ଦକ୍ଷିଣ ଏସିଆର ରାଜନୀତି ଆଜି କେବଳ ଆଭ୍ୟନ୍ତରୀଣ ପ୍ରଶ୍ନରେ ସୀମିତ ନୁହେଁ। ପଡ଼ୋଶୀ ଦେଶର ନିର୍ବାଚନ, ସେଠାର ରାଜନୈତିକ ଧାରା, ଏବଂ ଲୋକମତର ଦିଗଦର୍ଶନ ଆମ ଦେଶର ରାଜନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଏହି ପ୍ରସଙ୍ଗରେ ବାଂଲାଦେଶର ସାମ୍ପ୍ରତିକ ନିର୍ବାଚନ ଏକ ଗଭୀର ବାର୍ତ୍ତା ନେଇ ଆସିଛି। ଅନେକ ରାଜନୈତିକ ବିଶ୍ଳେଷକ ଏହି ଫଳାଫଳକୁ କେବଳ ଗୋଟିଏ ଦଳର ପରାଜୟ ଭାବରେ ନୁହେଁ, ବରଂ ଏକ ବୃହତ୍ ଭୌଗୋଳିକ-ରାଜନୈତିକ ପରିପ୍ରେକ୍ଷୀରେ “ପାକିସ୍ତାନୀ ପ୍ରଭାବର ପରାଜୟ” ଭାବେ ଦେଖୁଛନ୍ତି।
ଏହି ପରିପ୍ରେକ୍ଷୀରେ ବାଂଲାଦେଶର ଫଳାଫଳ କ’ଣ ଭାରତୀୟ ରାଜନୀତି—ବିଶେଷକରି କଂଗ୍ରେସ ଓ ଓଡ଼ିଶାର ବିଜେଡି—ପାଇଁ କୌଣସି ଇଙ୍ଗିତ ଦେଉଛି କି?
ଜମାତ-ଏ-ଇସଲାମିର ପରାଜୟ କି ଏକ ଭୌଗୋଳିକ ବାର୍ତ୍ତା?
ବାଂଲାଦେଶରେ ଜମାତ-ଏ-ଇସଲାମି ବାଂଲାଦେଶ ଦୀର୍ଘଦିନ ଧରି ଏକ କଠୋରପନ୍ଥୀ ଇସଲାମିକ ରାଜନୈତିକ ଶକ୍ତି ଭାବେ ପରିଚିତ। ଦଳଟିର ଐତିହାସିକ ମୂଳ ମଧ୍ୟ ପାକିସ୍ତାନୀ ରାଜନୀତି ସହିତ ଜଡ଼ିତ। ବାଂଲାଦେଶର ମୁକ୍ତିଯୁଦ୍ଧ ସମୟରେ ଦଳଟିର ଭୂମିକା ନେଇ ଏବେ ବି ବିବାଦ ରହିଛି। ତେଣୁ ଏହି ଦଳର ନିର୍ବାଚନୀ ପ୍ରଦର୍ଶନ ସଦା ଭାବନାତ୍ମକ ଓ ଐତିହାସିକ ମୂଲ୍ୟବୋଧ ସହିତ ଜଡ଼ିତ ଥାଏ।

ଯେତେବେଳେ ଶେଖ୍ ହାସିନାଙ୍କ ସରକାର ପତନ ପରେ ବାଂଲାଦେଶର ରାଜନୀତି ଅସ୍ଥିର ହେଲା, ସେତେବେଳେ ପଡ଼ୋଶୀ ପାକିସ୍ତାନର ରାଜନୈତିକ ମଣ୍ଡଳୀରୁ ଜମାତ-ଏ-ଇସଲାମି ସହ ସମ୍ପର୍କ ବଢ଼ାଇବାର ଖବର ଆସିଲା।
ବିଶେଷକରି ଶେହବାଜ ସରିଫ୍ଙ୍କ ଶାସନକାଳରେ ଏହି ସମ୍ପର୍କର ଗୁରୁତ୍ୱ ନେଇ ଚର୍ଚ୍ଚା ହେଲା। ଏହାକୁ ଅନେକେ ଭାରତ ବିରୋଧୀ ଏକ ବ୍ୟୁହର ଅଂଶ ଭାବେ ମଧ୍ୟ ବ୍ୟାଖ୍ୟା କଲେ।
କିନ୍ତୁ ନିର୍ବାଚନୀ ଫଳାଫଳ ଅନ୍ୟ କଥା କହିଲା। ଜମାତ-ଏ-ଇସଲାମି ଆଶାକରୁଥିବା ଫଳ ମିଳାଇପାରିଲା ନାହିଁ। ୩୦୦ ଆସନରୁ ମାତ୍ର ୭୭ ଆସନରେ ସୀମିତ ରହିଲା। ସେମାନଙ୍କ ଜିତିଥିବା ଆସନ ସଂଖ୍ୟା ସ୍ପଷ୍ଟ କରିଦେଲା ଯେ ବାଂଲାଦେଶର ମତଦାତାମାନେ ବିଦେଶୀ ପ୍ରଭାବକୁ ଅସ୍ୱୀକାର କରିଛନ୍ତି। କିନ୍ତୁ ବାଂଲାଦେଶର ଜନସାଧାରଣ ତାଙ୍କ ଦେଶରେ ପାକିସ୍ତାନର ହସ୍ତକ୍ଷେପକୁ ପସନ୍ଦ କରି ନାହାନ୍ତି। ତେଣୁ ଜମାତ-ଏ-ଇସଲାମି ଦଳକୁ ବାଂଲାଦେଶ ନାଗରିକମାନେ ପରାଜିତ କରି ପାକିସ୍ତାନ ଦୃଢ଼ ରାଜୈତିକ ବାର୍ତ୍ତା ଦେଇଛନ୍ତି। ଏହି ପରାଜୟକୁ ତେଣୁ କେବଳ ଦଳୀୟ ହାର ଭାବେ ନୁହେଁ, ଏକ ରାଜନୈତିକ ବାର୍ତ୍ତା ଭାବେ ଦେଖାଯାଉଛି। ପ୍ରଶ୍ନ ହେଉଛି—ବାଂଲାଦେଶର ମତଦାତା କାହାକୁ ପରାଜିତ କଲେ? ଏକ ଦଳକୁ, ନା କି ଏକ ଭୌଗୋଳିକ ରାଜନୈତିକ ପ୍ରଭାବକୁ?
ଜନମତର ରାୟ ସ୍ପଷ୍ଟ କରୁଛି ଯେ ଦେଶୀୟ ଗୌରବ ଓ ସ୍ୱାଧୀନ ନୀତିକୁ ଛାଡ଼ି ବିଦେଶୀ ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ।
ଛାତ୍ର ଆନ୍ଦୋଳନରୁ ରାଜନୀତି—ଜେନ ଜି’ର ସୀମା

ଶେଖ୍ ହାସିନାଙ୍କ ବିରୋଧରେ ଛାତ୍ର ଆନ୍ଦୋଳନ ବାଂଲାଦେଶରେ ଏକ ବଡ଼ ଘଟଣା ଥିଲା। ସେହି ଆନ୍ଦୋଳନରୁ ଉତ୍ପନ୍ନ ଯୁବ ନେତାମାନେ “ଜେନ ଜି” ନାମରେ ପରିଚିତ ହେଲେ। ସେମାନେ ପରେ ରାଜନୈତିକ ଦଳ ଗଠନ କରି ନିର୍ବାଚନରେ ଲଢ଼ିଲେ। କିନ୍ତୁ ନିର୍ବାଚନୀ ମଞ୍ଚରେ ସେମାନଙ୍କ ସଫଳତା ସୀମିତ ରହିଲା। ସେମାନେ ମଧ୍ୟ ନିର୍ବାଚନ ମଇଦାନରେ ମୁହଁମାଡ଼ି ପଡ଼ିଛନ୍ତି। ଆନ୍ଦୋଳନ କରି ସରକାର ପରିବର୍ତ୍ତନ କରିବା ଏବଂ ଗଣତାନ୍ତ୍ରିକ ଭାବେ ଲୋକଙ୍କ ବିଶ୍ୱାସ ଜିତିବା ମଧ୍ୟରେ ଯେ ଆକାଶ ପାତାଳ ପାର୍ଥକ୍ୟ ଅଛି, ତାହା ଏହି ଫଳାଫଳରୁ ପ୍ରମାଣିତ ହୋଇଛି।
ଆନ୍ଦୋଳନର ମୁଖ୍ୟ ସୂତ୍ରଧରମାନେ ଗଠନ କରିଥିବା ନ୍ୟାସନାଲ ସିଟିଜେନ ପାର୍ଟି ମାତ୍ର ୩୦ଟି ଆସନରେ ଲଢ଼ିବା ପାଇଁ ସକ୍ଷମ ହୋଇଥିବାବେଳେଏଥିରୁ ୬ଟି ଆସନରେ ବିଜୟୀ ହୋଇଛନ୍ତି।
ଯେଉଁ ୨୭ ବର୍ଷୀୟ ନାହିଦ-ଉଲ୍-ଇସଲାମଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରାଯାଉଥିଲା, ସେ ଢାକା-୧୧ ଆସନରେ ଅତି କଷ୍ଟରେ ମାତ୍ର ୨୦୦୦ ଭୋଟ୍ ବ୍ୟବଧାନରେ ଜିତିଛନ୍ତି।
ଏଥିରୁ ଜଣାପଡ଼ୁଛି ଯେ, ରାସ୍ତାଘାଟରେ ହଙ୍ଗାମା କରୁଥିବା ଭିଡ଼ ସବୁବେଳେ ଭୋଟରଙ୍କ ପ୍ରତିନିଧିତ୍ୱ କରେ ନାହିଁ।
ଯୁବ ଉତ୍ସାହ ଏକ ଆନ୍ଦୋଳନକୁ ଜନ୍ମ ଦେଇପାରେ, କିନ୍ତୁ ରାଜନୀତିରେ ସ୍ଥାୟୀତ୍ୱ ପାଇଁ ସଂଗଠନ, ଦୃଷ୍ଟିକୋଣ ଓ ଅନୁଭବ ଦରକାର। ଏହି ତଥ୍ୟ ବାଂଲାଦେଶର ମତଦାତାମାନେ ପ୍ରକାଶ କରିଦେଲେ। ଯୁବ ନେତା ନାହିଦ-ଉଲ୍-ଇସଲାମଙ୍କ ଅତି କମ ଭୋଟରେ ଜିତ ମଧ୍ୟ ଏହି ସତ୍ୟକୁ ସ୍ପଷ୍ଟ କରେ—ସୋସିଆଲ ମିଡିଆର ଆବେଗ ଏବଂ ମାଟିର ରାଜନୀତି ଏକ ନୁହେଁ। ଆନ୍ଦୋଳନର ଉତ୍ସାହ ଓ ଭୋଟର ଆଶ୍ୱାସନ ଏକ ନୁହେଁ। ସଡ଼କର ଜୋଷ ମତବାକ୍ସରେ ସ୍ଥାୟୀ ସମର୍ଥନ ହୋଇ ନାହିଁ। ଯୁବ ନେତୃତ୍ୱ ପ୍ରତି ଆକର୍ଷଣ ଥିଲା, କିନ୍ତୁ ପ୍ରଶାସନିକ କ୍ଷମତା ଓ ନୀତିର ସ୍ପଷ୍ଟତା ନେଇ ସନ୍ଦେହ ଥିଲା।
ଭାରତୀୟ ପରିପ୍ରେକ୍ଷୀରେ ଏକ ସମ୍ଭାବ୍ୟ ସମାନତା?
ବାଂଲାଦେଶର ଏହି ଫଳାଫଳକୁ ଭାରତର ବିରୋଧୀ ରାଜନୀତି ସହିତ ତୁଳନା କରାଯାଉଛି। ବିଶେଷକରି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଓ ଓଡ଼ିଶାର ବିଜୁ ଜନତା ଦଳର କିଛି ନେତାଙ୍କ ରଣନୀତି ଏହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।
ବାଂଲାଦେଶର ଏହି ଘଟଣାକ୍ରମ ଭାରତର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଏକ ବଡ଼ ଶିକ୍ଷା। ବିଗତ କିଛି ବର୍ଷ ଧରି ରାହୁଲ ଗାନ୍ଧି ନିର୍ବାଚନୀ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବାରେ ବିଫଳ ହେବା ପରେ, ସେ ବାରମ୍ବାର ସଡ଼କ ଆନ୍ଦୋଳନ ଓ ଯୁବସମାଜକୁ ଉସୁକାଇବା ଭଳି ରାଜନୀତି କରୁଥିବା ଅଭିଯୋଗ ହେଉଛି।
ଭାରତରେ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାଜନୈତିକ ଲଢ଼େଇ ଦୀର୍ଘଦିନ ଧରି ଚାଲିଛି। କିନ୍ତୁ ଯଦି ବିରୋଧୀ ଶକ୍ତିମାନେ ମତଦାତାଙ୍କ ମନୋଭାବ ବୁଝିବାରେ ଅକ୍ଷମ ହୁଅନ୍ତି ଏବଂ କେବଳ ଆନ୍ଦୋଳନକୁ ଭରସା କରନ୍ତି, ତେବେ ତାହା ବାଂଲାଦେଶର ଜେନ ଜି ପରି ଫଳ ଦେଇପାରେ।
ବାଂଲାଦେଶର ‘ଛାତ୍ର ବିଦ୍ରୋହ’ ମଡେଲକୁ ଭାରତରେ ପ୍ରୟୋଗ କରିବାକୁ ଚାହୁଁଥିବା ରାଜନୈତିକ ଶକ୍ତିମାନେ ବୁଝିବା ଉଚିତ ଯେ, ଗଣତନ୍ତ୍ରରେ ଲୋକେ ସ୍ଥିରତା ଚାହାଁନ୍ତି, ଅସ୍ଥିରତା ନୁହେଁ। ରାହୁଲ ଗାନ୍ଧିଙ୍କ “ଜାତି ଜନଗଣନା” ବା “ସମ୍ବିଧାନ ବିପଦରେ” ଭଳି ପ୍ରଚାର ଯୁବପିଢ଼ିଙ୍କୁ କିଛି ସମୟ ପାଇଁ ଆକୃଷ୍ଟ କରିପାରେ, କିନ୍ତୁ ଶାସନ ଗାଦିରେ ବସିବା ପାଇଁ ଏହା ଯଥେଷ୍ଟ ନୁହେଁ।
ବିଜେଡି ନେତାଙ୍କୁ ମଧ୍ୟ ଚେତାବନୀ
ଓଡ଼ିଶାରେ ୨୪ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳ (ବିଜେଡି)ର ନେତାମାନେ ଏବେ ବାଂଲାଦେଶ ଢାଞ୍ଚାରେ ନିଜର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ୁଛି।
ଦଳର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଓଡ଼ିଶାରେ “ଜେନ୍ ଜି” ଆନ୍ଦୋଳନ କରିବାକୁ ଦିବାସ୍ୱପ୍ନ ଦେଖୁଛନ୍ତି। କ୍ଷମତା ହରାଇବାର କିଛିମାସ ମଧ୍ୟରେ ସେମାନେ ଯୁବକମାନଙ୍କୁ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଉଛନ୍ତି।
କିନ୍ତୁ ବାସ୍ତବତା ହେଲା ଓଡ଼ିଶାର ଭୋଟରମାନେ ଶାନ୍ତିପ୍ରିୟ। ବିଜେଡି ନେତାମାନେ ବାଂଲାଦେଶର ଛାତ୍ର ଆନ୍ଦୋଳନରୁ ପ୍ରେରଣା ପାଇ ଓଡ଼ିଶାରେ ସେଭଳି କିଛି କରିବାକୁ ଯେଉଁ ଯୋଜନା କରୁଛନ୍ତି, ତାହା ସେମାନଙ୍କ ପାଇଁ ବୁମେରାଂ ହେବାର ଆଶଙ୍କା ଅଧିକ। ବାଂଲାଦେଶର ଭୋଟର ଯେଭଳି ଉଗ୍ର ଆନ୍ଦୋଳନକାରୀ ଛାତ୍ର ନେତାଙ୍କୁ ପ୍ରତ୍ୟାଖ୍ୟାନ କଲେ, ଓଡ଼ିଶାର ଯୁବପିଢ଼ି ମଧ୍ୟ ଅସ୍ଥିରତା ସୃଷ୍ଟି କରୁଥିବା ନେତାଙ୍କୁ ସେଭଳି ଜବାବ ଦେଇପାରନ୍ତି। କିନ୍ତୁ ମତଦାତାଙ୍କ ନିଷ୍ପତ୍ତି ସଦା ବିଚାରପୂର୍ଣ୍ଣ ଥାଏ। ମାତ୍ର ଭାବନା କିମ୍ବା ଆବେଗ ଦୀର୍ଘସ୍ଥାୟୀ ରାଜନୈତିକ ସଫଳତା ଦେଇନଥାଏ।
କିନ୍ତୁ ବାଂଲାଦେଶର ରାୟ ଏକ ବାର୍ତ୍ତା ଦେଉଛି— କ୍ଷମତା ହାରିଲେ ପରେ ଆନ୍ଦୋଳନର ସ୍ୱପ୍ନ ଦେଖିବା ସହଜ, କିନ୍ତୁ ଜନତା ପ୍ରଶ୍ନ କରିବେ—
“ଶାସନ ସମୟରେ କ’ଣ କରିଥିଲେ?”
ବିଜେଡି ପାଇଁ ଆବଶ୍ୟକ ହେଉଛି ଆତ୍ମପରିଶୋଧନ, ଗଠନାତ୍ମକ ସଂଗଠନର ପୁନର୍ଗଠନ ଓ ନୂତନ ନୀତିର ପ୍ରସ୍ତାବ। କେବଳ ଜେନ ଜି ସ୍ଲୋଗାନ ଦେଇ ଭୋଟ ମିଳିବ ନାହିଁ।
ଲୋକତନ୍ତ୍ରର ମୂଳ ବାର୍ତ୍ତା
ବାଂଲାଦେଶର ନିର୍ବାଚନ ଦେଖାଇଦେଲା ଯେ ଜନମତ ସଦା ସଚେତନ। ବିଦେଶୀ ପ୍ରଭାବ ହେଉ କି ଅତିରିକ୍ତ ଯୁବ ଆବେଗ—ମତଦାତାମାନେ ତାହାକୁ ସଠିକ ଭାବେ ମୂଲ୍ୟାଙ୍କନ କରନ୍ତି। ଲୋକତନ୍ତ୍ରରେ ଶେଷ କଥା ଲୋକଙ୍କର।
ଭାରତୀୟ ବିରୋଧୀ ଦଳମାନଙ୍କ ପାଇଁ ଏହା ଏକ ଅବସର ମଧ୍ୟ। ଆନ୍ଦୋଳନ ଠାରୁ ଅଧିକ ଜରୁରୀ ହେଉଛି ମତଦାତାଙ୍କ ବିଶ୍ୱାସ ଜିତିବା। ଭାବନାତ୍ମକ ନାରା ଠାରୁ ଅଧିକ ଦରକାର ହେଉଛି ନୀତି ଓ ବିକାଶର ଦୃଷ୍ଟିକୋଣ।
ଆନ୍ଦୋଳନ ବନାମ ଜନାଦେଶ: ମୂଳ ପାଠ
ବାଂଲାଦେଶ ଦେଖାଇଦେଲା—
ବିଦେଶୀ ପ୍ରଭାବ ଭୋଟରେ ପ୍ରତ୍ୟାଖ୍ୟାନ ହୋଇପାରେ।
ଛାତ୍ର ଆନ୍ଦୋଳନ ଶାସନ ନିଶ୍ଚିତ କରେନାହିଁ।
ଜନମତ ସବୁବେଳେ ସ୍ଥିରତା ଓ ସ୍ୱାଧୀନ ନୀତିକୁ ପସନ୍ଦ କରେ।
ଭାରତୀୟ ଦଳମାନଙ୍କ ପାଇଁ ଏହା ଏକ ସ୍ପଷ୍ଟ ସନ୍ଦେଶ—
ଆନ୍ଦୋଳନ ଆରମ୍ଭ କରିବା ସହଜ, ଭରସା ଗଢ଼ିବା କଷ୍ଟକର।
ଉପସଂହାର
ବାଂଲାଦେଶର ନିର୍ବାଚନ ଦକ୍ଷିଣ ଏସିଆର ରାଜନୀତିକୁ ଏକ ଆଇନା ଦେଖାଇଦେଲା। ଏହା ପ୍ରମାଣ କରିଦେଲା ଯେ ଲୋକତନ୍ତ୍ରରେ ବାହ୍ୟ ପ୍ରଭାବ ଓ ଅତିରିକ୍ତ ଆବେଗ ଦୀର୍ଘ ସମୟ ଚାଲିନଥାଏ। ମତଦାତାଙ୍କ ମନ ଜିତିବା ପାଇଁ ଦୃଢ଼ ନୀତି, ସଂଗଠନ ଓ ବିଶ୍ୱାସ ଦରକାର।
ଏହି ଫଳାଫଳକୁ ଯଦି ଭାରତୀୟ ରାଜନୀତି ସଠିକ ଭାବେ ବୁଝିପାରେ, ତେବେ ଏହା ଏକ ଚେତାବନୀ ହେବ—ଆନ୍ଦୋଳନଠାରୁ ଅଧିକ ଲୋକମତର ଆଦର ଓ ଗଠିତ ରାଜନୈତିକ ରଣନୀତି ହିଁ ସଫଳତାର ମୂଳମନ୍ତ୍ର।
Also readhttps://purvapaksa.com/a-sign-of-horse-trading/

