ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ରାୟ। ସ୍ଵାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା ବୋଲି କୋର୍ଟ କହିଛନ୍ତି । ବିବାହ ବିଚ୍ଛେଦ ନିର୍ଦ୍ଦେଶ ପାଇଁ ଏପରି କାରଣ ପର୍ଯ୍ୟାପ୍ତ ଆଧାର ହୋଇ ପାରେ ବୋଲି ହାଇକୋର୍ଟ ରାୟ ଦେଇ କହିଛନ୍ତି। ଜଣେ ଭିନ୍ନକ୍ଷମ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ବିବାହ ବିଚ୍ଛେଦ ସପକ୍ଷରେ ପୁରୀ ପରିବାର ଅଦାଲତ ଦେଇଥିବା ରାୟକୁ ହାଇକୋର୍ଟ କାଏମ ରଖି ଏଭଳି କହିଛନ୍ତି। ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟ ଓ ଜଷ୍ଟିସ୍ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ଶାରୀରିକ ଦୁର୍ବଳତା ପ୍ରସଙ୍ଗରେ ସ୍ଵାମୀଙ୍କ ବିରୋଧରେ ପତ୍ନୀ ଦେଉଥିବା ଏଭଳି ମନ୍ତବ୍ୟ ତାଙ୍କୁ ମାନସିକ କଷ୍ଟ ଦେଉଥିବ। ଏପରି ବ୍ୟବହାର ସ୍ବାମୀଙ୍କ ପ୍ରତି ପତ୍ନୀଙ୍କ ଚିନ୍ତାଧାରା ଓ ସମ୍ମାନକୁ ପ୍ରକାଶ କରିଥାଏ। ସ୍ଵାମୀ-ସ୍ତ୍ରୀ ସଂପର୍କରେ ଶାରୀରିକ ଦୁର୍ବଳତା ସତ୍ତ୍ବେ ସ୍ଵାମୀଙ୍କୁ ପତ୍ନୀ ସମର୍ଥନ ଦେବେ ବୋଲି ଆଶା କରାଯାଏ। ଏହି ମାମଲାରେ ସ୍ବାମୀଙ୍କ ଶାରୀରିକ ଦୁର୍ବଳତା ପାଇଁ ପତ୍ନୀ ଆକ୍ଷେପ କରିବା ସହିତ କଟୁ ଟିପ୍ପଣୀ ଦେଉଥିବା ଜଣା ପଡିଛି। ଅନ୍ୟପକ୍ଷରେ ପତି-ପତ୍ନୀଙ୍କ ଆୟ ସଂପର୍କିତ କୌଣସି ତଥ୍ୟ ମାମଲାର ରେକର୍ଡରେ ନଥିଲା। ଏଭଳି ସ୍ଥିତିରେ ହିନ୍ଦୁ ବିବାହ ଆଇନ ଅନୁସାରେ ପତ୍ନୀ ସ୍ଥାୟୀ ଭରଣପୋଷଣ ମଞ୍ଜୁର ଓ ସ୍ତ୍ରୀଧନ ଫେରସ୍ତ ଦାବି ପ୍ରସଙ୍ଗକୁ ପରିବାର ଅଦାଲତରେ ଉଠାଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ସୂଚନା ଅନୁଯାୟୀ, ଏହି ମାମଲାରେ ସ୍ଵାମୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ପତ୍ନୀଙ୍କ ଦ୍ବାରା ନିର୍ଯାତିତ ବୋଲି ଅଭିଯୋଗ କରିଥିଲେ। ୨୦୧୬ରେ ତାଙ୍କର ବିବାହ ହୋଇଥିବା ବେଳେ ୨୦୧୯ରେ ସ୍ଵାମୀ ପୁରୀ ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତାଙ୍କ ଶାରୀରିକ ଦୁର୍ବଳତା ପ୍ରସଙ୍ଗ କରି ପତ୍ନୀ ଆକ୍ଷେପ କରିବା ସହିତ କଟୁ ଶବ୍ଦ ପ୍ରୟୋଗ କରି ମନ୍ତବ୍ୟ ଦିଅନ୍ତି ବୋଲି ସ୍ଵାମୀ ଅଦାଲତରେ ଅଭିଯୋଗ କରିଥିଲେ। ଅଦାଲତରେ ସାକ୍ଷ୍ୟ ପ୍ରମାଣ ଗ୍ରହଣ ବେଳେ ସ୍ଵାମୀ ଜଣଙ୍କ ମଧ୍ୟ ତାଙ୍କ ବୟାନରେ ସମାନ କଥା କହିଥିଲେ। ସ୍ଵାମୀଙ୍କ ଏପରି କଥାକୁ ଭୁଲ ବୋଲି ଅଦାଲତରେ ସ୍ତ୍ରୀଙ୍କ ପକ୍ଷରୁ ପ୍ରମାଣ କରାଯାଇ ପାରି ନଥିଲା। ପରିବାର ଅଦାଲତ ଏହି ମାମଲାର ବିଚାର କରି ବିବାହ ବିଚ୍ଛେଦ ପାଇଁ ୨୦୨୩ରେ ରାୟ ଦେଇଥିଲେ। ଏଥିରେ ପତ୍ନୀଙ୍କୁ କୌଣସି ସ୍ଥାୟୀ ଭରଣପୋଷଣ ମଞ୍ଜୁର ନ କରି ପରିବାର ଅଦାଲତ ବିବାହ ବିଚ୍ଛେଦ ରାୟ ପ୍ରଦାନ କରିଥିବାରୁ ଏପରି ରାୟକୁ ବିରୋଧ କରି ପତ୍ନୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏବେ ହାଇକୋର୍ଟ ତଳ କୋର୍ଟ ରାୟକୁ କାୟମ ରଖିଛନ୍ତି। ତେବେ ଏଭଳି ନ୍ୟାୟ ଶାରୀରିକ ଦୁର୍ବଳ ଏବଂ ଭିନ୍ନକ୍ଷମ ପୁରୁଷଙ୍କୁ ଆଶ୍ଵସ୍ତ ଦେବ ବୋଲି କୁହାଯାଇଛି। ବିବାହ ପରେ ଉଭୟ ପତି-ପତ୍ନୀ ନିଜ ସାଥୀର ଦୁର୍ବଳତାକୁ ନେଇ ତାଙ୍କୁ ଛୋଟ ଦେଖେଇବା ବଦଳରେ ତାଙ୍କର ସାହାରା ହେବା ଉଚିତ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି। ଶାରୀରକ ସମସ୍ୟା କେତେବେଳେ ବି କାହା ସହ ଆସିପାରେ ସେ ସ୍ଵାମୀ ହୁଅନ୍ତୁ କି ସ୍ତ୍ରୀ।
Also readhttps://purvapaksa.com/what-is-the-reason-behind-the-boeing-plane-crash/