ମିଡିଆ ପ୍ରାଇଭେଟ୍ ଲିମିଟେଡକୁ ଦିଆଯାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସୋସିଆଲ୍ ମିଡିଆ କାମ । ବର୍ଷକୁ ଏହି ସଂସ୍ଥା ନେଉଛି ୪୯ ଲକ୍ଷ ୫୬ ହଜାର ଟଙ୍କା । ଏସସି/ଏସଟି ଉନ୍ନୟନ ବିଭାଗର ସୋସିଆଲ୍ ମିଡିଆ ପରିଚାଳନା କାମ ପାଇଛି ଓରିଏଣ୍ଟାଲ୍ ସିକ୍ୟୁରିଟି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ । ବର୍ଷକୁ ପାଉଛି ୧୭ ଲକ୍ଷ ୬୪ ହଜାର ୬୨୪ ଟଙ୍କା ।
ଖାଲି ଏତିକି ନୁହେଁ ଲୁଚା ଯାଇଥିବା ବିଭାଗଗୁଡ଼ିକର କାମ ସରକାରଙ୍କ ଗେହ୍ଲାପୁଅ ସାଜିଥିବା ସେହି ନିର୍ଦ୍ଦିଷ୍ଟ ସଂସ୍ଥାମାନଙ୍କ ହାତକୁ ଟେକି ଦିଆଯାଇଥିବା ଜଣାପଡ଼ିଛି । ଯେମିତି କି କୃଷି ବିଭାଗର ସୋସିଆଲ୍ ମିଡିଆ ପରିଚାଳନା ଓମ୍ କମ ମିଡିଆ ପ୍ରାଇଭେଟ୍ ସଂସ୍ଥାକୁ ଦିଆଯାଇଛି । ଏଥି ନିମନ୍ତେ ଘରୋଇ ସଂସ୍ଥାର ନିୟୋଜିତ କର୍ମଚାରୀଙ୍କୁ କୃଷି ଭବନର ଗୋଟିଏ ହଲ୍ ବି ଛାଡ଼ିଦିଆଯାଇଛି । ବର୍ଷକୁ ମୋଟା ପାଉଣା ସହ ସରକାରୀ ଦପ୍ତର ବ୍ୟବହାର ସୁଯୋଗ କୌଣସି ଘରୋଇ ସଂସ୍ଥାକୁ ଭାଗ୍ୟରେ ଥିଲେ ମିଳେ ।
ଏବେ ଆପଣ ଥରେ ଚିନ୍ତା କରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବି ସମ୍ପୁର୍ଣ୍ଣ ସଂସ୍ଥାମାନଙ୍କର କେତେ ଟଙ୍କା ଖର୍ଚ୍ଚ ହେଉଛି ତାର ହିସାବ ନାହିଁ । ଏମିତି ହେଲେ ସରକାର ଆଉ ଦଳ ଭିତରେ କେମିତିକା ସାମଞ୍ଜସ୍ୟ ରହିପାରିବ ଆପଣ ହିଁ ଚିନ୍ତା କରନ୍ତୁ । କୁହାଯାଉଛି କି ଏହି ସଂସ୍ଥାମାନେ ହିଁ ବିଜେଡି ଆଇଟି ସେଲ ଚାଲିବାରେ ସାହାର୍ଯ୍ୟ କରୁଥିଲେ ଏବେବି କରୁଛନ୍ତି । ସରକାରଙ୍କ ବିରୋଧରେ ଯେଉଁ ସବୁ ପୋଷ୍ଟ ହେଉଛି ତାକୁ ଏବେ ବି ଏହିମାନେ ହିଁ ପରଦା ପଛରେ ରହି ଅପରେଟ କରୁଛନ୍ତି ।
ଯେଉଁମାନେ ସୋସିଆଲ ମିଡିଆରେ ବିଜେପି ପାଇଁ କି ବିଜେଡି ପାଇଁ କାମ କରୁଥିବେ କି କାଉଣ୍ଟର କରୁଥିବେ ସେମାନେ ହୁଏତ ଭଲ ଭାବରେ ବୁଝିପାରୁଥିବେ କି ପୂର୍ବର ତିଆରିହେଉଥିବା ପୋଷ୍ଟର କି ଏବେର ତିଆରି ହେଉଥିବା ପୋଷ୍ଟର ଗୁଡିକ ଡିଜାଇନରେ ବେଶୀ କିଛି ଫରକ ନାହିଁ । ଖାଲି ଯାହା ସବଜେକ୍ଟ ବଦଳିଛି ଡିଜାଇନ ସମାନ ରହିଛି ।
ଏବେ ଆପଣ ହିଁ ଚିନ୍ତା କରନ୍ତୁ କିଏ ଭକୁଆ । ଏଠି କାହାକୁ ଦାୟୀ କରାଯିବ । ରାଜନୈତିକ ମହଲରେ ଚର୍ଚ୍ଚା ଅନୁଯାୟୀ ଯଦି ବିଜେପି ସରକାର ପ୍ରତି ଜିଲ୍ଲାର ବିଜେପି ଆଇଟି ସେଲରେ ଯଡିତ ଥିବା ପିଲାମାନଙ୍କୁ ନେଇ ଗୋଟିଏ ଗୋଟିଏ ବିଭାଗରେ ଦାୟିତ୍ୱ ଦିଅନ୍ତେତେବେ ସରକାରଙ୍କ ପ୍ରଚାର ସାଙ୍ଗକୁ କର୍ମ୍ମୀ ଏବଂ ସଂଗଠନର ଅଭିବୃଦ୍ଧି ଘଟନ୍ତା । ଆଉ ଏହା କେମିତି ସମ୍ଭବ ତାହା ସଭିଙ୍କୁ ଜଣା ।
ଆମର କହିବା କଥା କହିଲୁ ଏବେ ଆପଣଙ୍କ ଦାୟିତ୍ୱ ଏ ଭିଡିଓକୁ କେମିତି ସରକାରଙ୍କ ପାଖରେ ପହଁଚାଇବେ । ଯେତେ ମାତ୍ରାରେ ଏ ଭିଡିଓକୁ ସେୟାର କରିବେ ହୁଏତ ସେତେ ଶୀଘ୍ର ସରକାରଙ୍କ ପାଖରେ ଏ ଭିଡିଓ ପହଁଞ୍ଚିବ ।
AlsoRead; https://purvapaksa.com/putin-shakes-hands-with-presidential-bodyguard/
Putin shakes hands with presidential bodyguard || ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ସହ ହାତ ମିଳାଇଲେ ପୁଟିନ


