ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ନିଜ ଦଳରେ କୋଣଠେସା କରାଯାଇଛି। ଦଳର ନବ ଘୋଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅରୁଣ ନାହାନ୍ତି। ବିଜେଡିର ଅଣ୍ଡରଗ୍ରାଉଣ୍ଡ ଚାଣକ୍ୟ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ଗୁଡ୍ବୁକରେ ଅରୁଣ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ରାଜ୍ୟ ସରକାରରେ ତାଙ୍କ ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। ସିଧାସଳଖ ନ ହେଲେ ବି ବିଜେପି ସରକାର ଅରୁଣଙ୍କ କଥାକୁ ସ୍ୱୀକାର କରି ନୀତିରେ ପରିଣତ କରୁଛନ୍ତି।
ଏଥିରୁ ରାଜନୀତିକ ଅଙ୍କ ଗଣିତର ନିର୍ଯାସ କ’ଣ ତାହା ତ ଦୂରର କଥା କିନ୍ତୁ ମୋହନଙ୍କ ସରକାର ଯେ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି ତାହା ସ୍ପଷ୍ଟ ହୋଇଛି। ତାହା ନ ହୋଇଥିଲେ, ବିନା କୌଣସି ସୁରାଗରେ ବିଜେପି ସରକାର ପଛୁଆ ବର୍ଗଙ୍କୁ ଲାଗି ଶିକ୍ଷାନୁଷ୍ଠାନରେ ଆରକ୍ଷଣ ବ୍ୟବସ୍ଥା କ’ଣ ଲାଗୁ କରିଥାଆନ୍ତେ? ଏ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ଋଗବେଦର ଗୋଟିଏ ଉଦ୍ଧୃତି ହେଉଛି ‘ବହୁଜନ ହିତାୟ, ବହୁଜନ ସୁଖାୟ’। ହିନ୍ଦୁ, ବୌଦ୍ଧ ତଥା ସନାତନୀ ପରମ୍ପରାରେ ଏହି ଧାଡ଼ିକିଆ ବାଣୀର ଅନେକ ଗୁରୁତ୍ୱ ରହିଛି। ବିଶେଷକରି ଶାସନ କ୍ଷେତ୍ରରେ। ଯେତେବେଳେ ଶାସନ ପରିଚାଳନା ପାଇଁ ତିଆରି ହେଉଥିବା ନୀତି ନିୟମ ବହୁଜନଙ୍କ ହିତରେ ହେବ ସେତେବେଳେ ତାହା ସମାଜରେ ସୁଖ ଶାନ୍ତି ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଧାରାକୁ ନିର୍ବାଚିତ ସରକାର ଓ ରାଜନୀତିକ ଦଳମାନେ ମଧ୍ୟ ପାଳନ କରିବାକୁ ସଂକଳ୍ପବଦ୍ଧ ଥାଆନ୍ତି। ଏହିକ୍ରମରେ ସମାଜର ପ୍ରତିଟି ବର୍ଗଙ୍କୁ ସମାନ ଭାବେ ସାଙ୍ଗରେ ନେଇ ଚାଲିବା ଲାଗି ସରକାର ଆରକ୍ଷଣ ନୀତି ଲାଗୁ କରିଛନ୍ତି।
ଆମ ରାଜ୍ୟରେ ଯଦିଓ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକ ଭଳି ଜାତିଭିତ୍ତିକ ରାଜନୀତି ନାହିଁ କିନ୍ତୁ ଧୀରେ ଧୀରେ ଏହି ଆରକ୍ଷଣକୁ ନେଇ ରାଜନୀତି ସରଗରମ ହେଉଥିବା ଆମେ ଲକ୍ଷ୍ୟ କରୁଛୁ। ଜାତିଭିତ୍ତିକ ଜନଗଣନା ହୋଇନଥିଲେ ମଧ୍ୟ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରି ଏହାକୁ ସ୍ପଷ୍ଟ କରିଛନ୍ତି। ସଦ୍ୟ ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟର ପ୍ରତି ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗଙ୍କ ଲାଗି ୧୧.୨୫% ଆସନ ସଂରକ୍ଷିତ ରହିବ।
ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଅନୁସୂଚିତ ଜାତି ବର୍ଗର ୧୬.୨୫%, ଅନୁସୂଚିତ ଜନଜାତିଙ୍କ ପାଇଁ ୨୨.୫%, ଦିବ୍ୟାଙ୍ଗଙ୍କ ଲାଗି ୫ ପ୍ରତିଶତ ଏବଂ ପୂର୍ବତନ ସେନା କର୍ମଜଚାରୀଙ୍କ ପରିବାରବର୍ଗଙ୍କ ଲାଗି ୧% ଆସନ ସଂରକ୍ଷିତ ରହିଛି। ଅର୍ଥାତ୍ ରାଜ୍ୟ ସରକାରଙ୍କ କୌଣସି ଶିକ୍ଷାନୁଷ୍ଠାନରେ ଆଡ୍ମିସନ ବିଷୟ ଆଲୋଚନା ସମୟରେ ୪୪.୭୫% ଆସନକୁ ସଂରକ୍ଷିତ ଆସନ ଭାବେ ବିବେଚନା କରାଯାଉଛି। ଏବେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ଲାଗି ୧୧.୫% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିବା ପରେ ଏହା ୫୬.୨୫%ରେ ପହଞ୍ଚିଛି। ପ୍ରଶ୍ନ ଉଠୁଛି ଏବେ ସରକାର କାହିଁକି ଏହି ନିୟମକୁ ଲାଗୁ କରିବା ପାଇଁ ହଠାତ୍ କ୍ୟାବିନେଟରେ ନିଷ୍ପତ୍ତି ନେଲେ? ଏହା ବିଜେପିର ନିର୍ବାଚନ ଏଜେଣ୍ଡାରେ ନ ଥିବାବେଳେ ମୋହନ ସରକାର କାହିଁକି ତତ୍ପର ହେଲେ?
ଅତୀତରେ ମୋହନ ମାଝୀଙ୍କ ସରକାର ଶିକ୍ଷାକ୍ଷେତ୍ରରେ ପଛୁଆବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣକୁ ନେଇ ବିରୋଧୀ ବାଢ଼ୁଥିବା ଯୁକ୍ତିକୁ ବିତଣ୍ଡା ବୋଲି କହୁଥିଲେ। ଗତ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ପକ୍ଷରୁ ରାଜ୍ୟରେ ଆରକ୍ଷଣ ନୀତିରେ ସଂଶୋଧନ ପକ୍ଷରୁ ଚର୍ଚ୍ଚା କରାଯାଇଥିଲା। ଶାସନରେ ୨୪ ବର୍ଷ ରହିବା ପରେ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରି ପାରିନଥିଲା ବିଜୁ ଜନତା ଦଳ। କିନ୍ତୁ ସରକାରରୁ ଗଲା ପରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏହାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅନ୍ୟମାନେ ଯୁକ୍ତି ବାଢ଼ିଥିଲେ। ସରକାରଙ୍କ ଉପରେ ଚାପ ପକାଇବାକୁ ଚାହିଁଥିଲେ। ସେତେବେଳେ ଭାରତୀୟ ଜନତା ପାର୍ଟିର ସରକାର ତାଙ୍କର ଏହି ଦାବିକୁ ଗୁରୁତ୍ୱ ଦେଇନଥିଲେ। ହେଲେ ଆଜି କିନ୍ତୁ ତାଙ୍କରି ଦାବିକୁ ସମ୍ପୂର୍ଣ୍ଣରୂପେ ଲାଗୁ କରିଛନ୍ତି।
ଏହା ଦୁଇଟି ସମୀକରଣକୁ ସ୍ପଷ୍ଟ କରୁଛି। ଗୋଟିଏ ହେଉଛି ବିଜେପିରେ ଅରୁଣଙ୍କ ସମୀକରଣ ଏବଂ ଦ୍ୱିତୀୟରେ ବିରୋଧୀଙ୍କ ଜାତି ରାଜନୀତିକୁ ଦମନ।
ବିରୋଧୀ ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କର ବିଜେଡି ସରକାର କ୍ଷମତାରୁ ଗଲାପରେ ଚୈତନ୍ୟ ଉଦୟ ହୋଇଛି। ବିଧାନସଭାରେ ଏହି ସଂରକ୍ଷଣ ପ୍ରସଙ୍ଗକୁ ଉଠାଇ ରାଜନୈତିକ ଫାଇଦା ନେବାକୁ ଚେଷ୍ଠା କରିଥିଲେ। ତାଙ୍କ କହିବା ଅନୁସାରେ ‘ଯାହାର ଯେତିକି ସଂଖ୍ୟା ତାକୁ ସେତିକି ଫାଇଦା’ ମିଳିବା ଦରକାର। ଅର୍ଥାତ୍ ଜାତିଭିତ୍ତିକ ସଂଖ୍ୟା ଭିତ୍ତିରେ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥାରେ ସଂରକ୍ଷଣ ଦେବା ଆବଶ୍ୟକ। ପଛୁଆବର୍ଗ ସଂଖ୍ୟା ରାଜ୍ୟରେ ୫୪ ପ୍ରତିଶତ ଥିବାବେଳେ ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ମିଳିପାରୁ ନାହିଁ। ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଦେଲେ ରାଜ୍ୟରେ ଖାଲି ପଡ଼ୁଥିବା ସରକାରୀ ପଦବୀ ପାଇଁ ବି ଯୋଗ୍ୟ ଜାତିର ଲୋକ ମିଳିବେ। ଏହିକ୍ରମରେ ଓବିସିଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ଲାଗୁ ପାଇଁ ସେ ଦାବି କରିଥିଲେ। ରାଜ୍ୟ ସରକାର ଚାକିରିରେ ତାଙ୍କୁ ଏହି ପରିମାଣର ଆରକ୍ଷଣ ସୁବିଧା ଦେଉଥିବାରୁ ଶିକ୍ଷା କ୍ଷେତ୍ରରେ ତାଙ୍କର ହକ୍ ରହିଛି ବୋଲି ସେ କହୁଥିଲେ। ଏହାକୁ ବିଜେଡିର ଅନ୍ୟ କିଛି ବିଧାୟକ ସମର୍ଥନ କରୁଥିଲେ ସତ କିନ୍ତୁ ତାହାକୁ ସେତେବଳେ ସରକାର ଖାରିଜ କରିଦେଇଥିଲେ।
ଏବେ ବିଜେଡିରେ ଅରୁଣଙ୍କୁ ନେଇ ସମୀକରଣ ବଦଳି ଥିବାରୁ ସରକାରଙ୍କ ଏ ନିଷ୍ପତ୍ତି ରାଜନୀତିକ ସ୍ତରରେ ଆଲୋଚନା ହେଉଛି। ଗୋଟିଏ ପଟେ ଅରୁଣ ଏବଂ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଉପରେ ଜମ୍ପର ପକାଇବାକୁ ବିଜେପି ଚାହୁଁଥିବା ସୂଚନା ମିଳିଛି।
ନିକଟରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ରାଜନୀତିକ ବ୍ୟପାର କମିଟି ବା ଦଳର କାର୍ଯ୍ୟ ନିର୍ବାହୀରେ ବରିଷ୍ଠ ନେତା ଅରୁଣ ସାହୁଙ୍କୁ ଦୂରରେ ରଖାଯାଇଛି। ତାଙ୍କୁ ଓବିସି ମୋର୍ଚ୍ଚା ସହିତ ଉପ ସଭାପତି ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ଦଳର ଦୈନନ୍ଦିନ ନୀତି ନିର୍ଦ୍ଧାରଣରେ କୌଣସି ଭୂମିକା ଗ୍ରହଣ କରିବେ ନାହିଁ। ବିଜେଡିର ତଥାକଥିତ ଚାଣକ୍ୟ ପାଣ୍ଡିଆନ୍ଙ୍କ ସହ ଅରୁଣଙ୍କର ସମୀକରଣ ବଦଳି ଥିବାରୁ ଦଳରେ ଏହି ପ୍ରତିଫଳନ ଦେଖିବାକୁ ମିଳିଛି। ଅରୁଣଙ୍କ ଭଳି ବିଜେଡିର ଅସନ୍ତୁଷ୍ଟ ନେତାମାନେ ମଧ୍ୟ ସମାନ ନୀତିର ସମ୍ମୁଖୀନ ହେଉଛନ୍ତି। ଆଗକୁ ସୀମା ପୁନଃନିର୍ଦ୍ଧାରଣ ଏବଂ ଆରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ହେବାକୁ ଯାଉଥିବାରୁ ଅରୁଣ ବି ନିଜର ସ୍ଥିତି ମଜଭୁତ କରିବା ପାଇଁ ଲାଗିଥିବା ବି ଜଣାପଡ଼ିଛି।
ଦ୍ୱିତୀୟ କଥାଟି ହେଉଛି ଜାତିଭିତ୍ତିକ ରାଜନୀତି। ନିକଟରେ ଦେଶରେ ଏହି ଜାତିଭିତ୍ତିକ ରାଜନୀତି ଅତ୍ୟନ୍ତ ଚର୍ଚ୍ଚିତ ରହିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବାରମ୍ବାର ଦାବି ଓ ବିହାର ନିର୍ବାଚନକୁ ଆଖିରେ ରଖି ବିଜେପି ମଧ୍ୟ ଜାତିଭିତ୍ତିକ ଜନଗଣନା ଲାଗି ସହମତି ପ୍ରକାଶ କରିଛି। ଅର୍ଥାତ୍ ୨୦୨୬ ଜନଗଣନାରେ ଜାତିଭିତ୍ତିକ ଗଣନା ବି ହେବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହେଲାଣି। ଜନଗଣନା ସରିଲେ ଜାତିଭିତ୍ତିରେ କାହାକୁ କେତେ ସୁବିଧା ମିଳିବା ଆବଶ୍ୟକ ତାହା ସ୍ପଷ୍ଟଭାବେ ପରିଦୃଶ୍ୟ ହେବ।
ଏଣୁ ଦେଶର ବିଭିନ୍ନ ରାଜନୀତିକ ଦଳ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିବାବେଳେ ଓଡ଼ିଶାରେ ବିଜେପି ଆଉ ପାଦେ ଆଗକୁ ଯାଇଛି। କେନ୍ଦ୍ରରେ ଯେମିତି ବିରୋଧୀ ଦଳ ଚାପରେ ଚେପା ହୋଇ ବିଜେପି ଜାତିଭିତ୍ତିକ ଜନଗଣନାକୁ ଗ୍ରହଣ କରିଛି ଠିକ୍ ସେମିତି ରାଜ୍ୟରେ ବିରୋଧୀ ଦଳର ବିଧାୟକଙ୍କ ଦାବିକୁ ଗ୍ରହଣ କରି ପଛୁଆ ବର୍ଗଙ୍କ ଲାଗି ଶିକ୍ଷା କ୍ଷେତ୍ରରେ ଆରକ୍ଷଣ ଘୋଷଣା କରିଛନ୍ତି। ବର୍ଷ ପୂରଣୀ ଅବସରରେ ଏହାକୁ ଏକ ପ୍ରମୁଖ ସଫଳତାଭାବେ ବିଜେପି ସରକାର ପ୍ରଚାର କରିବେ। ଏଣୁ ବିଜେଡି ଆସନ୍ତା ବିଧାନସଭାରେ ପ୍ରସଙ୍ଗ ଶୂନ୍ୟ ହେବାକୁ ଯାଉଛି।
ସୁପ୍ରିମକୋର୍ଟରେ ଜାଲିଆତିରେ ନ୍ୟାୟ ଓଲଟପାଲଟ, ହାରି ଯାଇଥିବା ବାଜି ଜିତିଲା, ନ୍ୟାୟ କ’ଣ ବିକ୍ରିଯୋଗ୍ୟ?