ଭାରତର ମହାକାଶ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଦେଶର ସର୍ବୋଚ୍ଚ ସାହସିକ ସମ୍ମାନ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି। ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଗତବର୍ଷ ଜୁନ୍ ମାସରେ ଶୁଭାଂଶୁ ଶୁକ୍ଲା ଇତିହାସ ରଚନା କରି ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଯାତ୍ରା କରିଥିଲେ। ସେଠାରେ ସେ ୧୮ ଦିନ ରହି ବୈଜ୍ଞାନିକ ପରୀକ୍ଷା, ମାନବ ଶରୀର ଉପରେ ମହାକାଶ ପରିବେଶର ପ୍ରଭାବ ଏବଂ ଭାରତର ଭବିଷ୍ୟତ ମହାକାଶ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ଗବେଷଣା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଥିଲେ। ଏହି ଅସାଧାରଣ ଅବଦାନ ପାଇଁ ତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି।
ସାଧାରଣତନ୍ତ୍ର ଦିବସ ପୂର୍ବସନ୍ଧ୍ୟାରେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ଏହି ସମ୍ମାନ ଘୋଷଣା କରାଯାଇଥିଲା, ଯାହା ସାରା ଦେଶରେ ଗର୍ବ ଓ ଉତ୍ସାହ ସୃଷ୍ଟି କରିଥିଲା। ତାଙ୍କ ସହିତ ଆଉ ୩ ଜଣଙ୍କୁ କୀର୍ତ୍ତି ଚକ୍ର, ୧୩ ଜଣଙ୍କୁ ସୌର୍ଯ୍ୟ ଚକ୍ର, ଜଣେ ଅଧିକାରୀଙ୍କୁ ବାର-ଟୁ-ସେନା ମେଡାଲ୍ ଏବଂ ୪୪ ଜଣଙ୍କୁ ସେନା ପଦକ ପ୍ରଦାନ କରାଯାଇଛି।

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମିତ ଶୁଭାଂଶୁ ଶୁକ୍ଲା ମାତ୍ର ୧୭ ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୯ କାରଗିଲ ଯୁଦ୍ଧ ଏବଂ ଭାରତୀୟ ବାୟୁସେନାର ଏୟାର ଶୋ ତାଙ୍କୁ ଦେଶ ସେବା ପ୍ରତି ପ୍ରେରିତ କରିଥିଲା। ସେ ସୁଖୋଇ, ଏମଆଇଜି ଏବଂ ଜାଗୁଆର ଭଳି ଆଧୁନିକ ଯୁଦ୍ଧ ବିମାନରେ ୨୦୦୦ ଘଣ୍ଟାରୁ ଅଧିକ ଉଡାଣ ଅନୁଭବ ହାସଲ କରିଛନ୍ତି। ଆଜି ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା କେବଳ ଏକ ସେନା ଅଧିକାରୀ ନୁହେଁ, ସେ ଭାରତର ଯୁବ ପିଢ଼ି ପାଇଁ ପ୍ରେରଣାର ପ୍ରତୀକ। ତାଙ୍କ ସଫଳତା ଭାରତକୁ ବିଶ୍ୱ ମହାକାଶ ମଞ୍ଚରେ ଆହୁରି ସୁଦୃଢ଼ କରିଛି।
also read https://purvapaksa.com/republic-day-modis-look/
Republic day modi’s look ।। ୨୦୧୫ ରୁ ୨୦୨୬ ପର୍ଯ୍ୟନ୍ତ ମୋଦିଙ୍କ ଗଣତନ୍ତ୍ର ଦିବସର ଫଟୋ ଦେଖନ୍ତୁ


