ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବ ସମାରୋହ । ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ଭଗବାନ ବୁଦ୍ଧଙ୍କ ଅବତାର ତଥା ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କ ଦେହବସାନ ଘଟିଛି । ଏହାର ପ୍ରାମାଣିକ ତଥ୍ୟ ମିଳିବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଅଧିକ ଜାଣିବା ଏବଂ ଆଲୋଚନା ପାଇଁ ‘ଫାଷ୍ଟ ଗୁରୁ ପଦ୍ମସମ୍ଭବ କନକ୍ଳେଭ’ ଆରମ୍ଭ ହେବ। ଆସନ୍ତା ଜାନୁଆରି ୧୨ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଗୁରୁ ପଦ୍ମସମ୍ଭବ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୧୫ ଶହ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେବେ। ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ସହାୟତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।
ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରଦେଶ ସମେତ ଥାଇଲାଣ୍ଡ, ନେପାଳ, ଭୁଟାନ, ଭିଏତନାମ, କାମ୍ବୋଡ଼ିଆ, ବ୍ରାଜିଲ, ଆମେରିକା, ଫ୍ରାନ୍ସ ଦେଶରୁ ବୌଦ୍ଧ ସନ୍ୟାସୀ ଯୋଗଦେବେ। ସେମାନଙ୍କ ପାଇଁ ଉଦୟଗିରି, ରତ୍ନଗିରି ଓ ଲଳିତଗିରି ଠାରେ ରହଣୀ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସାମିଲ ହେବାକୁ ଥିବା ବୌଦ୍ଧ ସନ୍ୟାସୀ ମାନେ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିବେ । ଏଥିସହ ବିଶ୍ୱ ଐତିହ୍ୟ ତାଲିକାରେ ହୀରକ ତ୍ରିଭୁଜକୁ ସାମିଲ କରିବା, ଅସିଆ ପର୍ବତମାଳାରେ ଗଢି ଉଠିଥିବା ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପୁନଃ ପ୍ରତିଷ୍ଠା ଓ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଆଲୋଚନା ସଭାମାନ ଅନୁଷ୍ଠିତ ହେବ ।
ପ୍ରଥମ ଥର ପାଇଁ ଗୁରୁ ପଦ୍ମସମ୍ଭବଙ୍କ ନାମରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀକୁ ନେଇ ବୌଦ୍ଧ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଯୋଗଦେବାକୁ ଥିବା ବୌଦ୍ଧ ସନ୍ୟାସୀ ମାନଙ୍କୁ ସ୍ୱାଗତ କରିବା ପାଇଁ ଅଂଚଳବାସୀ ଅପେକ୍ଷା କରିଛନ୍ତି ।
Also read https://purvapaksa.com/listen-to-mahakumbha-live-on-fm-akashvai-launches-kumbhasi-channel/
FMରେ ଶୁଣନ୍ତୁ ମହାକୁମ୍ଭର ସିଧାପ୍ରସାରଣ, ଆକାଶବାଣୀ ଲଞ୍ଚ୍ କଲା ‘କୁମ୍ଭବାଣୀ’ ଚ୍ୟାନେଲ