DMF : ୨୦୨୦ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଥିବା ୪୫୨ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପାଇଁ ୫୨୭ କୋଟି ୮୮ ଲକ୍ଷ ୬୨ ହଜାର ୫୧୬ଟଙ୍କା ଡିଏମ୍ଏଫ୍ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି।
କେନ୍ଦଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରେ ଅର୍ଯ୍ୟାପ୍ତ ଅର୍ଥ ଥିବାରୁ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ୫-ଟି ରୂପାନ୍ତରଣ ନାମରେ ସ୍କୁଲ ମରାମତି ନାମରେ ପାଣିଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। ସ୍କୁଲ ପିଛା ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରିଥିବା ବିଧାୟକ ଅନାମ ନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାକୁ ସୂଚନା ଦେଇଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ୨୦୨୦ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଥିବା ୪୫୨ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପାଇଁ ୫୨୭ କୋଟି ୮୮ ଲକ୍ଷ ୬୨ ହଜାର ୫୧୬ଟଙ୍କା ଡିଏମ୍ଏଫ୍ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି।
୨୦୨୦-୨୧ ଆର୍ଥିକ ବର୍ଷରେ ୧୦୦ଟି ସ୍କୁଲର ରୂପାନ୍ତରଣ ପାଇଁ ୧୨୪ କୋଟି ୦୪ ଲକ୍ଷ ୮୦ ହଜାର ୯୧୦ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ୨୦୨୧-୨୨ରେ ୨୦୩ ଟି ସ୍କୁଲ ପାଇଁ ୨୫୦ କୋଟି ୧୨ ଲକ୍ଷ ୮୫ ହଜାର ୩୬୬ ଟଙ୍କା, ୨୦୨୨-୨୩ରେ ୩୯ଟି ସ୍କୁଲ ପାଇଁ ୬୨କୋଟି ୬୩ ଲକ୍ଷ ୬୬ ହଜାର ୧୫୫ ଟଙ୍କା ଓ ୨୦୨୩-୨୪ରେ ୧୧୦ଟି ସ୍କୁଲ ପାଇଁ ୯୧ କୋଟି ୦୭ ଲକ୍ଷ ୩୦ ହଜାର ୦୮୫ ଟଙ୍କା ଡିଏମ୍ଏଫ୍ ପାଣ୍ଠିରୁ ବିନିଯୋଗ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୫-ଟି ଉଦ୍ଭଟ ଚିନ୍ତାଧାରାର ସୃଷ୍ଟିକର୍ତ୍ତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏକାନ୍ତ ଅନୁଗତ ଆଶିଷ ଠାକରେ କେନ୍ଦୁଝର ଜିଲ୍ଲାରେ ଦୀର୍ଘ ୬ବର୍ଷ ଜିଲ୍ଲାପାଳ ପଦବୀରେ ରହି ରେକର୍ଡ ସୃଷ୍ଟି କରିଥିଲେ। ଏହି ସମୟ ମଧ୍ୟରେ ଜିଲ୍ଲାପାଳ ଆଶିଷ ଠାକରେ ଡିଏମ୍ଏଫ୍ ପାଣ୍ଠିରୁ ମନଇଛା ଖର୍ଚ୍ଚ କରୁଥିଲେ। ଏହିକ୍ରମରେ ଠାକରେଙ୍କ ସୁରକ୍ଷାଦାତା ପାଣ୍ଡିଆନଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଡିଏମ୍ଏଫ୍ ପାଣ୍ଠିକୁ ଖୋଲି ଦେଇଥିଲେ ବୋଲି ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି।
କେବଳ ଭଙ୍ଗା ସ୍କୁଲ ଘର ମରାମତି କରିବା ପାଇଁ ଜିଲ୍ଲାପାଳ ଆଶିଷ ଠାକରେ ଡିଏମ୍ଏଫ୍ ପାଣ୍ଠିରୁ ଯେତିକି ଅର୍ତ ଖର୍ଚ୍ଚ କରିଛନ୍ତି ସେତିକି ଅର୍ଥରେ ନୂଆ ସ୍କୁଲ କୋଠା ହୋଇପାରିଥା’ନ୍ତା ବୋଲି ସାଦାରଣରେ ଆଲୋଚନା ହେଉଛି।
