ଗତ କିଛି ସପ୍ତାହ ଧରି ଯେଉଁ ପ୍ରସଙ୍ଗଟି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ସଡ଼କ, ଆଲୋଚନା ମଞ୍ଚ ଏପରିକି ସର୍ବୋଚ୍ଚ ଅଦାଲତଙ୍କୁ ତର୍କ ବିତର୍କ ମୁଖର କରି ରଖିଆସିଛି, ତାହା ହେଲା ଭାରତୀୟ ସଡ଼କରେ ସର୍ବବିଦ୍ୟମାନ ଚତୁଷ୍ପଦ ବୁଲା କୁକୁରମାନଙ୍କ ଉପଦ୍ରବକୁ କେନ୍ଦ୍ର କରି। ଏହି ପ୍ରାଣୀଗୁଡ଼ିକ ଅଗତ୍ୟା ମନୁଷ୍ୟର ସର୍ବାଧିକ ବିଶ୍ଵାସୀ ବନ୍ଧୁ ରୂପେ ମଧ୍ୟ ଖ୍ୟାତ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ କିଛି ବୁଲା କୁକୁରଙ୍କ ଆକ୍ରମଣ ହେତୁ ଗୋଟିଏ କୁନି ଝିଅ ମୃତ୍ୟୁ ବରଣ କରିବା ଭଳି ଏକ ଅତ୍ୟନ୍ତ ମର୍ମନ୍ତୁଦ ଅଘଟଣ ପରେ ବିଚଳିତ ମାନ୍ୟବର ସର୍ବୋଚ୍ଚ ଅଦାଲତ ନିଜଆଡୁ ସମସ୍ୟାଟିକୁ ବିଚାର ପରିସରଭୁକ୍ତ କରି ରାୟ ଦେଇଥିଲେ ଯେ ଆଠ ଦିନ ମଧ୍ୟରେ ପୌର ନିଗମ ପକ୍ଷରୁ ସହରର ସବୁ ବୁଲା କୁକୁରଙ୍କୁ ଟେକି ନେଇ କୁକୁର ଆଶ୍ରୟ ଗୃହଗୁଡ଼ିକରେ ଆବଦ୍ଧ କରାଯାଉ। କିନ୍ତୁ ଉପରୋକ୍ତ ରାୟ ଏଭଳି ବ୍ୟାପକ ବିରୋଧ, ପ୍ରତିବାଦ ଏବଂ ସାମାଜିକ ଗଣମାଧ୍ୟମ କଳହ ସୃଷ୍ଟି କରିଥିଲା ଯେ ଗଲା ୨୨ ତାରିଖ ଦିନ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ପୂର୍ବ ରାୟରେ ପରିବର୍ତ୍ତନ ଘଟାଇ ଆଉ ଏକ ରାୟ ପ୍ରଦାନ କରାଗଲା, ଯାହା ସରଗରମ ପରିବେଶକୁ ଶୀତଳ କରିଛି।
କିନ୍ତୁ କଥା ହେଲା, ବୁଲା କୁକୁରମାନଙ୍କ ପ୍ରାଦୁର୍ଭାବ ଓ ତା’ର ସମାଧାନ, ମନୁଷ୍ୟମାନଙ୍କ ଉପରେ ସେମାନଙ୍କ ନିର୍ଭରଶୀଳତା ଓ ସେମାନଙ୍କ ଅସ୍ଥିତ୍ଵ ସଂକଟକୁ ଘେନି ମୂଳ ପ୍ରସଙ୍ଗମାନଙ୍କର ସୁଦୀର୍ଘ ଆଲୋଚନା ଓ କାର୍ଯ୍ୟାନୁଷ୍ଠାନ ଲାଗି ଅବକାଶ ସୃଷ୍ଟି କରିଛି।
ମାନ୍ୟବର ସୁପ୍ରିମ କୋର୍ଟଙ୍କ ପ୍ରଥମ ରାୟଟି ସଂପୂର୍ଣ୍ଣ ରୂପେ ଅପାଳନୀୟ ଥିଲା। କାରଣ ଦିଲ୍ଲୀର କୁକୁର ଆଶ୍ରୟ ସ୍ଥଳଗୁଡ଼ିକରେ ଅତି ଅଧିକରେ ହୁଏତ ୨୩ ହଜାର କୁକୁର କଷ୍ଟେମଷ୍ଟେ ସ୍ଥାନ ପାଇପାରିବେ। ଏଣେ, ଦିଲ୍ଲୀର ବୁଲା କୁକୁରଙ୍କ ସଂଖ୍ୟା ହେଉଛି ପ୍ରାୟ ୧୦ ଲକ୍ଷ । ପୁଣି ଅଦାଲତଙ୍କ ଦ୍ୱାରା ଧାର୍ଯ୍ୟ ସମୟ ସୀମା ଥିଲା ମାତ୍ର ଆଠ ଦିନ । ସୁତରାଂ, ଏଭଳି ଏକ ନିୟମକୁ ପାଳନ କରାଯିବାର ଅର୍ଥ ପ୍ରକାରାନ୍ତରେ କୁକୁରମାନଙ୍କ ସମୂହ ବଧ; ଯେଉଁ ଆଶଙ୍କା କାରଣରୁ ଅଗତ୍ୟା ପ୍ରାଣୀ ପ୍ରେମୀମାନେ ତୀବ୍ର ପ୍ରତିକ୍ରିୟାଶୀଳ ଓ ପ୍ରତିବାଦମୁଖର ହୋଇ ଉଠିଲେ।
ଏହି ସଂଦର୍ଭରେ ମାଡ୍ରାସ ଆଇ.ଆଇ.ଟି. ଦ୍ଵାରା ଲବ୍ଧ ଏକ ସୂଚନା ପ୍ରଣିଧାନଯୋଗ୍ୟ। ଏଥିରୁ ହୃଦ୍ବୋଧ କରି ହେବ ଯେ ଏଭଳି ଆଶଙ୍କା ଅମୂଳକ ମଧ୍ୟ ନୁହେଁ। ସେହି ସୂଚନା କହିଥିଲା ଯେ ଆଇ.ଆଇ.ଟି. କ୍ୟାମ୍ପସ ଓ ତା’ର ଆଖପାଖ ଅଞ୍ଚଳରୁ ଖୁଆଡ଼କୁ ନିଆଯାଇଥିବା ବୁଲା କୁକୁରଙ୍କ ମଧ୍ୟରୁ ୩୦ ପ୍ରତିଶତ ବର୍ଷକ ମଧ୍ୟରେ ନିଶ୍ଚିହ୍ନ ହୋଇଯାଇଥିଲେ।
କିନ୍ତୁ ବୁଲା କୁକୁରଗୁଡ଼ିକ ଦ୍ୱାରା ସୃଷ୍ଟି ସମସ୍ୟା ସେ ଅତ୍ୟନ୍ତ ଉତ୍କଟ, ତାହା ମଧ୍ୟ ସ୍ବୀକାର୍ଯ୍ୟ । ୨୦୧୯ ମସିହାରେ ହୋଇଥିବା ଗଣନା ଅନୁସାରେ ଭାରତରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ୧.୫ କୋଟି(ଯାହା ଏବେ ଆହୁରି ଅଧିକ ହୋଇଥିବ)। ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ ବର୍ଷକୁ ପ୍ରାୟ ୩୫ ଲକ୍ଷ ଭାରତୀୟ କୁକୁର କାମୁଡାର ଶିକାର ହୁଅନ୍ତି ଏବଂ ବାର୍ଷିକ ୫,୨୦୦ ଜଣ ଚଳଚିତ ଦୁରାରୋଗ୍ୟ ଜଳାତଙ୍କରେ ମୃତ୍ୟୁ ବରଣ କରିଛି ।
ଏହା ଅବଶ୍ୟ ସତ ଯେ କୌଣସି ବୁଲା ଜନ୍ତୁ ମୂଷା, ଚୁଚୁନ୍ଦ୍ରା, ବିରାଡ଼ିଙ୍କ କାମୁଡ଼ା ଜଳାତଙ୍କର କାରଣ ହୋଇପାରେ। କିନ୍ତୁ ପ୍ରତି ୪ଟି ଜନ୍ତୁ କାମୁଡ଼ା ମଧ୍ୟରୁ ୩ଟି କୁକୁର କାମୁଡା ହୋଇଥିବାରୁ ସ୍ବାଭାବିକ ଭାବେ ଏହି ପ୍ରାଣୀଟିକୁ ଅଧିକ ଦୋଷଯୁକ୍ତ କରିଥାଏ।
ଏଭଳି ସ୍ଥଳେ ବୁଲା କୁକୁରମାନଙ୍କ ସଂଖ୍ୟାର ନିୟନ୍ତ୍ରଣ ଏବଂ କ୍ରମ ହ୍ରାସମାନ କରିବାର ଉଦ୍ୟମ ଯେ ନିତାନ୍ତ ଜରୁରୀ, ତହିଁରେ କୌଣସି ଦ୍ବିମତ ନାହିଁ । ଏହି ପରିପ୍ରେକ୍ଷୀରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ସଦ୍ୟତମ ରାୟ ଯଥୋଚିତ ଭଳି ମନେ ହୁଏ, ଯହିଁରେ କୁକୁରମାନଙ୍କ ବନ୍ଧ୍ୟାକରଣ ଓ ଟିକାକରଣ(‘ଭେକସିନେସନ) ଅଭିଯାନ ଉପରେ ଗୁରୁତ୍ବ ଆରୋପ କରାଯାଇଛି ।ଏହା ସହିତ ଘର ସାମନାରେ କୁକୁରଙ୍କୁ ଖାଦ୍ୟ ଦେବାର ଅଭ୍ୟାସ ଉପରେ ଅଦାଲତ ନିଷେଧାଦେଶ ଜାରି କରି ପ୍ରତ୍ୟେକ ୱାର୍ଡରେ ଏକ ‘କୁକୁର ଖୁଆଇବା ଅଞ୍ଚଳ’ ଚିହ୍ନଟ କରିବାକୁ ଆଦେଶ ଦେଇଛନ୍ତି, ଯେଉଁଠି ଆଗ୍ରହୀ ବ୍ୟକ୍ତିବିଶେଷ ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇ ପାରିବେ।
କୁକୁରମାନଙ୍କ ବ୍ୟବହାରକୁ ଅନୁଧ୍ୟାନ କରୁଥିବା ବିଶେଷଜ୍ଞମାନେ କହି ଥାଆନ୍ତି ଯେ ଘର ସାମନାରେ ଖାଦ୍ୟ ଦିଆଗଲେ କୁକୁରଗୁଡ଼ିକ ଅଗତ୍ୟା ସେହି ଘରକୁ ଆପଣାର ମନେ କରି କୌଣସି ଅପରିଚିତ ହତା ପ୍ରବେଶକାରୀଙ୍କୁ ଆକ୍ରମଣ କରିଥାଆନ୍ତି। ସେମାନଙ୍କ ମତରେ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟଟି ଅନୁପାଳନଯୋଗ୍ୟ, ଯାହାର ବାସ୍ତବ ରୂପାୟନ ସହରର ସଡ଼କଗୁଡ଼ିକୁ ବୁଲା କୁକୁରମୁକ୍ତ ହେବା ଦିଗରେ ବାଟ କଢ଼ାଇବ।
ପୃଥିବୀର ସମସ୍ତ ଦେଶରେ ବୁଲା କୁକୁର ସମସ୍ୟାର ସମାଧାନ ଲାଗି ନିୟମ, ଆଇନ ଓ ନିରନ୍ତର ଉଦ୍ୟମ ପରିଦୃଷ୍ଟ ହୋଇଥାଏ। କୁକୁରଙ୍କ ସଂଖ୍ୟା ବୃଦ୍ଧିକୁ ପ୍ରତିହତ କରିବାରେ ଜନ୍ମ ନିୟନ୍ତ୍ରଣ ହିଁ ସଫଳତମ ଉପାୟ ରୂପେ ପ୍ରମାଣିତ ହୋଇଛି । ନବମ ଦଶକରୁ ଏ ଦିଗରେ ପଥୀକୃତ ଉଦ୍ୟମ କରି ନେଦରଲାଣ୍ଡ ସଂପ୍ରତି ପୃଥିବୀର ଏକମାତ୍ର ବୁଲା କୁକୁର ଶୂନ୍ୟ ରାଷ୍ଟ୍ରର ବିରଳ ସ୍ଵୀକୃତି ଲାଭ କରିଛି ।
ଆମ ଦେଶରେ ପ୍ରତ୍ୟେକ ପ୍ରସବକ୍ଷମ କୁକୁର ମୋଟ ହାରାହାରି ୧୨ରୁ ୧୫ ଶାବକଙ୍କୁ ଭୂମିଷ୍ଠକରାଏ, ଯହିଁରୁ ପ୍ରାୟ ୬୩% ସଡ଼କ ଦୁର୍ଘଟଣା, ରୋଗ ଓ ଅନ୍ୟାନ୍ୟ କାରଣରୁ ଯୌବନରେ ପହଞ୍ଚି ପାରନ୍ତି ନାହିଁ। ସେହି ଦୃଷ୍ଟିରୁ ଏକ ହିସାବରୁ ପ୍ରକାଶ ଯେ ୨୦% କୁକୁରଙ୍କ ବନ୍ଧ୍ୟାକରଣ ବଳରେ ସେମାନଙ୍କ ସଂଖ୍ୟାରେ ତୀବ୍ର ସଂକୋଚନ ଘଟାଯାଇ ପାରିବ। ସେହିଭଳି ସଘନ ଟିକାକରଣ ଦ୍ଵାରା ସେମାନଙ୍କୁ ଜଳାତଙ୍କର ବାହକ ହେବାରୁ ମୁକ୍ତ କରାଯାଇପାରିବ।
ଯଦି ଭାରତର କେତେକ ସହରରେ(ବେଙ୍ଗାଳୁରୁ ଭଳି) ଏ ନେଇ ପ୍ରୟାସ ହେଉଛି ; ସମଗ୍ର ଦେଶରେ ଏକ ନୀତି ଆଧାରରେ ଉଦ୍ୟମ ପରିଦୃଷ୍ଟ ହେଉନାହିଁ। ସେ ଦୃଷ୍ଟିରୁ ଏ କ୍ଷେତ୍ରରେ ପୃଥିବୀର ସର୍ବବୃହତ୍ ଅଭିଯାନ ଚଳାଇ ଥାଇଲାଣ୍ଡ ଉଦାହରଣୀୟ ହେଲାଣି। କେବଳ ସେତିକି ନୁହେଁ, ପୋଷା କୁକୁରଗୁଡ଼ିକୁ ବିଭିନ୍ନ କାରଣରୁ ପରିତ୍ୟାଗ କରି ଦେଉଥିବା ଲୋକଙ୍କ ବିରୋଧରେ ମଧ୍ୟ ଅତ୍ୟନ୍ତ କଠୋର ଦଣ୍ଡର ପ୍ରାବଧାନ କରିବା ଦରକାର। ୟୁରୋପୀୟ ଦେଶଗୁଡ଼ିକରେ ଜେଲ ଦଣ୍ଡ ବା ଅନ୍ୟୁନ ରାଶିର ଜରିମାନା ଆକାରରେ ଦେଖିବାକୁ ମିଳେ ।
ଉଲ୍ଲେଖଯୋଗ୍ୟ ଯେ ଅନେକ ଭାରତୀୟ ପରିବାର ହାଲୁକା ସଉକ ଚରିତାର୍ଥ କରିବା ଲାଗି ଅପେକ୍ଷାକୃତ ଅଧିକ ହିଂସ୍ର ବା ଆକ୍ରମଣ ସ୍ଵଭାବଧାରୀ ବିଦେଶୀ ଜାତିର କୁକୁର ଆଣି ପାଳନ୍ତି। କ୍ରମେ ସମ୍ଭାଳିବାକୁ ଅସମର୍ଥ ହେଲେ ସେଗୁଡିକୁ ସଡ଼କ ଉପରେ ଛାଡ଼ି ଦିଅନ୍ତି।ଏହି ପରିତ୍ୟକ୍ତ କୁକୁରଗୁଡ଼ିକ ସହସା ଅସୁରକ୍ଷିତ ହୋଇପଡ଼ି ଅଧିକ ହିଂସ୍ର ହୁଅ ଏବଂ କ୍ରମେ ସେମାନଙ୍କ ପ୍ରଭାବରେ ଆକ୍ରମଣକାରୀ କୁକୁର ଦଳଟିଏ ମଧ୍ୟ ସୃଷ୍ଟି ହୋଇଯାଏ। ଏହି ପରିପ୍ରେକ୍ଷୀରେ ବୁଲା କୁକୁରଗୁଡ଼ିକୁ ପୋଷ୍ୟ ରୂପେ ଗ୍ରହଣ କରିବାର ନିବେଦନ ଓ ପ୍ରୋତ୍ସାହନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ।
ଏଥିରେ ସନ୍ଦେହ ନାହିଁ ଯେ କୁକୁରଙ୍କୁ ଘୃଣା ବା ଶ୍ରଦ୍ଧା କରୁଥିବା ଉଭୟ ବର୍ଗ ବୁଲା କୁକୁରଙ୍କ ସଂଖ୍ୟାରେ ସ୍ଖଳନ ଘଟୁ ଏହା ଇଚ୍ଛା କରିବେ।ଏହା ଉଭୟ ମନୁଷ୍ୟ ଓ ବୁଲା କୁକୁରଙ୍କ ଲାଗି ମଙ୍ଗଳକର । କିନ୍ତୁ ମୂଳ କଥାଟି ହେଲା, ଏଥି ଲାଗି ଏକ ବହୁମୁଖୀ ଓ ନିରନ୍ତର ପ୍ରୟାସ ଜରୁରି, ଯାହା ସମୟସାପେକ୍ଷ ମଧ୍ୟ ହୋଇପାରେ। ବିଡମ୍ବନାଟି ହେଲା ଏହି ପ୍ରାଣୀ ଜାତିଟି ଜଙ୍ଗଲରୁ ଆସି ଗୃହପାଳିତ ହେବା ଏବଂ ସମୟ କ୍ରମେ ସୀମାନ୍ତରିତ ହୋଇ ସଡ଼କକୁ ନିକ୍ଷେପିତ ହେବା ପଛରେ ମନୁଷ୍ୟର ସୁବିଧାବାଦ ଓ ସ୍ୱାର୍ଥ ହିଁ ଦିଶିଥାଏ। କିନ୍ତୁ ମାନବତା ଦୃଷ୍ଟିକୋଣରୁ ପୃଥିବୀରେ ଅନ୍ୟ ପ୍ରାଣୀମାନଙ୍କ ବଞ୍ଚିବାର ଅଧିକାର ବି ଅଛି।
