ଏକକ ନିର୍ବାଚନରେ ଜିଡିପି ୧.୫% ବୃଦ୍ଧି ବଢିପାରେ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ସଂସଦ ଭବନ ଆନେକ୍ସରେ ଅନୁଷ୍ଠିତ ଏକ ଦେଶ- ଏକ ନିର୍ବାଚନ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଷଷ୍ଠ ବୈଠକରେ ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନକେ ସିଂହ ଓ ଅର୍ଥନୀତି ପ୍ରଫେସର ଡକ୍ଟର ପ୍ରାଚୀ ମିଶ୍ର ଯୋଗଦେଇଥିଲେ । ଉଭୟଙ୍କ ମତରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ଏକାଠି କରିବା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । ଉଭୟ ବିଶେଷଜ୍ଞ ସେମାନଙ୍କର ମିଳିତ ଉପସ୍ଥାପନାରେ କହିଛନ୍ତି ଯେ ୨୦୨୩-୨୪ ବର୍ଷର ସଂଖ୍ୟା ଅନୁଯାୟୀ ଜିଡିପି ରେ ୪.୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ହେବ।
ମାତ୍ର ନିର୍ବାଚନ ପରେ ଅଧିକ ଖର୍ଚ୍ଚ ଯୋଗୁଁ ରାଜକୋଷ ଖର୍ଚ୍ଚ ମଧ୍ୟ ପ୍ରାୟ ୧.୩ ପ୍ରତିଶତ ବୃଦ୍ଧି ପାଇବ । ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ଵାରା ହେଉଥିବା କ୍ଷତି ସମ୍ପର୍କରେ ଉଭୟ ବିଶେଷଜ୍ଞ ମତ ରଖୁଛନ୍ତି । ସେମାନଙ୍କ ମତରେ ବାରମ୍ବାର ନିର୍ବାଚନ ହେବା ଦ୍ବାରା ନିର୍ମାଣ, ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ପ୍ରବାସୀ ଶ୍ରମିକମାନେ ପ୍ରାୟତଃ ନିଜ ଘରକୁ ଫେରିଯାଆନ୍ତି । ଏହା ପ୍ରଡକ୍ଟିଭିଟିକୁ ପ୍ରଭାବିତ କରିଥାଏ। ଭାରତର ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ବାରମ୍ବାର ନିର୍ବାଚନ ।
ସେମାନଙ୍କ ଉପରେ ଆର୍ଥିକ ବୋଝ ପକାଇଥାଏ । ଏହା ସେମାନଙ୍କର ଭୋଟ ଦେବାର ଅଧିକାରକୁ ଦୁର୍ବଳ କରିଥାଏ।
ସେହିପରି ନିର୍ବାଚନ ବାରମ୍ବାର ଅନୁଷ୍ଠିତ ହେବା ଦ୍ବାରା ଶିକ୍ଷକମାନଙ୍କୁ ବାରମ୍ବାର ନିର୍ବାଚନ ଡ୍ୟୁଟିରେ ନିୟୋଜିତ କରାଯାଇଥାଏ । ଏହା ସହିତ ସ୍କୁଲଗୁଡ଼ିକରେ ମଧ୍ୟ ମତଦାନ କେନ୍ଦ୍ର କରାଯାଏ। ଏହାଦ୍ୱାରା ସ୍କୁଲରେ ନାମଲେଖା ପ୍ରକ୍ରିୟାରେ ୦.୫ ପ୍ରତିଶତ ହ୍ରାସ ହୋଇଥାଏ । ୧୯୮୬ ମସିହା ପରଠାରୁ ଭାରତରେ ଏପରି ଗୋଟିଏ ବର୍ଷ ହୋଇନାହିଁ ଯେଉଁ ବର୍ଷ ନିର୍ବାଚନ ହୋଇନାହିଁ । ଏହା ଦେଶକୁ ନିରନ୍ତର ନିର୍ବାଚନୀ ମୋଡରେ ରଖୁଥାଏ । ନିର୍ବାଚନ ଡ୍ୟୁଟି ଲାଗି ବାରମ୍ବାର ପୋଲିସର ବ୍ୟବହାର ଦ୍ୱାରା ଅପରାଧ ବୃଦ୍ଧି ପାଇଥାଏ। ଆଚରଣ ସଂହିତାକୁ ବାରମ୍ବାର କାର୍ଯ୍ୟକାରୀ କରିବାକୁ ପଡ଼େ । ଏହା ସରକାରଙ୍କ କାର୍ଯ୍ୟକୁ ସୀମିତ କରିବା ସହିତ ବିକାଶ କାର୍ଯ୍ୟକୁ ମନ୍ଥର କରିଥାଏ।
