ଡିସେମ୍ବର ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଛତିଶଗଡ଼ର ବିଷ୍ଣୁ ଦେଓ ସାଇଙ୍କ ସରକାର ମାଓ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ଜୋରଦାର ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବ ବର୍ଷ ଅର୍ଥାତ୍ ୨୦୨୪ରେ, ୨୧୯ ଜଣ ବାମପନ୍ଥୀ ଉଗ୍ରବାଦୀଙ୍କୁ ହତ୍ୟା କରାଯାଇଥିଲା, ଯାହା ରାଜ୍ୟ ପ୍ରତିଷ୍ଠା ପରଠାରୁ ସର୍ବାଧିକ ବାର୍ଷିକ ମୃତ୍ୟୁ ସଂଖ୍ୟା ଥିଲା।
ଚଳିତ ବର୍ଷ, ସେହି କାର୍ଯ୍ୟ ଆହୁରି ବୃଦ୍ଧି ପାଇଛି। ବୁଧବାର ଦିନ ସିପିଆଇ (ମାଓବାଦୀ) ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ (ଯିଏ ବାସଭରାଜୁ ଭାବରେ ମଧ୍ୟ ଜଣାଶୁଣା)ଙ୍କ ସମେତ ଅନ୍ୟ ୨୬ ଜଣ ମାଓ କର୍ମୀଙ୍କୁ ହତ୍ୟା କରାଯାଇଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଓ ବିରୋଧୀ କାର୍ଯ୍ୟାନୁଷ୍ଠାନ କୁହାଯାଇପାରେ।
ବାସବରାଜୁ ଗତ ୧୫ ବର୍ଷ ମଧ୍ୟରେ ହୋଇଥିବା କିଛି ସବୁଠାରୁ ଘୃଣ୍ୟ ମାଓ ଆକ୍ରମଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୦ ମସିହାରେ ହୋଇଥିବା ଗଣହତ୍ୟା ଯେଉଁଥିରେ ୭୬ ଜଣ ସିଆରପିଏଫ୍ କର୍ମଚାରୀ ସହିଦ ହୋଇଥିଲେ ଏବଂ ୨୦୧୩ ମସିହାରେ ଝିରମ ଘାଟି ଆକ୍ରମଣ ମଧ୍ୟ ସାମିଲ ଥିଲା। ମନେପକାଇ ଦିଆଯାଇ ପାରେ ଯେ ଏହି ଆକ୍ରମଣରେ ରାଜ୍ୟର କଂଗ୍ରେସ ନେତୃତ୍ୱକୁ ପ୍ରାୟ ଧ୍ୱଂସ କରିଦେଇଥିଲା ମାଓ ସଂଗଠନ।
ଗତ ଦେଢ଼ବର୍ଷ ମଧ୍ୟରେ, ବସଭାରାଜୁଙ୍କ ନେତୃତ୍ୱରେ ଚାଲିଥିବା ଅପରେସନରେ ଉଗ୍ରବାଦୀମାନେ ଅନେକ ପରାଜୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ମୃତ୍ୟୁକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କୁହାଯାଇପାରେ । ଏହି ହତ୍ୟା ସହିତ ଆଗାମୀ ବର୍ଷ ମାର୍ଚ୍ଚ ସୁଦ୍ଧା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାଓବାଦର ମୂଳୋତ୍ପାଟନ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ଉଜ୍ଜ୍ଵଳ ହୋଇଛି। ଛତିଶଗଡ଼, ବିଶେଷକରି ବସ୍ତର, ନାରାୟଣପୁର, ଦାନ୍ତେୱାଡା ଏବଂ ବିଜାପୁର ଜିଲ୍ଲା ଦେଶର ମାଓବାଦର ଶେଷ ଗଡ଼ ମଧ୍ୟରୁ ଗୋଟିଏ ଗୋଟିଏ। ନବୀନ ସରକାରଙ୍କ ସମୟରେ ଓଡ଼ିଶାରୁ ମାଓବାଦୀମାନେ ପ୍ରାୟ ନିପାତ ହୋଇସାରିଛନ୍ତି।
ପୂର୍ବରୁ ଏହାର ପେଣ୍ଠ କୁହାଯାଉଥିବା ଶକ୍ତିଶାଳୀ ଅଞ୍ଚଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏହି ଆନ୍ଦୋଳନ ହ୍ରାସ ପାଇଛି, ଯାହା ଫଳରେ ଅନେକ ପ୍ରମୁଖ ନେତା ଅନ୍ୟତ୍ର ପଳାଯନ କରିଛନ୍ତି। ସେମାନଙ୍କ ମଧ୍ୟରେ ବାସଭାରାଜୁ ଅଗ୍ରଣୀ ଥିଲେ। ବାସଭାରାଜୁଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଏବଂ ୱାରାଙ୍ଗଲର ଆଞ୍ଚଳିକ ଇଞ୍ଜିନିୟରିଂ କଲେଜର ପୂର୍ବତନ ଛାତ୍ର ସେ ।
ଛତିଶଗଡ଼ର ଭୌଗୋଳିକ ବୈଶିଷ୍ଟ୍ୟ ହିଁ ମାଓବାଦୀ କାର୍ଯକଳାପକୁ ଉତ୍ସାହିତ କରିଆସିଛି। ଛତିଶଗଡ଼ ମହାରାଷ୍ଟ୍ର, ଓଡ଼ିଶା ଏବଂ ତେଲେଙ୍ଗାନାକୁ ଲାଗି ରହିଥିବା ଘନ ଜଙ୍ଗଲ, ପର୍ଯ୍ୟାପ୍ତ ପରିବହନ ଏବଂ ଯୋଗାଯୋଗ ଭିତ୍ତିଭୂମିର ଅଭାବ ବିଦ୍ରୋହୀଙ୍କ ପ୍ରତିଷ୍ଠା ଓ ପ୍ରଭାବକୁ ସହଜ କରି ଆସିଥିଲା।
ଏହା ସହିତ, ବିଗତ କିଛିବର୍ଷ ଧରି ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ଅବହେଳା ଓ ଆତ୍ମସନ୍ତୋଷ ବାମପନ୍ଥୀ ଉଗ୍ରବାଦର ପ୍ରସାରରେ ସହାୟକ ହୋଇଥିଲା। ସୁରକ୍ଷା ବାହିନୀକୁ ବୃଦ୍ଧି କରିବା ଏବଂ କଲ୍ୟାଣମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବା ପରିବର୍ତ୍ତେ, ସାଲୱା ଜୁଡୁମ୍ ଭଳି ବେସାମରିକ ମିଲିସିଆକୁ ସଜ୍ଜିତ କରିବା ଭଳି ପ୍ରଭାବହୀନ ରଣନୀତିରେ ମୂଲ୍ୟବାନ ସମୟ ନଷ୍ଟ କରାଯାଇଥିଲା କହିଲେ ଭୁଲ ହେବନାହି।
ତଥାପି ଏକଥା ନିଃସନ୍ଦେହରେ କୁହାଯାଇପାରେ ଯେ, ଦେଶର ଅନ୍ୟ ଅଞ୍ଚଳ ପରି, ହିଂସା ଉପରେ ସେମାନଙ୍କର ନିର୍ଭରଶୀଳତା ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନର ଶକ୍ତିକୁ ସ୍ୱୀକାର କରିବାରେ ଅକ୍ଷମତା ହିଁ ଶେଷରେ ବାମପନ୍ଥୀ ଉଗ୍ରବାଦୀମାନଙ୍କ କାର୍ଯ୍ୟକଳାପରେ ବାଧା ଦେଇଥିଲା। ଏବେ ବିଦ୍ରୋହୀଙ୍କ ବିରୋଧରେ ଲଢ଼ିବା ପାଇଁ ରାଜନୈତିକ ସଂକଳ୍ପ ଦୃଢ଼ ହୋଇଛି, କେନ୍ଦ୍ର ଏବଂ ରାଜ୍ୟ ସୁରକ୍ଷା ଏଜେନ୍ସି ମଧ୍ୟରେ ଉନ୍ନତ ସହଯୋଗ ବୃଦ୍ଧି ପାଇଛି ଏବଂ ସୁରକ୍ଷା ବାହିନୀର ପ୍ରଭାବ ମଧ୍ୟ ବୃଦ୍ଧି ପାଇଛି।
ବେସ୍ କ୍ୟାମ୍ପର ଏକ ବଡ ନେଟୱାର୍କ ପ୍ରତିଷ୍ଠା ଜଙ୍ଗଲ ଅଞ୍ଚଳଗୁଡ଼ିକରେ ସୁରକ୍ଷାକୁ ସୁଦୃଢ଼ କରିଛି। ରାସ୍ତା ଏବଂ ମୋବାଇଲ୍ ଟାୱାରର ବିକାଶ ମାଓ ପ୍ରଭାବିତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବିକାଶମୂଳକ ଢାଞ୍ଚାରେ ସାମିଲ କରିଛି।
ରାଜ୍ୟ ବିଜେପି ସରକାର ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ପୁନର୍ବାସ ନୀତି ଆରମ୍ଭ କରିଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ବାସଗୃହ ପ୍ରଦାନ କରିଛନ୍ତି। ସେତିକି ନୁହେଁ ,ଉପଯୁକ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରିଛନ୍ତି ଏବଂ ପୂର୍ବତନ ବାମପନ୍ଥୀ ଉଗ୍ରବାଦୀଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେଇଛନ୍ତି। ପୂର୍ବ ବର୍ଷ ଛତିଶଗଡ଼ରେ ୮୦୦ରୁ ଅଧିକ ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଦେଇଥିଲେ।
ଯଦିଓ ବାସଭାରାଜୁଙ୍କ ମୃତ୍ୟୁ ମାଓବାଦୀମାନଙ୍କୁ ନେତୃତ୍ୱହୀନ କରିଦେଇପାରେ, ତଥାପି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପଡିବ। ଉଗ୍ରବାଦ ବିରୁଦ୍ଧରେ ସବୁଠାରୁ ପ୍ରଭାବଶାଳୀ ରଣନୀତି ହେଉଛି ବିକାଶକୁ ବୃଦ୍ଧି କରିବା ଏବଂ ତା ସହିତ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା। ଏହା ଅତ୍ୟନ୍ତ ଜରୁରୀ।
Also readhttps://purvapaksa.com/odisha-sex-ratio-slips-to-933/
Odisha sex ratio slips to 933।। ଓଡ଼ିଶାର ଅନୁପାତ ପୁଅ-ଝିଅ ଅନୁପାତ ୯୩୩କୁ ହ୍ରାସ: ସି.ଆର୍.ଏସ୍. ରିପୋର୍ଟ