ପୁଣି ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍ଙ୍କୁ ନେଇ ଚର୍ଚ୍ଚା। ଏଥର ଜଣେ ନୁହେଁ ଦୁଇଜଣ ପାଣ୍ଡିଆନ୍ ବିଜେଡିକୁ ନିୟନ୍ତ୍ରଣ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଅବଶ୍ୟ ଏ ଦୁହେଁ ପତିପତ୍ନୀ କିନ୍ତୁ ଏମାନଙ୍କୁ ନେଇ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ସେଥିରେ ଭାଗ ବାଣ୍ଟି ହୋଇଯାଇଛି ବିଜେଡି ସଂଗଠନ। ଏପରିକି ପାଣ୍ଡିଆନ୍ ଯାହାଙ୍କୁ ଦଳକୁ ଆଣି ନେତା ଓ ପରେ ବିଜେଡିର ସଂଗଠନ ସମ୍ପାଦକ କରି ତାଙ୍କ ପାଇଁ ସମ୍ମାନ ସୃଷ୍ଟି କରିଥିଲେ ସେ ବି ତାଙ୍କ ବିରୋଧରେ ମୋର୍ଚ୍ଚା ସମ୍ଭାଳୁଥିବା କୁହାଯାଉଛି। ସମସ୍ତେ କିନ୍ତୁ କହୁଛନ୍ତି ଦଳକୁ ବଞ୍ଚାଇବାକୁ ହେବ। ତେବେ କାହା ଦିଗଦର୍ଶନରେ ଏଣିକି ଦଳ ବଞ୍ଚିବ? ଏ ପ୍ରଶ୍ନ ଯେଉଁ ଉଦ୍ଗୀରଣ ସୃଷ୍ଟି କରିଛି ସେଥିରେ ରହିଛି ପାଣ୍ଡିଆନ୍ଙ୍କ ‘ଦୋଗଲବାଜି’।
ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ନାଁ ଟି ଆଉ ଓଡ଼ିଶା ଲୋକଙ୍କୁ ଅଛୁପା ନାହିଁ। ରାଜନୀତିରେ ରୁଚି ନ ରଖୁଥିବା ବ୍ୟକ୍ତିଟି ମଧ୍ୟ ତାଙ୍କୁ ଜାଣେ, ଚିହ୍ନେ। ଆଉ ସେଶାଲ୍ ମିଡିଆରେ ତ ସେ ହେଉଛନ୍ତି ଓଡ଼ିଶାର ନବ ନିର୍ମାତା! ସେ ନ ଥିଲେ ପୁରୀ ପ୍ରକଳ୍ପ ହୋଇନଥାଆନ୍ତା କି ଲିଙ୍ଗରାଜଙ୍କ ଚାରିପଟେ ଜବର ଦଖଲ ଉଚ୍ଛେଦ ହୋଇନଥାନ୍ତା। ସେ ରାଜ୍ୟକୁ ଶୃଙ୍ଖଳିତ କରି ରଖିଥିଲେ ଆଉ ସେ ଗଲା ପରେ ରାଜ୍ୟରେ ଚୋରି, ଡକାୟତି, ଦୁଷ୍କର୍ମ ଭଳି ଘଟଣା ଘଟି ଚାଲିଛି। ଅର୍ଥାତ୍ ସୋଶାଲ୍ ମିଡିଆରେ ସେ ଏବେ ବି ଓଡ଼ିଶାର ନବନିର୍ମାତା, ଯୋଗଜନ୍ମା।
କିନ୍ତୁ ବାସ୍ତବ ଦୁନିଆରେ ଅଭିଯୋଗ ଯେ ସେ ଦୋଗଲବାଜୀ, ଛଳନାକାରୀ ତଥା ଇଂରାଜୀରେ କହିଲେ ହିପୋକ୍ରାଟ୍। କାରଣ ସେ ଯାହା ଦେଖାଇ ହୁଅନ୍ତି ତାହା ନୁହଁନ୍ତି। ସରଳ, ଭଦ୍ର ଦେଖାଯାଉଥିଲେ ମଧ୍ୟ ସେ ଚାହାନ୍ତି ସମସ୍ତଙ୍କ ଉପରେ ଆଧିପତ୍ୟ।
ବିଜେଡିର ଅନେକ ନେତା ଅନେକ ଥର ତାଙ୍କ ଦଳ ହାଇଜାକ୍ ହେଉଥିବା ନେଇ ଅନୁଭବ କରିଛନ୍ତି। ସେଥିଲାଗି ଦଳରେ ଅନେକ ବିସ୍ଫୋରଣ ସୃଷ୍ଟି ହୋଇଛି। ଏପରିକି ତାଙ୍କ ନେତା ତଥା ବିଜେଡି ସୁପ୍ରିମୋଙ୍କୁ ସେ କବଳିତ କରି ରଖିଥିବା ନେଇ ବାର୍ତ୍ତା ପ୍ରଚାର ହୋଇଛି। ସରକାରରେ ଥିବା ସମୟରେ ପ୍ରଚାର ହୋଇଥିବା ଏହି ନାରେଟିଭ୍ ସବୁ ଆଜିବି ଜାଗ୍ରତ ରହିଛି। ଅର୍ଥାତ୍ ବିଜେଡି ସୁପ୍ରିମୋ ଯେତେ ମନା କଲେ ବି ପାଣ୍ଡିଆନ୍ ଦମ୍ପତ୍ତି ଏବେ ଉତ୍ତରାଧିକାରୀ ହେବାକୁ ଲାଗି ପଡ଼ିଛନ୍ତି। କଳେ, ବଳେ କୌଶଳେ…।
କଳ ଓ ବଳ କଥା ଆପଣ ଆଗରୁ ଜାଣିଛନ୍ତି। ଯେତେବେଳେ ପାଣ୍ତିଆନ୍ ଜଣେ ଅମଲାତନ୍ତ୍ରୀ ଥିଲେ ସେ ସରକାରୀ କଳକୁ ନିଜ ଅକ୍ତିଆରରେ ରଖି ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହୁଏ। ଏପରିକି ବ୍ୟବସ୍ଥାପିକାର ବିନା ଅନୁମତିରେ ଏକ ବିଭାଗ ଗଠନ କରି ପାଣ୍ଡିଆନ୍ ତାହାର ସର୍ବେସର୍ବା ଥିଲେ। ଏହାର ନାଁ ଥିଲା ଫାଇଭ୍ ଟି। ଆଜି ଏ ବିଭାଗ ଆଉ ନାହିଁ। କିନ୍ତୁ ସରକାରୀ ଅଧିକରୀଙ୍କ ମନେ ଅଛି ଯେ ଇଞ୍ଜିନିୟରିଂଠାରୁ ଖଣିଜ ଅନୁଷ୍ଠାନ ବା ସ୍କୁଲ୍ଠାରୁ ଆଇଟି ନେଗୋସିଏସନ୍ ଯାଏ ସବୁକିଛି ଏହି ଅନୁଷ୍ଠାନ ଦ୍ୱାରା ହେଉଥିଲା। ଏବଂ ସରକାରଙ୍କ ନିର୍ଦ୍ଧାରିତ ଯୋଗ୍ୟ ବିଭାଗ, ମନ୍ତ୍ରୀ ଓ ସଚିବ କେବଳ ସଖୀ କଣ୍ଢେଇ ଥିଲେ।
ସରକାରରେ ଥିବାବେଳେ ସରକାରଙ୍କ ବଳକୁ ବ୍ୟବହାର କରି ବିଭିନ୍ନ ମାଲି ମୋକଦ୍ଦମାରେ ଲୋକଙ୍କୁ ଫସାଇବା, ମିଥ୍ୟା ମାମଲା କରିବା ଏପରିକି ପର ଘର ଭାଙ୍ଗିବା ଲାଗି ପାଣ୍ଡିଆନ୍ଙ୍କୁ ଭଲ ଲାଗୁଥିଲା ବୋଲି ଅଭିଯୋଗ ହୁଏ। ଏହା ଅପପ୍ରଚାର ହୋଇପାରେ, କାରଣ ଠୋସ୍ ପ୍ରମାଣ ନାହିଁ। କିନ୍ତୁ ତାଙ୍କରି ସମୟରେ ବିଭିନ୍ନ ଲୋକପ୍ରିୟ ରାଜନେତା, ଅଭିନେତାଙ୍କ ବୈବାହିକ ସମ୍ପର୍କକୁ କଳଙ୍କିତ କରିବାରେ ଯେଉଁ ରାଜନୀତିକ ପ୍ରବେଶ ହେଉଥିଲା ତାହା ଏହାଙ୍କ ପ୍ରରୋଚନାରେ ବ୍ୟବହାର କରାଯାଉଥିବା କୁହାଯାଏ।
ଏ ତ ଗଲା କଳ ଓ ବଳ କଥା ଏବେ କୌଶଳ କଥା କହୁଛି। ଏବେ ଆଉ ତାଙ୍କ ପାଖରେ ସରକାରୀ କ୍ଷମତା ନାହିଁ। ହେଲେ ନବୀନ ତାଙ୍କୁ ପାଖରେ ରଖିଛନ୍ତି। ନିଜକୁ ସନ୍ନ୍ୟାସ ବୋଲି କହୁଥିବା ପାଣ୍ତିଆନ୍ କିନ୍ତୁ ନିଜ ପତ୍ନୀଙ୍କୁ ରାଜନୀତିରେ ପ୍ରବେଶ କରିବା ଲାଗି ଦଳକୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ, ସେ କୁଆଡ଼େ ପତ୍ନୀ ସୁଜାତା ରାଉତ ପାଣ୍ଡିଆନ୍ଙ୍କୁ ଦଳର ମୁଖ୍ୟଭାବେ ସ୍ଥାନୀତ କରିବାକୁ ଉଦ୍ୟମ କରୁଛନ୍ତି। ତାଙ୍କୁ ନବୀନଙ୍କ ପରବର୍ତ୍ତୀ ସଭାପତି କରିବାକୁ ଆଶା ପୋଷଣ କରିଥିବା ଚର୍ଚ୍ଚା ହେଉଛି। କିନ୍ତୁ କାହିଁକି? ଏ ପ୍ରଶ୍ନ ଉଠୁଛି? କିଛି ଯୁକ୍ତି ଆପଣଙ୍କ ସମ୍ମୁଖରେ ରଖୁଛି?
କିଛିଦିନ ତଳେ ଆମ ଦେଶରେ ସରପଞ୍ଚ ସ୍ୱାମୀଙ୍କୁ ନେଇ ଚର୍ଚ୍ଚା ହେଉଥିଲା। ଅର୍ଥାତ୍ ସରକାରଙ୍କ ସଂରକ୍ଷଣ ନୀତିରେ ମହିଳାମାନେ ସିନା ଜନପ୍ରତିନିଧି ହେଉଥିଲେ କିନ୍ତୁ ତାଙ୍କ ପତିମାନେ ହେଉଥିଲେ ଅପର୍ଯ୍ୟାପ୍ତ କ୍ଷମତାର ଅଧିକାରୀ। ସେମାନଙ୍କୁ ସରପଞ୍ଚ ସ୍ୱାମୀ ବୋଲି କୁହାଯାଉଥିଲା। ଠିକ୍ ସେମିତି ଭୈରବ ଆଉ ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜେଡି ଅଧିଗ୍ରହଣ କରିପାରିବେ ନାହିଁ। କାରଣ ଖୋଦ୍ ସଭାପତି ତାହାକୁ ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟ କରିଛନ୍ତି। ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ହେଉଛି, ପାଣ୍ଡିଆନ୍ ଜଣେ ତାମିଲ ବ୍ୟକ୍ତି। ସେ ଓଡ଼ିଆ ଅସ୍ମିତାର ପରିପନ୍ଥୀ।
ତାଙ୍କୁ ଜନପ୍ରତିନିଧି ଭାବେ ବା ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଲୋକେ ଚାହାନ୍ତି ନାହିଁ। ସେଥିଲାଗି ଯେତେ ନିଷ୍ଠାର ସହ କାମ କରି ନବୀନଙ୍କ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ନବୀନ ତାଙ୍କୁ ଦଳର ମୁଖ୍ୟ କରିବାକୁ ଚାହିଁ ନାହାନ୍ତି। ଏହାକୁ ମଧ୍ୟ ପରୋକ୍ଷରେ ପାଣ୍ଡିଆନ୍ ସ୍ୱୀକାର କରିଛନ୍ତି। ସେ ଜଣେ ଅଣ ଓଡ଼ିଆ ହୋଇଥିବାରୁ ସମସ୍ତ ସମାଲୋଚନାର ଶିକାର ହେଉଥିବା କହିଛନ୍ତି। କିନ୍ତୁ ନବୀନଙ୍କ ସେବା କରିବା ଲାଗି ସେ କେବେ ପଛରେ ରହିବେ ନାହିଁ ବୋଲି କହିଛନ୍ତି।
ଅପରପକ୍ଷେ ସେ ବାହା ହୋଇଛନ୍ତି ଜଣେ ଓଡ଼ିଆ ଅଧିକାରୀଙ୍କୁ। ତାଙ୍କ ନାଁ ସୁଜାତା ରାଉତ ଓରଫ ସୁଜାତା ରାଉତ ପାଣ୍ଡିଆନ୍। ଏଣୁ ତାଙ୍କର ଓଡ଼ିଶା ସହ ସମ୍ପର୍କ ଘନିଷ୍ଠ ବୋଲି ସେ କହିଛନ୍ତି। ଏବେ ସେହି କାର୍ଡକୁ ଖେଳି ସେ କିଛି ବରିଷ୍ଠ ନେତାଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛନ୍ତି। ଆଉ ଏହି ତାଲିକାରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅରୁଣ ସାହୁ ଦେବାଶୀଷ ସାମନ୍ତରାୟ, ମୁନ୍ନା ଖାଁ, ପ୍ରସନ୍ନ ଆଚାର୍ଯ୍ୟ, ନୃସିଂହ ସାହୁ, ପ୍ରଫୁଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଭୃତିଙ୍କ ନାଁ।
ବବି ଓରଫ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ଯାଜପୁରର ଜଣାଶୁଣା ନେତା ଅଶୋକ ଦାସଙ୍କ ପୁଅ। ବାପା କେବେ ବିଜେଡିକୁ ସମର୍ଥନ କରିନଥିଲେ। କିନ୍ତୁ ଅଶୋକ ଦାସ ଥିଲେ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଘନିଷ୍ଠ ସହଯୋଗୀ। କେବେ ବି ମନ୍ତ୍ରୀ ପଦ ଗ୍ରହଣ କରିନାହନ୍ତି। ଅଶୋକ ଦାସ କେବଳ ଯାଜପୁରର ନେତା ନ ଥିଲେ ସମଗ୍ର ଓଡ଼ିଶାରେ ଲୋକପ୍ରିୟ ଥିଲେ। ବାପା ମୃତ୍ୟୁଶଯ୍ୟାରେ ଥିବାବେଳେ ପୁଅ ବବି ବିଜେଡିରେ ଯୋଗ ଦେଇଥିଲେ। ଏବେଯାଏ ସେ ଯାତ୍ରା ରହିଛି। ଏ ଭିତରେ ସେ ବିଧାୟକ ହୋଇଛନ୍ତି, ମନ୍ତ୍ରୀ ଅଳ୍ପ ଦିନ ପାଇଁ ହୋଇ ଦଳର ସଂଗଠନ ସଜାଡ଼ିବା ପାଇଁ ତାହାକୁ ମଧ୍ୟ ଛାଡ଼ି ଦେଇଥିଲେ।
ଗତ ନିର୍ବାଚନରେ ବିଜେପି ହେଭିୱେଟ୍ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦଳର ନିର୍ଦ୍ଦେଶକ୍ରମେ ସାଂସଦ ପାଇଁ ଲଢ଼ିଛନ୍ତି। ବିଜେଡିର ସଂଗଠନ ସମ୍ପାଦକ ଭାବେ ଅନେକ ନେତା ତିଆରି କରିଛନ୍ତି ଆଉ ଅନେକଙ୍କ ରୋଷର ଶିକାର ହୋଇଛନ୍ତି। ଏପରିକି ଗତ ନିର୍ବାଚନରେ ପାଣ୍ଡିଆନ୍ଙ୍କ ଚକ୍ରାନ୍ତର ଶୀକାର ହୋଇ ସେ ସମ୍ବଲପୁର ଲୋକସଭା ଆସନ ଓ ତାଙ୍କ ମାଆ କୋରାଇ ବିଧାନସଭା ଆସନରେ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି।
ଏବେ ପ୍ରଶ୍ନ ଉଠିଛି ବିଜେଡି ସଭାପତି କିଏ ହେବ? ନବୀନଙ୍କ ଉତ୍ତରାଧିକାରୀ କିଏ ହେବ? ବିଜେଡିରେ ଚାଲିଥିବା ଚର୍ଚ୍ଚା ଅନୁସାରେ ଦଳ ଏବେ ଏବେ ଏହି ପ୍ରସଙ୍ଗକୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ହେଉଛି ପାଣ୍ଡିଆନ୍ ଦମ୍ପତ୍ତି ଓ ଅନ୍ୟଟି ହେଲା ବିଜେଡିର ତୃଣମୂଳସ୍ତରର ନେତା। ପାଣ୍ଡିଆନ୍ ସମର୍ଥକ ହିସାବରେ ବବିଙ୍କୁ ଏ ଦାୟିତ୍ୱ ମିଳିବ ବୋଲି କେହି କେହି ଆଶା କରିଥିଲେ। କିନ୍ତୁ ରେସରେ ପ୍ରବେଶ କରିଛନ୍ତି ସୁଜାତା ରାଉତ ପାଣ୍ଡିଆନ୍।
ନିଜକୁ କେନ୍ଦ୍ରାପଡ଼ାର ଝିଅ ବୋଲି କହୁଥିବା ସୁଜାତା ଅନେକ ଦିନ ହେଲା ଓଡ଼ିଶା ପ୍ରଶାସନରେ ଗୁରୁଦାୟିତ୍ୱ ମଣ୍ଡନ କରିଥିଲେ। ମିଶନ ଶକ୍ତି ସଚିବ ଭାବେ ସରକାରୀ କଳକୁ ବିଜୁ ଜନତା ଦଳର ଫାଇଦା ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ସରକାର ବଦଳିଥିଲା ସୁଜାତା ଚାକିରିରୁ ସ୍ୱତଃ ଅବସର ନେଇଥିଲେ। ଜଣେ ମହିଳା ଭାବେ ସେ ବିଜେଡିର ସଭାପତି ହେଲେ ରାଜ୍ୟବାସୀ ତାଙ୍କୁ ଗ୍ରହଣ କରିବେ ବୋଲି କିଛି ଗୋଷ୍ଠୀ ନବୀନଙ୍କୁ ପ୍ରଭାବିତ କରୁଥିବା କୁହାଯାଉଛି। ହେଲେ ତାଙ୍କ ପଛରେ ବିବାହ ପରେ ଲାଗିଥିବା ପାଣ୍ଡିଆନ୍ ସାଂଜ୍ଞା ହିଁ ତାଙ୍କର ରାଜନୀତିକ ଜୀବନରେ ଶତ୍ରୁ ହୋଇପାରେ।
ଏହି ତତ୍ତ୍ୱକୁ ସାମ୍ନାକୁ ଆଣିବାକୁ ଚାହିଁଛନ୍ତି ଦଳର ଭେଟେରାନ୍ ତଥା ମିଡ୍ କ୍ୟାରିୟରର ନେତାମାନେ। ଏହି ନାଁ ଭିତରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅରୁଣ ସାହୁ ଦେବାଶୀଷ ସାମନ୍ତରାୟ, ମୁନ୍ନା ଖାଁ, ପ୍ରସନ୍ନ ଆଚାର୍ଯ୍ୟ, ନୃସିଂହ ସାହୁ, ପ୍ରଫୁଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଳି ନେତାମାନେ। ଏପରିକି ଏମାନେ ବବିଙ୍କ ସପକ୍ଷରେ ମତ ଦେଉଛନ୍ତି। ଅର୍ଥାତ୍ ବବିଙ୍କୁ କେନ୍ଦ୍ରକରି ନବୀନଙ୍କଠାରୁ ପାଣ୍ଡିଆନ୍ଙ୍କୁ ଦୂରେଇବାକୁ ଏକ ଗୋଷ୍ଠୀ ବିଜେଡିରେ ସକ୍ରିୟ ହୋଇଛି।
ଅପରପକ୍ଷେ ପାଣ୍ଡିଆନ୍ ଦମ୍ପତ୍ତିଙ୍କୁ ସମର୍ଥନ କରୁଛନ୍ତି ଅତନୁ ସବ୍ୟସାଚୀ, ବ୍ୟୋମକେଶ ରାୟ, ପ୍ରତାପ ଜେନା, ପ୍ରତାପ ଦେବ, ସୌଭିକ ବିଶ୍ୱାଳ, ସାଂସଦ ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର, ସୁଲତା ଦେଓ, ସୁଭାଶୀଷ ଖୁଣ୍ଟିଆ ପ୍ରମୁଖ। ଏମାନଙ୍କୁ ପାଣ୍ଡିଆନ୍ ହିଁ ରାଜନୀତିକ ଲମ୍ଫ ପ୍ରଦାନ କରିଥିଲେ। ଏବେ ପ୍ରଶ୍ନ ହେଉଛି ଏ ଦୁଇ ଗୋଷ୍ଠୀ ଆଗକୁ କିପରି ପରସ୍ପରକୁ ସମ୍ମୁଖୀନ ହେବେ? ସର୍ବୋପରି କେମିତି ନବୀନଙ୍କୁ ନିଜ ପକ୍ଷ ବାବଦରେ ସ୍ପଷ୍ଟ କରିବେ। ଆସନ୍ତା ଦିନମାନଙ୍କରେ ସେମାନଙ୍କ ରାଜନୀତିକ କମରକସା ରାଜ୍ୟକୁ ଏକ ଚର୍ଚ୍ଚିତ ବାତାବରଣ ଦେବାକୁ ଯାଉଛି। ଏଣୁ କିଛିଦିନ ଅପେକ୍ଷା କରନ୍ତୁ।
Also readhttps://purvapaksa.com/who-is-blocking-the-expansion-of-the-cabinet/
Who is blocking the expansion of the cabinet? II ମନ୍ତ୍ରିମଣ୍ଡଳ ବିସ୍ତାରରେ ବାଧକ କିଏ?


