ଭେଙ୍କଟେଶଙ୍କୁ ୨୩.୭୫କୋଟି ଟଙ୍କାରେ କିଣିଛି ନାଇଟରାଇଡର୍ସ
ଆଗାମୀ ଆଇପିଏଲ ପାଇଁ ଗତ ୨୪ ଓ ୨୫ ତାରିଖରେ ମେଗା ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ୨୩.୭୫କୋଟି ଟଙ୍କାରେ କିଣିଥିଲା। ଯାହା ଜଣା ପଡ଼ୁଥିଲା ଭେଙ୍କଟେଶଙ୍କୁ ଭବିଷ୍ୟତର ଅଧିନାୟକ କରିବ ନାଇଟରାଇଡର୍ସ। ଏବେ ସମ୍ପୂର୍ଣ୍ଣ କାହାଣୀ ମୋଡ଼ ବଦଳାଇଛି। ଭେଙ୍କଟେଶଙ୍କ ସ୍ଥାନରେ ଆଉ ଜଣେ ଭେଟେରାନ ଖେଳାଳିଙ୍କୁ ନାଇଟରାଇଡର୍ସ ଅଧିନାୟକ ନିଯୁକ୍ତ କରିବାକୁ ଯୋଜନା କରୁଛି। ତାଙ୍କର ମଧ୍ୟ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଏହି ଭେଟେରାନ ଖେଳାଳି କିଏ ଯାଣନ୍ତି? ସେ ହେଉଛନ୍ତି ଭାତୀୟ ଦଳର ପୂର୍ବତନ ଅଧିନାୟକ ଅଜିଙ୍କ୍ୟ ରାହାଣେ।
ଗତ ନିଲାମରେ ନାଇଟରାଇଡର୍ସ ରାହାଣେଙ୍କୁ ତାଙ୍କ ବେସ ପ୍ରାଇସ୍ ଦେଢ କୋଟି ଟଙ୍କାରେ କିଣିଥିଲା। ତାଙ୍କୁ ଅନ୍ୟ କେହି କିଣିବାକୁ ଆଗ୍ରହ ଦେଖାଇନଥିଲେ। କେବଳ ଦଳର ନେତୃତ୍ୱ ଭାର ଦେବା ପାଇଁ ରାହାଣେଙ୍କ କିଣା ଯାଇଥିବା ନାଇଟରାଇଡର୍ସର ଜଣେ ସଦସ୍ୟ ପ୍ରକାଶ କରିଛନ୍ତି।
ରାହାଣେ ପୂର୍ବରୁ ମଧ୍ୟ ନାଇଟରାଇଡର୍ସ ପକ୍ଷରୁ ଖେଳିସାରିଛନ୍ତି। ୨୦୨୨ ସିଜନରେ ତାଙ୍କୁ ନାଇଟରାଇଡର୍ସ କିଣିଥିଲା। ଉକ୍ତ ସିଜନରେ ସେ ୧୦୩.୯୧ଷ୍ଟ୍ରାଇକ ରେଟରେ ୧୩୩ ରନ୍ ସଂଗ୍ରହ କରିଥିଲେ। ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ନାଇଟ ରାଇଡର୍ସ ଦଳରୁ ବାଦ ପଡ଼ିଥିଲେ ଓ ଚେନ୍ନାଇ ସୁପରକିଙ୍ଗସ ତାଙ୍କୁ ପରବର୍ତ୍ତି ନିଲାମରେ କିଣିଥିଲା। ୨୦୨୩ ସିଜନରେ ସେ ୧୪ଟି ମ୍ୟାଚରୁ ୧୭୨.୪୯ ଷ୍ଟ୍ରାଇକ ରେଟରେ ୩୨୬ ରନ୍ ସଂଗ୍ରହ କରିଥିଲେ।ଗତ ସିଜନରେ ରାହାଣେଙ୍କ ବ୍ୟାଟ୍ରୁ ସେଭଳି ରନ୍ ବାହାରି ନଥିଲା। ସେ ୧୨୩.୪୭ ଷ୍ଟ୍ରାଇକ ରେଟରେ ୨୪୨ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ରାହାଣେ ସୟଦ ମୁସ୍ତାକ ଅଲି ଟି-୨୦ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି।
ପୂର୍ବରୁ ରାହାଣେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଓ ରାଇଜିଂ ପୁନେ ସୁପରଯାଏଣ୍ଟସ ପକ୍ଷରୁ ଖେଲି ସାରିଛନ୍ତି। ଗତ ସିଜନରେ ଶ୍ରେୟାସ ଆୟର ନାଇଟ ରାଇଡର୍ସ ଅଧିନାୟକ ରହିଥିଲେ। ତାଙ୍କ ନେତୃତ୍ୱରେ ନାଇଟ ରାଇଡର୍ସ ଚାମ୍ପିଅନ ହୋଇଥିଲା।
ମାତ୍ର ତାଙ୍କୁ ନାଇଟ ରାଇଡର୍ସ ଏଥର ରଖି ନଥିଲା। କିନ୍ତୁ ନିଲାମ ବେଳେ ତାଙ୍କୁ କଣିବା ପାଇଁ ନାଇଟରାଇଡର୍ସ ବାଜି ଲଗାଇଥିଲା। କିନ୍ତୁ ପଞ୍ଜାବ କିଙ୍ଗସ ଅର୍ଥ ଆଗରେ ସବୁ ତୁଚ୍ଛ ମନେ ହୋଇଥିଲା। କିଙ୍ଗସ ଦଳ ତାଙ୍କୁ ୨୬.୭୫କୋଟି ଟଙ୍କା ମୂଲ୍ୟରେ କିଣି ନେଇଥିଲା।
previous article: https://purvapaksa.com/rohit-sharma-to-bat-in-the-middle-order/