ସବସ୍କ୍ରାଇବରଙ୍କୁ ଠକୁଛନ୍ତି ଓଟିଟି ପ୍ଲାଟଫର୍ମ ?
ଓଟିଟି ପ୍ଲାଟଫର୍ମ ସବସ୍କ୍ରାଇବରଙ୍କୁ ଠକୁଛନ୍ତି କି ?
ସିଧା ନହେଲେ ବି ଅଙ୍କବଙ୍କା ରାସ୍ତା ଦେଇ ଗ୍ରାହକ ଲୁଟର ଶିକାର ହେଉଛନ୍ତି କି ?
କ୍ୟାନସଲ ବଟନ୍ କାହିଁକି ସହଜରେ ଖୋଜିଲେ ମିଳୁନି ?
ଆପଣ ଯଦି ଓଟିଟି ସବସ୍କ୍ରାଇବର ତେବେ କେବେ କୌଣସି ଏକ ପ୍ଲାଟଫର୍ମର ସବସ୍କ୍ରିପସନ୍ କ୍ୟାନସଲେସନ୍ ବଟନ୍ ଖୋଜି ସହଜରେ ପାଇଛନ୍ତି କି ? ଯଦି ନୁହେଁ ତେବେ ଆପଣ ଏକା ନୁହଁନ୍ତି,ଆପଣଙ୍କ ଭଳି ଅନେକ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବସ୍କ୍ରିପସନ୍ କ୍ୟାନସଲ କରିବାକୁ ଚାହୁଁଥିବା ଗ୍ରାହକଙ୍କୁ କ୍ୟାନସଲ ବଟନ୍ ଖୋଜିବାକୁ ନାକେଦମ ହେବାକୁ ପଡୁଛି । ଏକଥା ଆମେ ନୁହେଁ ଦେଶରେ ହୋଇଥିବା ଏକ ସର୍ଭେ କହୁଛନ୍ତି । ସର୍ଭେ ଅନୁସାରେ ୫୦ ପ୍ରତିଶତ ଉପଭୋକ୍ତା କ୍ୟାନସଲ ବଟନ୍ ଖୋଜି ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଦେଶର ୩୫୩ଟି ଜିଲ୍ଲାରେ ୯୫,୦୦୦ ଲୋକଙ୍କ ଉପରେ କରାଯାଇଥିବା ଏକ ସର୍ଭେରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଦର୍ଶାଯାଇଛି ଯେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜନୀ+ ହଟଷ୍ଟାର, ଜି୫, ସୋନୀଲିଭ ଭଳି ଓଟିଟି ପ୍ଲାଟଫର୍ମରେ ୫୦ ପ୍ରତିଶତ ଉପଭୋକ୍ତାଙ୍କୁ ସବସ୍କ୍ରିପସନ ବାତିଲ କରିବାରେ ଅସୁବିଧା ହେଉଛି। ଏହାର କାରଣ ହେଉଛି ଡାର୍କ ପାଟର୍ନ, ଯାହାକୁ ଏହି କମ୍ପାନୀମାନେ ଉପଭୋକ୍ତାଙ୍କୁ ଫସାଇବା ପାଇଁ ବ୍ୟବହାର କରୁଛନ୍ତି।
ଲୋକାଲ ସର୍କଲ୍ସର ଏହି ସର୍ଭେରେ ୩୫୩ଟି ଜିଲ୍ଲାରୁ ୯୫,୦୦୦ରୁ ଅଧିକ ଓଟିଟି ଉପଭୋକ୍ତା ଅଂଶଗ୍ରହଣ କରିଥିଲେ। ଏଥିରେ ୬୩ ପ୍ରତିଶତ ପୁରୁଷ ଓ ୩୭ ପ୍ରତିଶତ ମହିଳା ସାମିଲ ଥିଲେ। ୪୨ ପ୍ରତିଶତ କ୍ଷେତ୍ରରେ ଏହା ଦେଖାଯାଇଛି।
ଓଟିଟି ପ୍ଲାଟଫର୍ମରେ ବ୍ୟବହୃତ ୯ଟି ପ୍ରମୁଖ ଡାର୍କ ପାଟର୍ନ:
ଡ୍ରିପ ପ୍ରାଇସିଂ: ଆରମ୍ଭରେ ଶସ୍ତା ପ୍ଲାନ ଦେଖାଇବା, କିନ୍ତୁ ପରେ ଟ୍ୟାକ୍ସ, ଅତିରିକ୍ତ ଫିଚର ବା ଅନାବଶ୍ୟକ ସେବା ଯୋଗ କରି ମୂଲ୍ୟ ବୃଦ୍ଧି କରିବା। ୮୩ ପ୍ରତିଶତ ଉପଭୋକ୍ତାଙ୍କୁ ଏହା ସାମ୍ନା କରିବାକୁ ପଡ଼ିଛି।
ସବସ୍କ୍ରିପସନ ଟ୍ରାପ: ଏକଦା ସବସ୍କ୍ରିପସନ ନେବା ପରେ ତାହାକୁ ବାତିଲ କରିବା ବହୁତ କଷ୍ଟକର କରାଯାଇଛି। ଯେମିତି ଅନସବସ୍କ୍ରାଇବ ବଟନ ଲୁଚାଇ ରଖାଯାଇଛି ବା ଏହାକୁ ଅନେକ ପର୍ଯ୍ୟାୟରେ ପଠାଯାଇଛି। ୭୫ ପ୍ରତିଶତ ଲୋକଙ୍କୁ ଏହି ଅସୁବିଧା ହୋଇଛି।
ଫୋର୍ସଡ ଆକ୍ସନ: ୬୭ ପ୍ରତିଶତ ଲୋକଙ୍କୁ ଏକ ସାଧାରଣ ଅସୁବିଧା ଦେଖାଯାଇଛି, ଯେଉଁଥିରେ କୌଣସି କଣ୍ଟେଣ୍ଟ ଦେଖିବା ପାଇଁ ଜୋର ଜବରଦସ୍ତ ଆକାଉଣ୍ଟ ତିଆରି କରାଇବା, ନୋଟିଫିକେସନ ଅନ କରାଇବା ବା ନିୟମ ଗ୍ରହଣ କରାଇବା ଅନ୍ତର୍ଭୁକ୍ତ।
ଇଣ୍ଟରଫେସ ଇଣ୍ଟରଫୟାରେନ୍ସ: ପ୍ଲାନ ବା ଅପସନକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯେ ମହଙ୍ଗା ଅପସନ ଅଧିକ ଆକର୍ଷଣୀୟ ଲାଗୁଛି ଓ ଶସ୍ତା ପ୍ଲାନ ଲୁଚାଇ ଦିଆଯାଇଛି। କ୍ୟାନସେଲ ସବସ୍କ୍ରିପସନ ବଟନ ଛୋଟ ଓ ହାଲୁକା ରଙ୍ଗରେ, କିନ୍ତୁ ଆପଗ୍ରେଡ ବଟନ ବଡ଼ ଓ ଚମକଦାର। ୫୮ ପ୍ରତିଶତ ଉପଭୋକ୍ତାଙ୍କୁ ଏହି ଅସୁବିଧା ହୋଇଛି।
ପ୍ରାଇଭେସୀ ଜାକରିଂ: ଉପଯୁକ୍ତ ସୂଚନା ନଦେଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ଓ ତାହାକୁ ତୃତୀୟ ପକ୍ଷ ସହ ଶେୟାର କରିବା । ଉପଭୋକ୍ତା ଭାବୁଛନ୍ତି ସେ କେବଳ ଲଗ ଇନ କରୁଛନ୍ତି, କିନ୍ତୁ ସେ ନିଜର ଅବସ୍ଥାନ, ସମ୍ପର୍କ ଓ ବ୍ରାଉଜିଂ ଡାଟା ମଧ୍ୟ ଦେଉଛନ୍ତି ।
ସାସ ବିଲିଂ: ଅଟୋ-ରିନ୍ୟୁଆଲ ସକ୍ରିୟ ରଖିବା, ରିନ୍ୟୁଆଲ ସୂଚନାକୁ ଇମେଲ ବା ନୋଟିଫିକେସନରେ ଲୁଚାଇ ରଖିବା। ଉପଭୋକ୍ତା ଭୁଲିଯାନ୍ତି ଓ ପରବର୍ତୀ ପେମେଣ୍ଟ ସ୍ୱୟଂଚାଳିତ ଭାବେ କଟିଯାଏ।
ବେଟ ଆଣ୍ଡ ସ୍ୱିଚ: ଆରମ୍ଭରେ ମାଗଣା ଟ୍ରାୟାଲ ବା ଖାସ କଣ୍ଟେଣ୍ଟର ପ୍ରତିଶ୍ରୁତି, କିନ୍ତୁ ପରେ ତାହା ଆକ୍ସେସ କରିବା ପାଇଁ ଟଙ୍କା ମାଗିବା। ଯେମିତି ପ୍ରଥମେ ଲେଖାଯାଇଛି ମାଗଣା ଏପିସୋଡ, କ୍ଲିକ କଲା ପରେ ସବସ୍କ୍ରାଇବ ଟୁ କଣ୍ଟିନ୍ୟୁ ଦେଖାଇବା।
ଡିସଗାଇଜଡ ଆଡସ: ଏଭଳି ବିଜ୍ଞାପନ ଯାହା ପ୍ରକୃତ କଣ୍ଟେଣ୍ଟ ପରି ଦିଶୁଛି, ଯାହାଦ୍ୱାରା ଆପଣ ଭୁଲରେ କ୍ଲିକ କରନ୍ତି। ଯେମିତି ଓ୍ଵାଚ ନାଓ ବଟନରେ କ୍ଲିକ କଲେ, କିନ୍ତୁ ତାହା ବାସ୍ତବରେ ବିଜ୍ଞାପନ ଥାଏ।
କମ୍ପ୍ଲେକ୍ସ କ୍ୟାନସେଲେସନ ପ୍ରୋସେସ: ବାତିଲ କରିବା ପାଇଁ ଏତେ ପର୍ଯ୍ୟାୟ ବା ପୃଷ୍ଠା ତିଆରି କରାଯାଇଛି ଯେ ଉପଭୋକ୍ତା ଥକି ଛାଡ଼ି ଦିଅନ୍ତି। କେବେ କାହିଁକି ବାତିଲ କରୁଛନ୍ତି ପୃଷ୍ଠା, କେବେ ଫିଡବ୍ୟାକ ଦିଅନ୍ତୁ, ଆଉ ତାପରେ ଓ୍ଵେଟ! ଆମେ ଏକ ଅଫର ଦେଉଛୁ ପପଅପ ପଠାଇବା।
କାହିଁକି ଫସୁଛନ୍ତି ଉପଭୋକ୍ତା ?
ଉପଭୋକ୍ତାଙ୍କୁ ସବସ୍କ୍ରିପସନ ବାତିଲ କରିବାର ଅପସନ ସହଜରେ ମିଳୁନାହିଁ । କମ୍ପାନୀମାନେ ଜାଣିଶୁଣି ଇଣ୍ଟରଫେସରେ କ୍ୟାନସେଲ ଅପସନ ଲୁଚାଇ ରଖୁଛନ୍ତି ବା ତାହାକୁ ଖୋଜିବା କଷ୍ଟକର କରୁଛନ୍ତି । ରିନ୍ୟୁଆଲ ପୂର୍ବରୁ ରିମାଇଣ୍ଡର ପଠାଯାଉନାହିଁ । କିଛି ଆପ ଅଟୋ-ରିନ୍ୟୁଆଲ ଅନ ରଖୁଛନ୍ତି, ଯାହା କାରଣରୁ ଉପଭୋକ୍ତା ଫସି ଯାଉଛନ୍ତି ।
ସର୍ଭେରେ ସାମିଲ ୧୦ ପ୍ରତିଶତ ଲୋକ କହିଛନ୍ତି ଯେ ସବସ୍କ୍ରିପସନ ବାତିଲ କରିବା ସମୟରେ ସେମାନଙ୍କୁ ବହୁତ ଅସୁବିଧା ହୋଇଛି । ୪୦ ପ୍ରତିଶତ କହିଛନ୍ତି ଯେ ସେମାନେ ଚେଷ୍ଟା ହିଁ କରିନାହାନ୍ତି, କାରଣ ସେମାନେ ଡରୁଛନ୍ତି ଯେ ବାତିଲ କଲେ ଅନ୍ୟ ସେବାରେ କ୍ଷତି ହୋଇପାରେ ।
ଭାରତ ସରକାର ଓଟିଟି ଓ ଇ-କମର୍ସ କମ୍ପାନୀମାନଙ୍କୁ ଏଭଳି ଡାର୍କ ପାଟର୍ନର ବ୍ୟବହାର ରୋକିବା ପାଇଁ ନିର୍ଦ୍ଦେଶିକା ତିଆରି କରିବା କଥା କହିଛନ୍ତି ।
ALSO READ https://purvapaksa.com/eminent-singer-srikant-das-passes-away/
Eminent Singer Srikant Das passes away ।। ଚିର ନିଦ୍ରାରେ ଗୀତିକାର ଶ୍ରୀକାନ୍ତ ଦାସ
