ଆଗାମୀ ବିହାର ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜ ଦଳର ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଡ଼ ଦାୟିତ୍ୱ ଦେଇଛି। ଆସନ୍ତାବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ବିଜେପି ନିଯୁକ୍ତ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ବିଜେପିଶ୍ରୀ ପଣ୍ଡାଙ୍କୁ ସେଠାରେ ପ୍ରଭାରୀ ଓ ସଂଗଠନ ଇନଚାର୍ଜ ଭାବେ ନିଯୁକ୍ତ କରିଥିଲା। ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିବା ବିଜେପି ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ସକ୍ଷମ ହୋଇଥିଲା। ସେହିପରି ଉତ୍ତର ପ୍ରଦେଶ ଓ ଆସାମର ସଂଗଠନ ଦାୟିତ୍ୱରେ ମଧ୍ୟ ବୈଜୟନ୍ତ ପଣ୍ଡା ଦାୟିତ୍ୱ ସଫଳତାର ସହ ତୁଲାଇ ସାରିଛନ୍ତି।
ଏହି ସଫଳତା ପରେ ଏବେ ବୈଜୟନ୍ତଙ୍କ କାନ୍ଧରେ ତାମିଲନାଡୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଦକ୍ଷିଣ ଭାରତ ବିଶେଷ କରି ତାମିଲନାଡୁରେ ବିଜେପିର ସେତେଟା ଦବଦବା ନାହିଁ। ଏପରି ସ୍ଥିତିରେ ଶ୍ରୀ ପଣ୍ଡା ଦଳର ନିର୍ବାଚନ ଦାୟିତ୍ୱ କେମିତି ତୁଲାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ବର୍ଷ ଏପ୍ରିଲ-ମେ’ ବେଳକୁ ତାମିଲନାଡୁ ବିଧାନସଭା ନିର୍ବାଚନ ହୋଇପାରେ। କିନ୍ତୁ ବିଜେପି ଏବେ ଠାରୁ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ନିଯୁକ୍ତ କରିଛି। ଏଠାରେ ବିଜେପି ସହ ପ୍ରଭାରୀ ଭାବେ ମୁରଲୀଧର ମୋହୋଲଙ୍କୁ ଦାୟିତ୍ୱ ଦେଇଛି।
ସେହିପରି ଚଳିତ ବର୍ଷ ନଭେମ୍ବର ମାସରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ନିର୍ବାଚନୀ ପ୍ରଭାରୀ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ନିଯୁକ୍ତ କରିଛି। ତାଙ୍କ ବ୍ୟତୀତ ସିଆର ପାଟିଲ ଓ ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ବିହାର ନିର୍ବାଚନ ପାଇଁ ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ବର୍ତ୍ତମାନ ବିହାରରେ ବିଜେପି ଓ ଜେଡିୟୁ ସରକାର ରହିଛି। ପୁଣି କ୍ଷମତା ଦଖଲ ପାଇଁ ଏନଡିଏ ଲାଗି ପଡ଼ିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ଏହାବାଦ ଆସନ୍ତାବର୍ଷ ଫେବୃଆରୀରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମମତା ବାନାର୍ଜୀଙ୍କ ଟିଏମସି ସହ ବିଜେପିର ସିଧା ଲଢ଼େଇ ଚାଲିଥିବା ବେଳେ ରାଜ୍ୟର ନିର୍ବାଚନ ପ୍ରଭାରୀ ଭାବେ ଭୂପେନ୍ଦର ଯାଦବଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କ ନେତୃତ୍ୱରେ ବିଜେପି ବେଙ୍ଗଲରେ ମମତାଙ୍କୁ ଟକ୍କର ଦେବ। ପଶ୍ଚିମବଙ୍ଗ ପାଇଁ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦେଇଛି ବିଜେପି।
ALSO READ https://purvapaksa.com/stamp-duty-and-registration-fee-of-rs-83-crore-not-collected-from-lessees/
