ବେଶ୍ ଗତ କିଛିଦିନ ହେଲା ଉତ୍କଳ ସଙ୍ଗୀତ ଗାନ୍କୁ ପଶ୍ଚିମ ଓଡ଼ିଶାରେ ବିରୋଧ କରାଯାଉଛି। ଏହା ଓଡ଼ିଶାର ଜାତୀୟ ସଙ୍ଗୀତ ନୁହେଁ ବରଂ ଏହା ଉପକୂଳ ଓଡ଼ିଶାର ସଙ୍ଗୀତ ବୋଲି କୋଶଳ ରାଜ୍ୟ ଗଠନ ଦାବି କରୁଥିବା ନେତାମାନେ କହୁଛନ୍ତି। କୋଶଳ ନେତାଙ୍କ କଥାକୁ ଆଦୌ ଗୁରୁତ୍ୱ ମିଳୁନଥିଲା। କିନ୍ତୁ ଯେତେବେଳେ ବିଜେପି ନେତା ଜୟନାରାୟଣ ମିଶ୍ର ଏହାକୁ ବିରୋଧ କଲେ ସେବେଠାରୁ ଏହା ଚର୍ଚ୍ଚାରେ ରହିଛି।
ମାର୍ଚ୍ଚ ୮ ତାରିଖରେ ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତା ଜୟନାରାୟଣ ମିଶ୍ର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ବିରୋଧ କରିଥିଲେ। ଏହି ସଙ୍ଗୀତ ଗାନବେଳେ ସେ ଏହାକୁ ସମ୍ମାନ ଦେବା ପାଇଁ ନିଜ ଆସନରୁ ନ ଉଠି ବସି ରହିଥିଲେ। ଏହାପରେ ଏହାକୁ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିଲା। ପରେ ଉତ୍କଳ ଜନନୀ ସ୍ଥାନରେ ବନ୍ଦେ ଓଡ଼ିଶା ଜନନୀ ଗାନ କଲେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ ସଫେଇ ଦେଇଥିଲେ।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ ଏତିକିରେ ଶେଷ ହୋଇନାହିଁ। ଗତକାଲି ମଧ୍ୟ ଗୋଟିଏ କାର୍ଯ୍ୟକ୍ରମରେ ଜୟନାରାୟଣଙ୍କ ଜିଅ ମଧ୍ୟ ବାପାଙ୍କୁ ସମର୍ଥନ କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ବେଳେ ଠିଆ ନ ହୋଇ ବସିରହିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ବିରୋଧ ପାଇଁ ଜୟନାରାୟଣଙ୍କୁ ତାଙ୍କ ଦଳ ବିଜେପିର ସମର୍ଥନ ମିଳୁନାହିଁ। କିନ୍ତୁ ଏବେ ତାଙ୍କ ବିରୋଧୀ ବିଜୁ ଜନତା ଦଳର ସଦସ୍ୟମାନେ ସମର୍ଥନ କରିବା ଦେଖିବାକୁ ମିଳିଛି। ଗତ ୩୦ ତାରିଖରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି। ଏଥିପାଇଁ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ଏକ ସଭା ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପଞ୍ଚାତିରାଜ ମନ୍ତ୍ରୀ ରବି ନାୟକ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ। ଏହି ସଭାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବାବେଳେ ଏହାକୁ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଥିବା ବିଜେଡି ନେତା ବିରୋଧ କରିଥିଲେ। ଏହି ସଙ୍ଗୀତକୁ ସମ୍ମାନ ଦେବା ପାଇଁ ସେ ଠିଆ ନ ହୋଇ ବସିରହିଥିବା ଦେଖିବାକୁ ମିଳିଛି।
ଜୟନାରାୟଣଙ୍କ ପ୍ରସଙ୍ଗକୁ ବିଜେଡି ନେତାମାନେ ବିରୋଧ ନ କରି ସମର୍ଥନ କରୁଥିବାରୁ ଦଳର ବିଧାୟକ କଳିକେଶ ନାରାୟଣଙ୍କ ଚିନ୍ତା ବଢ଼ିଯାଇଥିବା କୁହାଯାଉଛି। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ନେଇ ବିଜେଡିରେ କୌଣସି ବିରୋଧ ନାହିଁ ବୋଲି କଳିକେଶ ତାଙ୍କ ମନ୍ତବ୍ୟରେ କହିଛନ୍ତି। ଏ ପ୍ରସଙ୍ଗରେ ଜୟନାରାୟଣଙ୍କୁ ବିଜେପିର କୌଣସି ନେତା ସମର୍ଥନ କରୁନଥିବାବେଳେ ବିଜେଡି ନତାମାନଙ୍କର ସମର୍ଥନ ତାଙ୍କ ମନୋବଳ ବୃଦ୍ଧି କରିଛି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ଓଡ଼ିଶା ଓ ଉତ୍କଳ କେଉଟି ଠିକ୍ ତାକୁ ନେଇ ଆଜି ସାମାଜିକ ଗଣମାଧ୍ୟରେ ବିତର୍କ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଓଡ଼ିଶା ଦିବସ ବୋଲି ଳେଖିଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଉତ୍କଳ ଦିବସ ବୋଲି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବିତର୍କ ହେଉଥିବାରୁ ଜୟନାରାୟଣଙ୍କର ଉତ୍କଳ ପରିବର୍ତ୍ତେ ଓଡ଼ିଶା ଲେଖିବା ଦାବି ଧିରେ ଧିରେ ପ୍ରଭାବଶାଳୀ ହେବାରେ ଲାଗିଛି।
Also readhttps://purvapaksa.com/oriya-asmita-in-danger/