- ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ
ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ମାତ୍ର ଅଢେଇ ଦିନ ମଧ୍ୟରେ ଶେଷ ହୋଇଥିଲା। ୧୦ ୱିକେଟରେ ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ୧-୧ରେ ସିରିଜ ବରାବର କରିଥିଲା। ଭାରତ ସବୁ ବିଭାଗରେ ବିଫଳ ହୋଇଥିବା ବେଳେ ଅଷ୍ଟ୍ରେଲିଆ ସହ ଅନେକ ରେକର୍ଡ ହୋଇ ହୋଇଯାଇଥିଲା। ଆଡ଼ିଲେଡରେ ଅନୁଷ୍ଠିତ ପିଙ୍କ ବଲ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି ରହିଥିଲା।
୮ ଆଡ଼ିଲେଡରେ ଅଷ୍ଟ୍ରେଲିଆର ଏହା ଅଷ୍ଟମ ଦିବାରାତ୍ର ଟେଷ୍ଟ ବିଜୟ ରହିଥିଲା। ଏଠାରେ ଅନୁଷ୍ଠିତ ସମସ୍ତ ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି। ଘରୋଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ମୋଟ ୧୨ଟି ଦିବା ରାତ୍ର ଟେଷ୍ଟ ଖେଳିଛି ଓ ଏଥିରୁ ୧୧ଟି ଟେଷ୍ଟରେ ବିଜୟୀ ହୋଇଛି। ଏକମାତ୍ର ଦଳ ଭାବେ ୱେଷ୍ଟ ଇଣ୍ଡିଜ୍ ଗତ ଜାନୁଆରୀରେ ଅନୁଷ୍ଠିତ ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ବ୍ରିସବେନର ଗାବା ଗ୍ରାଉଣ୍ଡରେ ଉକ୍ତ ମ୍ୟାଚ୍ ଖେଳାଯାଇଥିଲା।
୧୦୩୧ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମଧ୍ୟରେ ଏହା ସବୁଠୁ ଛୋଟ ମ୍ୟାଚ୍ ରହିଥିଲା। ମୋଟ ୧୦୩୧ଟି ବଲ୍ ମଧ୍ୟରେ ସମ୍ପୂର୍ଣ୍ଣ ମ୍ୟାଚ ଶେଷ ହୋଇଥିଲା। ପୂର୍ବରୁ ଉଭୟ ଦଳ ମଧ୍ୟରେ ୨୦୨୩ରେ ଅନୁଷ୍ଠିତ ଇନ୍ଦୋର ଟେଷ୍ଟ ସବୁଠୁ ଛୋଟ ଟେଷ୍ଟ ରହିଥିଲା। ୧୧୩୫ଟି ବଲ୍ ମଧ୍ୟରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା।
୪୮୬ ଭାରତୀୟ ଦଳ ଉଭୟ ଇନିଂସରେ ମୋଟ ୪୮୬ଟି ବଲ୍ର ସାମ୍ନା କରିଥିଲା। ୧୯୫୨ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ ଭାରତ ସବୁଠୁ କମ୍ ୩୪୯ଟି ବଲ୍ର ସାମ୍ନା କରିଥିଲା। ଏହି ତାଲିକାରେ ଆଡ଼ିଲେଡ୍ ଚତୁର୍ଥ ସ୍ଥାନରେ ରହିବ।
୧୯ ଏହି ମ୍ୟାଚରେ ଭାରତ ୧୦ ୱିକେଟରେ ପରାଜିତ ହୋଇଥିଲା। ଟେଷ୍ଟ ଇତିହାସରେ ଭାରତର ଏହା ୧୯ତମ ୧୦ ୱିକେଟ୍ ପରାଜୟ ରହିଥିଲା। ସର୍ବାଧିକ ଥର ୧୦ ୱିକେଟ ପରାଜୟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। କଙ୍ଗାରୁ ଦଳ ମୋଟ୍ ୩୨ଥର ୧୦ୱିକେଟରେ ପରାଜିତ ହୋଇଛି। ସେହିପରି ଇଂଲଣ୍ଡ ୨୫ଥର ୧୦ୱିକେଟରେ ପରାଜୟ ବରଣ କରିଛି।
୧୨ ପ୍ୟାଟ କମିନ୍ସ ଦ୍ୱିତୀୟ ଇନିଂସରେ ୫ୱିକେଟ ଅକ୍ତିଆର କରିଥିଲେ। ୨୦୧୮ରୁ ଇତି ମଧ୍ୟରେ ସେ ଟେଷ୍ଟ କ୍ରିକେଟରେ ୧୨ଥର ୫ ୱିକେଟ ସଫଳତା ଅର୍ଜନ କରିଛନ୍ତି। ଗତ ୬ ବବର୍ଷ ମଧ୍ୟରେ କମିନ୍ସଙ୍କ ବ୍ୟତୀତ ନାଥାନ ଲୟନ ଓ ବାଂଲାଦେଶର ତାଇଜୁଲ ଇସଲାମ ମଧ୍ୟ ୧୨ଥର ଲେଖାଏଁ ୫ ୱିକେଟ ସଫଳତା ଅର୍ଜନ କରିଛନ୍ତି। ଯଶପ୍ରୀତ ବୁମରା ଏହି ସମୟ ମଧ୍ୟରେ ୧୧ଥର ୫ୱିକେଟ ସଫଳତା ଅର୍ଜନ କରିଛନ୍ତି।
୪ ନୀତୀଶ କୁମାର ରେଡ୍ଡୀ ଉଭୟ ଇନିଂସରେ ୪୨ ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଏହା ସର୍ବାଧିକ ସ୍କୋର ରହିଥିଲା। ଟେଷ୍ଟ ଇତିହାସରେ ୪ଜଣ ଖେଳାଳି ୭ନଂ ସ୍ଥାନରେ ବ୍ୟାଟିଂ କରି ଉଭୟ ଇନିଂସରେ ସର୍ବାଧିକ ସ୍କୋର ସଂଗ୍ରହ କରିଛନ୍ତି। ତାଙ୍କ ପୂର୍ବରୁ ୧୯୬୧ରେ ଇଡ଼େନ ଗାର୍ଡେନରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଚନ୍ଦୁ ବୋର୍ଡେ, ୨୦୧୧ରେ ବର୍ମିଂହାମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଓ ୨୦୧୮ରେ ଲର୍ଡ୍ସରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆର ଅଶ୍ୱିନ ଏହି ସଫଳତା ଅର୍ଜନ କରିଥିଲେ।
previous article:https://purvapaksa.com/only-a-miracle-can-save-india-from-here/