ଗତ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁଣି ବିଧାନସଭାରେ ବିଧାୟକମାନେ ଏକଜୁଟ ହୋଇ ନିଜର ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି ।
- ଭତ୍ତା ବୃଦ୍ଧି ପାଇଁ ବି କଲେ ଦାବି
- ଗଢା ହେଲା କମିଟି
୨୦୨୪ ଜୁନ ମାସରେ ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି ସରକାର। ବହୁ ଆଶା ନେଇ ୨୪ ବର୍ଷର ବିଜେଡ଼ି ସରକାରକୁ ହଟାଇ ନୂଆ ସରକାରକୁ ଗାଦିରେ ବସାଇଥିଲେ ଲୋକେ। ତେବେ ନୂଆ ସରକାର ଆସିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଦରଦାମ କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ି ଚାଲିଛି। ଯାହା ସାଧାରଣ ଜନତାଙ୍କ ପକେଟକୁ ଭାରି ବାଧୁଛି। ଆଳୁପିଆଜ, ଅଦାରସୁଣ ଠୁ ଆରମ୍ଭ କରି ତେଲଲୁଣ ପର୍ଯ୍ୟନ୍ତ ସବୁ ଜିନିଷର ଦର ଆକାଶ ଛୁଆଁ ହୋଇଛି। ଏଥିପ୍ରତି ସରକାରଙ୍କ ନିଘା ନାହିଁ। କିନ୍ତୁ ନିଜ ଦରମା ଓ ଭତ୍ତା କିପରି ବୃଦ୍ଧି ପାଇବ ସେ ନେଇ ଶାସକ-ବିରୋଧୀ ଏକ ହୋଇଯାଇଛନ୍ତି। ମାତ୍ର କିଛିମାସର ବ୍ୟବଧାନ ପରେ ପୁଣି ନିଜ ଦରମା ବୃଦ୍ଧି ଦାବି କରିଛନ୍ତି ସବୁ ଦଳର ବିଧାୟକ । ଆଉ ବାଚସ୍ପତି ସେମାନଙ୍କ ଦାବିକୁ ବିଚାରକୁ ନେଇ ଉପଦେଷ୍ଟା କମିଟି ଘୋଷଣା କରିବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ନବନିର୍ବାଚିତ ସପ୍ତଦଶ ବିଧାନସଭାରେ ଶତକଡ଼ା ୭୩ ଭାଗ କୋଟିପତି ବିଧାୟକ ଥିବାବେଳେ ସେମାନେ ନିୟମିତ ବ୍ୟବଧାନରେ ବାରମ୍ବାର ନିଜର ଦରମା ବୃଦ୍ଧି ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଗତ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମଙ୍ଗଳବାର ବିଧାନସଭାରେ ବିଧାୟକମାନେ ଏକଜୁଟ ହୋଇ ନିଜର ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି । ଆଉ ବିଧାୟକମାନଙ୍କ ଦାବି ଆଧାରରେ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ଣରେ ବରିଷ୍ଠ ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ କରିଛନ୍ତି । ଏହି କମିଟି ବିଧାୟକମାନଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକମାନଙ୍କ ପେନସନ୍ ବୃଦ୍ଧି ନେଇ ତା’ର ରିପୋର୍ଟ ଦେବ । ତେବେ ଚଳିତ ବିଧାନସଭାରେ ମୋଟ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ଜଣ(୭୩%) ଧନୀ ଓ କୋଟିପତି ବୋଲି ନିଜେ ସ୍ୱୀକାର କରିଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କ ଏହି ଦରମା ବୃଦ୍ଧି ଦାବିର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିଛି।
ଏଡିଆର ରିପୋର୍ଟ ଅନୁସାରେ, ଚଳିତ ସପ୍ତଦଶ ବିଧାନସଭାରେ ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ପରିମାଣ ୭.୩୭କୋଟି ଟଙ୍କା । ଯାହାକି ଷୋଡ଼ଶ ବିଧାନସଭା (୨୦୧୯-୨୪)ରେ ହାରାହାରି ୪.୪୧କୋଟି ଟଙ୍କା ଥିଲା । ଗତ ବିଧାନସଭାରେ କୋଟିପତି ବିଧାୟକଙ୍କ ସଂଖ୍ୟା ୯୫ଥିବାବେଳେ ଚଳିତ ବିଧାନସଭାରେ ଏହି ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ଚଳିତ ବିଧାନସଭାରେ ୫୨ଜଣ ବିଜେପି, ୪୩ଜଣ ବିଜେଡି, ୯ଜଣ କଂଗ୍ରେସ, ୨ଜଣ ସ୍ୱାଧୀନ ଓ ଜଣେ ସିପିଆଇଏମ୍ ବିଧାୟକ କୋଟିପତି ବୋଲି ନିଜେ ସ୍ୱୀକାର କରିଛନ୍ତି ।
ଏବେ ବିଧାୟକମାନଙ୍କୁ ହାତପାଣ୍ଠି ବାବଦରେ ବାର୍ଷିକ ୩କୋଟି ଟଙ୍କା ମିଳୁଛି । ଏହାବାଦ୍ ବିଧାୟକମାନେ ନିଜ ଅଂଚଳର ବିକାଶ ପାଇଁ ‘ସ୍ପେଶାଲ ପ୍ରୋବ୍ଲମ ଫଣ୍ଡ’ରୁ ମଧ୍ୟ ପାଣ୍ଠି ପାଉଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରୁ ନିଜ ନିର୍ବାଚନମଣ୍ଡଳୀ ଓ ଭୋଟରଙ୍କ ବିକାଶ ପାଇଁ ବାର୍ଷିକ ୩କୋଟି ଟଙ୍କାରୁ ଅଧିକ ପାଣ୍ଠି ପାଉଥିବା ବିଧାୟକମାନେ ନିୟମିତ ବ୍ୟବଧାନରେ ନିଜ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିବାରେ ଲାଗିଛନ୍ତି।
ବିଜେଡି ସରକାରରେ ବିଧାୟକମାନଙ୍କ ଏଭଳି ଦାବିକୁ ଗ୍ରହଣ କରି ତତକାଳୀନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ୨୦୨୨ ଡିସେମ୍ବର ମାସରେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । କମିଟି ମଧ୍ୟ ୨୦୨୩ ମାର୍ଚ୍ଚ ମାସରେ ଦରମା ଓ ଭତ୍ତା ସମେତ ପେନସନ୍ ବୃଦ୍ଧି ନିମନ୍ତେ ତାଙ୍କର ସୁପାରିଶ ରିପୋର୍ଟ ବାଚସ୍ପତିଙ୍କୁ ଦେଇଥିଲେ । ଯାହାକୁ ସେତେବେଳେ ରାଜ୍ୟ ସରକାରଙ୍କ ନିକଟକୁ ବାଚସ୍ପତି ପଠାଇବା ସହ ଏହାଉପରେ ପଦକ୍ଷେପ ନେବାକୁ କହିଥିଲେ । ଶ୍ରୀ ଶତପଥୀଙ୍କ କମିଟି ବିଧାୟକମାନଙ୍କ ଦରମା ଓ ଭତ୍ତା ପରିମାଣକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ବିଧାୟକମାନଙ୍କ ପେନସନ ପରିମାଣକୁ ଏକ ଲକ୍ଷ ଟଙ୍କାକୁ ବଢ଼ାଇବା ସହ ପ୍ରଚଳିତ କ୍ୟାପିଙ୍ଗ ବ୍ୟବସ୍ଥାକୁ ଉଠାଇ ଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀମାନେ ନିଜର ଚାକିରିର ସ୍ଥାୟିତ୍ୱ ଓ ପାରିଶ୍ରମିକ ବୃଦ୍ଧିକୁ ନେଇ ଦାବି କରି ରାଜରାସ୍ତାକୁ ଓହ୍ଲାଉଥିବାରୁ ତତକାଳୀନ ବିଜେଡି ସରକାର ଏହି ଆଇନପ୍ରଣେତାଙ୍କ ଦାବିକୁ ପୂରଣ ପାଇଁ ସାହାସ ଜୁଟାଇପାରିନଥିଲେ । ମାତ୍ର ଏବେ ବିଜେପି ସରକାର କ୍ଷମତାକୁ ଆସିବାପରେ ଏହି ଦରମା ଓ ଭତ୍ତା ବୃଦ୍ଧି ଦାବି ପୁଣିଥରେ ଜୋର ଧରିଛି ।
ଗତ ଷୋଡ଼ଶ ବିଧାନସଭାରେ ଏହି ଦାବି ଉପରେ ବିଚାର ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀଙ୍କୁ ପଚରାଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, “ ବିଧାୟକ ଓ ପୂର୍ବତନ ବିଧାୟକମାନେ ନିଜର ଦରମା,ଭତ୍ତା ଓ ପେନସନ୍ ବୃଦ୍ଧି ସଂକ୍ରାନ୍ତ ସୁପାରିଶ ପୂର୍ବରୁ ଆମେ ବିଭିନ୍ନ ରାଜ୍ୟର ତଥ୍ୟକୁ ତର୍ଜମା କରିଥିଲୁ । ଯଦିଓ ହାତରେ ସମୟ ବେଶୀ ନଥିଲା ତେଣୁ ଅନଲାଇନରେ ଉପଲବ୍ଧ ଓ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କଠୁ ମିଳିଥିବା ତଥ୍ୟକୁ ସମୀକ୍ଷା କରିବା ସହ ମୁଦ୍ରାସ୍ପୀତି ଓ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କମିଟି ଏକ ସନ୍ତୁଳିତ ସୁପାରିଶ ବାଚସ୍ପତିଙ୍କୁ ଦେଇଥିଲା । ଯାହାକୁ ବାଚସ୍ପତି ଗ୍ରହଣ କରି ସରକାରଙ୍କ ନିକଟକୁ ପଠାଇ ଦେଇଥିଲେ । ଯେହେତୁ ନୂଆ ସରକାର ଆସିଛନ୍ତି, ତେଣୁ ପୁଣିଥରେ ନୂଆ କମିଟି ହେବା ସ୍ୱାଭାବିକ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୦୩ରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧୯୫୦ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୧୧ରେ ଏହା ପୁଣିଥରେ ୬୦ହଜାର ଟଙ୍କାକୁ ଓ ୨୦୧୭ ସେପ୍ଟେମ୍ବରରେ ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବିଧାୟକମାନଙ୍କ ପାଣ୍ଠି(ଏମଏଲଏ ଲ୍ୟାଡ) ପରିମାଣ ମଧ୍ୟ ଏକ କୋଟି ଟଙ୍କାରୁ ୩କୋଟି ଟଙ୍କାକୁ ବୃଦ୍ଧି ପାଇସାରିଛି ।
previous article: https://purvapaksa.com/8300-villages-in-the-state-have-not-been-connected-by-road/
