ମହିଳାଙ୍କ ପାଇଁ ଅସୁରକ୍ଷିତ ବାଲେଶ୍ଵର ଜିଲ୍ଲାର ରାଜରାସ୍ତା । ସରକାରଙ୍କ ତଥ୍ୟ କହୁଛି ରାଜ୍ୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟ ରାସ୍ତାରେ ଗତ ୪ ବର୍ଷରେ ୫୬୬୮ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ମହିଳା ଅସଦାଚରଣରେ ଭୁବନେଶ୍ଵର ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ବାଲେଶ୍ଵର ଜିଲ୍ଲା ଷଷ୍ଠ ସ୍ଥାନରେ ରହିଛି । ବାଲେଶ୍ଵରରେ ୪ ବର୍ଷରେ ୮୧ ଜଣ ମହିଳା ଓ ଯୁବତୀ ରାସ୍ତାଘାଟରେ ଅସଦାଚରଣର ଶିକାର ହୋଇଛନ୍ତି । ଅଳ୍ପ କିଛି ନ୍ୟାୟ ପାଇଛନ୍ତି । ଅନେକ ଏବେ ନ୍ୟାୟ ଅପେକ୍ଷାରେ। ରାଜ୍ୟରେ କୌଣସି ଅସଦାଚରଣ ସଂଖ୍ୟା ୫ ଶହ ଟପିନଥିବାବେଳେ ଭୁବନେଶ୍ଵର ସର୍ବକାଳୀନ ରେକର୍ଡ କରି ପ୍ରଥମ ସ୍ଥାନରେ ରହିଛି । କିଛି ରହିଛି ଯେଉଁଠି ଗତ ୪ ବର୍ଷ ମଧ୍ୟରେ ରାସ୍ତା ଉପରେ ଜଣେ ହେଲେ ବି ଅସଦାଚରଣର ଶିକାର ହୋଇନାହାନ୍ତି ।
ସରକାରୀ ତଥ୍ୟ କହୁଛି, ଗତ ୪ ବର୍ଷ (୨୦୨୦ରୁ ୨୦୨୪) ମଧ୍ୟରେ ରାଜ୍ୟରେ ୫୬୬୮ଟି ଅସଦାଚରଣ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏ ସବୁ ଘଟଣା ଘଟିଛି ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତାରେ । ପ୍ରଥମ ସ୍ଥାନରେ ରହିଛି କମିଶନରେଟ୍ ପୁଲିସ୍ ଭୁବନେଶ୍ଵର ୟୁପିଡି ।
ଭୁବନେଶ୍ଵରରେ ୧୩୪୧ ଜଣ ଅସଦାଚରଣ ଶିକାର ହୋଇ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି। କଟକ ୟୁପିଡି ଅଞ୍ଚଳରେ ଗତ ୪ ବର୍ଷରେ ମାତ୍ର ୯ଟି ମାମଲା ରୁଜୁ ହୋଇଛି । ଦ୍ଵିତୀୟରେ ରହିଛି ସମ୍ବଲପୁର ଜିଲ୍ଲା । ସମ୍ବଲପୁରରେ ୪୫୩ ଜଣ ଆସଦାଚରଣ ଶିକାର ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । ତୃତୀୟରେ ରହିଛି ନୂଆପଡ଼ା ଜିଲ୍ଲା । ଏହି ଜିଲ୍ଲାରେ ୩୧୦ଟି ଅସଦାଚରଣ ମାମଲା ପୁଲିସ୍ ରୁଜୁ କରିଛି । ଚତୁର୍ଥରେ ଭଦ୍ରକ ୨୪୦ଟି ଅସଦାଚରଣ, ପଞ୍ଚମରେ ପୁରୀ ୧୧୯, ଷଷ୍ଠରେ ବାଲେଶ୍ଵର ୮୧, ସପ୍ତମରେ ଅନୁଗୁଳ ୧୦୭, ଅଷ୍ଟମରେ ବରଗଡ଼ ୪୯, ନବମରେ ବଲାଙ୍ଗିର ୨୮, ଦଶମରେ ଦେବଗଡ଼ରେ ୧୯ ଜଣ ମହିଳା ଅସଦାଚରଣର ଶିକାର ହୋଇଥିଲେ । ସେହି ଭଳି ରାୟଗଡ଼ରେ ୧୮, ବୌଦ୍ଧ, ଜଗତସିଂହପୁର, ନୟାଗଡ଼ ଓ ମୟୂରଭଞ୍ଜରେ ୧ଟି ଲେଖାଏଁ ଅସଦାଚରଣ ଘଟିଥିଲା ।
କଟକ ଗ୍ରାମାଞ୍ଚଳ , ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଝାରସୁଗୁଡା, ସୋନପୁର, ଢେଙ୍କାନାଳ, ଗଞ୍ଜାମ ପୁଲିସ୍ ଜିଲ୍ଲା, ଗଜପତି, ବ୍ରହ୍ମପୁର ପୁଲିସ୍ ଜିଲ୍ଲା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, କଳାହାଣ୍ଡି ଜିଲ୍ଲାରେ ଗତ ୪ ବର୍ଷରେ ମଧ୍ୟରେ ଜଣେ ହେଲେ ବି ଅସଦାଚରଣ ଶିକାର ହୋଇନଥିବା ରିପୋର୍ଟ କହୁଛି ।
ALSO READ https://purvapaksa.com/bjd-stages-massive-protest-outside-odisha-secretariat/
