ସାମାଜିକ ଜୀବନରେ ଏକ ସାଧାରଣ କଥା ଅଛି—ଯଦି ନିଜ ଲୋକ ନିଜ ପରିବାର ସଦସ୍ୟକୁ ଗାଳି ଦିଏ, ତେବେ ତାହାକୁ ‘ଘରୋଇ କଳି’ କହି ଏଡ଼ାଇ ଦିଆଯାଏ। କିନ୍ତୁ ଯଦି କୌଣସି ବାହାର ଲୋକ ସେହି ସମାନ କଥା କୁହେ, ତେବେ ପରିବାରର ମୁଖିଆଙ୍କଠାରୁ ଆରମ୍ଭ କରି ସାନ ସାନ ସଦସ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ମାରିବାକୁ ଗୋଡ଼େଇ ଉଠନ୍ତି। ଓଡ଼ିଶା ରାଜନୀତିର ବର୍ତ୍ତମାନର ଚିତ୍ର କିଛି ଏହିଭଳି। ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହାକୁ ନେଇ ବିଜେଡି ଶିବିର ସହିତ ବିଜେଡିରୁ ତଡ଼ା ଖାଇ ବିଜେପିରେ ଥିବା କିଛି ନେତାଙ୍କ ଭିତରେ ଯେଉଁ କମ୍ପନ ସୃଷ୍ଟି ହୋଇଛି, ତାହା ଅନେକ ଅକୁହା ପ୍ରଶ୍ନକୁ ଜନ୍ମ ଦେଇଛି। ଏହି ବିବାଦ ଜଣେ ଜୀବିତ ନେତାଙ୍କୁ ନେଇ ନୁହେଁ, ବରଂ ଓଡ଼ିଶାର ଜନମାନସରେ ଦେବତା ଭଳି ପୂଜା ପାଉଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ। କିନ୍ତୁ ପ୍ରଶ୍ନ ଉଠୁଛି, ନିଶିକାନ୍ତ ଦୁବେ ଯାହା କହିଛନ୍ତି ତାହା କ’ଣ ସତରେ ନୂଆ? ନା ଏହି ତଥ୍ୟ ପୂର୍ବରୁ ଓଡ଼ିଶାର କୌଣସି ଗଣମାଧ୍ୟମରେ ପ୍ରସାରିତ ହୋଇସାରିଛି? ବିଜୁ ବାବୁଙ୍କ ସମ୍ମାନ ରକ୍ଷା ନା ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏହି ପ୍ରତିବାଦ—ତାହା ଏବେ ବଡ଼ ପ୍ରଶ୍ନବାଚୀ।
ନିଶିକାନ୍ତ ଦୁବେଙ୍କ ‘ବିସ୍ଫୋରକ’ ଦାବି: ଇତିହାସ ନା ଅଭିଯୋଗ?
ବିଜେପି ସାଂସଦ ନିଶିକାନ୍ତ ଦୁବେ ନିକଟରେ ସୋସିଆଲ ମିଡିଆ ଏକ୍ସ (X) ଏବଂ ଗଣମାଧ୍ୟମ ସମ୍ମୁଖରେ କିଛି ଦସ୍ତାବେଜ ଉପସ୍ଥାପନ କରିଥିଲେ। ତାଙ୍କ ଦାବି ଅନୁଯାୟୀ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକାର ଗୁପ୍ତଚର ସଂସ୍ଥା ‘ସିଆଇଏ’ ମଧ୍ୟରେ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ଭାବେ କାର୍ଯ୍ୟ କରୁଥିଲେ। ୧୯୬୩ରୁ ୧୯୬୯ ମଧ୍ୟରେ ଚୌଦ୍ୱାରର ଚାରବାଟିଆ ଏୟାରବେସ୍ ଆମେରିକୀୟ ସେନା ଏବଂ ସିଆଇଏର ଏକ ଗୁପ୍ତ ଘାଟି ଥିଲା। ନେହେରୁଙ୍କ ଚିଠିକୁ ଆଧାର କରି ଦୁବେ କହିଛନ୍ତି ଯେ ବିଜୁ ବାବୁଙ୍କୁ ଏକ ‘ବଡ଼ ମିଶନ’ ପାଇଁ ନିୟୋଜିତ କରାଯାଇଥିଲା। ଏହାକୁ ସେ ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସର ଏକ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଜଣେ ଐତିହାସିକ ବ୍ୟକ୍ତିତ୍ୱଙ୍କ କାର୍ଯ୍ୟକଳାପକୁ ଦଶନ୍ଧି ଦଶନ୍ଧି ପରେ ରାଜନୈତିକ ରଙ୍ଗ ଦେବା କେତେଦୂର ଯଥାର୍ଥ?
ଦୋମୁହାଁ ନୀତିର ପର୍ଦ୍ଦାଫାଶ: ନନ୍ଦିଘୋଷ ଟିଭିର ସେହି ପୁରୁଣା ରିପୋର୍ଟ
ନିଶିକାନ୍ତ ଦୁବେଙ୍କ ବୟାନ ପରେ ବିଜେଡି ନେତାମାନେ ଯେଉଁଭଳି ଭାବେ ରାଜରାସ୍ତାକୁ ଓହ୍ଲାଇଲେ ଏବଂ ଗଣମାଧ୍ୟମରେ ବିଷୋଦଗାର କଲେ, ତାହା ଦେଖିଲେ ମନେହେବ ଯେପରି ସେମାନେ ବିଜୁ ବାବୁଙ୍କ ସମ୍ମାନ ପାଇଁ ସବୁକିଛି ତ୍ୟାଗ କରିଦେବେ। କିନ୍ତୁ ସ୍ମୃତିକୁ ଟିକେ ପଛକୁ ନେଲେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସେ। ପ୍ରାୟ ୪-୫ ବର୍ଷ ପୂର୍ବରୁ ଓଡ଼ିଶାର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ ‘ନନ୍ଦିଘୋଷ ଟିଭି’ରେ ଠିକ୍ ଏହି ବିଷୟକୁ ନେଇ ଏକ ସ୍ୱତନ୍ତ୍ର ଏପିସୋଡ୍ ପ୍ରସାରିତ ହୋଇଥିଲା। ସେହି ରିପୋର୍ଟରେ ବିଜୁ ବାବୁଙ୍କର ସିଆଇଏ ସହ ସମ୍ପର୍କ ଏବଂ ଏପରିକି ସୁନା ସ୍ମଗଲିଂ ଭଳି ସାଂଘାତିକ ଅଭିଯୋଗ ଉପରେ ଚର୍ଚ୍ଚା କରାଯାଇଥିଲା।
ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ନନ୍ଦିଘୋଷ ଟିଭିର ଚେୟାରମ୍ୟାନ ହେଉଛନ୍ତି ବିଜେଡିର ପ୍ରଭାବଶାଳୀ ନେତା ତଥା ସାଂସଦ ମାନସ ମଙ୍ଗରାଜ। ଯେତେବେଳେ ନିଜ ଦଳର ସାଂସଦଙ୍କ ମାଲିକାନାରେ ଥିବା ଚ୍ୟାନେଲ ବିଜୁ ବାବୁଙ୍କ ଛବିକୁ ଧୂଳିସାତ୍ କଲା ଭଳି ରିପୋର୍ଟ ପ୍ରସାରଣ କରୁଥିଲା, ସେତେବେଳେ ବିଜେଡି ନେତାଙ୍କ ଆନ୍ତରିକତା କୁଆଡ଼େ ଯାଇଥିଲା? ସେତେବେଳେ ସୁଲତା ଦେଓଙ୍କ ଗର୍ଜନ କିମ୍ବା ସସ୍ମିତ ପାତ୍ରଙ୍କ ଇସ୍ତଫା କାହିଁକି ଦେଖିବାକୁ ମିଳିନଥିଲା? ନିଜ ଲୋକ କହିଲେ ‘ଗବେଷଣା’ ଏବଂ ବାହାର ଲୋକ କହିଲେ ‘ଅପମାନ’—ଏହା କ’ଣ ବିଜେଡିର ଦୋମୁହାଁ ନୀତି ନୁହେଁ କି?
କେବଳ ବର୍ତ୍ତମାନର ବିଜେଡି ନେତା ନୁହଁନ୍ତି, ପୂର୍ବରୁ ବିଜେଡି ଥିଲେ, ଏବେ ବିଜେପିରେ ଥିବା ନେତା ବାବୁ ସିଂହ, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ ନିଶିକାନ୍ତ ଦୁବେଙ୍କ ବକ୍ତବ୍ୟକୁ ନିନ୍ଦା କରିଛନ୍ତି। ଆମର ପ୍ରଶ୍ନ ହେଲା ଯେତେବେଳେ ବିଜେଡି ନେତାଙ୍କ ମାଲିକାନାରେ ଥିବା ଟିଭିରେ ଏକଥା ପ୍ରସାରିତ ହେଉଥିଲା ସେମାନଙ୍କ ମୁହଁରେ କାହିଁକି ତୁଣ୍ଡି ମରାଯାଇଥିଲା।
ନବୀନଙ୍କ ‘ମାନସିକ ଚିକିତ୍ସା’ ପରାମର୍ଶ ଏବଂ ଅକୁହା ସତ୍ୟ
ନିଶିକାନ୍ତ ଦୁବେଙ୍କ ବୟାନର ୪୮ ଘଣ୍ଟା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଦୁବେଙ୍କୁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦରକାର। ନବୀନ ବାବୁଙ୍କ ଏହି କଡ଼ା ପ୍ରତିକ୍ରିୟାକୁ କର୍ମୀମାନେ ବାହାବା ଦେଇପାରନ୍ତି, କିନ୍ତୁ ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି—ଯେଉଁ ଖବର ମାନସ ମଙ୍ଗରାଜଙ୍କ ଚ୍ୟାନେଲରେ ବର୍ଷ ବର୍ଷ ଧରି ଚାଲିଲା, ସେତେବେଳେ ନବୀନ ବାବୁ କାହିଁକି ସେହି ଚ୍ୟାନେଲର କର୍ତ୍ତୃପକ୍ଷଙ୍କୁ ମାନସିକ ଡାକ୍ତର ଦେଖାଇବାକୁ କହିଲେ ନାହିଁ? କାହିଁକି ସସ୍ମିତ ପାତ୍ର ଦଳୀୟ ଅନ୍ତଃକନ୍ଦଳ ଭୟରେ ଚୁପ୍ ରହିଲେ? ଏହା ସ୍ପଷ୍ଟ କରୁଛି ଯେ ବିଜେଡି ପାଇଁ ବିଜୁ ବାବୁଙ୍କ ସମ୍ମାନ ଠାରୁ ରାଜନୈତିକ ସୁବିଧାବାଦ ଅଧିକ ଗୁରୁତ୍ୱପୂର୍ଣ୍ଣ।
ନିର୍ବାଚନ ପୋଷ୍ଟରରୁ ବିଜୁ ବାବୁ ଗାୟବ: ଏକ କ୍ରୂର ସତ୍ୟ
୨୦୨୪ ନିର୍ବାଚନ ସମୟର ଚିତ୍ର ଓଡ଼ିଶାବାସୀ ଭୁଲିନାହାନ୍ତି। ବିଜେଡିର ବଡ଼ ବଡ଼ ହୋଡିଂ ଏବଂ ପୋଷ୍ଟରରୁ ବିଜୁ ବାବୁ ପ୍ରାୟତଃ ଗାୟବ ଥିଲେ। ସେଠାରେ କେବଳ ଦୁଇଟି ଚେହେରା ଥିଲା—ଜଣେ ନବୀନ ପଟ୍ଟନାୟକ ଏବଂ ଅନ୍ୟଜଣେ ତାଙ୍କର ତଥାକଥିତ ଉତ୍ତରାଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ଦଳ ଯେତେବେଳେ ତାଙ୍କ ଫଟୋକୁ ଅଲୋଡ଼ା କରିଦେଲା, ସେତେବେଳେ ଓଡ଼ିଆ ଅସ୍ମିତା କାନ୍ଦୁଥିଲା। ଜାତୀୟ ସ୍ତରରେ ମଧ୍ୟ ଏହାକୁ ନେଇ ସମାଲୋଚନା ହୋଇଥିଲା। କିନ୍ତୁ ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ଯେତେବେଳେ ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ, ସେତେବେଳେ ପୁଣି ବିଜୁ ବାବୁଙ୍କୁ ଢାଲ କରି ସହାନୁଭୂତି ସାଉଁଟିବାକୁ ଚେଷ୍ଟା କରାଯାଉଛି।
ରାଜନୈତିକ ସ୍ୱାର୍ଥ ବନାମ ଜନମାନସର ବିଶ୍ୱାସ
ସାରାଂଶରେ କହିବାକୁ ଗଲେ, ନିଶିକାନ୍ତ ଦୁବେ ଯାହା କହିଛନ୍ତି ତାହା ଇତିହାସର ଏକ ପୃଷ୍ଠା ହୋଇପାରେ କିମ୍ବା ରାଜନୈତିକ ଚାଲ୍ ହୋଇପାରେ। କିନ୍ତୁ ବିଜେଡି ଯେଉଁଭଳି ଭାବେ ଏହାକୁ ନେଇ ହଟଚମଟ ସୃଷ୍ଟି କରୁଛି, ତାହା ସେମାନଙ୍କର ଆତ୍ମବିରୋଧୀ ଚରିତ୍ରକୁ ପଦାରେ ପକାଇ ଦେଇଛି। ନିଜ ସାଂସଦଙ୍କ ଚ୍ୟାନେଲରେ ବିଜୁ ବାବୁଙ୍କୁ ଅପମାନିତ କରାଗଲେ ଚଳିବ, କିନ୍ତୁ ବିଜେପି ନେତା କହିଲେ ରକ୍ତ ଗରମ ହେବ—ଏହି ମନୋଭାବ ଓଡ଼ିଶାବାସୀଙ୍କୁ ବୋକା ବନାଇବାର ଏକ ପ୍ରୟାସ ମାତ୍ର।
ବିଜୁ ପଟ୍ଟନାୟକ କୌଣସି ଗୋଟିଏ ଦଳର ସମ୍ପତ୍ତି ନୁହନ୍ତି, ସେ ସାରା ଓଡ଼ିଶାର ଗର୍ବ। ତାଙ୍କୁ ନେଇ ରାଜନୀତି କରିବା ଉଭୟ ବିଜେପି ଏବଂ ବିଜେଡି ପାଇଁ ଶୋଭନୀୟ ନୁହେଁ। କିନ୍ତୁ ବିଜେଡିର ଏହି ‘ଦୋମୁହାଁ ନୀତି’ ଆଗାମୀ ଦିନରେ ସେମାନଙ୍କ ପାଇଁ ମହଙ୍ଗା ପଡ଼ିପାରେ। ଓଡ଼ିଶାର ଜନସାଧାରଣ ସବୁ ଦେଖୁଛନ୍ତି ଏବଂ ଉପଯୁକ୍ତ ସମୟରେ ଏହାର ଜବାବ ମଧ୍ୟ ଦେବେ।
ରାଜନୀତିରେ ଆଦର୍ଶ ଯେତେବେଳେ ସୁବିଧାବାଦର ପଛରେ ରହିଯାଏ, ସେତେବେଳେ ଏଭଳି ବିବାଦ ଜନ୍ମ ନିଏ। ବିଜୁ ବାବୁଙ୍କୁ ସମ୍ମାନ ଦେବା ଯଦି ଆନ୍ତରିକ ହୋଇଥାନ୍ତା, ତେବେ ତାହା ନିଜ ଘରୁ ହିଁ ଆରମ୍ଭ ହୋଇଥାନ୍ତା। ଏବେ ନବୀନ ବାବୁଙ୍କ ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର କିମ୍ବା ମାନସ ମଙ୍ଗରାଜ ଏହାକୁ ଚ୍ୟାଲେଞ୍ଜ କରି କୋର୍ଟକୁ ଯାଆନ୍ତୁ। ଏହି ତଥ୍ୟ ପାର୍ଲିଆମେଣ୍ଟ ରିପୋର୍ଟରୁ, ଏକ୍ସପଞ୍ଜ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ।
AlsoRead; https://purvapaksa.com/odisha-has-given-impetus-to-the-expansion-of-mining/
ଖଣି ପ୍ରସାରକୁ ଶକ୍ତି ଦେଇଛି ଓଡ଼ିଶା || Odisha has given impetus to the expansion of mining


