- ଅକ୍ସିୟମ-୪ ମିଶନ ପାଇଲଟ କରିବେ
- ସ୍ପେସ ଏକ୍ସ ଡ୍ରାଗନରେ ପ୍ରଥମ ଭାରତୀୟ
- ମହାକାଶରୁ ଫେରିବେ ସୁନୀତା ଓ୍ୱିଲିୟମ୍ସ!
ଦେଶ ପାଇଁ ଗର୍ବ ଓ ଗୌରବ ଇସ୍ରୋ ମହାକାଶଚାରୀ ତଥା ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଳା। ଯିଏ କି ବସନ୍ତ ୨୦୨୫ ପୂର୍ବରୁ ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଯିବାରଥିବା ଅକ୍ସିୟମ୍ ମିଶନ-୪ ବା ଏକ୍ସ-୪ରେ ପାଇଲଟ୍ ଭୂମିକା ଗ୍ରହଣ କରିବେ।
ସ୍ପେସ୍ ଏକ୍ସ ଡ୍ରାଗନ୍ ମହାକାଶଯାନରେ କକ୍ଷପଥ ପରିଦର୍ଶନ କରିବାରେ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଇତିହାସ ରଚିବେ। ସେ ଏବେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଅଧିକାରୀ ଏବଂ ଭାରତର ଗଗନଯାନ ମିଶନ ପାଇଁ ମହାକାଶଚାରୀ ଭାବେ ମନୋନୀତ ହୋଇଛନ୍ତି।
ନାସାର ପୂର୍ବତନ ମହାକାଶଚାରୀ ତଥା କ୍ସିୟମ୍ ସ୍ପେସ୍ର ମାନବ ମହାକାଶ ଯାତ୍ରା ନିର୍ଦ୍ଦେଶକ ପେଗି ହ୍ୱିଟସନ୍ ବାଣିଜ୍ୟିକ ଅଭିଯାନର ନେତୃତ୍ୱ ନେବେ ଏବଂ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ମହାକାଶଚାରୀ ଶୁକ୍ଳା ପାଇଲଟ୍ ଭାବେ କାର୍ଯ୍ୟ କରିବେ ବୋଲି ନାସା କହିଛି। ଏହି ଦୁଇ ମିଶନ ବିଶେଷଜ୍ଞ ହେଲେ ଇଏସ୍ଏ (ୟୁରୋପୀୟ ମହାକାଶ ଏଜେନ୍ସି)ର ପ୍ରୋଜେକ୍ଟ ମହାକାଶଚାରୀ ସାଓସ୍ଜ ଉଜନାନସ୍କି-ୱିସ୍ନିଓ୍ଵସ୍କି ଓ ହଙ୍ଗେରୀର ଟିବୋର କାପୁ।
ହୋଷ୍ଟନସ୍ଥିତ ନାସାର ଜନସନ ସ୍ପେସ୍ ସେଣ୍ଟରର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପ୍ରୋଗ୍ରାମର ମ୍ୟାନେଜର ଡାନା ୱେଗେଲ କହିଛନ୍ତି, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଘରୋଇ ମହାକାଶଚାରୀ ଅଭିଯାନ ପ୍ରତି ନିରନ୍ତର ଆଗ୍ରହ ଓ ସମର୍ପଣ ଦେଖି ମୁଁ ଉତ୍ସାହିତ। ଆମେରିକାର ମହାକାଶ ଏଜେନ୍ସି କହିଛି ଯେ, ନାସା ପୃଥିବୀର ନିମ୍ନ କକ୍ଷପଥର ଭବିଷ୍ୟତ ଆଡ଼କୁ ଚାହୁଁଥିବା ବେଳେ ଘରୋଇ ମହାକାଶଚାରୀ ଅଭିଯାନ ଅନନ୍ୟ ମାଇକ୍ରୋଗ୍ରାଭିଟି ପରିବେଶରେ ପ୍ରବେଶ ପଥ ପ୍ରଶସ୍ତ କରିବାରେ ସହାୟକ ହୋଇଥାଏ। ଏହି ଷ୍ଟେସନକୁ ପ୍ରଥମ ଘରୋଇ ମହାକାଶଚାରୀ ଅଭିଯାନ ଅକ୍ସିୟମ୍ ମିଶନ-୧ ଏପ୍ରିଲ ୨୦୨୨ରେ କକ୍ଷପଥରେ ୧୭ ଦିନିଆ ଅଭିଯାନ ପାଇଁ ଉଡ଼ାଣ ଭରିଥିଲା।
ଷ୍ଟେସନକୁ ଦ୍ୱିତୀୟ ଘରୋଇ ମହାକାଶଚାରୀ ଅଭିଯାନ ଅକ୍ସିୟମ୍ ମିଶନ ୨ ମଧ୍ୟ ହ୍ୱିଟସନଙ୍କ ଦ୍ୱାରା କମାଣ୍ଡ କରାଯାଇଥିଲା ଏବଂ ୨୦୨୩ ମେରେ ୪ ଜଣ ଘରୋଇ ମହାକାଶଚାରୀଙ୍କୁ ନେଇ ଉତକ୍ଷେପଣ କରାଯାଇଥିଲା। ଯେଉଁମାନେ କକ୍ଷପଥରେ ଆଠ ଦିନ ବିତାଇଥିଲେ । ୨୦୨୪ ଜାନୁଆରିରେ ଆରମ୍ଭ ହୋଇଥିବା ସଦ୍ୟତମ ଘରୋଇ ମହାକାଶଚାରୀ ଅଭିଯାନ ଅକ୍ସିୟମ୍ ମିଶନ-୩; ୧୮ ଦିନରେ କର୍ମଚାରୀମାନେ ମହାକାଶ ଷ୍ଟେସନରେ ପହଞ୍ଚିଥିଲେ। ହ୍ୱିଟସନ୍ କହିଛନ୍ତି, ପ୍ରତିଭାବାନ ଏବଂ ବିବିଧ ଏକ୍ସ-୪ କ୍ରୁଙ୍କ ସହ କାମ କରିବା ଏକ ଉପହାରସ୍ୱରୂପ ଅନୁଭୂତି। ମହାକାଶ ଗବେଷଣାକ୍ଷେତ୍ରରେ ନିଜ ଦେଶ ପାଇଁ ସୁଯୋଗ ସୃଷ୍ଟି କରିବା ଦିଗରେ ସେମାନଙ୍କର ନିଃସ୍ୱାର୍ଥପର ସମର୍ପଣ ଓ ପ୍ରତିବଦ୍ଧତା ଦେଖିବା ପ୍ରକୃତରେ ଉଲ୍ଲେଖନୀୟ।
ପ୍ରତ୍ୟେକ କ୍ରୁ ମେମ୍ବର ଅନନ୍ୟ ଶକ୍ତି ଏବଂ ଦୃଷ୍ଟିକୋଣ ଆଣିଥାନ୍ତି, ଯାହା ଆମର ମିଶନକୁ କେବଳ ଏକ ବୈଜ୍ଞାନିକ ପ୍ରୟାସ ନୁହେଁ ବରଂ ମାନବିକ ଚତୁରତା ଏବଂ ଦଳଗତ କାର୍ଯ୍ୟର ପ୍ରମାଣରେ ପରିଣତ କରିଥାଏ ବୋଲି ହ୍ୱିଟସନ କହିଛନ୍ତି। ଇତିମଧ୍ୟରେ ନାସା ଗୁରୁବାର କହିଛି ଯେ ୨୩୮ ଦିନ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ମହାକାଶଚାରୀ ବୁଚ୍ ୱିଲମୋରଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସ ସହ ମିଶି ଦ୍ରୁତ ଗତିରେ କାର୍ଯ୍ୟ କରୁଛି। କୋଟିପତି ତଥା ସ୍ପେସ୍ ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଉଭୟ ୱିଲିୟମ୍ସ ଏବଂ ୱିଲମୋରଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ପାଇଁ କହିଥିଲେ।
previous article:https://purvapaksa.com/mohan-doesnt-even-have-time-to-listen-to-peoples-grievances/
