ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ପାଇଁ ବର୍ଷକର ଆୟବ୍ୟୟ ବିବରଣୀ ସଂସଦରେ ଆଗତ କରିଛନ୍ତି। ଯାହାକୁ ଆମେ ବଜେଟ୍ କହୁଛୁ। ଏହି ବଜେଟ୍ ଆଗତ ହେବାପରେ ଆମ ରାଜ୍ୟ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି, କ’ଣ କରାଯାଇ ପାରିଲା ନାହିଁ ତାହା ଉପରେ ବିତର୍କ ଆରମ୍ଭ ହୋଇଯାଇଛି ? ଆମ ରାଜ୍ୟର ବିରୋଧୀ ନେତାମାନେ ଏହି ବଜେଟ୍ ଶୁଆ ଭଳି ପୂର୍ବରୁ ଘୋଷିଥିବା ଶବ୍ଦ ଅନ୍ତଃସାରଶୂନ୍ୟ କହିବା ସହିତ ଓଡ଼ିଶା ଅବହେଳିତ ବୋଲି କହିଛନ୍ତି। ଅପରପକ୍ଷରେ ଶାସକ ଦଳ ଏହାକୁ ବିକଶିତ ଭାରତ ଓ ଓଡ଼ିଶାର ରୋଡମ୍ୟାପ ବୋଲି କହିଛନ୍ତି।
ଆଉ ଆମ ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମମାନେ ଗୋଟିଏ ଟଙ୍କାକୁ ନେଇ ଆୟବ୍ୟୟ ବିବରଣୀ ଦେବା ସହିତ ଓଡ଼ିଶା କେଉଁ କ୍ଷେତ୍ରରେ ଲାଭ ପାଇବ ଓ କେଉଁ କ୍ଷେତ୍ରରେ ଅବହଳିତ ହେଲା ତାହା ଦର୍ଶାଇଛନ୍ତି।

ଓଡ଼ିଶା କାହିଁକି ଅବହେଳିତ ହେଲା, ଏଥିପାଇଁ ଦାୟୀ କିଏ ? ବଜେଟ୍ କୌଣସି ରାଜ୍ୟକୁ ଆଖି ଆଗରେ ରଖି ପ୍ରସ୍ତୁତ ହୋଇନଥାଏ। ଏହା ଦେଶର ବିକାଶ ଓ ନାଗରିକମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି କିପରି ହେବ ତା’ର ରୂପରେଖ ପ୍ରଦାନ କରି ରାସ୍ତା ବତାଇ ଥାଏ। ଗତକାଲିର ବଜେଟରେ ଜଳମାର୍ଗ ସମ୍ପର୍କରେ କରିଥିବା ଘୋଷଣାରୁ ଓଡ଼ିଶା ବିଶେଷଭାବେ ଉପକୃତ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ୨୦ଟି ନୂଆ ଜାତୀୟ ଜଳମାର୍ଗକୁ କାର୍ଯ୍ୟକାରୀ କରିବା ନେଇ ଘୋଷଣା ହୋଇଛି। ସେଥିରେ ଓଡ଼ିଶାର ଜାତୀୟ ଜଳମାର୍ଗ-୫ ରହିଛି। ଖଣି ସମୃଦ୍ଧ ଅଞ୍ଚଳ ତାଳଚେର, ଅନୁଗୁଳକୁ ଏହା ଶିଳ୍ପାଞ୍ଚଳ କଳିଙ୍ଗନଗର ଏବଂ ପାରାଦୀପ, ଧାମରା ବନ୍ଦରକୁ ଯୋଡ଼ିବ। ଏହିସବୁ ଅଞ୍ଚଳରେ ଥିବା ଶିଳ୍ପଗୁଡ଼ିକ ପରିବେଶ ଅନୁକୂଳ ଉପାୟରେ ନିଜର କଞ୍ଚାମାଲ ଓ ଚୂଡ଼ାନ୍ତ ସାମଗ୍ରୀ ପରିବହନ କରିପାରିବେ। ତାଳଚେର ଓ ଅନୁଗୁଳରୁ କୋଇଲା ଜଳପଥ ଦେଇ କଳିଙ୍ଗନଗରରେ ଥିବା ବିଭିନ୍ନ କଳକାରଖାନା ଏବଂ ରାଜ୍ୟର ଦୁଇ ପ୍ରମୁଖ ବନ୍ଦର ପାରାଦୀପ ଓ ଧାମରାରେ ପହଞ୍ଚିପାରିବ। ଏଥି ସହିତ ବିଭିନ୍ନ ଶିଳ୍ପସଂସ୍ଥାର ଚୂଡ଼ାନ୍ତ ସାମଗ୍ରୀ ମଧ୍ୟ ଦୁଇ ବନ୍ଦରରେ ପହଞ୍ଚିପାରିବ।
ଏହି ଯୋଜନା କାର୍ଯ୍ୟକାରୀ ହେଲେ ପାରାଦୀପ ଓ ଧାମରା ବନ୍ଦର ବିଶେଷ ଭାବରେ ଉପକୃତ ହେବା ସହିତ ରାଜ୍ୟର ବିକାଶ ମଧ୍ୟ ହୋଇପାରିବ। ଆଖପାଖ ଅଞ୍ଚଳର ଲୋକମାନଙ୍କର ଆର୍ଥିକ ଓ ସାମାଜିକ ବିକାଶ ମଧ୍ୟ ହୋଇ ପାରିବ।
କିନ୍ତୁ ଏହି ଜଳପଥ ବିକାଶ ଆମ ରାଜ୍ୟରେ ହୋଇପାରିବା ନେଇ ସନ୍ଦେହ ଦେଖା ଦେଇଛି। କାରଣ ଆମ ରାଜ୍ୟର ପୂର୍ବତନ ସରକାରର ଅପରିଣାମଦର୍ଶୀ କାମ ଏଥିରେ ବାଧା ସୃଷ୍ଟି କରିବ। ବୈତରଣୀ ନଦୀରେ ଜଳପଥ ହେଲେ ଲୁହାପଥର ସିଧାସଳଖ ଧାମରା ପୋର୍ଟକୁ ପରିବହନ ହୋଇପାରିବ। କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଯାଜପୁର ଟାଉନରେ ଯେପରି ବୈତରଣୀ ନଦୀ ପୋତି ଦେଇ ମେଡିକାଲ କଲେଜ କରିଛନ୍ତି ସେଥିରେ ଜଳପଥ ନିର୍ମାଣ ହୋଇପାରିବ କି ନାହିଁ ମୂଳରୁ ସନ୍ଦେହ ଆରମ୍ଭ ହୋଇଗଲାଣି। ଯଦି ଜଳପଥ ନିର୍ମାଣ ହୁଏ ତେବେ ଯାଜପୁର ଟାଉନର ନବ ନିର୍ମିତ ମେଡିକାଲକୁ ଭାଙ୍ଗିବାକୁ ପଡ଼ିବ।

ବଜେଟରେ ଓଡ଼ିଶା ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକରେ ସମର୍ପିତ ବିରଳ-ମୃର୍ତ୍ତିକା କରିଡର ପ୍ରତିଷ୍ଠା ଘୋଷଣା କରିଛନ୍ତି, ଯାହାର ଲକ୍ଷ୍ୟ ଘରୋଇ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା। ସଂସଦରେ ବଜେଟ୍ ଉପସ୍ଥାପନ କରି ସୀତାରମଣ ମନେ ପକାଇଛନ୍ତି ଯେ ୨୦୨୫ରେ ବିରଳ-ମୃର୍ତ୍ତିକା ସ୍ଥାୟୀ ଚୁମ୍ବକ ପାଇଁ ଏକ ଯୋଜନା ଆରମ୍ଭ ହୋଇଥିଲା। ସେ କହିଛନ୍ତି ଯେ କେନ୍ଦ୍ର ବର୍ତ୍ତମାନ ଓଡ଼ିଶା, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁକୁ ସ୍ୱତନ୍ତ୍ର ବିରଳ-ମୃର୍ତ୍ତିକା କରିଡର ବିକାଶ ପାଇଁ ସହାୟତା ପ୍ରଦାନ କରିବ। ଓଡ଼ିଶା ରେୟାର୍ ଆର୍ଥରେ ଆଗରେ ରହିଲେ ଭବିଷ୍ୟତରେ ଏହି ସବୁ କ୍ଷେତ୍ରର ପୁଞ୍ଜିନିବେଶ ହାତେଇବା ସହଜ ହେବ।
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୦୨୭ ଉପସ୍ଥାପନ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରିଛନ୍ତି। ଏଥିରୁ ଆମ ରାଜ୍ୟର ଦିବ୍ୟାଙ୍ଗମାନେ ଫାଇଦା ପାଇ ପାରିବେ ନାହିଁ, କାରଣ ଏଥିପାଇଁ ଆମେ ନିଜେ ଦାୟୀ। ଆମ ରାଜ୍ୟର ସିଡିଏମଓମାନେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ପ୍ରମାଣପତ୍ର ଦେବାରେ ବର୍ଷ ବର୍ଷ ଧରି ଟାଳଟୂଳ ନୀତି ଅବଲମ୍ବନ କରି ଆସୁଛନ୍ତି। ପ୍ରତି ଜିଲ୍ଲାରେ ଶହ ଶହ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆବେଦନ ପଡ଼ି ରହିଛି। ଏପରି କ୍ଷେତ୍ରରେ ଏହି ଯୋଜନାରୁ ଓଡ଼ିଶାକୁ ସୁଫଳ ମିଳିବ ନାହିଁ।
ବଜେଟରେ ହେରିଟେଜ ଓ ଇକୋ ଟୁରିଜିମ୍କୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ବୌଦ୍ଧ ପର୍ଯ୍ୟଟନସ୍ଥଳୀକୁ ସରକାର ପ୍ରାଥମିକତା ଦେଇଛନ୍ତି। ଏହି ପ୍ରସଙ୍ଗରେ ଆମ ରାଜ୍ୟର କିଛି ଲୋକ ଓ ଗଣମାଧ୍ୟମ ଓଡ଼ିଶାର ବୁଦ୍ଧିଷ୍ଟ ସର୍କିଟକୁ ଅବହେଳା କରାଗଲା ବୋଲି କହୁଛନ୍ତି। କିନ୍ତୁ ପ୍ରକୃତରେ ଦେଖିଲେ ଆମ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିପର୍ଯ୍ୟୟ ପାଇଁ ଆମେ ନିଜେ ହିଁ ଦାୟୀ। ଯାଜପୁର ଜିଲ୍ଲାରେ ବିଜେଡି ସରକାର ଗୋଟିଏ ପୋଖରୀ ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଛି। କିନ୍ତୁ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ସୁନ୍ଦର ରାସ୍ତା ଓ ପର୍ଯ୍ୟଟକମାନଙ୍କ ରହଣୀ ପାଇଁ ହୋଟେଲ ବ୍ୟବସ୍ଥା କରିବାରେ ବିଫଳ ହୋଇଛି। ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପୁରି ଓ କୋଣାର୍କ। କୋଣାର୍କ ପାଇଁ ଭଲ ରାସ୍ତା ନ ଥିଲାବେଳେ ବିଦେଶୀ ଯାତ୍ରୀମାନଙ୍କ ଯାତ୍ରୀଯାପନ ପାଇଁ ହୋଟେଲ ବ୍ୟବସ୍ଥା ନାହିଁ। ଆମ ରାଜ୍ୟର ଅଫିସରମାନେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଯୋଗାଇ ଦେବା ପାଇଁ ତତ୍ପର ହେଉଥିବାବେଳେ ପୁରୀ ଓ କୋଣାର୍କରେ ଭଲ ଷ୍ଟାର ହୋଟେଲ ନିର୍ମାଣ ଦିଗରେ କେବେ ଚିନ୍ତା କରିଥିବାର ଖବର ଦେଖିବାକୁ ମିଳିନାହିଁ।

ରାଜ୍ୟରେ ୪୮୦ କିମି ଉପକୂଳ ଥିବାବେଳେ ଏହାର ବିକାଶ କରାଯାଇନାହିଁ। ଶିମିଳିପାଳ ଅଭୟାରଣ୍ୟ, ଦେଓମାଳୀ ପର୍ବତମାଳା, ସାତକୋଶିଆ, ଭିତରକନିକା ଦେଖିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ରାସ୍ତା ଓ ଗମନଗମନର ବ୍ୟବସ୍ଥା ଏପର୍ଯ୍ୟନ୍ତ ସରକାର କରିବାରେ ବିଫଳ ହୋଇଛନ୍ତି। ହୋଟେଲ କଥା ନ କହିବା ଭଲ। ସବୁଠାରୁ ବଡ଼ ଚିନ୍ତାଜନକ କଥା ହେଲା ଆମ ରାଜ୍ୟରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ସରକାର ଆଦୌ ସଚେତନ ନୁହଁନ୍ତି। ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କ ସହିତ ବଳାତ୍କାର, ଚୋରୀ ଆଦି ଘଟଣା ବଡ଼ ସାଧାରଣ କଥା।
ଏହି କଥାକୁ ଆମ ରାଜ୍ୟର ସରକାର ଦୃଷ୍ଟି ଦେଉନଥିବାବେଳେ ନେତାମାନେ ସାମାନ୍ୟ ପ୍ରଚାର ପାଇବା ପାଇଁ ଜାତୀୟ ମିଡ଼ିଆରେ ପ୍ରଚାର କରାନ୍ତି। ଯାହା ଫଳରେ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ନ ଯିବା ପାଇଁ ସେ ଦେଶର ସରକାର ତାଙ୍କ ନାଗରିକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରୀ କରନ୍ତି। ଯାହାକି ଗତବର୍ଷ କଂଗ୍ରେସ ବିଧାୟିକା କରି ଆତ୍ମସନ୍ତୋଷ ଲାଭ କରିଥିଲେ।
ଜଳଜୀବନ ମିଶନ ପାଇଁ ସରକାର ୬୭୬୭୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। କିନ୍ତିୁ ଆମ ରାଜ୍ୟରେ ନବୀନ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଛନ୍ତି। ତାମିଲ ଠିକାଦାରମାନଙ୍କୁ ଆଗୁଆ ଅର୍ଥ ଦେଇଥିବାରୁ ସେମାନେ କାମ ଛାଡ଼ି ପଳାଇଛନ୍ତି। ଏଭଳି କ୍ଷେତ୍ରରେ ପୁରୁଣା ଅର୍ଥର ବିନିଯୋଗ ପ୍ରମାଣପତ୍ର ନ ଦେଲେ ଆମ ରାଜ୍ୟ ଏଥିରୁ କିପରି ସୁଫଳ ପାଇବ। ଅନେକ କ୍ଷେତ୍ରରେ ଦେଖାଯାଏ ଆମ ରାଜ୍ୟର ସରକାର ବୋଲାଉଥିବା ଅମଲାମାନେ ଟଙ୍କା ଖର୍ଚ୍ଚ ନ କରି ବ୍ୟାଙ୍କରେ ଗଚ୍ଛିତ ରଖିଥାଆନ୍ତି। କେନ୍ଦ୍ରର ତାଗିଦ ଆସିଲେ ତାହାକୁ କାମରେ ନ ଲଗାଇ ଫେରାଇବାର ଅ୍ରନେକ ନଜିର ରହିଛି। ବଜେଟ୍ ଓଡ଼ିଶାକୁ ସୁଯୋଗ ଦେଇଛି—ଜଳମାର୍ଗ, ବିରଳ-ମୃର୍ତ୍ତିକା, ସାମାଜିକ ଯୋଜନା, ପର୍ଯ୍ୟଟନ। କିନ୍ତୁ ସେହି ସୁଯୋଗକୁ ଲାଭରେ ପରିଣତ କରିବା ପାଇଁ ଯେଉଁ ପ୍ରଶାସନିକ ଦକ୍ଷତା, ଯୋଜନାଗତ ସ୍ପଷ୍ଟତା ଓ ଦୂରଦୃଷ୍ଟି ଦରକାର- ସେଠି ଆମେ ଦୁର୍ବଳ। ସେହିପରି, ପ୍ରଶ୍ନର ଉତ୍ତର ସରଳ ନୁହେଁ।ବଜେଟ୍ରୁ ଲାଭ ପାଇବାକୁ ଆମେ ଯୋଗ୍ୟ ହୋଇପାରୁ—ଯଦି ଆମେ ନିଜେ ଯୋଗ୍ୟ ହେବାକୁ ଚାହୁଁ। ନହେଲେ, ପ୍ରତ୍ୟେକ ବର୍ଷ ଏହି ପ୍ରଶ୍ନ ପୁଣି ଉଠିବ—ଓଡ଼ିଶା ଅବହେଳିତ କାହିଁକି?
also read https://purvapaksa.com/mlas-salary/


