- ୫-୩ ଗୋଲରେ ପାକିସ୍ତାନକୁ ହରାଇଲା
- ଅରିଜିତ ଦେଲେ ୪ ଗୋଲ୍
ଜୁନିୟର ପୁରୁଷ ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଆଧିପତ୍ୟ ଜାରି ରଖି ପଞ୍ଚମ ଥର ପାଇଁ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଭାରତ ୫-୩ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାଜିତ କରିଥିଲା। କ୍ରମାନ୍ୱୟରେ ଏହା ଦଳର ତୃତୀୟ ଟାଇଟଲ ।
ଫାଇନାଲ ମୁକାବିଲା ବେଶ ଚିତାକର୍ଷକ ହୋଇଥିଲା । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇ ଦଳ ପରସ୍ପର ବିପକ୍ଷରେ ୩ଟି ଲେଖାଏଁ ଗୋଲ କରିଥିଲେ। ୩-୩ରେ ସ୍ଥିତି ବରାବର ରହିଥିଲା। ଅନ୍ତିମ କ୍ୱାର୍ଟରରେ ଭାରତ ଆଉ ୨ଟି ଗୋଲ୍ ଦେଇ ମ୍ୟାଚ୍ ଜିତି ନେଇଥିଲା । ଏକାକୀ ଅରିଜିତ ସିଂହ ହୁଣ୍ଡାଲ ୪ଟି ଗୋଲ୍ (୪, ୧୮, ୪୭, ୫୪ ମିନିଟ ) ସ୍କୋର କରି ଦଳକୁ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ୧୯ ମିନିଟରେ ଦିଲରାଜ ସିଂହ ଗୋଟିଏ ଗୋଲ୍ ଦେଇଥିଲେ । ପାକିସ୍ତାନ ପକ୍ଷରୁ ୩, ୩୦ ଓ ୩୯ ମିନିଟରେ ଗୋଲ ହୋଇଥିଲା । ବ୍ରୋଞ୍ଜ ପଦକ ମ୍ୟାଚରେ ଜାପାନ ୨-୧ ଗୋଲରେ ମାଲେସିଆକୁ ପରାଜିତ କରିଥିଲା ।
ଭାରତ ୨୦୦୪, ୨୦୦୮, ୨୦୧୫, ୨୦୨୩, ୨୦୨୪ ସଂସ୍କରଣରେ ଚାମ୍ପିଅନ ହୋଇଛି । ୧୯୯୬ ଓ ୨୦୦୦ରେ ରନର୍ସଅପ ହୋଇଥିଲା । ଭାରତ ପଛକୁ ପାକିସ୍ତାନ ୩ ଥର (୧୯୮୭, ୧୯୯୨, ୧୯୯୬), ଦକ୍ଷିଣ କୋରିଆ ଥରେ (୨୦୦୦) ଏବଂ ମାଲେସିଆ (୨୦୧୨) ମଧ୍ୟ୍ୟ ଥରେ ଚାମ୍ପିଅନ ହୋଇଛି । ଚାମ୍ପିଅନ ଦଳ ସହ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ୪ ସ୍ଥାନ ମଧ୍ୟ୍ୟରେ ଥିବା ଦଳ ଜୁନିୟର ହକି ବିଶ୍ୱକପକୁ (୨୦୨୫) ଯୋଗ୍ୟତା ହାସଲ କରିଛନ୍ତି ।
previous article: https://purvapaksa.com/india-defeats-malaysia-3-1-to-set-up-title-clash-against-pakistan/