ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ, ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ଅସ୍ତବ୍ୟସ୍ତ। ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲିଥିବାବେଳେ ବିରୋଧୀ ଦଳ ନେତା ନାହାନ୍ତି। ଦଳର ଅଘୋଷିତ ରଣନୀତିକାର ବି ରାଜ୍ୟ ବାହାରେ। ଏପଟେ ନେତାଙ୍କ ଚଉକି ଜଗି ବସିଥିବା ବିଧାୟକମାନଙ୍କ ଭିତରେ ଅସ୍ତିତ୍ୱ ସଙ୍କଟ ଦିନକୁ ଦିନ ବଢ଼ି ଚାଲିଛି। ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗ ନିଜକୁ ବଞ୍ଚାଇବା ଲାଗି ଦଳରେ ନିମ୍ନ ସ୍ତରର ରାଜନୀତି ଖେଳିବା ଆରମ୍ଭ କରିଛନ୍ତି। ତାହା ହେଲା ମହିଳାଙ୍କ ଚରିତ୍ର ସଂହାର। ଯେଉଁ ଦଳ ଦିନେ ମହିଳାଙ୍କ ସୁରକ୍ଷା କଥା କହି ରାଜ୍ୟବାସୀଙ୍କ ଭୋଟ୍ ପାଉଥିଲା ଆଜି ସେ ଦଳରେ ଏପରି କନ୍ଦଳ ଆତ୍ମଘାତୀ ଆକ୍ରମଣ ବୋଲି ଚର୍ଚ୍ଚା ହେଉଛି।
ନିଜ ଦଳର ମହିଳା ନେତ୍ରୀଙ୍କୁ ବ୍ଲାକମେଲିଂ ଓଡ଼ିଶାର ପରମ୍ପରା ନୁହେଁ

କାହିଁ କେଉଁ କାଳରୁ ମହିଳା ସଶକ୍ତିକରଣ ଏକ ରାଜନୀତିକ ଉଚ୍ଚାରଣ ହୋଇ ରହି ଆସିଛି। କିଏ ଏଠି ସଶକ୍ତ ହୋଇଛି ଆଉ କିଏ ହରିଲୁଟ୍ ତାହାର କୌଣସି ନିର୍ଦ୍ଦିଷ୍ଟ ବିବରଣୀ ନାହିଁ। ଏପରିକି ଏଠାରେ ସର୍ବସ୍ୱାନ୍ତ ହୋଇଥିବା ମହିଳା ଯଦି କେବେ ସ୍ୱର ଉତ୍ତୋଳନ କରିଛି ତାହାକୁ ମଧ୍ୟ କେହି କେବେ ସହଜରେ ବିଶ୍ୱାସ କରିନାହିଁ। ଏମିତି ଅନେକ ଉଦାହରଣ ରହି ଆସିଛି। କିନ୍ତୁ ସର୍ବ ସାଧାରଣରେ କୌଣସି ରାଜନେତା ନିଜ ଦଳ ମହିଳା ମୋର୍ଚ୍ଚାର ମୁଖିଆଙ୍କୁ ନିନ୍ଦିତ କରିବା ପାଇଁ ବ୍ଲାକମେଲିଂ କରିବା କେବେ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳି ନ ଥିଲା। ଏବେ ତାହା ବିଜୁ ଜନତା ଦଳରେ ବାସ୍ତବ ରୂପ ନେଇଛି। ପୁଣି ସୁଚାରୁରୂପେ ଏହାର ପରିଚାଳନା କରିବା ଲାଗି ବି ଉଦ୍ୟମ ଆରମ୍ଭ ହୋଇଛି।
ଦିନେ ଶ୍ରୀମୟୀଙ୍କୁ ମୁଖା କରିଥିଲା ବିଜେଡି

ହଁ ମୁଁ ଏଠି ଆପଣଙ୍କୁ ବିଜେଡି ମହିଳା ମୋର୍ଚ୍ଚାର ସଭାପତି ଶ୍ରୀମୟୀ ମିଶ୍ରଙ୍କ କଥା କହୁଛି। କିଛିଦିନ ତଳେ ଶ୍ରୀମୟୀ ବିଜେଡିର ଅତ୍ୟନ୍ତ ଆବଶ୍ୟକ ନେତ୍ରୀ ଥିଲେ। ରାଜ୍ୟର ପଶ୍ଚିମାଞ୍ଚଳର ନିବାସୀ ଶ୍ରୀମୟୀ ଭୁବନେଶ୍ୱରରେ ରହନ୍ତି। ଆଉ ୨୦୨୪ ନିର୍ବାଚନରେ ଭୁବନେଶ୍ୱରରରୁ ସାଂସଦ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହି ଲୋଭ ତାଙ୍କୁ ଦେଖା ଯାଇଥିଲା। ତାଙ୍କ ପୋଷ୍ଟର ଗଳି କନ୍ଦିରେ ମରାଯାଇଥିଲା। ସାଂସଦ ଅପରାଜିତାଙ୍କ ବିରୋଧରେ ଯଦି କେବେ ରାଜନୀତିକ କଟୁ ମନ୍ତବ୍ୟ ଦେବାକୁ ପଡ଼ୁଥିବା ତେବେ ତାଙ୍କୁ ମୁଖା କରି ବ୍ୟବହାର କରୁଥିଲା ବିଜେଡି।
ବିଜେଡିରେ ପ୍ରହେଳିକା

ଆଜି କିନ୍ତୁ ସମୟ ଓଲଟିଛି। ଶ୍ରୀମୟୀ ଆଉ ଗୁଡ୍ବୁକରେ ନାହାନ୍ତି। ସେ ଦଳର ପଦବୀ ମଣ୍ଡନ କରୁଥିଲେ ବି ଆଉ ସଭାସମିତିରେ ଦିଶୁ ନାହାନ୍ତି। ଠିକ୍ ଯେମିତି ନବୀନ ପଟ୍ଟନାୟକ। ଦଳର ସଭାପତି ହୋଇଥିଲେ ବି ତାଙ୍କୁ ଭିଡିଓ ବାର୍ତ୍ତାରେ ଦେଖିବାକୁ ମିଳୁଛି। ବିଧାନସଭା ଚାଲୁଥିବା ବେଳେ ସେ ରାଜ୍ୟ ବାହାରେ ରହୁଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେଡି ହୋଇଥିଲେ ବି କଂଗ୍ରେସ ସାମ୍ନାକୁ ଅଧିକ ଆସୁଛି। ରାଜ୍ୟରେ ବିଜେଡି କଥା ପଡ଼ିଲେ ନବୀନ ଚର୍ଚ୍ଚା କମ୍ ହେଉଛି ଆଉ ତାଙ୍କ ସହଯୋଗୀ ପାଣ୍ଡିଆନ୍ଙ୍କ କଥା ଅଧିକ ଚର୍ଚ୍ଚା ହେଉଛି। ଏହାର ଅର୍ଥ ନୁହେଁ ଯେ, ନବୀନ ଗୁଡ୍ବୁକରେ ନାହାନ୍ତି। ବରଂ ନବୀନ ହିଁ ବିଜେଡି ନେତାଙ୍କ ହୃଦୟରେ ରହିଛନ୍ତି ବୋଲି ସେମାନେ କହୁଛନ୍ତି। ହୁଏ ତ ପୂର୍ବ କଥା ଭଳି ଏହା ବି ପ୍ରହେଳିକା ହୋଇଥାଇପାରେ!
ବିଜେଡିରେ ଶ୍ରୀମୟୀଙ୍କ ଚରିତ୍ର ସଂହାର

ଏ ବିଷୟ ଏ ଅଧ୍ୟାୟର ମୂଳ ବିନ୍ଦୁ ନୁହେଁ। ବରଂ ବିନ୍ଦୁଟି ହେଉଛି ବିଜେଡିରେ ଆରମ୍ଭ ହୋଇଥିବା ଚରିତ୍ର ସଂହାର ପର୍ବ। ଏ ପର୍ବର କେନ୍ଦ୍ରରେ ଉପସ୍ଥାପନ ହୋଇଛନ୍ତି ଶ୍ରୀମୟୀ ମିଶ୍ର। ତାଙ୍କର ଦୁଇଟି ପୋଷ୍ଟ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଏମିତି ବାଧିଛି ଯେ ସେମାନେ ରାସ୍ତା କଡ଼ରେ ଶ୍ରୀମୟୀଙ୍କୁ ଧମକ ଦେବା ଏପରିକି ତାଙ୍କ ଚରିତ୍ର ଉପରକୁ ଆଙ୍ଗୁଠି ଦେଖାଇବାକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି।
ମାତ୍ର ଗୋଟିଏ ସପ୍ତାହ ଅନ୍ତରରେ ଏହି ଦୁଇଛି ପୋଷ୍ଟ ସୋଶାଲ ମିଡିଆରେ ଆସିଥିଲା। ଏହାପରେ ମିଡିଆରେ ଏହି ଦୁଇଟିକୁ ନେଇ ବିଜେଡିରେ ଅସନ୍ତୋଷକୁ ଯୋଡ଼ା ଯାଇଥିଲା। ପ୍ରଥମ ପୋଷ୍ଟରେ ଶ୍ରୀମୟୀ ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ର ବୋଲି କହିଥିବା ଚର୍ଚ୍ଚା ହେଲା।
କାମ ଦେଲାନି ସ୍ନେହାଙ୍ଗିନୀ ଏବଂ ପ୍ରମିଳାଙ୍କ ତାଳିପକା ଉଦ୍ୟମ

ଏ ଚର୍ଚ୍ଚାକୁ ପ୍ରଶମିତ କରିବା ପାଇଁ ବିଜେଡି ସ୍ନେହାଙ୍ଗିନୀ ଛୁରିଆ ଏବଂ ପ୍ରମିଳା ମଲ୍ଲିକଙ୍କ ଭଳି ବରିଷ୍ଠ ନେତ୍ରୀଙ୍କୁ ବ୍ୟବହାର କଲା। କିନ୍ତୁ ଏହା ସାଧାରଣରେ ଧରିଲା ନାହିଁ। ଶେଷରେ ବିଜେଡିର ସୋଶାଲ୍ ମିଡିଆ ଟିମ୍ ଓ ଆଇଟି ସେଲ ଏହାକୁ ମୋହନ ମାଝୀଙ୍କ ସହ ଯୋଡ଼ି ତାହାକୁ ପ୍ରଶମିତ କରିବାକୁ ଚାହିଁଲେ। ଶ୍ରୀମୟୀ କହିଥିବା ଧ୍ରୁତରାଷ୍ଟ୍ର ନବୀନ ନୁହଁନ୍ତି ବରଂ ମୋହନ ବୋଲି ଏକ ନାରେଟିଭ୍ ଏହି ସେଲ୍ ସେଟ କରିବାକୁ ଚାହିଁଥିଲା। ଏହି ନ୍ୟାରେଟିଭ୍ ଚାଲୁଥିବାବେଳେ ଶ୍ରୀମୟୀ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧିଙ୍କ ଭଳି ହାଇଡ୍ରୋଜେନ୍ ବୋମାର ଦ୍ୱିତୀୟ ଅଂଶକୁ ଫୋପାଡ଼ିଲେ। ରାହୁଲଙ୍କ ଏହି ବୋମା ନିର୍ବାଚନ କମିଶନଙ୍କୁ କ୍ଷତବିକ୍ଷତ କରିବାକୁ ଚେଷ୍ଟା କରିଥିବାବେଳେ ଏଠାରେ କିନ୍ତୁ ବିଜେଡିର ଅଘୋଷିତ ନେତା ଭିକେ ପାଣ୍ଡିଆନ୍ଙ୍କ ଉପରେ ଏହି ବୋମା ପଡ଼ିଥିଲା। ସିଧାସଳଖ ଏମିତି ବିସ୍ଫୋରଣ ହେଲା ଯେ, ସେଥିରୁ କେମିତି ବଞ୍ଚିବେ ବାଟ ପାଉନଥିବା ଚର୍ଚ୍ଚା ହେଉଛି।
ଶ୍ରୀମୟୀଙ୍କୁ ‘ଚରିତ୍ର ହୀନା’ ବୋଲି କହିବା ପାଇଁ ଉଦ୍ୟମ କରିଛନ୍ତି ମନ୍ମଥ

ଆଉ ଗୋଟିଏ ଦିନ ଚୁପ୍ ରହିବା ପରେ ବିଜେଡି ଟିମ୍ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀଙ୍କ ଭଳି ନବାଗତାଙ୍କୁ ବ୍ୟବହାର କଲା। ସେତିକିରେ କଥା ସରିଲା ନାହିଁ, ଶ୍ରୀମୟୀଙ୍କୁ ନିର୍ବାଚନ ମଇଦାନରୁ ତଡ଼ିବା ଲାଗି ଆମଦାନୀ ହୋଇଥିବା କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁତ୍ର ମନ୍ମଥଙ୍କୁ ବ୍ୟବହାର କରିଛି ବିଜେଡି। ମନ୍ମଥ, ପାଣ୍ଡିଆନ୍ଙ୍କୁ ଗୁରୁଭାବେ ମାନନ୍ତି ବୋଲି କହନ୍ତି। ତା ସହ ପାଣ୍ଡିଆନ ଯେ ସମସ୍ତଙ୍କ ଗୁରୁ ତାହାକୁ ମାନିବାକୁ ଅନ୍ୟମାନଙ୍କୁ ବି କହନ୍ତି। ଆଉ ଏହି ଗୁରୁପ୍ରେମକୁ ଜାହିର କରିବା ଲାଗି ବାପାଙ୍କ ଭଳି ଜୟଦେବ ଭବନର ସାମ୍ବାଦିକ ଖଟିକୁ ବ୍ୟବହାର କରି ଶ୍ରୀମୟୀଙ୍କୁ ‘ଚରିତ୍ର ହୀନା’ ବୋଲି କହିବା ପାଇଁ ଉଦ୍ୟମ କରିଛନ୍ତି। ଏପରିକି ତାଙ୍କର କିଛି ଗୋପନ ଭିଡିଓକୁ ସେ ଓପନ କରିବାର ମଧ୍ୟ ଧମକ ଦେଇଛନ୍ତି।
ଅରୁଣଙ୍କ ସହ ଯୋଡ଼ି ଶ୍ରୀମୟୀଙ୍କ ଏକ ଭିଡିଓ

ଏତିକିରେ ଅଟକି ନାହିଁ ଚରିତ୍ର ସଂହାର। ଏକ ଗଣମାଧ୍ୟମରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଶ୍ରୀମୟୀଙ୍କ ଏକ ଭିଡିଓକୁ ମଧ୍ୟ ଭାଇରାଲ କରାଯାଉଛି। ଏହା ପାଣ୍ଡିଆନ୍ ଟିମର ଏକ ସୁଚିନ୍ତିତ ପ୍ରୟାସ ବୋଲି ଆଲୋଚନା ହେଉଛି। କାରଣ ଏ ଭିଡିଓଟି କାହିଁକି ପ୍ରକାଶ କରାଯାଇଛି ଓ କ’ଣ ଏହାର ଉଦ୍ଦେଶ୍ୟ କିଛି ବି ଉଲ୍ଲେଖ ନାହିଁ। ଏହା କୌଣସି ଘଟଣା ବି ନୁହେଁ। ବରଂ ଯେମିତି ଏ ଭିଡିଓକୁ ସଜା ଯାଇଛି ଲାଗୁଛି ଯେମିତି ଏମାନେ କୌଣସି ସିନେମାର ଅଭିନେତା-ଅଭିନେତ୍ରୀ। ଯେହେତୁ ପାଣ୍ଡିଆନ୍ଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ କରି ଅରୁଣ ସାହୁ ପାଣ୍ଡିଆନ୍ ବିରୋଧୀ ଗୋଷ୍ଠୀର ସଦସ୍ୟ ପାଲଟିଛନ୍ତି, ତାଙ୍କ ଚରିତ୍ର ହନନ ପାଇଁ ମଧ୍ୟ ଚେଷ୍ଟା କରାଯାଉଥିବା କୁହାଯାଉଛି।
ଶ୍ରୀମୟୀଙ୍କ ସମର୍ଥନରେ ପଶ୍ଚିମ ଓଡ଼ିଶା

ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ମୂଳପୋଚ୍ଛ ହୋଇଯାଇଥିବା ବିଜେଡି ପାଇଁ ଶ୍ରୀମୟୀଙ୍କ ଯୋଗୁ ପୁଣି ଏକ ବିପଦ ଦେଖାଦେଲାଣି। ପଶ୍ଚିମ ଓଡ଼ିଶାର କୋଶଳୀ ନେତାମାନେ ଏବେ ଶ୍ରୀମୟୀଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ନିଜର ରାଗ ପ୍ରକାଶ କରିବା ସହିତ କଟକିଆଙ୍କୁ ମକାଡ଼ ହେବ ବୋଲି ଧମକ ଦେଲେଣି। ବିଜେଡି ନେତାମାନେ ଶ୍ରୀମୟୀଙ୍କ ବିରୋଧରେ ଯେତିକି ମାତିବେ ଦଳର ସଂଗଠନ ସେତିକି ବିପଦରେ ପଡ଼ିବ। ଏହାର କୁପରିଣାମ ନୂଆପଡ଼ା ଉପନିର୍ବାଚନରେ ପଡ଼ିବାର ଆଶଙ୍କା ସୃଷ୍ଟି ହେଲାଣି। ଏପରିକି ଶ୍ରୀମୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ନେତା ଓ ତାଙ୍କ ଅଦୃଶ୍ୟ ଶକ୍ତି ଦୁଇ ଦୁଇ ଥର ନବୀନ ନିବାସରେ ବିଚାର ବିମର୍ଷ କରିଥିଲେ କୌଣସି ନିଷ୍ପତ୍ତି ନେବାକୁ ସାହାସ ଜୁଟାଇ ପାରୁନାହାନ୍ତି।
ପାଣ୍ଡିଆନ୍ଙ୍କ ପାଇଁ ବିଜେଡି ଟିମ୍ ଏତେ ଉତ୍କ୍ଷୀପ୍ତ କାହିଁକି?

ପ୍ରଶ୍ନ ହେଉଛି ନବୀନଙ୍କ ପାଇଁ ଯେତିକି ଆକ୍ରାନ୍ତ ହୋଇନଥିବା ବିଜେଡି ଟିମ୍ ପାଣ୍ଡିଆନ୍ଙ୍କ ପାଇଁ ଏତେ ଉତ୍କ୍ଷୀପ୍ତ କାହିଁକି? ଦଳରେ ନବୀନଙ୍କୁ ଚାହୁଁଥିବା ସଦସ୍ୟଙ୍କ ସଂଖ୍ୟା କମୁଛି କି? ଏ ପ୍ରଶ୍ନର ଉତ୍ତର ବଡ଼ ଗମ୍ଭୀର। କାରଣ ଏ ଉତ୍ତର ଖୋଜିବା ପାଇଁ ବହୁତ ଭିତରକୁ ଯିବାକୁ ପଡ଼ିବ। ଗୋଟିଏ ପକ୍ଷର ବିଚାରକୁ ଏଠାରେ ଉପସ୍ଥାପନ କରିବାକୁ ଚାହିଁବି। ନବୀନ କ୍ଷମତାରେ ରହିବା ପାଇଁ ଯେବେଠାରୁ ନେତାଙ୍କ ମୁଣ୍ଡକାଟ ଆରମ୍ଭ କରିଥିଲେ ସେବେଠାରୁ ତାଙ୍କ ପ୍ରତି ଥିବା ଶ୍ରଦ୍ଧା କେବଳ କ୍ଷମତାରେ ହିଁ ସୀମିତ ହୋଇଥିବା କୁହାଯାଏ। ଆଉ ଏବେ କ୍ଷମତା ଚାଲିଯିବାରୁ ତାଙ୍କ କୁର୍ସିକୁ ବି ଜଗିବା ଲାଗି ନେତାଙ୍କ ଅଭାବ ରହିଛି। ଗତକାଲି କଂଗ୍ରେସ ଏହାକୁ ପ୍ରମାଣିତ କରିଛି। ଯେତେବେଳେ ଅନାସ୍ଥା ପ୍ରସ୍ତାବରେ ସହଯୋଗ ଲୋଡ଼ିବାକୁ କଂଗ୍ରସ ବିରୋଧୀ ଦଳ ନେତାଙ୍କ ଚାମ୍ବରକୁ ପ୍ରବେଶ କରିଛି ତାହାର ଫଟୋ ଓ ଭିଡିଓ ଏହାକୁ ପ୍ରମାଣିତ କରିଛି।
ଚାମ୍ବରରେ ବିରୋଧୀ ଦଳ ନେତା ତ ନ ଥିଲେ ତାଙ୍କ ଦଳର ଅନ୍ୟ ନେତା ବି ଏଠାରେ ବସିବାକୁ ପସନ୍ଦ କରି ନଥିବା ଦେଖିବାକୁ ମିଳିଥିଲା। କେବଳ ଦୁଇଜଣ ନେତା ତାଙ୍କ କୁର୍ସୀକୁ ଜଗିଥିଲେ। ୫୦ ବିଧାୟକରୁ ମାତ୍ର ଦୁଇଜଣଙ୍କ ଉପସ୍ଥିତି ଅନେକ କିଛି ବୟାନ କରୁଛି। ଆପଣ ଏଥିରୁ କ’ଣ ଅନୁମାନ କରୁଛନ୍ତି ଜଣାଇବେ। ତା ସହ ଆତ୍ମଗୋପନ କରିଥିବା ଏ ନେତାମାନଙ୍କ ଦ୍ୱାରା କୌଣସି ମହିଳାଙ୍କ ଚରିତ୍ର ସଂହାର କେତେ ଗ୍ରହଣୀୟ ତାହା ବି ମତାମତରେ ରଖିବାକୁ ଅନୁରୋଧ।
Also readhttps://purvapaksa.com/nuapada-by-election/
Nuapada by- election ।। ନୂଆପଡ଼ା ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଜବାଜ ଆରମ୍ଭ


