- ୧୦୬ ଟେଷ୍ଟ ଖେଳି ନେଇଛନ୍ତି ୫୩୭ଟି ୱିକେଟ
- ଅର୍ଜନ କରିଛନ୍ତି ୬ଶତକ ଓ ୧୪ ଅର୍ଦ୍ଧଶତକ ସହ ମୋଟ ୩୫୦୩ ରନ୍
- ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ପିନର
ବ୍ରିସବେନରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଶେଷ ହେବା ସହ ପ୍ରସିଦ୍ଧ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ଦିନ ସେ ଭାରତ ଅଭିମୁଖେ ଯାତ୍ରା କରିବେ।
ମ୍ୟାଚ ପର ସାମ୍ବାଦିକ ସମ୍ମିଳନୀରେ ଅଶ୍ୱିନ ଓ ଅଧିନାୟକ ରୋହିତ ଶର୍ମା ଏକତ୍ର ଯୋଗ ଦେଇଥିଲେ। ଅଶ୍ୱିନଙ୍କ ଉପସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। କାରଣ ସେ ତୃତୀୟ ଟେଷ୍ଟ ଖେଳିନଥିଲେ। ତାଙ୍କୁ ଦେଖି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ତେବେ ଅଶ୍ୱିନ କ୍ଷଣକ ମଧ୍ୟରେ ଅବସର ପ୍ରସଙ୍ଗ ଖୋଲି ସମସ୍ତଙ୍କୁ ହତବାକ କରିଦେଇଥିଲେ। କହିଥିଲେ, ଅନ୍ତର୍ଜାତୀୟ କ୍ରିକେଟରେ ଆଜି ମୋର ଶେଷ ଦିନ। କ୍ରିକେଟରୁ ମୋର ଉତ୍ସାହ ଓ ଦୁବୋଳତା କମିନାହିଁ। ପୂର୍ବ ଭଳି ଗ୍ରାଉଣ୍ଡରେ ଦକ୍ଷତା ଦେଖାଇବାର ଆଗ୍ରହ ରହିଛି। ବାକି ରହିଯାଇଥିବା ଉତ୍ସାହକୁ ମୁଁ କ୍ଲବ୍ ସ୍ତରୀୟ କ୍ରିକେଟରେ ପ୍ରଦର୍ଶିତ କରିବି। ଦେଶ ପାଇଁ ଖେଳିବାର ସମୟ ଶେଷ ହୋଇଛି।
ଭାରତୀୟ ଦଳର ସଦସ୍ୟ ଭାବେ ମୁଁ ପ୍ରତ୍ୟେକ ସମୟକୁ ଉପଭୋଗ କରିଛି। ରୋହିତ ଓ ଅନ୍ୟ ସାଥୀ ଖେଳାଳିଙ୍କ ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି। ଅବଶ୍ୟ ବିଗତ ଦିନ ମଧ୍ୟରେ ମୋର ଅନେକ ସାଥୀ ଅବସର ନେଇ ସାରିଛନ୍ତି।
ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, କିନ୍ତୁ ସର୍ବପ୍ରଥମେ ମୁଁ ବିସିସିଆଇ ଏବଂ ସାଥୀମାନଙ୍କୁ ଧନ୍ୟବାଦ ଦେବି। ନଚେତ ମୁଁ ମୋ କର୍ତ୍ତବ୍ୟରେ ବିଫଳ ହୋଉଥିବା ଅନୁଭବ କରିବି। ମୋର ଯାତ୍ରାରେ ସାମିଲ ହୋଇଥିବା ସମସ୍ତ କୋଚଙ୍କୁ ମୁଁ ଧନ୍ୟବାଦ ଦେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ମୋର ସାଥୀ ରୋହିତ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରାଙ୍କ ଅଶେଷ ଧନ୍ୟବାଦ ଦେବି। କାରଣ ଏମାନେ ବର୍ଷ ବର୍ଷ ଧରି ସ୍ଲିପ୍ ଓ ଗ୍ରାଉଣ୍ଡର ବିଭିନ୍ନ ସ୍ଥାନରେ ଅନେକ କ୍ୟାଚ୍ ଧରିବା ଫଳରେ ଆଜି ମୋ ଖାତାରେ ଏତେ ସଂଖ୍ୟକ ୱିକେଟ୍ ହୋଇପାରିଛି।
ଏଥିସହ ଅଷ୍ଟ୍ରେଲୀୟ କ୍ରିକେଟ ଦଳକୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ସର୍ବଦା ଆମର ବଡ଼ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି। ସେମାନଙ୍କ ବିପକ୍ଷରେ ଖେଳି ମୁଁ ମୋର ସମୟକୁ ବେଶ ଉପଭୋଗ କରିଛି। ପ୍ରକୃତରେ ଆଜି ମୋ ଜୀବନର ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ବର୍ତ୍ତମାନ ମୁଁ ଏପରି ସ୍ଥିତିରେ ଅଛି ଯେଉଁଠାରେ ମୁଁ ସଠିକ୍ ଉପାୟରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବି ବୋଲି ଭାବିପାରୁନାହିଁ | ଦୟାକରି ଏଥିପାଇଁ ମୋତେ କ୍ଷମା କରନ୍ତୁ। ସାମ୍ବାଦିକ ଭାବେ ଆପଣମାନେ ଅନେକ ଭଲ କଥା ଲେଖୁଛନ୍ତି ଏବଂ ବେଳେ ବେଳେ କିଛି ଖରାପ କଥା ମଧ୍ୟ ଲେଖିଛନ୍ତି। ସେଥିପାଇଁ ମଧ୍ୟ ମୁଁ ଧନ୍ୟବାଦ ଦେବି । ମୁଁ ଭାବୁଛି ସବୁଦିନ ପାଇଁ ଆମ ମଧ୍ୟରେ ଏହି ସମ୍ପର୍କ ବଜାୟ ରହିବ। ଭବିଷ୍ୟତରେ ଆସୁଥିବା କ୍ରିକେଟରମାନଙ୍କୁ ମଧ୍ୟ ଆପଣମାନଙ୍କଠାରୁ ସମାନ ପରିମାଣର ଭଲପାଇବା ମିଳିବ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ମୁଁ କ୍ରିକେଟ ସହ ଜଡ଼ିତ ରହିବି। କାରଣ କ୍ରିକେଟ ମୋତେ ଆଜି ସବୁ କିଛି ଦେଇଛି। ଖେଳାଳି ନହେଲେ ମଧ୍ୟ ମୁଁ ଅନ୍ୟ କୌଣସି ବାଟରେ ମଧ୍ୟ କ୍ରିକେଟକୁ ପ୍ରାଥମିକତା ଦେବି।
ଅଶ୍ୱିନଙ୍କ ଉପରେ ମନ୍ତବ୍ୟ ଦେଇ ରୋହିତ କହିଥିଲେ ଯେ, କିଛି ନିଷ୍ପତ୍ତି ଅତ୍ୟନ୍ତ ବ୍ୟକ୍ତିଗତ ଅଟେ ଏବଂ ମୁଁ ଭାବୁଛି ଅଧିକ ପ୍ରଶ୍ନ ପଚାରିବା କିମ୍ବା ଉଠାଇବା ଉଚିତ୍ ନୁହେଁ । ସେ କ’ଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ନିଶ୍ଚିତ ଥିଲେ ଏବଂ ଦଳ ତାଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଅଶ୍ୱିନଙ୍କ ଭଳି ଜଣେ ମହାନ ଖେଳାଳି ଏତେ ବର୍ଷ ଧରି ସଫଳତା ଅର୍ଜନ କରିଛନ୍ତି ଓ ଦେଶର ଗୌରବ ଅକ୍ଷୁର୍ଣ୍ଣ ରଖଛନ୍ତି, ତେଣୁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ଆଶା କରୁଛି, ତାଙ୍କ ନିଷ୍ପତ୍ତିକୁ ନେଇ ଅଦରକାରୀ ଆଲୋଚନା କରାଯାଉ କିମ୍ବା ପ୍ରଶ୍ନ କରାଯାଉ। ତାଙ୍କ ଶୂନ୍ୟ ସ୍ଥାନ ପୂରଣ ହେବା କଷ୍ଟକର। ତାଙ୍କ ଅନୁପସ୍ଥିତିରେ ବାକି ଖେଳାଳି ଏକ ମନରେ କୌଣସି ନିଷ୍ପତ୍ତି ନେବା କଷ୍ଟକର ହେବ। ଅବଶ୍ୟ ଚତୁର୍ଥ ଟେଷ୍ଟ ପୂର୍ବରୁ ସଂଗଠିତ ହେବା ପାଇଁ ଆମ ନିକଟରେ କିଛି ସମୟ ରହିଛି।
ଅଶ୍ୱିନ ଭାରତ ପକ୍ଷରୁ ୧୦୬ଟି ଟେଷ୍ଟ ଖେଳି ୨୪ ହାରରେ ମୋଟ ୫୩୭ଟି ୱିକେଟ ଅକ୍ତିଆର କରିଛନ୍ତି। ଅନୀଲ କୁମ୍ବଲେଙ୍କ ପରେ ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ଅକ୍ତିଆର କରିଛନ୍ତି। କୁମ୍ବଲେ ୧୩୨ଟି ଟେଷ୍ଟ ଖେଳି ୬୧୯ଟି ୱିକେଟ ନେଇଛନ୍ତି। ଏହା ବ୍ୟତୀତ ସେ ବ୍ୟାଟିଂରେ ମଧ୍ୟ ଅନେକ ସଫଳତା ଅର୍ଜନ କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୬ଶତକ ଓ ୧୪ ଅର୍ଦ୍ଧଶତକ ବଳରେ ମୋଟ ୩୫୦୩ ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୧୧ଥର ପ୍ଲେୟାର ଅଫ ସିରିଜ ବିବେଚିତ ହୋଇଛନ୍ତି। ଅଶ୍ୱିନ ୧୧୬ଟି ଦିନିକିଆ ଖେଳି ୧୫୬ ଓ ୬୫ଟି ଟି-ଟ୍ୱେଣ୍ଟି ଖେଳି ୭୨ଟି ୱିକେଟ ଅକ୍ତିଆର କରିଛନ୍ତି। କେବଳ ଆଇପିଏଲରେ ସେ ୧୮୦ଟି ୱିକେଟ ନେଇଛନ୍ତି।
୨୦୧୦ରେ ଅଶ୍ୱିନ ପ୍ରଥମ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଏହା ପରଠୁ ଅଶ୍ୱିନ ଟେଷ୍ଟ ଦଳର ନିୟମିତ ସଦସ୍ୟ ହୋଇ ରହିଛନ୍ତି। ବିଗତ ୧୪ବର୍ଷ ମଧ୍ୟରେ ଅଶ୍ୱିନ ଅନେକ ରେକର୍ଡ ଭାଙ୍ଗିଛନ୍ତି। ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ସ୍ପିନର ଭାବେ ଅଶ୍ୱିନ ଗଣା ହେଉଛନ୍ତି। କେବଳ ସେତିକି ନୁହେଁ, ଟେଷ୍ଟ କ୍ରିକେଟରେ ଅନତମ ସଫଳ ଅଲରାଉଣ୍ଡର ଭାବେ ଅଶ୍ୱିନଙ୍କୁ ମାନ୍ୟତା ମିଳିଛି।
previous article:https://purvapaksa.com/rahul-and-jadeja-fight-to-help-india-avoid-follow-on/