- ଇନିଂସରେ ନେଲେ ୧୦ ୱିକେଟ୍
- ରଣଜୀ ଟ୍ରଫିରେ ତୃତୀୟ ବୋଲର
ହରିଆନାର ଯୁବ ପେସ୍ ବୋଲର ଅଂଶୁଲ କାମ୍ବୋଜ ଚଳିତ ରଣଜୀ ଟ୍ରଫି ପଞ୍ଚମ ରାଉଣ୍ଡରେ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । କେରଳ ବିପକ୍ଷ ଏଲିଟ୍ ଗ୍ରୁପ-ସିର ଏକ ମ୍ୟାଚର ଗୋଟିଏ ଇନିଂସରେ କାମ୍ବୋଜ ସମସ୍ତ ୧୦ଟି ଯାକ ୱିକେଟ୍ ଅକ୍ତିଆର କରିଛନ୍ତି । ସେ ରଣଜୀ ଟ୍ରଫି ଇତିହାସରେ ତୃତୀୟ ତଥା ଭାରତର ଷଷ୍ଠ ବୋଲର ଭାବେ ଗୋଟିଏ ଇନିଂସରେ ସମସ୍ତ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଉକ୍ତ ମ୍ୟାଚରେ କେରଳ ପ୍ରଥମ ଇନିଂସରେ ୨୯୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । କାମ୍ବୋଜ ୩୦.୧ ଓଭର ବୋଲିଂ କରି ୪୯ ରନ୍ରେ ୧୦ଟି ୱିକେଟ୍ ନେଇଥିଲେ । ସେ ମଧ୍ୟ ୧୦ଟି ମେଡେନ ଓଭର ବୋଲିଂ କରିଥିଲେ ।
- କାମ୍ବୋଜଙ୍କ ପୂର୍ବରୁ ବେଙ୍ଗଲର ପ୍ରେମାଂଶୁ ଚାଟ୍ଟାର୍ଜି ଓ ପ୍ରଦୀପ ସୁନ୍ଦରାମିନ ରଣଜୀ ଟ୍ରଫିରେ ୧୦ ୱିକେଟ୍ ଅର୍ଜନ କରିଥିଲେ । ପ୍ରେମାଂଶୁ ୧୯୫୬/୫୭ ସିଜନରେ ଆସାମ ବିପକ୍ଷରେ ଏହି ସଫଳତା ଅର୍ଜନ କରିଥିଲେ । ଜୋରହାଟରେ ଏହି ମ୍ୟାଚ୍ ଖେଳାଯାଇଥିଲା ।
- ୧୯୮୫/୮୬ ସିଜନରେ ରାଜସ୍ଥାନ ପକ୍ଷରୁ ଖେଳି ପ୍ରଦୀପ ବିଦର୍ଭ ବିପକ୍ଷରେ ୭୮ ରନ୍ ପ୍ରଦାନ କରି ୧୦ ୱିକେଟ ନେଇଥିଲେ । ଯୋଧପୁରରେ ଉକ୍ତ ମ୍ୟାଚ୍ ଖେଳାଯାଇଥିଲା ।
- ଅନୀଲ କୁମ୍ବଲେ ଏକମାତ୍ର ଭାରତୀୟ ଭାବେ ଟେଷ୍ଟ କ୍ରିକେଟ୍ରେ ୧୦ ୱିକେଟ୍ ନେଇଛନ୍ତି । ସେ ୧୯୯୮/୯୯ରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ୭୪ ରନ୍ ପ୍ରଦନ କରି ୧୦ଟି ଯାକ ୱିକେଟ୍ ଅକ୍ତିଆର କରିଥିଲେ ।
- ପ୍ରସିଦ୍ଧ ଲେଗ ସ୍ପିନର ଶୁଭାଷ ଗୁପ୍ତେ ୧୯୫୪/୫୫ରେ ଗୁପ୍ତେ ବମ୍ବେ କ୍ରିକେଟ୍ ଆସୋସିଏସନ ପକ୍ଷରୁ ଖେଳି ପାକିସ୍ତାନ ସର୍ଭିସେସ ଏକାଦଶ ବିପକ୍ଷରେ ୧୦ୱିକେଟ୍ ସଫଳତା ଅର୍ଜନ କରିଥିଲେ ।
- ଓଡ଼ିଶାର ଦେବାଶିଷ ମହାନ୍ତି ୨୦୦୦/୦୨ ସିଜନରେ ଅନୁଷ୍ଠିତ ଦୁଲୀପ ଟ୍ରଫି ମୁକାବିଲାରେ ପୂର୍ବାଞ୍ଚଳ ପକ୍ଷରୁ ଖେଳି ଦକ୍ଷିଣଞ୍ଚଳ ବିପକ୍ଷରେ ୧୦ୱିକେଟ୍ ସଫଳତା ଅର୍ଜନ କରିଥିଲେ । ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ମାତ୍ର ୧୧୩ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଦେବାଶିଷ ୪୬ ରନ୍ ପ୍ରଦାନ କରି ୧୦ଟି ଯାକ ୱିକେଟ୍ ନେଇଥିଲେ । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ଆଉ ୪ଟି ୱିକେଟ୍ ନେଇଥିଲେ ଓ ପୂର୍ବାଞ୍ଚଳ ୪ ୱିକେଟରେ ବିଜୟ ହାସଲ କରିଥିଲା
previous article: https://purvapaksa.com/sami-played-ranjee/