୨୪ ଘଣ୍ଟାରେ ମିଳିଲା ୧୯ ଲକ୍ଷ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଆତିଶୀ ରବିବାର ତାଙ୍କ ଅନଲାଇନ୍ ପୋର୍ଟାଲ ଜରିଆରେ ୧୯ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି । କାଳକାଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଆତିଶୀ । କିନ୍ତୁ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ନିର୍ବାଚନ ପ୍ରଚାର ପାଇଁ ସେ ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ଟଙ୍କା ସେ କ୍ରାଉଡଫଣ୍ଡିଂ ବା ଜନତା-ସହଯୋଗ ମାଧ୍ୟମରେ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଏନେଇ ସେ ସାଧାରଣ ଜନତାଙ୍କୁ ଟଙ୍କା ପାଇଁ ନିବେଦନ କରିଥିଲେ । ଚଳିତ ମାସ ୧୦ ତାରିଖ ଅପରାହ୍ନ ସାଢେ ୫ଟା ସୁଦ୍ଧା ଦଳର ଦାନ ପୃଷ୍ଠାରେ ଦର୍ଶାଯାଇଛି ଯେ ୪୫୫ ଜଣ ତାଙ୍କୁ ସମୁଦାୟ ୧୯,୩୨,୭୨୮ ଟଙ୍କା ଦାନ କରିଛନ୍ତି । ଏହା ପୂର୍ବରୁ ଆତିଶୀ କ୍ରାଉଡଫଣ୍ଡିଂ ଆଡକୁ ମୁହାଁଇ କହିଥିଲେ ଯେ ଦଳର ସଚ୍ଚୋଟ ରାଜନୀତିକୁ ସମର୍ଥନ କରି ଲୋକମାନେ ଟଙ୍କା ଦାନ କରିଛନ୍ତି ଏବଂ ଦଳ କୌଣସି ବ୍ୟବସାୟୀଙ୍କଠାରୁ ଟଙ୍କା ନେଉନାହିଁ । ଆମ୍ ଆଦମୀ ପାର୍ଟିର ସଚ୍ଚୋଟ ରାଜନୀତିକୁ ସମର୍ଥନ କରି ଲୋକମାନେ ଟଙ୍କା ଦାନ କରିଛନ୍ତି ।
ନିର୍ବାଚନ ପାଇଁ ଆମେ ବଡ଼ ବଡ଼ ବ୍ୟବସାୟୀଙ୍କଠାରୁ ଟଙ୍କା ନେଉନାହୁଁ । ଆପ୍ ସରକାର ସାଧାରଣ ଲୋକଙ୍କ ପାଇଁ କାମ କରୁଛି । କାଲକାଜିରୁ ନିର୍ବାଚିତ ହେବା ପାଇଁ ମୁଁ ୪୦ ଲକ୍ଷ ଟଙ୍କାରେ କ୍ରାଉଡଫଣ୍ଡିଂ କ୍ୟାମ୍ପେନ ଆରମ୍ଭ କରୁଛି, ଯାହା ମୋତେ ନିର୍ବାଚନ ପାଇଁ ଦରକାର । ଲୋକମାନେ ଚାହିଁଲେ ଯେକୌଣସି ଟଙ୍କା ଦାନ କରିପାରିବେ ବୋଲି ଆତିଶୀ ରବିବାର ସାମ୍ବାଦିକମାନଙ୍କୁ କହିଛନ୍ତି । ଆତିଶୀ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍) ସବୁବେଳେ ନିଜର ନିର୍ବାଚନୀ ପ୍ରଚାର ପାଇଁ ଜନସାଧାରଣଙ୍କ ଦାନ ଉପରେ ନିର୍ଭର କରି ଆସୁଛି ଏବଂ ବଡ଼ ବଡ଼ ବ୍ୟବସାୟୀଙ୍କଠାରୁ ଟଙ୍କା ଗ୍ରହଣ କରିବାକୁ ମନା କରୁଛି । ସେ ମନେ ପକାଇଲେ ଯେ ଆପ୍ କିପରି ଗତ ନିର୍ବାଚନରେ ଲୋକଙ୍କ ଠାରୁ “କ୍ଷୁଦ୍ର ଦାନ’ ରେ ଜିତିଥିଲା ।
ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଅଭିଯାନ ଘୋଷଣା କରି ସେ ଉଲ୍ଲେଖ କରିଛନ୍ତି ଯେ ଜଣେ ଯୁବ ଶିକ୍ଷିତ ମହିଳା ଭାବେ ସେ କିପରି ଲୋକଙ୍କ ସମର୍ଥନରେ ରାଜନୀତିରେ କ୍ୟାରିୟର ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । “ଜଣେ ଯୁବ, ଶିକ୍ଷିତ ମହିଳା ଭାବରେ, ଆପଣଙ୍କ ବିଶ୍ୱାସ ଏବଂ ଦାନ ମୋତେ ରାଜନୀତିରେ କ୍ୟାରିୟର କଳ୍ପନା କରିବାରେ ସକ୍ଷମ କରିଛି – ଏହା ଏପରି ଏକ ମାର୍ଗ ଯାହା ମୁଁ ଏକାକୀ ଚାଲିପାରିବି ନାହିଁ । ଏବେ ପୁଣି ଥରେ ନିର୍ବାଚନୀ ପ୍ରଚାରର ସମ୍ମୁଖୀନ ହେଉଥିବା ବେଳେ ମୋତେ ପୁଣି ଥରେ ଆପଣଙ୍କ ସମର୍ଥନ ଦରକାର । ଦୟାକରି ମୋର କ୍ରାଉଡଫଣ୍ଡିଂ ଅଭିଯାନରେ ଯୋଗଦାନ କରନ୍ତୁ ବୋଲି ଆତିଶୀ ଏକ ପୋଷ୍ଟରେ କହିଛନ୍ତି ।
ଦଳୀୟ ନେତ୍ରୀ ରୀନା ଗୁପ୍ତା ଦର୍ଶାଇଛନ୍ତି ଯେ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବା ଆତିଶୀ ଦେଶର ଇତିହାସରେ ପ୍ରଥମ ସିଟିଂ ସିଏମ୍ ଯିଏ କି ନିଜର ନିର୍ବାଚନ ପ୍ରଚାର ପାଇଁ କ୍ରାଉଡଫଣ୍ଡିଂ ଚାହୁଁଛନ୍ତି । ଆପ୍ ନେତ୍ରୀ ରୀନା ଗୁପ୍ତା ଏଏନଆଇକୁ କହିଛନ୍ତି, ଆପ୍ ଗଠନ ପରଠାରୁ ନିର୍ବାଚନ ଲଢ଼ିବା ପାଇଁ ଜନସାଧାରଣଙ୍କଠାରୁ ପାଣ୍ଠି ସଂଗ୍ରହ କରିଛି । ଅନ୍ୟପକ୍ଷରେ ଆପ୍ ନେତୃତ୍ୱାଧୀନ ସରକାରକୁ ତୀବ୍ର ସମାଲୋଚନା କରି ବିଜେପି ଅଭିଯୋଗ କରିଛି ଯେ ବ୍ୟାପକ ଦୁର୍ନୀତି, କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅପାରଗତା ଏବଂ ସହରରେ ବଢ଼ୁଥିବା ପ୍ରଦୂଷଣସ୍ତରର ମୁକାବିଲା କରିବାରେ ବିଫଳ ହୋଇଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରି ୫ରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫେବ୍ରୁଆରି ୮ରେ ଭୋଟ୍ ଗଣତି ହେବ । ଦିଲ୍ଲୀରେ ଲଗାତାର ୧୫ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସକୁ ଗତ ଦୁଇଟି ବିଧାନସଭା ନିର୍ବାଚନରେ ଝଟକା ଲାଗିଛି ଏବଂ କୌଣସି ଆସନ ଜିତିବାରେ ବିଫଳ ହୋଇଛି । ଅପରପକ୍ଷରେ ୨୦୨୦ ବିଧାନସଭା ନିର୍ବାଚନରେ ଆପ୍ ୭୦ଟି ଆସନରୁ ୬୨ଟି ରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୮ଟି ଆସନ ରେ ବିଜୟୀ ହୋଇଥିଲା ।
previous article:https://purvapaksa.com/the-grandeur-of-the-mahakumbh-will-be-captured-through-exclusive-photoshoots-and-videos/
