ଭାରତର ନିଜସ୍ୱ ଜିପିଏସ୍ ବ୍ୟବସ୍ଥା ‘ନାଭିକ୍’କୁ ଆଉଏକ ଝଟକା ଲାଗିଛି। ବୁଧବାରଦିନ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଥିବା ରକେଟରେ ବୈଷୟିକ ତ୍ରୁଟି ଯୋଗୁ ‘ନାଭିକ’କୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିବା ସମ୍ଭବପର ହୋଇପାରି ନାହିଁ। ଏହି ଅସୁବିଧାକୁ ସୁଧାରିବା ଲାଗି ଇସ୍ରୋ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଆପଣାଯାଉଥିବା ସ୍ପଷ୍ଟ କରାଯାଇଛି।
ସାଟେଲାଇଟ୍ ମାଧ୍ୟମରେ ଭୌଗୋଳିକ ସ୍ଥିତିକୁ ଚିହ୍ନଟ କରିବା ଲାଗି ‘ନାଭିକ’ ଏକ ଗୁରୁତ୍ୱପୂର୍ଣ୍ଣ ଗେମ୍ ଚେଞ୍ଜର ହେବ ବୋଲି ଆଶା କରାଯାଇଛି। ୧୯୯୯ କାରଗିଲ୍ ଯୁଦ୍ଧ ସମୟରେ ଶତ୍ରୁ ପକ୍ଷର ଅବସ୍ଥିତି ଜାଣିବା ଲାଗି ଭାରତ ଜିପିଏସ୍ ତଥ୍ୟ ଚାହିଁଥିଲା। ହେଲେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ସାମରିକ ଶକ୍ତିକୁ ସୁଦୃଢ଼ କରିବା ତଥା ସାଧାରଣ ଗମନାଗମନକୁ ସରଳୀକୃତ କରିବା ଉଦ୍ଦେଶ୍ୟରେ ନିଜସ୍ୱ ସାଟେଲାଇଟ୍ ପାଇଁ ଗବେଷଣା ଓ ନିର୍ମାଣ ଆରମ୍ଭ କରିବାକୁ ଇସ୍ରୋକୁ ଅନୁରୋଧ କରିଥିଲେ। ଇସ୍ରୋ ଏ ବାବଦରେ ଗବେଷଣା କରି ନିଜସ୍ୱ ଫର୍ମୁଲା ତଥା ସାଟେଲାଇଟ୍ ନିର୍ମାଣ କରିଛି। ୧୧ଥର ଏହି ସେଟେଲାଇଟ୍ ଉତକ୍ଷେପଣ ମଧ୍ୟ କରାଯାଇଛି। କିନ୍ତୁ ଲକ୍ଷ୍ୟ ହାସଲରେ ସଫଳ ହୋଇପାରି ନାହିଁ। ୬ ଥର ଏହି ସାଟେଲାଇଟ୍ ଉତକ୍ଷେପଣ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି।
ନିକଟରେ ନାଭିକ୍ ଉପଗ୍ରହର ଦ୍ୱିତୀୟ ସଂସ୍କରଣର ଦ୍ୱିତୀୟ ସାଟେଲାଇଟ୍କୁ ଉତ୍କ୍ଷେପଣ କରାଯାଇଥିଲା। ଇସ୍ରୋ ବୈଜ୍ଞାନିକ ୟୁ ଆର୍ ରାଓଙ୍କ ଦ୍ୱାରା ନିର୍ମିତ ଏହି ଉପଗ୍ରହର ଓଜନ ୨୨୫୦ କିଲୋଗ୍ରାମ। ଏହାକୁ ପୃଥିବୀଠାରୁ ୩୬ ହଜାର ୫୭୭ କିଲୋମିଟର ଉପରେ ଅବସ୍ଥାପନ କରିବାକୁ ଯୋଜନା କରାଯାଇଥିଲା। ଇସ୍ରୋର ୧୦୦ ତମ ମିଶନ ଅବସରରେ ଏହାର ଉତକ୍ଷେପଣ ମଧ୍ୟ ଇତିହାସ ସୃଷ୍ଟି କରିଥିଲା। ସେହିଦିନ ନିର୍ଦ୍ଧାରିତ କକ୍ଷପଥଠାରୁ ୧୭୦ କିଲୋମିଟର ଦୂର ଏକ ଅଣ୍ଡାକୃତୀ କକ୍ଷପଥରେ ଏହାକୁ ସ୍ଥାନୀତ କରାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ସଂଯୁକ୍ତ ଥିବା ଲିକ୍ୱିଡ୍ ଇଞ୍ଜିନ୍ କାର୍ଯ୍ୟ ନ କରିବାରୁ ଏବେ ଏହି ମିଶନ ବିଳମ୍ବିତ ହୋଇଛି।
Also readhttps://purvapaksa.com/revised-list-of-business-in-loksabha-removed-waqf-jpc-report-today/
