- ୱାସିମ ଜାଫରଙ୍କ ଭଣଜା ଅରମାନ
- ଗୋଟିଏ ସିଜନରେ ୫୫ଶତକୀୟ ପାଳି ଖେଳିଥିଲେ
- ସଚିନଙ୍କ ସହ ତୁଳନା ହେଉଥିଲେ ପୃଥ୍ୱୀ
- ମୁମ୍ବାଇ ରଣଜୀ ଦଳରେ ବି ନାହାନ୍ତି
- ଆଗରେ ସର୍ଫରାଜ, ତଥାପି ପ୍ରଦର୍ଶନଠୁ ଦୂରରେ
ମୁମ୍ବାଇର କ୍ରିକେଟ ମଇଦାନରୁ ଏକଦା ବାହାରିଥିଲେ ୩ଜଣ ଉଦୀୟମାନ କ୍ରିକେଟ ଖଳାଳି। ଏମାନେ କମ୍ ଦିନ ମଧ୍ୟରେ ବିଶ୍ୱ କ୍ରିକେଟରେ ରାଜୁତି କରିବେ ବୋଲି ସେତେବେଳେ କୁହାଯାଉଥିଲା। ଏହି ୩ଖେଳାଳି କିଏ ଯାଣନ୍ତି? ସେମାନେ ହେଉଛନ୍ତି, ପୃଥ୍ୱୀ ଶ’, ଅରମାନ ଜାଫର ଓ ସର୍ଫରାଜ ଖାନ୍। ୩ଜଣ ଯାକ ଖେଳାଳି ଗୋଟିଏ ସ୍କୁଲର ଛାତ୍ର। ଜୁନିୟର ଓ ସ୍କୁଲ୍ ସ୍ତରୀୟ କ୍ରିକେଟ ଖେଳିବା ଦିନଠୁ ଏମାନେ ଅନେକ ବିଶ୍ୱ ରେକର୍ଡ଼ ଭଙ୍ଗ କରିସାରିଥିଲେ। ବୟସ ବଢ଼ିବା ସହ ଏମାନଙ୍କ ଲୟ ଭଙ୍ଗ ହୋଇଥିଲା। କିଶୋରାବସ୍ଥାର ଖେଳ ଓ ପରିଚୟକୁ ସମ୍ଭାଳିବାରେ ଏମାନେ ହୋଇଥିଲେ ବିଫଳ। ପିଲା ଦିନୁ ପ୍ରସିଦ୍ଧି ହାସଲ କରିଥିବା ଏହି କିକେଟର ଆଜି ଭାରତୀୟ ଦଳରେ ପ୍ରବେଶ କରିବାକୁ ସଂଘର୍ଷ କରୁଛନ୍ତି। ଯଶସ୍ୱୀ ଜୈସ୍ୱାଲଙ୍କ ଭଳି ଜୁନିୟରମାନେ ଏବେ ଭାରତୀୟ ଦଳର ସ୍ଥାୟୀ ସଦସ୍ୟ ହୋଇସାରିଛନ୍ତି।
ପୃଥ୍ୱୀ, ସର୍ଫରାଜ ଓ ଅରମାନଙ୍କ ମଧ୍ୟରେ ବୟସର ବିଶେଷ ବ୍ୟବଧାନ ନାହିଁ। ପୃଥ୍ୱୀଙ୍କ ଖେଳକୁ ଏକଦା ସଚିନ ତେନ୍ଦୁଲକରଙ୍କ ଖେଳ ସହ ତୁଳନା କରାଯାଉଥିଲା। ବ୍ୟାଟିଂ ବିସ୍ମୟ ଭାବେ ସେ ଗଣା ହେଉଥିଲେ। କିନ୍ତୁ ଏବେ ସମୟ ବଦଳିଛି। ସେ ବିନୋଦ କାମ୍ବଲିଙ୍କ ରାସ୍ତାରେ ଆଗକୁ ବଢୁଛନ୍ତି। ଭାରତୀୟ ଦଳ ଦୂରର କଥା, ଏଥର ଆଇପିଏଲ ନିଲାମରେ ମଧ୍ୟ କୌଣସି ଦଳ ତାଙ୍କୁ କିଣି ନାହାନ୍ତି। ଏପରିକି ମୁମ୍ବାଇ ରଣଜୀ ଦଳରୁ ମଧ୍ୟ ସେ ବାଦ ପଡ଼ିଛନ୍ତି। ସର୍ଫରାଜ ଓ ଅରମାନ ଠାରୁ ପୃଥ୍ୱୀ ପାଖା ପାଖି ୨ବର୍ଷ ସାନ। ପୃଥ୍ୱୀଙ୍କ ପୂର୍ବରୁ ଏମାନେ ୧୯ବର୍ଷରୁ କମ୍ ବିଶ୍ୱକପ ମଧ୍ୟ ଖେଳିଥିଲେ। ସର୍ଫରାଜ ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ସଦସ୍ୟ ରହିଛନ୍ତି। ଘରୋଇ କ୍ରିକେଟର କିମ୍ବଦନ୍ତୀ ବ୍ୟାଟର ଭାବେ ପରିଚିତ ୱାସିମ ଜାଫରଙ୍କ ଭଣଜା ଅରମାନଙ୍କ କ୍ରିକେଟ୍ ଦୃଶ୍ୟପଟ୍ଟରେ ନାହାନ୍ତି।
ସିନିୟର ସ୍ତରରେ ସଂଘର୍ଷ କରୁଥିବା ଏହି ୩ ଖେଳାଳି କିଶୋରାବସ୍ଥାରେ ଏକ ବିରଳ ରେକର୍ଡ ସ୍ଥାପନ କରିଥିଲେ। ଏହି ରେକର୍ଡ ଉପରେ ଆସନ୍ତୁ ନଜର ପକାଇବା।
- ସ୍କୁଲ୍ ବେଳୁ ମୁମ୍ବାଇ କ୍ରିକେଟ୍କୁ ଏମାନଙ୍କ ଅବଦାନ ରହିଆସିଛି । ଏମାନଙ୍କ କ୍ୟାରିୟର ଗଢିଛି ରିଜଭୀ ସ୍ପ୍ରିଙ୍ଗଫିଲ୍ଡ ସ୍କୁଲ। ପୃଥ୍ୱୀ, ଅରମାନ ଓ ସର୍ଫରାଜ ଏହି ସ୍କୁଲରେ କ୍ୟାରିୟର ଆରମ୍ଭ କରିଥିଲେ । ଏମାନଙ୍କ ସ୍କୁଲ କ୍ରିକେଟ୍ ରେକର୍ଡକୁ ସହଜରେ ବିଶ୍ୱାସ କରିହେବ ନାହିଁ । ୨୦୧୦ରୁ ୨୦୧୨ ମଧ୍ୟରେ ଏମାନେ ସ୍କୁଲ୍ ପକ୍ଷରୁ ୨୫,୦୦୦ରୁ ଉର୍ଦ୍ଧ୍ୱ ରନ୍ ସଂଗ୍ରହ କରିଥିଲେ । ସର୍ଫରାଜ ୩୧ଟି ଶତକ ଅର୍ଜନ କରିଥିବାବେଳେ ପୃଥ୍ୱୀ ୨୫ଟି ଓ ଅରମାନ ୫୫ଟି ଶତକ ଅର୍ଜନ କରିଥିଲେ । ଅରମାନ ଗୋଟିଏ ସିଜିନରେ କେବଳ ୨୮ଟି ଶତକୀୟ ପାଳି ଖେଳିଥିଲେ ।
- ୨୦୦୯ରେ ସର୍ଫରାଜ ୧୬ବର୍ଷରୁ କମ୍ ହ୍ୟାରିସ ସିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ୪୩୯ ରନର ମାରାଥନ ଇନିଂସ ଖେଳିଥିଲେ।
- ୨୦୧୦ ଡିସେମ୍ବରରେ ଅରମାନ ୪୯୮ ରନର ଇନିଂସ ଖେଳି ସର୍ଫରାଜଙ୍କ ରେକର୍ଡ ଭଙ୍ଗ କରିଥିଲେ ।
- ୨୦୧୩ରେ ଅରମାନଙ୍କ କରେର୍ଡ ଭାଙ୍ଗିଥିଲେ ପୃଥ୍ୱୀ । ୩୩୦ଟି ବଲରୁ ୫୪୬ ରନର ଇନିଂସ ଖେଳିଥିଲେ । ରିଜଭୀ ସ୍ପ୍ରିଙ୍ଗଫିଲ୍ଡ ସ୍କୁଲ୍ ପକ୍ଷରୁ ଖେଳି ସେ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲ ବିପକ୍ଷରେ ଏହି ରେକର୍ଡ କରିଥିଲେ । ଏହି ଇନିଂସରେ ପୃଥ୍ୱୀ ୮୫ଟି ଚୌକା ଓ ୪ଟି ଛକା ମାରିଥିଲେ ।
previous article: https://purvapaksa.com/ajinkya-rahane-is-reportedly-on-the-cusp-of-being-named-kolkata-knight-riders-captain-for-the-ipl-2025-season/