ସୋସିଆଲ ମିଡିଆ, ମିଡିଆର ପରିଭାଷା ହିଁ ବଦଳାଇ ଦେଇଛି। ଏବେ ଖବର ସୋସିଆଲ ମିଡିଆରେ ଜନ୍ମ ନେଇ ଆଉ ଗୋଟିଏ ଭାଇରାଲ ଖବର ଆସିବା ପର୍ଯ୍ୟନ୍ତ ଜୀବିତ ରହୁଛି। ଓଡ଼ିଶା ରାଜନୀତିରେ ଯେବେଠାରୁ ପାଣ୍ଡିଆନ୍ ପାର୍ଟ୍ ଟୁ ପର୍ବ ଆରମ୍ଭ ହୋଇଛି ସେବେଠାରୁ ସୋସିଆଲ ମିଡ଼ିଆରେ ଖଟି ମଧ୍ୟ ଜୋର ଧରିଛି। ପ୍ରେସ୍ ରିଲିଜକୁ ବ୍ରେକିଂ ଧରିନେଇଥିବା ଓଡ଼ିଆ ମିଡିଆର ଧୁରନ୍ଧରମାନେ, ଯେଉଁମାନେ ଗତ ୨୪ ବର୍ଷ ମଧ୍ୟରେ ନବୀନଙ୍କୁ ଛାଡ଼ନ୍ତୁ ତାଙ୍କ ଛାଇକୁ ମଧ୍ୟ ଧରି ପାରିନଥିବା ବ୍ୟକ୍ତି ସବୁ ଥିଲେ ନବୀନଙ୍କ ସ୍ୱଂୟଭୁ ପ୍ରବକ୍ତା। ନିଜ ନିଜ ଏଜେଣ୍ଡାରେ ଚାଲୁଥିବା ଏହି ଧୁରନ୍ଧର, ପ୍ରବୀଣ ଓ ଆପେ ଆପେ ନିରପେକ୍ଷ ସାମ୍ବାଦିକମାନେ ଦୁଇ ପଟର ପ୍ରଚାରକ। କିନ୍ତୁ ଏମାନେ ନିଜକୁ ସତ୍ୟର ଅନ୍ୱେଷଣକାରୀ କହିବାରେ ଲଜ୍ଜା ଅନୁଭବ କରନ୍ତି ନାହିଁ। ଦୁଇପକ୍ଷ ମଧ୍ୟରେ ଚାଲିଥିବା ଲଢ଼େଇରେ ଦୁଇ ତିନିଜଣ କଥାକୁହା କପିଳା ଗୋଟିଏ ନୂଆ ଶବ୍ଦ ସୃଷ୍ଟି କରିଛନ୍ତି। ମିଡିଆ ଟର୍ମଲୋଜିରେ ଏହା ହେଉଛି ବିସ୍କୁଟ୍ ମିଡିଆ।
ଏହି ବିସ୍କୁଟ୍ ମିଡିଆ କ’ଣ? ଏହାକୁ ନେଇ ଅନେକଙ୍କ ମଧ୍ୟରେ ସନ୍ଦେହ ଥିବ। କିନ୍ତୁ ନିଜକୁ ଅଜ୍ଞାନୀ ବୋଲାଇବା ଚକ୍କରରେ କେହି ପଚାରୁନଥିଲେ। ବାସ, କେବଳ ଅନୁମାନ କରାଯାଉଥିଲା ଯେ, କୁକୁରଖିଆ ବିସ୍କୁଟର ଯେମିତି ଗୋଟିଏ ବ୍ରାଣ୍ଡ୍ ଅଛି, ସେମିତି ବିସ୍କୁଟ୍ ମିଡିଆ ମଧ୍ୟ ଗୋଟିଏ ପ୍ରକାରର ସ୍ତାବକ, ଅଧସ୍ତନ ଗଣମାଧ୍ୟମ ହୋଇଥାଇପାରେ। କିମ୍ବା ଗୋଦି ମିଡିଆ ଓ ଦରବାରୀ ମିଡିଆର ଆଉ ଏକ ପ୍ରୋଭର୍ସନ ହୋଇପାରେ ବୋଲି କିଛିଙ୍କର ସମ୍ୟକ ଧାରଣା ଥିଲା।
ବିସ୍କୁଟ୍ ମିଡିଆ କ’ଣ, ଯଦି ଆପଣ ଜାଣିନାହାନ୍ତି ତେବେ ଏଥିରେ ଲଜ୍ଜିତ ହେବାର କିଛି ନାହିଁ। ଆପଣଙ୍କ ଭଳି ଅନେକ ଏହା ଜାଣିନଥିବେ। ଯେମିତି ଓଡ଼ିଶାର ଜଣେ ନାମକରା ସାମ୍ବାଦିକ ସନ୍ଦିପ ସାହୁ ମଧ୍ୟ ବିସ୍କୁଟ ମିଡିଆର ଉତ୍ପତି, ଏହାର ସ୍ରଷ୍ଟା କିଏ ଓ ଏହାର ଅର୍ଥ କଣ ଜାଣିନଥିଲେ। ତେବେ ନିଜ ଅଜ୍ଞାନତାକୁ ଲୁଚାଇବାର କୌଣସି ପ୍ରୟାସ ନ କରି ସେ ସୋସିଆଲ ମିଡିଆରେ ଏହି ବିସ୍କୁଟ୍ ମିଡିଆ କ’ଣ ବୋଲି ପ୍ରଶ୍ନ ପଚାରିଥିଲେ।
ପ୍ରଥମେ ସନ୍ଦିପ ସାହୁଙ୍କ ଫେସବୁକ୍ ପୋଷ୍ଟର ସ୍କ୍ରିନ୍ ସଟ୍ ଦେଖନ୍ତୁ। ଏଥିରେ ସନ୍ଦିପ ବାବୁ ପଚାରୁଛନ୍ତି; ଅଜ୍ଞତା ପାଇଁ ପ୍ରଥମରୁ କ୍ଷମା ମାଗି ନେଉଛି । ଏ “ବିସ୍କୁଟ ମିଡ଼ିଆ” ଶବ୍ଦଟିର ଅର୍ଥ କ’ଣ? ଏହା କ’ଣ “ଗୋଦି ମିଡ଼ିଆ”ର ଓଡ଼ିଶା ସଂସ୍କରଣ? ଏହା କାହାପାଇଁ ଏବଂ କେଉଁ ପରିସ୍ଥିତିରେ ବ୍ୟବହାର କରାଯାଏ? କିଏ ଏହାର ଉଦ୍ଭାବକ ଏବଂ ବ୍ୟବହାରକାରୀ? କିଏ ଓ କେବେ ଏହାର ପ୍ରଥମ ବ୍ୟବହାର କରିଥିଲା ଏବଂ କାହା ପାଇଁ?
ସନ୍ଦିପ ବାବୁଙ୍କ ଏହି ପ୍ରଶ୍ନ ପରେ ଉତ୍ତରର ଲମ୍ବା ଲାଇନ୍ ଲାଗିଥିଲା। ଜଣେ ଉତ୍ତର ଦେଇ କହିଲେ ଯେ, ବିସ୍କୁଟ୍ ମିଡିଆ ଶବ୍ଦର ସ୍ରଷ୍ଟାଭାବେ ତିନିଜଣଙ୍କ ନାମ ନେଇଥିଲେ। ଦେଖନ୍ତୁ ଉତ୍ତରଦାତ୍ତା କ’ଣ ଲେଖିଛନ୍ତି। ଏବେ ପ୍ରକୃତରେ ଏହି ତିନିଜଣ ଓଡ଼ିଶାରେ ବିସ୍କୁଟ୍ ମିଡିଆ ଶବ୍ଦକୁ ପ୍ରଥମେ ବ୍ୟବହାର କରିଥିଲେ କି ନାହିଁ ତାହା ଆମେ ଜାଣି ନାହୁଁ। ଆପଣ ଏହାକୁ ଆମର ଅଜ୍ଞତା କହିପାରନ୍ତି।
ତେଣୁ ଆମେ କାଳବିଳମ୍ବ ନ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାଯ୍ୟ ନେଇଥିଲୁ। ଗ୍ରୋକ୍କୁ ଆମେ ପ୍ରଶ୍ନ କରିଥିଲୁ ଯେ, ବିସ୍କୁଟ ମିଡିଆର ନାମକରଣ କିଏ କରିଥିଲେ। ଉତ୍ତରରେ ଗ୍ରୋକ୍ ଆମକୁ କହିଥିଲା ଯେ, “ବିସ୍କୁଟ୍ ମିଡିଆ” ଶବ୍ଦର ନାମକରଣ ସ୍ପଷ୍ଟଭାବେ କୌଣସି ବ୍ୟକ୍ତି ବା ସଂସ୍ଥା ସହ ଜଡ଼ିତ ନାହିଁ, କାରଣ ଏହା ଏକ ଲୋକପ୍ରିୟ ବ୍ୟଙ୍ଗାତ୍ମକ ଶବ୍ଦ ଯାହା ସାମାଜିକ ଗଣମାଧ୍ୟମ ଓ ରାଜନୈତିକ ଆଲୋଚନାରେ ଧୀରେ ଧୀରେ ପ୍ରଚଳିତ ହୋଇଛି। ଏହା ସାଧାରଣତଃ ଭାରତୀୟ ପ୍ରସଙ୍ଗରେ ମିଡିଆର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ଏହାର ମୂଳଉତ୍ସ ସଠିକ୍ ଭାବେ ନିର୍ଦ୍ଧାରଣ କରାଯାଇ ନାହିଁ।
ଏହା ସମ୍ଭବତଃ ଜନସାଧାରଣ, ରାଜନୈତିକ ଟିପ୍ପଣୀକାର, ବା ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍ପନ୍ନ ହୋଇଥାଇପାରେ, ଯେଉଁମାନେ ମିଡିଆ ସଂସ୍ଥାଗୁଡ଼ିକୁ କିଛି ଲାଭ ବା ସୁବିଧା (“ବିସ୍କୁଟ୍”) ବଦଳରେ ନିର୍ଦ୍ଦିଷ୍ଟ ଏଜେଣ୍ଡା ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ତେବେ, ଏହାର ସଠିକ୍ ନାମକରଣ କେହି ନିର୍ଦ୍ଦିଷ୍ଟଭାବେ ଦାବି କରିନାହାନ୍ତି, ଓ ଏହା ଏକ ସାମୂହିକ ବ୍ୟଙ୍ଗଭାବେ ବିକଶିତ ହୋଇଛି।
ବିସ୍କୁଟ୍ ମିଡିଆ ଶବ୍ଦ ସୃଷ୍ଟି ପୂର୍ବରୁ ଭାରତରେ,ଗୋଦି ମିଡିଆ ଓ ଦରବାରୀ ମିଡିଆ ବେଶ୍ ପ୍ରଚଳିତ ଅଛି। ଆଉ ଏସବୁ ଶବ୍ଦକୁ କେହି ବାହାର ବ୍ୟକ୍ତି ତିଆରି କରିନାହାନ୍ତି। ସେହି ଗଣମାଧ୍ୟମର ବ୍ୟକ୍ତି ବିଶେଷ ହିଁ ତିଆରି କରିଛନ୍ତି। ଏବେ ଯେଉଁମାନେ ସରକାର ବିରୋଧରେ ଅଛନ୍ତି ସେମାନଙ୍କ ନଜରରେ ସରକାର ସମର୍ଥକ ସାମ୍ବାଦିକ ହେଉଛନ୍ତି ଗୋଦି ମିଡିଆ। ଭଲକି ବୁଝାଇ କହିଲେ ମୋଦି ଓ ବିଜେପି କୋଳରେ ବସିଥିବା ସାମ୍ବାଦିକ, ଗଣମାଧ୍ୟମ ସଂସ୍ଥା ସବୁ ରବିଶ୍ କୁମାରଙ୍କ ଭାଷାରେ ହେଉଛନ୍ତି ଗୋଦି ମିଡିଆ। ଆଉ ରବିଶ୍ ଯେଉଁମାନଙ୍କୁ ଗୋଦି ମିଡିଆ କହୁଛନ୍ତି,ସେମାନେ କହୁଛନ୍ତି ତୁମ କଥା କ’ଣ.. ତୁମେ ତ ଦିନେ ଦରବାରୀ ମିଡିଆ ଥିଲ। ଦରବାରରେ ହାଜିରା ପକାଇ ଫିକ୍ସିଂ କରୁଥିଲ।
ସମାନ କଥା ଓଡ଼ିଶାରେ ଘଟୁଛି। ଏବେ ଯେଉଁମାନେ ଗଣମାଧ୍ୟମର ଗୋଟିଏ ଗୋଷ୍ଠୀକୁ ବିସ୍କୁଟ୍ ମିଡିଆ କହୁଛନ୍ତି ଦିନେ ସେମାନେ ଅପରପକ୍ଷର ବିସ୍କୁଟ୍ ଖାଉଥିଲେ କିମ୍ବା ବିଜେଡି ଦ୍ୱାରା ଉପକୃତ ହେଉଥିଲେ ବୋଲି ବିସ୍କୁଟ୍ ଲେବଲ ବାଲା କହୁଛନ୍ତି। କହିବାର କଥା ହେଲା; ହମାମରେ ସମସ୍ତେ ଲଙ୍ଗଳା। ଏବେ ଆପଣ କୁହନ୍ତୁ, ଓଡ଼ିଶାର ମିଡିଆ ବିସ୍କୁଟ୍ ମିଡିଆ ନା, ଉତ୍ତର ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।
Also readhttps://purvapaksa.com/bjp-does-not-give-importance-to-bjd-disidents/