BJD BJP alliance: ସନ୍ଧି ସର୍ତ୍ତ ପାଇଁ ଏବେ ଟେନସନରେ ନେତା । ନା କରିପାରୁଛନ୍ତି ବିରୋଧ ନା ଉଠାଇପାରୁଛନ୍ତି ସରକାରୀ ଲାଭ । “ରୁହ ଅପେକ୍ଷା କର ଆମେ ପୁଣି ରାଜ୍ୟରେ ସରକାର କରିବା”
ସନ୍ଧି ସର୍ତ୍ତ ପାଇଁ ଏବେ ଟେନସନରେ ନେତା । ନା କରିପାରୁଛନ୍ତି ବିରୋଧ ନା ଉଠାଇପାରୁଛନ୍ତି ସରକାରୀ ଲାଭ । ଦୀର୍ଘ ଦିନ ନିଜ ରାଜନୀତି କ୍ୟାରିୟରରେ ଯେଉଁମାନଙ୍କୁ ବିରୋଧ କରୁଥିଲେ ସେମାନଙ୍କ ବିରୋଧରେ ପଦେ କହିବା ପାଇଁ ମଧ୍ୟ ଏବେ କାଳେ ଅନୁମତି ନାହିଁ ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଆମେ କାହା କାହା ଭିତରେ ହୋଇଥିବା ସର୍ତ୍ତ ଓ ସନ୍ଧି ବିଷୟରେ କହୁଛୁ ?
ଆମେ କହୁଛୁ ରାଜ୍ୟର ଶାସକ ଦଳ ଭାରତୀୟ ଜନତା ପାର୍ଟି ଏବଂ ବିରୋଧି ବିଜୁ ଜନତା ଦଳ କଥା ।
ଅନେକ ସମୟରେ ଯାହା ଚର୍ଚ୍ଚା ହୁଏ ବିଜେପି କାଳେ ବିଜେଡି ନେତାଙ୍କ ସହ ସନ୍ଧି କରି ସରକାରକୁ ଆସିଛି । ଆଉ ସେ ନେତା ଜଣକ କିଏ ତାହା ଆମକୁ କହିବାର ଆବଶ୍ୟକତା ନାହିଁ । କାରଣ ସେ ନେତା କିଏ ଯାହା ପାଇଁ ବିଜେଡି ଆଜି ପରାଜୟ ବରଣ କଲା ତାହା ସମସ୍ତଙ୍କୁ ଜଣା । ଆମେ ସେ ଦିଗକୁ ଯାଉନୁ ।
ଆମେ କହୁଛୁ ସେହି ସନ୍ଧି ଆଉ ସର୍ତ୍ତ କଥା ଯେଉଁ ସନ୍ଧି ପାଇଁ ବିଜେଡି ଦୂର୍ନୀତି ପେଡ଼ିରେ ଚାବି ଝୁଲୁଛି । ସେ ପେଡ଼ି ଖୋଲିବା ଭୟରେ ଯେଉଁ ସନ୍ଧି କରାଯାଇଛି ତାହା ପାଇଁ ଦଳୀୟ ନେତା କିଭଳି ହନ୍ତସନ୍ତ ହେଉଛନ୍ତି ସେହି କଥା ଆମେ ଏଠି ଦର୍ଶାଇବାକୁ ଚେଷ୍ଟା କରୁଛୁ ।
ତେବେ ଏଠି ପ୍ରଶ୍ନ ଆସୁଛି କଣ ସେ ସନ୍ଧି ଆଉ ସର୍ତ୍ତ ହୋଇପାରେ ?
ଚର୍ଚ୍ଚା ଅନୁଯାୟୀ ସେ ସନ୍ଧି ହେଉଛି “ଆମେ ଚୁପ ରହିବୁ , ତୁମେ ଆକ୍ସନ ନେବନି” !
ସନ୍ଧି ଅନୁଯାୟୀ ବିଜେପି ବି ନିର୍ବାଚନ ପୁର୍ବରୁ ଯେଉଁ ବଡ଼ ବଡ଼ ବାହାସ୍ଫୋଟିଆ ଡାଇଲଗ ସବୁ ମାରିଥିଲା ତାହାର କାର୍ଯ୍ୟକାରୀ ହେବାର ଏ ଯାବତ ଦେଖିବାକୁ ମିଳିଲା ନାହିଁ । ସେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କଥା ହେଉ କି, ବ୍ଲାକରୋଜର ତଦନ୍ତ କଥା ହେଉ । ୫-ଟିରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗ ହେଉ କି ଖଣି ଦୁର୍ନୀତିର ଅଭୀଯୋଗ କଥା ହେଉ । ଖାଲି ସେତିକି ନୁହେଁ ରତ୍ନ ଭଣ୍ଡାରର ଚାବି ଇସ୍ୟୁ ଠୁ ନେଇ ପରିକ୍ରମା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଅଭିଯୋଗର ବି କାର୍ଯ୍ୟାନୁଷ୍ଠାନ ଶୁନ ।
ଆଉ କେଇଟା ଦିନ ପରେ ସରକାରଙ୍କୁ ବର୍ଷେ ପୂରିଯିବ କିନ୍ତୁ ଏ ଯାବତ ବିଜେଡିର ସେମିତି କୌଣସି ବଡ଼ ନେତାଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ନେବାର ଦେଖିବାକୁ ମିଳିଲା ନାହିଁ । ରାଜ୍ୟର ସବୁଠାରୁ ବଡ଼ ଇସ୍ୟୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କଥା ତ ବହୁ ଦୂରର; ତା’ ଉପରେ ଚାଲିଥିବା ତଦନ୍ତର ବି କିଛି ଠିକ୍ ଠିକଣା ନାହିଁ । ଦିନେ ଯେଉଁ ପରୀ, ବେବିନା, କୁନ୍ଦୁଲି ପିଡିତାଙ୍କୁ ନେଇ ଯେଉଁଭଳି ଭାବରେ ରାଜ୍ୟ ରାଜନୀତିକୁ ଉଠାଉଥିଲା ପକାଉଥିଲା ବିଜେପି । ସରକାରକୁ ଆସିଲା ପରେ ସେ ଇସ୍ୟୁ ଉପରେ ବି ସେମିତି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କାହିଁ ନଜରକୁ ଆସୁନି । ହଁ ମଝିରେ ମଝିରେ ଖାଲି ମିଡିଆ ଆଗରେ ଯାହା ଦୁଇ ପଦ ବାହାସ୍ଫୋଟ ମାରିଦେଉଛନ୍ତି ନେତା ଓ ମନ୍ତ୍ରୀ । ଏବେ ଖାଲି ସେହି ବାହସ୍ଫୋଟିଆ କଥାରେ ହିଁ ଅଟକି ଯାଇଛି କାର୍ଯ୍ୟାନୁଷ୍ଠାନ ।
ଅନ୍ୟପକ୍ଷରେ ଗ୍ରାସରୁଟରେ ଥିବା ବିଜେପି ନେତାଙ୍କୁ ଏ ବିଷୟରେ ଯେତେବେଳେ ଲୋକେ ପ୍ରଶ୍ନ ପଚାରୁଛନ୍ତି । ବିଚରା ତଳତଳିଆ ନେତାଙ୍କ ମୁହଁ ପୋଡ଼ି ଯାଉଛି । ସେମାନଙ୍କ ପାଖରେ ଖାଲି ଗୋଟିଏ ଉତ୍ତର ରହିଯାଉଛି । ସମୟକୁ ଅପେକ୍ଷା କର ସବୁ ଠିକ୍ ହୋଇଯିବ । ଆମେ ଏବେ ଏବେ ନୂଆ ନୂଆ ସରକାରକୁ ଆସିଛୁ ସମୟ ତ ଲାଗିବ ନିଶ୍ଚିତ । କିନ୍ତୁ ବାସ୍ତବରେ ଯେ କୁଆଡ଼େ ଗଲା ଇଡି, ସିବିଆଇ ବୋଲି ପ୍ରଶ୍ନର ଉତ୍ତର ସେମାନଙ୍କ ପାଖରେ ନାହିଁ , ତାହା ସେମାନଙ୍କ କଥାରୁ ଜଳଜଳ ହୋଇ ସ୍ପଷ୍ଟ ବାରି ହେଇ ପଡ଼ୁଛି । ଆଉ ସେମାନେ ବି ଜାଣିଛନ୍ତି କି ଉପର ଲେବଲର ସନ୍ଧି ପାଇଁ ତାଙ୍କୁ ଏଭଳି ଲୋକହସା ହେବାକୁ ପଡ଼ୁଛି ।
ଖାଲି ବିଜେପିର ନେତାମାନେ ନୁହନ୍ତି, ବିଜେଡିର ନେତାମାନଙ୍କର ମଧ୍ୟ ସମାନ ପରିସ୍ଥିତି । “କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି” ପରି ନା କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି । ରାଜ୍ୟରେ ସିନା ବିଜେଡି ସରକାର ଚାଲିଗଲା କିନ୍ତୁ ଏବେ ରାଜ୍ୟର ଅଧିକାଂଶ ବ୍ଲକ ଏବଂ ମୁନିସିପାଲିଟି ରହିଛି ବିଜେଡି କବ୍ଜାରେ । ଗ୍ରାସରୁଟରେ ଏବେ ବି ବିଜେଡି ଭଲ ସ୍ଥିତିରେ ଅଛି । ଏଭଳି ସ୍ଥଳେ ସରକାରଙ୍କୁ ଘେରିବା ଭଳି ଅନେକ ଇସ୍ୟୁୂ ଥିବାବେଳେ ବିଜେଡି ନେତା ଏବଂ ବିଧାୟକଙ୍କ ହାତ ବନ୍ଧା ହେଲା ପରି ଲାଗୁଛି । ନିଜ ଇଚ୍ଛାକୁ ନିଜ ମନରେ ମାରି ଚୁପଚାପ ଘରେ ବସୁଛନ୍ତି । ବଡ଼ ବଡ଼ିଆଙ୍କ ସନ୍ଧି ପାଇଁ ଅଧିକାଂଶ ନେତା ତ ଏବେ ନିଜ ଏରିଆକୁ ଯିବା ପାଇଁ ଇଚ୍ଛା କରୁନାହାନ୍ତି । ରାଜଧାନୀରେ ଟହଲ ମାରିବା ସହ ନିଜ ଘରେ ଚୁପଚାପ ବସୁଛନ୍ତି । ଆଉ ବାକି ରହିଲା ତଳତଳିଆ ନେତାଙ୍କ କଥା ସେମାନଙ୍କ ସ୍ଥିତି ଏବେ ନ କହିବା ଭଲ । ଏକାନ୍ତରେ ବସି ହାତଗଣତି କର୍ମ୍ମୀଙ୍କୁ ଖାଲି ସାନ୍ତ୍ୱନା ଦେବାରେ ଲାଗିଛନ୍ତି । “ରୁହ ଅପେକ୍ଷା କର ଆମେ ପୁଣି ରାଜ୍ୟରେ ସରକାର କରିବା” “ନବୀନ ବାବୁ ପୁଣି ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ” ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ ବିଜେଡିର ଅନେକ ଟାଣୁଆ ନେତା, ଯେଉଁମାନେ କି ଏ ସନ୍ଧି ସପକ୍ଷରେ ନାହାନ୍ତି, ତା ସହ ଖୋଲାଖୋଲି ଦଳ ବିରୋଧରେ ବି ଯାଇ ପାରୁନାହାନ୍ତି । ସେମାନେ ଏବେ କଂଗ୍ରେସ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବା ଲକ୍ଷ୍ୟରେ ଅଛନ୍ତି ।
ତେବେ ଏ ସବୁ ପାଇଁ କାଳେ ଦଳର ଟପ୍ ଲେବଲ ନେତା କରିଥିବା ସନ୍ଧି, ଆଉ ଏମାନଙ୍କ ଭିତରେ ହୋଇଥିବା ସର୍ତ୍ତ ହିଁ ଦାୟୀ ବୋଲି ଚର୍ଚ୍ଚା ହେଉଛି । ଯାହା ପାଇଁ ଏବେ ରାଜ୍ୟ ରାଜନୀତି ଏକ ପ୍ରକାର ସ୍ଥିର ହୋଇଯାଇଛି ।
You Can Also Read -: https://purvapaksa.com/why-uddhav-thackeray-defeated/

STAND WITH TRUTH