୧୯୪୬ ମସିହା ଏପ୍ରିଲ ୨୩ ତାରିଖରେ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ । ତା ସହିତ ଗୋଟିଏ ମନ୍ତ୍ରୀମଣ୍ଡଳ ବି ସେ ଗଠନ କରିଥିଲେ। ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ସେ ରହିଥିଲେ । ତା ପରଠାରୁ ମୁଖ୍ୟମନ୍ତ୍ରୀ ବୋଲାଇଲେ। ବ୍ରିଟିଶ ଅଧୀନରେ ଥିବା ପ୍ରଦେଶଗୁଡ଼ିକୁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ୧୯୩୫ ବା ଭାରତ ସରକାର ଆଇନ ସୀମିତ ସ୍ୱାୟତ୍ତତା ପ୍ରଦାନ କରିଥିଲା। ଫଳରେ ନିର୍ବାଚିତ ପ୍ରତିନିଧିମାନେ ନିଜ ସରକାର ଗଠନ କରିବାକୁ ଆରମ୍ଭ କଲେ। ଓଡିଶାରେ ଜଣେ “ପ୍ରଧାନମନ୍ତ୍ରୀ”ଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା।
କେବଳ ଓଡିଶା ନୁହେଁ, ଅନେକ ବ୍ରିଟିଶ-ଭାରତୀୟ ପ୍ରଦେଶରେ ମଧ୍ୟ “ପ୍ରଧାନମନ୍ତ୍ରୀ” ଉପାଧି ବ୍ୟବହୃତ ହେଉଥିଲା ଯେପରି କି ବଙ୍ଗଳା ଓ ପଞ୍ଜାବ । ଏହା ଔପନିବେଶିକ- ପ୍ରଶାସନିକ ଭାଷାର ଏକ ପ୍ରତିଫଳନ ମାତ୍ର ଥିଲା। ପ୍ରାଦେଶିକ ସରକାରଙ୍କ ମୁଖ୍ୟଙ୍କୁ ବ୍ରିଟିଶମାନେ “ପ୍ରଧାନମନ୍ତ୍ରୀ” ଭାବରେ ଦେଖିବା ପାଇଁ ଇଚ୍ଛା କରୁଥିଲେ। । ନୂଆ ସମ୍ବିଧାନ ଆସିବା ପରେ ରାଜ୍ୟ ସରକାରମାନଙ୍କ ପାଇଁ ଯେଉଁ ମାନକ ପ୍ରସ୍ତୁତ ହେଲା ‘ପ୍ରଧାନମନ୍ତ୍ରୀ’ ଆପଣାଛାଏଁ ‘ମୁଖ୍ୟମନ୍ତ୍ରୀ’ ରେ ରୂପାନ୍ତରିତ ହେଲେ।
ସ୍ୱାଧୀନୋତ୍ତର ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମହତାବଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ରାଜସ୍ୱ, ଯୋଗାଣ ଏବଂ ପରିବହନ ମନ୍ତ୍ରୀ ଭାବରେ ନବକୃଷ୍ଣ ଚୌଧୁରୀ ଦାୟିତ୍ଵ ଗ୍ରହଣ କଲେ। ଆଇନ, ବିକାଶ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ମନ୍ତ୍ରୀ ଭାବରେ ନିତ୍ୟାନନ୍ଦ କାନୁନଗୋ ଯୋଗ ଦେଲେ। ଲିଙ୍ଗରାଜ ମିଶ୍ରଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିଥିବା ବେଳେ ପୂର୍ତ୍ତ ବିଭାଗ ମନ୍ତ୍ରୀ ହୋଇଥିଲେ ରାଧାକୃଷ୍ଣ ବିଶ୍ୱାସରାୟ। ୧୯୪୮ରେ ନବକୃଷ୍ଣ ଚୌଧୁରୀ ଏବଂ ରାଧାକୃଷ୍ଣ ବିଶ୍ୱାସରାୟ ଭିନ୍ନ ଭିନ୍ନ କାରଣରୁ ମହତାବ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ରାଜକୃଷ୍ଣ ବୋଷ, ସଦାଶିବ ତ୍ରିପାଠୀ ଏବଂ ଲାଲା ରଣଜିତ ସିଂହ ବରିହାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା। ୧୯୪୯ ମସିହାରେ ଦେଶୀୟ ରାଜ୍ୟ ଓଡ଼ିଶାରେ ମିଶିବା ପରେ ଆଉ ଦୁଇଟି ଅଧିକ ମନ୍ତ୍ରୀ ପଦ ସୃଷ୍ଟି ହୋଇଥିଲା। ଏ ଦୁଇ ଜଣ ମନ୍ତ୍ରୀ ଥିଲେ କୈଳାଶ ଚନ୍ଦ୍ର ମହାନ୍ତି ଏବଂ କପିଳେଶ୍ୱର ନନ୍ଦ। ଦେଶୀୟ ରାଜ୍ୟ ମିଶ୍ରଣରେ ଏମାନଙ୍କ ବଡ ଭୂମିକା ଥିଲା।
ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭାରେ ଯେଉଁସବୁ ରଥୀ-ମହାରଥୀ ବିଧାୟକ ହୋଇଥିଲେ ତାହା ଲକ୍ଷ୍ୟ କରିବାର କଥା: ଗୌରଙ୍ଗ ଚରଣ ଦାସ, ବିଜୁ ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଭୈରବ ଚନ୍ଦ୍ର ମହାନ୍ତି,ସାରଙ୍ଗଧର ଦାସ, ରାଜକୃଷ୍ଣ ବୋଷ, ଗଦାଧର ଦତ୍ତ, ବୋଧରାମ ଦୁବେ, ଲକ୍ଷ୍ମୀନାରାୟଣ ମିଶ୍ର, ସଦାଶିବ ତ୍ରିପାଠୀ, ଦୀନବନ୍ଧୁ ସାହୁ, ପ୍ରିୟମ୍ବଦା ଦେବୀ, ବୈଦ୍ୟନାଥ ରଥ ପ୍ରମୁଖ ।ଲାଲ ମୋହନ ପଟନାୟକ ସେଥର ବାଚସ୍ପତି ହୋଇଥିବା ବେଳେ ଏ. ଲକ୍ଷ୍ମୀବାଇ ଉପ ବାଚସ୍ପତି ହୋଇଥିଲେ। ପ୍ରିୟମ୍ବଦା ଦେବୀ ଏବଂ ଏ. ଲକ୍ଷ୍ମୀବାଇ ଥିଲେ ସ୍ଵାଧୀନୋତ୍ତର ଓଡିଶାର ପ୍ରଥମ ବିଧାୟିକା।
ହରେକୃଷ୍ଣ ମହତାବ ୪୭ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେତେବେଳକୁ ସେ ବେଶ୍ ଅଭିଜ୍ଞ ଏବଂ ରାଜନୈତିକ ଦୃଷ୍ଟିରୁ ପରିପକ୍ୱ ହୋଇସାରିଥିଲେ। ତାଙ୍କ ସରକାରଙ୍କ ପ୍ରଥମ କାମ ଥିଲା ଭାରତ ଛାଡ଼ ଆନ୍ଦୋଳନର ବନ୍ଦୀମାନଙ୍କ କାରାଗାର ମୁକ୍ତି। କୁହାଯାଏ, ଭାରତର ବଡଲାଟ ଦିଲ୍ଲୀରେ ଅନ୍ତରୀଣ ସରକାରରେ ଯୋଗଦେବାକୁ ମହତାବଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସର୍ଦ୍ଦାର ପଟେଲ ଏବଂ ମୌଲାନା ଆଜାଦଙ୍କ ପରାମର୍ଶ କ୍ରମେ ମହତାବ ଆଞ୍ଚଳିକ ରାଜନୀତି ଛାଡ଼ି ନଥିଲେ।
ମହତାବଙ୍କ କ୍ୟାବିନେଟ ସହଯୋଗୀମାନେ ତାଙ୍କର ଅତି ଘନିଷ୍ଠ ଥିଲେ। ନବକୃଷ୍ଣ ଚୌଧୁରୀ, ଯିଏ ଜଣେ ବିଶିଷ୍ଟ ସମାଜବାଦୀ ହେବା ବ୍ୟତୀତ କୃଷକ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥର ସମର୍ଥକ ଥିଲେ, ମହତାବଙ୍କୁ ତାଙ୍କ ନେତା ଭାବେ ସ୍ୱୀକାର କରିଥିଲେ। ଏଥିପାଇଁ ସହକର୍ମୀମାନଙ୍କ ନିକଟରେ ମହତାବ ସର୍ବଦା କୃତଜ୍ଞ ରହୁଥିଲେ।କୋରାପୁଟର ରାଧାକୃଷ୍ଣ ବିଶ୍ୱାସରାୟ କେବଳ ଜଣେ ମନ୍ତ୍ରୀ ନଥିଲେ ଜଣେ ଅତି ସଚ୍ଚୋଟ ବ୍ୟକ୍ତି ଭାବରେ ତାଙ୍କ ପରିଚୟ ଥିଲା।କିନ୍ତୁ ମହତାବଙ୍କ ସହ ମତଭେଦ ହେବାରୁ ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ।
ସେତେବେଳର ଓଡ଼ିଶା ରାଜନୀତିରେ ନୀଳକଣ୍ଠ ଦାସ ଗୋଷ୍ଠୀକୁ ପ୍ରୋ-ଚେଞ୍ଜର କୁହାଯାଉଥିଲା। ଏମାନଙ୍କ ପ୍ରଭାବକୁ ରୋକିବା ପାଇଁ ନବକୃଷ୍ଣ ଚୌଧୁରୀ ମହତାବଙ୍କୁ ସମର୍ଥନ କରିଥିଲେ। କହିବା ଅନାବଶ୍ୟକ ଯେ ,ମହାତ୍ମାଗାନ୍ଧୀଙ୍କ ଆନ୍ଦୋଳନର ଢାଞ୍ଚା ସହିତ ନୀଳକଣ୍ଠ ଦାସଙ୍କର ଅନେକ ମତଭେଦ ଥିଲା।
ତେବେ, ସ୍ବାଧିନତାର ଢେର ପୂର୍ବରୁ ହିଁ ଓଡିଶା ରାଜନୀତିରେ ଦୁଇଟି ଗୋଷ୍ଠୀ ତିଆରି ହୋଇ ସାରିଥିଲା – ମହତାବ ଗୋଷ୍ଠୀ ଏବଂ ନୀଳକଣ୍ଠ ଗୋଷ୍ଠୀ । ମହତାବଙ୍କ ଗୋଷ୍ଠୀକୁ ‘ଅଳକା’ ଗୋଷ୍ଠୀ ବି କୁହାଯାଉଥିଲା । ନବବକୃଷ୍ଣ ଚୌଧୁରୀଙ୍କ ଭାଇ ଗୋପବନ୍ଧୁ ଚୌଧୁରୀ ଜଗତସିଂପୁରରେ ଯେଉଁ ଅଳକା ଆଶ୍ରମ ଆରମ୍ଭ କରିଥିଲେ ତାହାକୁ ନେଇ ଅଳକା ଗୋଷ୍ଠୀର ନାମକରଣ।
ଏହି ଆଶ୍ରମରେ ମହତାବଙ୍କ ପରି ଅନେକ ଯୁବ ପ୍ରତିବଦ୍ଧ ସାମାଜିକ କର୍ମୀ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିଥିଲେ। ତେଣେ ସତ୍ୟବାଦୀ ଗୋଷ୍ଠୀର ମୁଖ୍ୟ କାର୍ପଟଦାର ଥିଲେ ନୀଳକଣ୍ଠ ଓ ଗୋଦାବରୀଶ ଯେଉଁମାନେ ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷକ ଥିଲେ । ଏହି ଦୁଇ ଗୋଷ୍ଠୀ ପରସ୍ପରର ତୀବ୍ର ସମାଲୋଚକ ଥିଲେ।
ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀ ସମୟରେ, ମହତାବଙ୍କର ସମାଜବାଦୀମାନଙ୍କ ସହିତ ବି ଗୁରୁତର ମତଭେଦ ସୃଷ୍ଟି ହୋଇଥିଲା। ଅବଶ୍ୟ ପୂର୍ବରୁ ହିଁ ମହତାବଙ୍କ ରାଜନୀତି ଶୈଳୀ ସହିତ ସମାଜବାଦୀମାନଙ୍କର ତୀବ୍ର ମତଭେଦ ଥିଲା। ଏହି ମତଭେଦ ଗୋଟିଏ ସମୟରେ ଏତେ ତୀବ୍ର ହୋଇଥିଲା ଯେ ସମାଜବାଦୀମାନେ ମହତାବଙ୍କୁ ନେଇ ଏକ ରକମ ଅସ୍ଥିର ହୋଇପଡ଼ିଥିଲେ। କଂଗ୍ରେସର କ୍ଷମତାଲୋଭୀ ନେତାମାନଙ୍କର ନିଷ୍ଠୁର ମନୋଭାବକୁ ସମାଜବାଦୀମାନେ ସହଜରେ ହଜମ କରି ପାରୁନଥିଲେ । ସେମାନେ ମହତାବଙ୍କୁ ତାଙ୍କର କେତେକ ଅଣ-ଗାନ୍ଧୀବାଦୀ ଏବଂ ସାମନ୍ତବାଦୀ କାର୍ଯ୍ୟକଳାପ ପାଇଁ ମଧ୍ୟ ସମାଲୋଚନା କରୁଥିଲେ।ସମାଜବାଦୀମାନେ ଏହି ଅଭିଯୋଗ ମଧ୍ୟ ଆଣିଥିଲେ ଯେ ସେମାନଙ୍କୁ କଂଗ୍ରେସରୁ ବହିଷ୍କାର କରିବାକୁ ମହତାବ ଯୋଜନା କରୁଛନ୍ତି।
ବିଶିଷ୍ଟ ଲେଖକ ଶାନ୍ତନୁ ଆଚାର୍ଯ୍ୟ ଏକଥାକୁ ନେଇ ତାଙ୍କ ପୁସ୍ତକ ‘ମୋ ଜୀବନ ଅନ୍ୟ ଏକ ଉପନ୍ୟାସ’ (ଗ୍ରନ୍ଥ ମନ୍ଦିର/୨୦୧୩)ରେ ଲେଖିଛନ୍ତି ଯେ ୧୯୨୦-୪୭ ର ମହତାବ ସ୍ୱାଧୀନତା ପରେ ଅନ୍ୟ ଜଣେ ମହତାବରେ ରୂପାନ୍ତରିତ ହୋଇଯାଇଥିଲେ । ୧୯୪୭ ବେଳକୁ ଓଡ଼ିଶାରେ କମ୍ୟୁନିଷ୍ଟମାନେ ମଧ୍ୟ କଂଗ୍ରେସ ସଂଗଠନ ଭିତରେ କାର୍ଯ୍ୟ କରୁଥିଲେ। କିନ୍ତୁ କମ୍ୟୁନିଷ୍ଟ ଓ ସମାଜବାଦୀମାନଙ୍କୁ ସେମାନଙ୍କ ଅତି-ଉଗ୍ରବାଦୀ ମନୋଭାବ କାରଣରୁ କଂଗ୍ରେସର ଦକ୍ଷିଣପନ୍ଥୀଙ୍କ ଦ୍ଵାରା ଆଦୌ ଗ୍ରହଣ କରାଯାଊନଥିଲା। ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସକୁ ବୁର୍ଜୁଆ ଏବଂ ସାମନ୍ତବାଦୀଙ୍କ ସମର୍ଥକ ଭାବରେ ତୀବ୍ର ସମାଲୋଚନା କରିବାକୁ କମ୍ୟୁନିଷ୍ଟମାନେ ପଛାଉନଥିଲେ। ସେହିଭଳି ସମାଜବାଦୀମାନଙ୍କୁ ନକଲି ଏବଂ କଂଗ୍ରେସର ସହୋଦର ବୋଲି ମଧ୍ୟ ବାମପନ୍ଥୀମାନେ ସମାଲୋଚନା କରୁଥିଲେ । ଯଦିଓ ସମାଜବାଦୀମାନେ ସେମାନଙ୍କ ଆଭିମୁଖ୍ୟରେ ଉଗ୍ରବାଦୀ ଥିଲେ, ଗାନ୍ଧୀଜୀଙ୍କ କେତେକ ଆଦର୍ଶକୁ ସମ୍ମାନ ଏବଂ ସମର୍ଥନ କରୁଥିଲେ।
ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହେଲା ଏବଂ କମ୍ୟୁନିଷ୍ଟମାନେ ଏହାକୁ ସମର୍ଥନ କଲେ ନାହିଁ, ସେମାନଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ସେହି ସମୟରେ ହରିହର ଦାସ, ଗଙ୍ଗାଧର ମିଶ୍ର ଏବଂ ଦୟାନନ୍ଦ ଶତପଥୀଙ୍କ ଭଳି ଅନେକ କମ୍ୟୁନିଷ୍ଟ ନେତା ଯଥାକ୍ରମେ ଗଞ୍ଜାମ, ପୁରୀ ଏବଂ ସମ୍ବଲପୁରର କଂଗ୍ରେସ ଜିଲ୍ଲା କମିଟିର ସମ୍ପାଦକ ଥିଲେ। ଏଠି ଏହା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଏହି ଯେ କଂଗ୍ରେସ- ବାମପନ୍ଥୀ ସହଯୋଗର ଏକ ଲମ୍ବା ଇତିହାସ ଅଛି।
ALSO READ https://purvapaksa.com/priyanka-gandhi-met-jp-nadda-demanded-health-facilities-in-kerala-wayanad/
