ଡ. ସମନ୍ୱୟ ନନ୍ଦ
ଗତ କିଛିଦିନ ତଳେ ବଲୋଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼େଇ ଲଢ଼ୁଥିବା ବଲୋଚ ଲିବରେସନ ଆର୍ମୀର ସଦସ୍ୟମାନେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ନେଇଥିଲେ। ଏହି ପ୍ରସଙ୍ଗ ଗତ କିଛି କିଛିଦିନ ଧରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିଲା। ଏହି ପ୍ରସଙ୍ଗରେ କ’ଣ ହେଲା ଓ ଏହାର ଫଳାଫଳ କ’ଣ ବାହାରିଲା ସେ ବିଷୟରେ ଆଲୋଚନା କରିବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ ବରଂ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମି, ସ୍ଥିତି ଓ ଏହି ଅପହରଣ ଘଟଣା ପରେ ଏହା କେଉଁ ଆଡ଼କୁ ଅଗ୍ରସର ହେବ ସେ ବିଷୟରେ ଆଲୋଚନା କରିବା ହେଉଛି ଉଦ୍ଦେଶ୍ୟ।
ଜାଫର ଏକ୍ସପ୍ରେସକୁ ଅପହରଣ କରାଯିବା କୌଣସି ସାଧାରଣ ଘଟଣା ନୁହେଁ ବରଂ ଏକ ଅସାଧାରଣ ଘଟଣା। ଏହା ପୂର୍ବରୁ ଗତ ଦୁଇବର୍ଷ ଧରି ବଲୋଚୀ ସ୍ୱାଧୀନତା ସଂଗ୍ରାମୀମାନେ ପାକିସ୍ତାନୀ ସେନାର ଯବାନ, ପୋଲିସ ଓ ପ୍ରଶାସନ ଉପରେ ଆକ୍ରମଣ କରି ଆସୁଥିଲେ। ହେଲେ ଏଭଳି ଭାବେ ଗୋଟିଏ ପୂରା ଟ୍ରେନକୁ ଅପହରଣ କରି ନେବାର ଘଟଣା କେବେହେଲେ ଦେଖା ଦେଇନଥିଲା। ଏହି ଟ୍ରେନରେ ଏତେ ସଂଖ୍ୟକ ପାକିସ୍ତାନୀ ସେନାର ଯବାନ ଓ ଆଇଏସଆଇର କର୍ମଚାରୀମାନେ ଉପସ୍ଥିତ ରହିବା ସମ୍ପର୍କରେ ଜାଣିବା,ଏପ ଅପହରଣ କରିବାକୁ ସଠିକ ଯୋଜନା ପ୍ରସ୍ତୁତ କରିବା, ଏହି କାମକୁ କରିବା ପାଇଁ ଆବଶ୍ୟକୀୟ ସମନ୍ୱୟ ସ୍ଥାପିତ କରିବା ହେଉଛି ବଡ଼ କାଠିକର କାମ ଥିଲା। ତେଣୁ ଏହାକୁ ଅତ୍ୟନ୍ତ କଷ୍ଟକର ଅପରେସନ ବୋଲି କୁହାଯାଇପାରେ।
ଗତ ପାଖାପାଖି ଏକମାସ ତଳେ ବଲୋଚିସ୍ତାନର ସ୍ୱାଧୀନତା ପାଇଁ କାମ କରୁଥିବା ସମସ୍ତ ବଲୋଚ ସମୂହମାନେ ଏକାଠି ହୋଇଥିଲେ ଓ ମିଳିତ ଘୋଷଣାନାମା ଜାରୀ କରିଥିଲେ। ଏହି ଘୋଷଣାନାମାରେ ସେମାନେ ମିଳିତଭାବେ କହିଥିଲେ ଯେ ଏବେ ସମସ୍ତ ସମୂହ ପାକିସ୍ତାନୀ ସେନା ଓ ଅନ୍ୟ ସରକାରୀ ପ୍ରତିଷ୍ଠାନ ଉପରେ ଅଲଗା ଅଲଗା ନୁହେଁ ବରଂ ମିଳିତଭାବେ ଉଚିତ ସମନ୍ୱୟ ରକ୍ଷା କରି ଆକ୍ରମଣ କରିବେ। ଏହି ଘୋଷଣା ନାମା ଜାରୀ ହେବାର ଏକ ମାସ ମଧ୍ୟ ପୂର୍ଣ ହୋଇନାହିଁ ଓ ଜାଫର ଏକ୍ସପ୍ରେସର ଅପହରଣ ହୋଇଯାଇଥିଲା। ଏହା ବୋଧହୁଏ ଏହି ଘୋଷଣା ହେବାପରେ ପାକିସ୍ତାନ ବିରୁଦ୍ଧରେ ପ୍ରଥମ ବଡ଼ ଆକ୍ରମଣ । ଏହି ଆକ୍ରମଣ ସ୍ପଷ୍ଟ କରିଦେଇଛି ଯେ ବର୍ତମାନ ବଲୋଚିସ୍ତାନର ସ୍ୱାଧୀନତା ପାଇଁ କାମ କରୁଥିବା ସମସ୍ତ ଶକ୍ତିମାନେ ଏକଜୁଟ୍ ହୋଇ ମିଳିତଭାବେ ଆକ୍ରମଣ କରିବା ଆରମ୍ଭ କରି ଦେଲେଣି।
ବଲୋଚିସ୍ତାନର ଏହି ସ୍ୱାଧୀନତା ସଂଗ୍ରାମୀମାନେ କ’ଣ ଆତଙ୍କବାଦୀ?
ସେମାନଙ୍କର କାର୍ଯ୍ୟ ଓ ବ୍ୟବହାର କ’ଣ ଆତଙ୍କବାଦୀଙ୍କ ପରି ରହିଛି? ଏଠାରେ ଉଲ୍ଲେଖ କରାଯାଇପାରେ ଯେ କାଶ୍ମୀରରେ ସ୍ୱାଧୀନତା ସଂଗ୍ରାମ ଚାଲିଛି ବୋଲି କହି ପାକିସ୍ତାନ ଭାରତକୁ ଭଡ଼ାରେ ଆତଙ୍କବାଦୀ ପଠାଇ ଥାଏ। ପାକିସ୍ତାନ ସରକାର ଓ ଆଇଏସଆଇ ଦ୍ୱାରା ପଠାଯାଇଥିବା ଏହି ଆତଙ୍କବାଦୀମାନେ ବାଛି ବାଛି ହିନ୍ଦୁ ମାନଙ୍କୁ ହତ୍ୟା କରିଥାନ୍ତି। ସେମାନେ ବସରୁ ଲୋକମାନଙ୍କୁ ଓହ୍ଲାଇ ନାମ ପଚାରି ପଚାରି ହିନ୍ଦୁ ହୋଇଥିଲେ ହତ୍ୟା କରିଥାନ୍ତି। ସେମାନେ ଶିଶୁ, ବୟସ୍କ ଲୋକମାନଙ୍କୁ ମଧ୍ୟ ଛାଡ଼ି ନ ଥାନ୍ତି । ସେମାନେ ଶିଶୁମାନଙ୍କୁ ମଧ୍ୟ ନୃଶଂସତାର ସହ ହତ୍ୟା କରିଥାନ୍ତି। ୯୦ ଦଶକରେ କାଶ୍ମୀର ଉପତ୍ୟକା ଜିହାଦ ନାମରେ ଏଭଳି ହିଂସା ବହୁଳ ମାତ୍ରାରେ ଦେଖିଛି । ତା’ ହେଲେ କ’ଣ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମୀମାନେ କ’ଣ ପାକିସ୍ତାନ ଦ୍ୱାରା କାଶ୍ନୀରକୁ ପଠାଯାଇଥିବା ଇସ୍ଲାମୀ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି?
ବଲୋଚ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବ୍ୟବହାର ଜାଫର ଏକ୍ସପ୍ରେସ ଅପହରଣ ମାମଲାରେ ଆମେ ସ୍ପଷ୍ଟଭାବେ ଅନୁଶୀଳନ କରିପାରିବା। ଏହି ଜାଫର ଏକ୍ସପ୍ରେସ ଟ୍ରେନରେ ପାକିସ୍ତାନୀ ସେନାର କିଛି ଅଧିକାରୀ, ଯବାନମାନଙ୍କ ବ୍ୟତୀତ ସାଧାରଣ ଲୋକମାନେ ମଧ୍ୟ ଯାତ୍ରା କରୁଥିଲେ। ଟ୍ରେନକୁ ଅପହରଣ କରିବା ପରେ ବଲୋଚ ସ୍ୱାଧୀନତା ସଂଗ୍ରାମୀମାନେ ଶିଶୁ. ମହିଳା ଓ ବୟସ୍କ ଓ ସାଧାରଣ ଲୋକମାନଙ୍କୁ ଛାଡ଼ି ଦେଇଥିଲେ। ସେମାନେ ଏହି ଲୋକମାନେ କିପରି ସୁରକ୍ଷିତ ଯାଇପାରିବେ ତା’ର ସମ୍ପୂର୍ଣ ବ୍ୟବସ୍ଥା କରିଥିଲେ। ଏବେ ଯାଏ ସେମାନେ ଯେତେ ଆକ୍ରମଣ କରିଛନ୍ତି କେବେ ହେଲେ ସାଧାରଣ ଲୋକମାନଙ୍କୁ ସେମାନେ ଟାର୍ଗେଟ କରିନାହାନ୍ତି।
ଆଉ ଗୋଟିଏ କଥା ହେଲା ଯେ ଟ୍ରେନକୁ ଅପହରଣ କରିବା ପରେ ବଲୋଚ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦାବି ମଧ୍ୟ କ’ଣ ଥିଲା? ତାଙ୍କର ସାଧାରଣ ଦାବି ଥିଲା ଯେ ପାକିସ୍ତାନୀ ସେନା ବଲୋଚିସ୍ତାନର ଯେଉଁ ସାଧାରଣ ଲୋକମାନଙ୍କୁ ଉଠାଇ ନେଇ ଯାଇଛି ସେମାନଙ୍କୁ ମୁକ୍ତ କରାଯାଉ। ଏଠାରେ ଏହା ଉଲ୍ଲେଖ କରିବା ଜରୁରୀ ହେବ ଯେ ପାକିସ୍ତାନୀ ସେନା ବନ୍ଧୁକ ମୂନରେ ବଲୋଚିସ୍ତାନର ସାଧାରଣ ଲୋକମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ ଥିବା କଥା କହି ସେମାନଙ୍କ ପରିବାର ଲୋକମାନଙ୍କୁ ନ ଜଣାଇ ଉଠାଇ ନେଇଥାଏ। ଏଭଳି ହଜାର ହଜାର ନୀରିହ ବଲୋଚ ନାଗରିକମାନଙ୍କୁ ପାକିସ୍ତାନୀ ସେନା ଉଠାଇ ନେଇଥାଏ। କିଛି ଲୋକଙ୍କୁ ଜେଲରେ ପୁରାଇଥାଏ ହେଲେ ଅଧିକାଂଶ ବଲୋଚଙ୍କୁ ପାକିସ୍ତାନୀ ସେନା ହତ୍ୟା କରିଥାଏ।
ପାକିସ୍ତାନୀ ସେନା ବଲୋଚମାନଙ୍କୁ ଉଠାଇବା ପରେ କିଛି ଲୋକଙ୍କର ମୃତ ଦେହ ମିଳିଥାଏ ତ ଅନେକ ଲୋକଙ୍କ ମୃତ ଦେହ ମଧ୍ୟ ମିଳି ନ ଥାଏ । ପାକିସ୍ତାନଦ୍ୱାରା ବଲୋଚିସ୍ତାନର ଆର୍ଥିକ ଶୋଷଣ ତାଙ୍କ ପ୍ରତି ପାକିସ୍ତାନ ଦ୍ୱାରା କରାଯାଉଥିବା ଅନ୍ୟାୟ ପରି ପ୍ରସଙ୍ଗ ବଲୋଚିସ୍ତାନର ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ କାରଣ ନୁହେଁ ବରଂ ପାକିସ୍ତାନୀ ସେନାଦ୍ୱାରା ବଲୋଚ ଲୋକ ମାନଙ୍କୁ ତାଙ୍କ ପରିବାରକୁ ନ ଜଣାଇ ଅପହରଣ କରିବା ବଲୋଚିସ୍ତାନ ଆନ୍ଦୋଳନ ଏତେ ଉଗ୍ରରୂପ ନେବାର ମୁଖ୍ୟ କାରଣ। ହଜାର ହଜାର ସଂଖ୍ୟାରେ ରାଜନୈତିକ ବନ୍ଦୀ ବର୍ଷ ବର୍ଷ ଧରି ପାକିସ୍ତାନୀ ଜେଲରେ ଅଛନ୍ତି। ତେଣୁ ଜାଫର ଏକ୍ସପ୍ରେସ ଅପହରଣ କରିଥିବା ବଲୋଚ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏହି ସାଧାରଣ ଦାବି ଥିଲା। ଆନ୍ଦୋଳନକାରୀମାନେ ପାକିସ୍ତାନଠାରୁ ଅର୍ଥ ମାଗି ପାରିଥାନ୍ତେ, ଅସ୍ତ୍ର ଶସ୍ତ୍ର ମାଗି ପାରିଥାନ୍ତେ ହେଲେ ସେମାନେ ଏପରି ନ କରି ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାର ଦାବି ରଖିଥିଲେ। ମାତ୍ର ପାକିସ୍ତାନୀ ସେନା ଏହି ସାଧାରଣ ଦାବିକୁ ମଧ୍ୟ ପୂରଣ କରିନଥିଲା।
ବଲୋଚିସ୍ତାନର ଏହି ସ୍ୱାଧୀନତା ଆନ୍ଦୋଳନର ଅଗ୍ନି ଧୀରେ ଧୀରେ ଜୋର ଧରିବାରେ ଲାଗିଛି। ପୂର୍ବରୁ ବଲୋଚିସ୍ତାନର ପାର୍ବାତ୍ୟାଞ୍ଚଳରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଏହା ଜଙ୍ଗଲର ନିଆଁ ଭଳି ଏହି ଆନ୍ଦୋଳନ ବ୍ୟାପି ସାରିଲାଣି। ବଲୋଚିସ୍ତାନର ସମସ୍ତ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପାକିସ୍ତାନୀ ସେନାର ପଞ୍ଜାବୀ ସୈନିକମାନଙ୍କ ପାଇଁ ଓ ପ୍ରଶାସନିକ ଅଧିକାରୀମାନେ ଆଉ ବଲୋଚିସ୍ତାନର ଅଞ୍ଚଳରେ ପ୍ରବେଶ କରିପାରୁନାହାନ୍ତି । ସବୁଆଡୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନେ ଲୁଚି ଲୁଚି ଯାଉଛନ୍ତି। ମୋଟ ଉପରେ କହିବାକୁ ଗଲେ ପାକିସ୍ତାନୀ ସେନାର ନିୟନ୍ତ୍ରଣ ସମାପ୍ତ ହେଉଛି।
ଜାଫର ଏକ୍ସପ୍ରେସର ଅପହରଣ ପରେ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମୀଠାରୁ ଆରମ୍ଭ କରି ସାଧାରଣ ବଲୋଚମାନଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପାକିସ୍ତାନୀ ସରକାର ଓ ପାକିସ୍ତାନୀ ସେନା ଓ ପ୍ରଶାସନର ମନୋବଳ ସର୍ବନିମ୍ନ ସ୍ତରରେ ପହଞ୍ଚି ସାରିଛି। ତେଣୁ ଏହାର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ। ପାକିସ୍ତାନୀ ସେନା ଓ ପାକିସ୍ତାନୀ ସରକାରକୁ ହଟାଇ ସ୍ୱାଧୀନ ନ ହେବା ଯାଏ ବଲୋଚମାନେ ଶାନ୍ତିରେ ନିଶ୍ୱାସ ନେବେ ନାହିଁ। ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମ ଇତିହାସରେ ମଧ୍ୟ ଜାଫର ଏକ୍ସପ୍ରେସର ଅପହରଣ କାଣ୍ଡ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି। ଇତିହାସରେ ଯେତେବେଳେ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋଚନା ହେବ ସେତେବେଳେ ଜାଫର ଏକ୍ସପ୍ରେସ ଅପହରଣ ମାମଲାର ପୂର୍ବର ଓ ଜାଫର ଏକ୍ସପ୍ରେସ ଅପହରଣ ମାମଲା ପରର ଏଭଳି ଭାଗରେ ବିଭାଜିତ ହୋଇ ଇତିହାସ ପଢ଼ାଯିବ।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
Also readhttps://purvapaksa.com/double-hapiness-for-mla-jayanarayan-mishra/