ଭାବନ୍ତୁତ, ବଜାରରେ ଅନ୍ୟାନ୍ୟ ପ୍ରତିଷ୍ଠିତ ଏବଂ ନିର୍ଭରଯୋଗ୍ୟ କମ୍ପାନୀଗୁଡ଼ିକ ଅପେକ୍ଷାକୃତ କମ୍ ଦରରେ, ଉଚ୍ଚମାନର କାଗଜ ଯୋଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସତ୍ତ୍ୱେ, ସେମାନଙ୍କୁ କାହିଁକି ପ୍ରକ୍ରିୟାରୁ ବାହାରେ ରଖାଯାଉଛି? କାହିଁକି ବାରମ୍ବାର ଗୋଟିଏ ପୁରୁଣା ସଂସ୍ଥାଠାରୁ ଚଢ଼ାଦରରେ କାଗଜ କ୍ରୟ କରାଯାଉଛି? ‘ଟିବିପିଏମ୍’ (TBPM) କର୍ତ୍ତୃପକ୍ଷଙ୍କ ସେହି ଟେଣ୍ଡର ନୀତିର, ଯେଉଁଠି ବ୍ୟାପକ ଚଞ୍ଚକତା ଏବଂ ଓଜିଏଫଆର (OGFR) ନିୟମାବଳୀର ଖେଳାଖୋଲି ଉଲ୍ଲଘଂନ ହେଉଥିବା ଅଭିଯୋଗ ହେଉଛି।

ଏହି ପୂରା ବ୍ୟବସ୍ଥାଟି କିପରି ଚାଲିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ଆମ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ କିମ୍ବା ସୁବିଧାରେ ପାଠ୍ୟପୁସ୍ତକ ପ୍ରଦାନ କରିବା ପାଇଁ ପ୍ରତିବର୍ଷ ଯେଉଁ କାଗଜ କ୍ରୟ କରନ୍ତି, ତାହା ଟିବିପିଏମ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଟେଣ୍ଡର ମାଧ୍ୟମରେ ସମ୍ପାଦିତ ହୋଇଥାଏ।
କିନ୍ତୁ ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା, ଏହି ଟେଣ୍ଡର ଦସ୍ତାବିଜ ଏବଂ ସର୍ତ୍ତାବଳୀଗୁଡ଼ିକୁ ଏପରି ଏକ ଚତୁର ଢଙ୍ଗରେ ପ୍ରସ୍ତୁତ କରାଯାଉଛି, ଯାହା କେବଳ ଗୋଟିଏ ମାତ୍ର ନିର୍ଦ୍ଦିଷ୍ଟ କମ୍ପାନୀକୁ ହିଁ ସୁହାଇଲା ଭଳି ହେଉଛି। ଫଳସ୍ୱରୂପ, ଟେଣ୍ଡର ପ୍ରକ୍ରିୟାରେ ପ୍ରତିଯୋଗିତାର ସଂପୂର୍ଣ୍ଣ ଅଭାବ ଦେଖାଦେଉଛି। ଆଉ ଏହାର ଅପବ୍ୟବହାର କରି ସମ୍ପୃକ୍ତ କମ୍ପାନୀ ନିଜ ଇଚ୍ଛାନୁସାରେ ଦର ଧାର୍ଯ୍ୟ କରି ଟେଣ୍ଡରକୁ ହାତେଇବାରେ ସଫଳ ହେଉଛି।
ତଥ୍ୟ ଏବଂ ପ୍ରମାଣ କହୁଛି, ପୁସ୍ତକ ନିମନ୍ତେ କିଣା ଯାଉଥିବା ‘୭୦ ଜିଏସଏମ ମ୍ୟାପଲିଥୋ ରିଲ୍ କାଗଜ’ ଟେଣ୍ଡରରେ ବିଗତ ପ୍ରାୟ ଏକ ଦଶନ୍ଧି ଧରି ଅର୍ଥାତ୍ ପ୍ରାୟ ୧୦ ବର୍ଷ ହେବ ‘ସାତିଆ ଇଣ୍ଡଷ୍ଟ୍ରିଜ୍’ ନାମକ ଏକ କମ୍ପାନୀ ଏକଚାଟିଆ ଭାବେ ‘ଏଲ୍-୧’ ଘୋଷିତ ହୋଇଆସୁଛି। ଏବଂ କୋଟି କୋଟି ଟଙ୍କାର ଏହି ଟେଣ୍ଡରକୁ ସେମାନେ ଲଗାତାର ହାତେଇବାରେ ଲାଗିଛନ୍ତି।
ଆସନ୍ତୁ ଗୋଟିଏ ପରେ ଗୋଟିଏ ବର୍ଷର ହିସାବ ଉପରେ ନଜର ପକାଇବା:
• ୨୦୨୦ ମସିହା: ୪୯,୩୦୦ ମେଟ୍ରିକ ଟନ୍ କାଗଜ ପାଇଁ ମେଟ୍ରିକ ଟନ୍ ପିଛା ୫୮,୯୦୦ ଟଙ୍କା ଦରରେ କାର୍ଯ୍ୟାଦେଶ ଦିଆଯାଇଥିଲା।
• ୨୦୨୧ ମସିହା: ମେଟ୍ରିକ ଟନ୍ ପିଛା ୭୯,୮୦୦ ଟଙ୍କା ଦରରେ ୧୪,୫୦୦ ମେଟ୍ରିକ ଟନ୍ କାଗଜ କ୍ରୟ ହୋଇଥିଲା।
• ୨୦୨୨ ମସିହା: ମେଟ୍ରିକ ଟନ୍ ପିଛା ମୂଲ୍ୟ ବୃଦ୍ଧି ପାଇ ୯୭,୫୦୦ ଟଙ୍କାରେ ପହଞ୍ଚିଲା ଏବଂ ୧୫,୧୦୦ ମେଟ୍ରିକ ଟନ୍ କାଗଜ ଅର୍ଡର ହେଲା।
• ୨୦୨୩ ମସିହା: ମେଟ୍ରିକ ଟନ୍ ପିଛା ୯୩,୫୦୧ ଟଙ୍କା ଦରରେ ୧୫,୬୦୦ ମେଟ୍ରିକ ଟନ୍ କାଗଜ କିଣାଗଲା।
• ୨୦୨୪ ମସିହା: ଟନ୍ ପିଛା ୮୯,୧୦୦ ଟଙ୍କା ଦରରେ ୧୬,୫୦୦ ମେଟ୍ରିକ ଟନ୍ କାଗଜ ପାଇଁ କାର୍ଯ୍ୟାଦେଶ ମିଳିଲା।
• ଏବଂ ୨୦୨୫ ମସିହା: ମେଟ୍ରିକ ଟନ୍ ପିଛା ୮୩,୬୦୧ ଟଙ୍କା ଦରରେ ୧୮,୫୦୦ ମେଟ୍ରିକ ଟନ୍ କାଗଜ ଯୋଗାଇବା ପାଇଁ ପୁଣିଥରେ ‘ସାତିଆ ଇଣ୍ଡଷ୍ଟ୍ରିଜ’କୁ ହିଁ କାର୍ଯ୍ୟାଦେଶ ମିଳିଥିଲା।
ଦର୍ଶକବନ୍ଧୁ, ଗୋଟିଏ କମ୍ପାନୀ କିପରି ବର୍ଷ ପରେ ବର୍ଷ ଏଭଳି ଏକଚାଟିଆ ବଜାର ଦଖଲ କରି ରଖିଛି, ତାହା ବଡ଼ ଚିନ୍ତାର ବିଷୟ।
ଏଠାରେ ଆଉ ଏକ ରୋଚକ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ପ୍ରକାଶ ପାଇଛି। ୨୦୨୫ ମସିହାରେ ‘କୃଷ୍ଣପ୍ରଭାସ ପେପର୍ସ ପ୍ରାଇଭେଟ ଲିମିଟେଡ୍’ ନାମକ ଅନ୍ୟ ଏକ କମ୍ପାନୀ ଏହି ପ୍ରତିଯୋଗିତା ବିଡିଂରେ ସାମିଲ ହୋଇଥିଲା। ସେମାନେ ମେଟ୍ରିକ ଟନ୍ ପିଛା ମାତ୍ର ୭୭,୭୭୭ ଟଙ୍କାରେ ସମାନ ଗୁଣାତ୍ମକ ମାନର କାଗଜ ଯୋଗାଇଦେବା ନିମନ୍ତେ ନିଜର କମର୍ସିଆଲ ବିଡ୍ ଦାଖଲ କରିଥିଲେ।

ମେଟ୍ରିକ ଟନ୍ ପିଛା ପ୍ରାୟ ୬ ହଜାର ଟଙ୍କା କମ୍ ଦରରେ ଯଦି ସମାନ କ୍ୱାଲିଟିର କାଗଜ ମିଳୁଥିଲା, ତେବେ ସରକାରଙ୍କ ପାଇଁ ଏହା ଏକ ବଡ଼ ଆର୍ଥିକ ସଞ୍ଚୟ ହୋଇଥାନ୍ତା। କିନ୍ତୁ କ’ଣ ହେଲା? ‘ସାତିଆ ଇଣ୍ଡଷ୍ଟ୍ରିଜ’କୁ ସୁହାଇଲା ଭଳି ଟେଣ୍ଡର ସର୍ତ୍ତାବଳୀ ଆଗରୁ ପ୍ରସ୍ତୁତ ହୋଇଥିବାରୁ, ସେହି କମ୍ମର୍ସିଆଲ ବିଡକୁ ଏଡ଼ାଇ ଦିଆଗଲା ଏବଂ ଟେଣ୍ଡରଟି ପୁଣି ସେହି ପୁରୁଣା ସଂସ୍ଥା ହାତକୁ ଟେକି ଦିଆଗଲା। ଫଳସ୍ୱରୂପ, ଅନ୍ୟ ସଂସ୍ଥାଗୁଡ଼ିକ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ପଡ଼ିଲେ ଏବଂ ରାଜକୋଷ ଉପରେ ଅଯଥା କୋଟି କୋଟି ଟଙ୍କାର ଅତିରିକ୍ତ ବୋଝ ଲଦି ଦିଆଗଲା।
କାହାଣୀ ଏଠାରେ ସରିନାହିଁ। ଏବେ ପୁଣିଥରେ ଆଗାମୀ ୨୦୨୭-୨୮ ଶିକ୍ଷାବର୍ଷ ପାଇଁ ଟିବିପିଏମ୍ କର୍ତ୍ତୃପକ୍ଷ ୨୬,୪୫୦ ମେଟ୍ରିକ ଟନ୍ ୭୦ ଜିଏସଏମ ଭର୍ଜିନ ପଲ୍ପ ମ୍ୟାପଲିଥୋ ରିଲ୍ କାଗଜ କ୍ରୟ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି।
ଆଉ ଏଥରର ଟେଣ୍ଡର ସର୍ତ୍ତାବଳୀରେ ଏଭଳି ଏକ ଅଜବ ଏବଂ କଟକଣାପୂର୍ଣ୍ଣ ସର୍ତ୍ତ ଯୋଡ଼ାଯାଇଛି, ଯାହା କେବଳ ଏବଂ କେବଳ ‘ସାତିଆ ଇଣ୍ଡଷ୍ଟ୍ରିଜ’କୁ ହିଁ ଫିଟ୍ ବସିବ। ସର୍ତ୍ତଟି କ’ଣ? ସର୍ତ୍ତ ରଖାଯାଇଛି ଯେ, ବିଗତ ୩ ବର୍ଷ ଧରି କୌଣସି ସରକାରୀ ସଂସ୍ଥାକୁ ପ୍ରତିବର୍ଷ ଅତିକମରେ ୧୧ ହଜାର ମେଟ୍ରିକ ଟନ୍ କାଗଜ ଯୋଗାଇଥିବାର ପୂର୍ବ ଅଭିଜ୍ଞତା (Past Experience) ଥିବା ଆବଶ୍ୟକ।
ଏଭଳି ଏକ ବଡ଼ ପରିମାଣର ଅଭିଜ୍ଞତା ସର୍ତ୍ତ ରଖିଲେ ବଜାରରେ କେତୋଟି ନୂଆ ବା ଅନ୍ୟ ପ୍ରତିଷ୍ଠିତ କମ୍ପାନୀ ଏଥିରେ ଭାଗ ନେଇପାରିବେ? ଏହା ସ୍ପଷ୍ଟ ଭାବେ ପ୍ରତିଯୋଗିତାକୁ ବନ୍ଦ କରିବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ନୁହେଁ କି?
ପ୍ରି-ବିଡ୍ ବୈଠକରେ ରାଜ୍ୟର ଏବଂ ଦେଶର ଅନେକ ନୂତନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଉପସ୍ଥିତ ଥିଲେ। ସେମାନେ ସରକାରଙ୍କ ନିୟମାନୁସାରେ ୮୭ ପ୍ରତିଶତ ବ୍ରାଇଟନେସ୍ ଯୁକ୍ତ ଉଚ୍ଚମାନର କାଗଜ ଅପେକ୍ଷାକୃତ କମ୍ ମୂଲ୍ୟରେ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଲିଖିତ ଭାବେ ନିବେଦନ କରିଥିଲେ ଯେ, ଏହି କଠିନ ଅଭିଜ୍ଞତା ସର୍ତ୍ତକୁ କୋହଳ କରାଯାଉ, ଯାହାଫଳରେ ବଜାରରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବ ଏବଂ ଶେଷରେ ରାଜ୍ୟ ସରକାର ତଥା ରାଜକୋଷ ଲାଭବାନ ହେବ।
ମାତ୍ର ଟିବିପିଏମ୍ କର୍ତ୍ତୃପକ୍ଷ ନିଜର ଏବଂ ସେହି ନିର୍ଦ୍ଦିଷ୍ଟ କମ୍ପାନୀର ସୁବିଧା ଦୃଷ୍ଟିରୁ ଗତ ସେପ୍ଟେମ୍ବର ୩୦ ତାରିଖରେ ଏକ ଦ୍ୱିତୀୟ ସଂଶୋଧନ ଅର୍ଥାତ୍ ‘କରିଜେଣ୍ଡମ୍-୨’ (Corrigendum-2) ଜାରି କଲେ। ସେଥିରେ ସେମାନେ କ’ଣ କଲେ? ସେହି ୧୧ ହଜାର ମେଟ୍ରିକ ଟନ୍ ସୀମାକୁ ମାତ୍ର ୧ ହଜାର ଟନ୍ ହ୍ରାସ କରି ୧୦ ହଜାର ମେଟ୍ରିକ ଟନ୍ କରିଦେଲେ!
ଲୋକଙ୍କୁ ଦେଖାଇବା ପାଇଁ ଏହାକୁ ଏକ କୋହଳ ବୋଲି କୁହାଗଲା, କିନ୍ତୁ ବାସ୍ତବରେ ଏହି ୧ ହଜାର ଟନ୍ ହ୍ରାସ ଦ୍ୱାରା ବଜାରର ଅନ୍ୟ କୌଣସି ନୂଆ ବା ଛୋଟ କମ୍ପାନୀ ଲାଭବାନ ହୋଇପାରିବେ କି? ନା, ଆଦୌ ନାହିଁ। ଏହା କେବଳ ଆଖିରେ ଧୂଳି ଦେବା ଏବଂ ସେହି ପୁରୁଣା ନିର୍ଦ୍ଦିଷ୍ଟ କମ୍ପାନୀକୁ ଟେଣ୍ଡର ହାତେଇବାରେ ପୁନର୍ବାର ମାର୍ଗ ପ୍ରଶସ୍ତ କରିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ସମଗ୍ର ପ୍ରସଙ୍ଗରେ ଟିବିପିଏମ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ।
ଏକପଟେ ଆମ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଗତ କିଛି ଦିନ ହେବ ତ୍ରୁଟିପୂର୍ଣ୍ଣ ବହି ବଣ୍ଟନ କରାଯିବା ଯୋଗୁଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରେ ବେଶ୍ ସମାଲୋଚିତ ହେବାକୁ ପଡ଼ିଛି। ପିଲାଙ୍କ ପାଠପଢ଼ା ଏବଂ ଗୁଣାତ୍ମକ ଶିକ୍ଷାକୁ ନେଇ ଯେଉଁଠି ଗମ୍ଭୀର ଚିନ୍ତା ହେବା କଥା, ଠିକସେହି ସମୟରେ କାଗଜ କ୍ରୟ ନାଁରେ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀକୁ ବର୍ଷବର୍ଷ ଧରି ସୁରକ୍ଷା ଦିଆଯିବା ଏବଂ ଚଢ଼ାଦରରେ କାଗଜ କିଣାଯିବା ଘଟଣା ସମଗ୍ର ଶିକ୍ଷା ବ୍ୟବସ୍ଥା ଏବଂ ପ୍ରଶାସନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯଦି ଓଜିଏଫଆର (OGFR) ନିୟମାବଳୀକୁ ଏପରି ଭାବେ ଖୋଲାଖୋଲି ଉଲ୍ଲଘଂନ କରାଯିବ, ତେବେ ସାଧାରଣ ଜନତାଙ୍କ କଷ୍ଟôଜିତ ଟିକସ ପଇସା ଏଭଳି ଭାବେ ପାଣିରେ ପଡ଼ୁଥିବ।
ଆସନ୍ତା ତାରିଖଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ! ଏଭଳି ଏକତରଫା ଏବଂ ସନ୍ଦେହଜନକ ଟେଣ୍ଡର ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ। ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି—ବିଗତ ଏକ ଦଶନ୍ଧି ଧରି କାହିଁକି କେବଳ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀକୁ ହିଁ ବାରମ୍ବାର ଏହି ଟେଣ୍ଡର ଟେକି ଦିଆଯାଉଛି, ତାର ଏକ ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ (High-Level Investigation) କରାଯାଉ। ଯଦି ଏହାର ସଠିକ୍ ତଦନ୍ତ କରାଯାଏ, ତେବେ ପ୍ରକୃତ ସତ୍ୟ ଓ ଏହି ଦୁର୍ନୀତିର ପରଦା ପଛର ମୁଖା ଖୋଲି ପଦାକୁ ଆସିପାରିବ।
also read
Kejriwal’s ‘Super CM’ model in Punjab II ପଞ୍ଜାବରେ କେଜ୍ରିୱାଲଙ୍କ ‘ସୁପର ସିଏମ୍’ ମଡେଲ୍
https://purvapaksa.com/kejriwals-super-cm-model-in-punjab/


