ବିଜୁ ଜନତା ଦଳ ପକ୍ଷରୁ ସୁଜାତା ରାଉତ ପାଣ୍ଡିଆନଙ୍କୁ ରାଜନୀତିରେ ପ୍ରବେଶ କରିବା ଉଦ୍ୟମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ଆସନ୍ତା ଅକ୍ଟୋବରରେ ଏଥିଲାଗି କେନ୍ଦ୍ରାପଡ଼ା ଓ ପୁରୀରେ ଗ୍ରାଣ୍ଡ ଇଭେଣ୍ଟର ଆୟୋଜନ କରାଯିବ। ଯେଉଁଥିରେ ଲୋକଙ୍କ ସେବାରେ ନେତ୍ରୀଭାବେ ଆବିର୍ଭୂତା ହେବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା। ଏଥିଲାଗି ପୁରୀ ଏବଂ କେନ୍ଦ୍ରାପଡ଼ାରେ ଦୁଇଜଣ ଟାଣୁଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ସୁଜାତାଙ୍କ ରାଜାଭିଷେକ ଉତ୍ସବରେ ବାଧକ ହେବାକୁ ଯାଉଛନ୍ତି ଗୁରୁ-ଚେଲା ଯୋଡ଼ି। ଏମାନେ ଏଥିଲାଗି ଦଳ ଭିତରେ ଏକ ଆନ୍ଦୋଳନର ନେତୃତ୍ୱ ନେବାକୁ ଯାଉଥିବା ସୂଚନା ମିଳିଛି। ଯେମିତି ସୋନିଆଙ୍କ ପ୍ରବେଶବେଳେ କଂଗ୍ରେସରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ଠିକ୍ ସେମିତି।
ବିଜୁଜନତା ଦଳ ରାଜନୀତିରେ ଚେଲା ଭାବରେ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ଓ ଗୁରୁ ଭାବରେ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅଦ୍ୟାବଧି ଜିତିବାରେ ରେକର୍ଡ ସୃଷ୍ଟି କରିଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରିଚିତ। ଏମାନଙ୍କ ସମ୍ପର୍କ ବିଜୁବାବୁଙ୍କ ସମୟରୁ। ଏହି ଦୁଇ ନେତା ସବୁବେଳେ ରାଜ୍ୟ ହିତରେ କାମ କରିବା ସହିତ ସରକାରରେ ଅମଲାତନ୍ତ୍ରର ହସ୍ତକ୍ଷେପକୁ ବିରୋଧ କରି ଆସିଛନ୍ତି।
ବିଜୁ ଜନତା ଦଳରେ ପ୍ୟାରୀମୋହନ ମହାପାତ୍ର ହୁଅନ୍ତୁ କି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ହୁଅନ୍ତୁ; ଏମାନଙ୍କୁ ଏହି ଦୁଇ ନେତା ବିରୋଧ କରିବାର ଅନେକ ନଜିର ରହିଛି। ତେଣୁ ଅରୁଣ – ରଣେନ୍ଦ୍ର ଯୋଡ଼ି ଅନେକ ସମୟରେ ଏହି ଅମଲାତନ୍ତ୍ରୀଙ୍କ ରୋଷର ଶୀକାର ହୋଇଛନ୍ତି। ଏହାପରେ ବି ଏମାନେ କେବେ ବି ଅମଲାତନ୍ତ୍ରକୁ ସମର୍ଥନ କରିନାହାନ୍ତି।
ଅମଲାରୁ ରାଜନେତା ହୋଇଥିବା ଭି.କେ. ପାଣ୍ଡିଆନଙ୍କର ରାଜନୀତିରେ ଏଣ୍ଟ୍ରି ସମୟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ ଥିଲେ ହେଁ ଅରୁଣ ସାହୁ ସେଠାରେ ଉପସ୍ଥିତ ନ ଥିଲେ। ଗତ ନିର୍ବାଚନରେ ଭି.କେ. ପାଣ୍ଡିଆନ କୌଣସି ନେତାଙ୍କୁ ସାଙ୍ଗରେ ନ ନେଇ ନିଜେ ପ୍ରଚାର କରିବା ଫଳରେ ବିଜେଡି ହାରିଯାଇଥିଲା। ନିର୍ବାଚନ ଫଳାଫଳ ଆସିବା ପରଠାରୁ ଅରୁଣ-ରଣେନ୍ଦ୍ର ଯୋଡ଼ି ପାଣ୍ଡିଆନଙ୍କ ବିରୋଧରେ ମୁଖର ହୋଇଉଠିଛନ୍ତି।
ନିର୍ବାଚନ ପରେ ପରେ ୫-ଟି ପାଇଁ ଦଳ ହାରିଲା ବୋଲି ସ୍ପଷ୍ଟ ଭାବରେ ଅରୁଣ ସାହୁ ଓଟିଭିର ଏକ କନକ୍ଳେଭରେ କହିଥିଲେ। ଯାହାର ପରିଣାମ ବିଜେଡି ନୂତନ କର୍ମକର୍ତ୍ତା ତାଲିକାରେ ତାଙ୍କୁ ପିଏସିରେ ସାମିଲ କରାଯାଇନାହିଁ। ତାଙ୍କୁ ନାମକୁ ମାତ୍ର ଓବିସି ସେଲର ଅଧ୍ୟକ୍ଷ କରାଯାଇଛି। ଅରୁଣ ଏହାକୁ ଅପମାନ ବୋଲି ଭାବିବା ପରିବର୍ତ୍ତେ ସୁଯୋଗରେ ପରିଣତ କରିଛନ୍ତି। ରାଜ୍ୟରେ ଓବିସି ସମାବେଶରେ ନିଜକୁ ସାମିଲ କରି ନିଜର ନେତୃତ୍ୱକୁ ଜାହିର କରୁଥିବାବେଳେ ତାଙ୍କ ବିରୋଧୀମାନେ ରାଜନୀତିରେ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି।
ସେହିପରି ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳ ହାଇଜାକ୍ ହେବାର ଆଶଙ୍କା କରି ସଭାପତି ନବୀନ ପଟ୍ଟନାୟକଙ୍କୁ ୧୫ ଏପ୍ରିଲ ୨୦୨୫ରେ ଚିଠି ଲେଖିଥିଲେ। ଏହି ଚିଠିରେ ସେ ରାଜ୍ୟର ଜାତିଆଣ ଭୋଟରଙ୍କ ସଂଖ୍ୟାନୁପାତିକ ନେତାଙ୍କୁ ସଂଗଠନରେ ସାମିଲ କରିବାକୁ କହିଥିଲେ। ଏହି ଚିଠିର ଉଦ୍ଦେଶ୍ୟ ଭି.କେ. ପାଣ୍ଡିଆନ ଦଳର ନେତୃତ୍ୱ ହାଇଜାକ୍ ପାଇଁ ଉଦ୍ୟମ କରୁଥିବା ସେ ପରୋକ୍ଷରେ ଦର୍ଶାଇଥିଲେ। ଫଳସ୍ୱରୂପ ଦଳର ନୂତନ କମିଟିରୁ ଗୁରୁତ୍ୱହୀନ ସମବାର ସେଲ ଦାୟିତ୍ୱ ତାଙ୍କୁ ଦିଆଯାଇଛି।
ଏହା ପରଠାରୁ ଉଭୟ ଗୁରୁ-ଚେଲା ଭି.କେ.ପାଣ୍ଡିଆନଙ୍କ ଉପରେ ରାଗିପାଚି ଲାଲ। ତାଙ୍କର ସମସ୍ତ ଉଦ୍ୟମକୁ କିପରି ଭଣ୍ଡୁର କରାଯିବ ଓ ଭି.କେ. ପାଣ୍ଡିଆନ ଯେପରି ଦଳକୁ ହାଇଜାକ୍ କରିନପାରିବେ ସେ ଦିଗରେ ଉଦ୍ୟମ ଜାରି ରଖିଛନ୍ତି।
ଭି.କେ.ପାଣ୍ଡିଆନ ତାମିଲ ହୋଇଥିବାରୁ ଗତ ୨୦୨୪ ନିର୍ବାଚନରେ ରାଜ୍ୟବାସୀ ତାଙ୍କୁ ଓ ବିଜେଡିକୁ ପ୍ରତ୍ୟାଖାନ କରିଛନ୍ତି। ବର୍ତ୍ତମାନ ବିଜେଡିର ଦଳୀୟ ପାଣ୍ଠି ୬୨୫ କୋଟି ରହିଛି। ଏହି ଦଳୀୟ ପାଣ୍ଠିକୁ ହାତେଇବା ପାଇଁ ଭି.କେ.ପାଣ୍ଡିଆନ ଓ ତାଙ୍କ କୋଟେରୀ ନେତାମାନେ ତାଙ୍କ ପତ୍ନୀ ସୁଜାତା ରାଉତ ପାଣ୍ଡିଆନଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇ ଦଳରେ ନବୀନଙ୍କ ଉତ୍ତରାଧିକାରୀ କରାଇବା ପାଇଁ ଯୋଜନା ଚାଲିଛି। କାରଣ ସୁଜାତା ରାଉତ ଏବେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ସେ ଜଣେ ଓଡ଼ିଆ ହୋଇଥବାରୁ ରାଜ୍ୟବାସୀ ତାଙ୍କୁ ଗ୍ରହଣ କରିବାରେ ସମସ୍ୟା ହେବ ନାହିଁ ବୋଲି ଭି.କେ. ପାଣ୍ଡିଆନ ଓ ତାଙ୍କ ସମର୍ଥକମାନେ ଚିନ୍ତା କରୁଛନ୍ତି।
ଏଥିପାଇଁ ସୁଜାତାଙ୍କ ଜିଲ୍ଲା କେନ୍ଦ୍ରପଡ଼ା ଓ ପୁରୀରେ ଗ୍ରାଣ୍ଡ ଇଭେଣ୍ଟର ଯୋଜନା ମଧ୍ୟ କରାଯାଇଥିବା ବିଜେଡି ମହଲରେ ଆଲୋଚନା ହେଉଛି। ପୁରୀ ଜିଲ୍ଲା ପାଇଁ ଜଣେ ପୂର୍ବତନ ମନ୍ତ୍ରୀ ଓ କେନ୍ଦ୍ରାପଡ଼ା ସଂସଦୀୟ ଆସନର ଜଣେ ପୂର୍ବତନ ବିବାଦୀୟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଉଭୟ ଜିଲ୍ଲାରେ ଏହି ଦୁଇ ନେତାଙ୍କର ଗ୍ରହଣୀୟତା ନ ଥିବାରୁ ଗ୍ରାଣ୍ଡ ଇଭେଣ୍ଟ ପାଇଁ କର୍ମୀମାନଙ୍କ ମନରେ ଉତ୍ସାହ ନ ଥିବା କୁହାଯାଉଛି। ଏଥିପାଇଁ ଭି.କେ. ପାଣ୍ଡିଆନ ଚିନ୍ତିତ ହୋଇପଡ଼ିବା ସହିତ କିପରି ସୁଜାତାଙ୍କ ରାଜନୈତିକ ଏଣ୍ଟ୍ରି ସମୟରେ ଭବ୍ୟ ଉତ୍ସବ କରିବା ପାଇଁ ତା’ର ଗଳାବାଟ ଖୋଜିବାରେ ଲାଗିଛନ୍ତି।
ଏହି ସମୟରେ ଗତକାଲି ନୟାଗଡ଼ ବିଧାୟକ ଅରୁଣ ସାହୁ ତାଙ୍କଦ୍ୱାରା ଲିଖିତ ସାଇତା ସତ ବହିକୁ ଉନ୍ମୋଚନ କରିଛନ୍ତି। ବହିର ମୁଖବନ୍ଧରେ ସେ ପ୍ରଜାଙ୍କ କଥା ଶୁଣୁ ନଥିବା ରାଜାଭଳି ପରୋକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ସେ ଲେଖିଛନ୍ତି ରାଜନୀତିର ବିଭିନ୍ନ ପର୍ଯ୍ୟାୟର ଶୀର୍ଷରେ ଥିବା ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ– ସେମାନଙ୍କର ଦୋଷ ତ୍ରୁଟିକୁ କେହି ଭରସି କରି କୁହନ୍ତି ନାହିଁ କାରଣ କହିବାକୁ ଚାହୁଁଥିବା ଲୋକଟି ଭାବେ ଶୀର୍ଷ ନେତୃତ୍ଵ ଯଦି ରୁଷ୍ଟ ହେବ ବା ଅନ୍ୟଥା ଗ୍ରହଣ କରିବ ତେବେ ତା’ର କ୍ଷତି ହେବ । ଏହି ମୁଖବନ୍ଧକୁ ନେଇ ଭି.କେ ପାଣ୍ଡିଆନ ଓ ତାଙ୍କ ସମର୍ଥକମାନଙ୍କ ମନରେ ଛାନିଆ ପଶିଯାଇଥିବା ବିଜେଡି ମହଲରେ ଆଲୋଚନା ହେଉଛି।
କାରଣ ଯଦି ସୁଜାତା ବିଜେଡି ଏଣ୍ଟ୍ରି କରି ଦଳର ଉତ୍ତରାଧିକାରୀ ହୁଅନ୍ତି ତେବେ ଦଳ ହାଇଜାକ୍ ହେବାର ଗତ ଏପ୍ରିଲ ମାସରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯେଉଁ ଆଶଙ୍କା ପ୍ରକାଶ କରିଥିଲେ ତାହା ସତ୍ୟରେ ପରିଣତ ହେବ। ସତ୍ୟ ହେଲେ ଦତଳର ଅନେକ ବରିଷ୍ଠ ନେତା ସୁଜାତାଙ୍କୁ ବିରୋଧ କରି ଦଳ ଛାଡ଼ିବାର ଆଶଙ୍କା ରହିଛି। ନେତାମାନେ ଦଳ ଛାଡ଼ିଲେ ରାଜ୍ୟରେ ପୁଣି ଏକ ଆଞ୍ଚଳିକ ଦଳ ଗଠନ ହୋଇ ବିଜେଡି ସ୍ଥାନ ନେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ଏଭଳି ପରିସ୍ଥିତିରେ ଭି.କେ ପାଣ୍ଡିଆନ ତାଙ୍କ ପତ୍ନୀ ସୁଜାତାଙ୍କୁ କିପରି ଓ କେଉଁ ମୁହୂର୍ତ୍ତରେ ରାଜନୀତିରେ ପ୍ରବେଶ କରାଇବା ସହିତ ଦଳର ନେତୃତ୍ୱକୁ ହାସଲ କରିବେ ତାହା ଦେଖିବାକୁ ବାକି ରହିଲା।
Alaso readhttps://purvapaksa.com/deaths-by-self-immolation-in-odisha-highlight-poor-mental-health-support/


