ପଞ୍ଜାବର ଚଣ୍ଡୀଗଡ଼ସ୍ଥିତ ସେକ୍ଟର ୩୯ରେ ଏକ ସରକାରୀ ବଙ୍ଗଳା ଅଫିସିଆଲ୍ ଭାବେ ଆବଣ୍ଟିତ ହୋଇଥିଲା ପଞ୍ଜାବ ୱାଟର୍ ସପ୍ଲାଏ ଆଣ୍ଡ ସିୱେଜ୍ ବୋର୍ଡର ଚେୟାରମ୍ୟାନ୍ ସନି ସିଂହ ଅଲୱାଲିଆଙ୍କୁ । କିନ୍ତୁ ଯେତେବେଳେ ତଦନ୍ତ ହେଲା, ସେତେବେଳେ ଜଣାପଡ଼ିଲା ଯେ ସେହି ବଙ୍ଗଳା ଭିତରେ ପ୍ରକୃତରେ କିଏ ରହୁଛି ? ବଙ୍ଗଳାରେ ରହୁଥିଲେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବଡ଼ ନେତା ସତ୍ୟେନ୍ଦ୍ର ଜୈନ!

କିନ୍ତୁ କଥା କେବଳ ଗୋଟିଏ ବଙ୍ଗଳା କିମ୍ବା ଜଣେ ନେତାଙ୍କ ରହିବା ଭିତରେ ସୀମିତ ନାହିଁ। ପ୍ରଶ୍ନ ଉଠୁଛି—ଜନସାଧାରଣଙ୍କ ଦ୍ୱାରା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ସରକାର ଉପରେ କିଏ ଏକ ‘ସୁପର କ୍ୟାବିନେଟ୍’ ବା ‘ସୁପର ସିଏମ୍’ ମଡେଲ୍ ଚଳାଉଛି? ଅରବିନ୍ଦ କେଜ୍ରିୱାଲ କ’ଣ ନିଜକୁ ସୋନିଆ ଗାନ୍ଧୀ ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ମନମୋହନ ସିଂହ ଭଳି ବ୍ୟବହାର କରୁଛନ୍ତି?
ଏହି ବଙ୍ଗଳା ଏବଂ ସତ୍ୟେନ୍ଦ୍ର ଜୈନଙ୍କ ପ୍ରସଙ୍ଗଟି ହଠାତ୍ କିପରି ସାମ୍ନାକୁ ଆସିଲା?
ଗତ ୨୨ ସେପ୍ଟେମ୍ବର ୨୦୨୬ରେ ଇଡି ଚଣ୍ଡୀଗଡ଼ର ସେକ୍ଟର ୩୯ରେ ଥିବା ଏହି ସରକାରୀ ବଙ୍ଗଳାରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା, ଯାହା କି ପ୍ରାୟ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିଲା। ପ୍ରାୟ ୫୦ ଘଣ୍ଟା ଧରି ଚାଲିଥିବା ଏହି ତଦନ୍ତ ଓ ରେଡ୍ର ସମ୍ପର୍କ ଥିଲା Greater Mohali Area Development Authorityରେ ହୋଇଥିବା କଥିତ ଅନିୟମିତତା ଏବଂ ଦୁର୍ନୀତିର ଯାଞ୍ଚ ସହିତ।

ଇଡିର ଅଭିଯୋଗ ରହିଛି ଯେ ଜମିର ନିଲାମ, ରିଜର୍ଭ ପ୍ରାଇସ୍ ଏବଂ ଆବଣ୍ଟନ ମାମଲାରେ ବ୍ୟାପକ ଗଡ଼ବଡ଼ କରାଯାଇଛି, ଯାହାଫଳରେ ସରକାରୀ ରାଜକୋଷକୁ ପ୍ରଚୁର କ୍ଷତି ସହିବାକୁ ପଡ଼ିଛି। ଏହି ଯାଞ୍ଚ ପରିସରରେ ସତ୍ୟେନ୍ଦ୍ର ଜୈନ, ତାଙ୍କର ଓଏସ୍ଡି ଅମରେନ୍ଦ୍ର ଝା ଏବଂ ମନୀଷ ସିସୋଦିଆଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଏହା ଥିଲା ଯେ ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଯିଏ ପଞ୍ଜାବର କୌଣସି ସରକାରୀ ପଦବୀରେ ନାହାନ୍ତି, ସେ କିପରି ପଞ୍ଜାବର ଜଣେ ସ୍ଥାନୀୟ ନେତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ ବଙ୍ଗଳାରେ ବାସ କରୁଥିଲେ? ଏହା କ’ଣ ଦିଲ୍ଲୀରୁ ପଞ୍ଜାବ ଶାସନକୁ ନିୟନ୍ତ୍ରଣ କରିବାର ଏକ ଗୁପ୍ତ ଏଜେଣ୍ଡା ନୁହେଁ?
ଯଦି ଆପଣ ଭାବୁଛନ୍ତି ଯେ ପଞ୍ଜାବରେ ଦିଲ୍ଲୀର ନେତାମାନଙ୍କର ଏଭଳି ହସ୍ତକ୍ଷେପ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି, ତେବେ ଆପଣ ଭୁଲ୍ କରିବେ। ଏହା ପଛରେ ଏକ ଦୀର୍ଘ ଇତିହାସ ରହିଛି।
• ୨୦୨୨ ଏପ୍ରିଲରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେବାକୁ ମାତ୍ର ଗୋଟିଏ ମାସ ମଧ୍ୟ ପୂରି ନଥିଲା, ସେତେବେଳେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ବରିଷ୍ଠ ଅଧିକାରୀମାନଙ୍କୁ ଡାକି ଏକ ବୈଠକ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ଉପସ୍ଥିତ ନଥିଲେ! ସେତେବେଳେ ବିରୋଧୀମାନେ ପ୍ରଶ୍ନ ଉଠାଇଥିଲେ ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଉଁ କ୍ଷମତାରେ ପଞ୍ଜାବର ଅଧିକାରୀମାନଙ୍କର ମିଟିଂ ନେଉଛନ୍ତି?
• ନଲେଜ୍ ଶେୟାରିଂ ଏଗ୍ରିମେଣ୍ଟ୍ ପରେ ପରେ ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ ଅଭିଜ୍ଞତା ଆଦାନପ୍ରଦାନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଲା। କିନ୍ତୁ ଏହାର ଆଢ଼ୁଆଳରେ ପ୍ରକୃତରେ କ’ଣ ଚାଲିଥିଲା, ତାହା ସମସ୍ତଙ୍କୁ ଜଣା ଥିଲା।
• ୨୦୨୪ ଅକ୍ଟୋବରରେ ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଏକ ରିପୋର୍ଟ ଅନୁସାରେ, ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ପଞ୍ଜାବର ବିଭିନ୍ନ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ, ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଆଗାମୀ ବର୍ଷ ପାଇଁ ଟାର୍ଗେଟ୍ ସ୍ଥିର କରିଥିଲେ। ପଞ୍ଜାବର ନିଜସ୍ୱ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଥାଉ୍ ଥାଉ, ଦଳର ଜାତୀୟ ସଂଯୋଜକ କିପରି ସେମାନଙ୍କର ପରଫରମାନ୍ସ ଚେକ୍ କରିବେ?
• ୨୦୨୫ ଫେବୃଆରୀ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ର ପରାଜୟ ପରେ, ପଞ୍ଜାବରେ ଦିଲ୍ଲୀର ନେତାମାନଙ୍କର ପ୍ରଭାବ ଆହୁରି ବଢ଼ିଗଲା। ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ସହ-ପ୍ରଭାରୀ କରାଗଲା। ଦିଲ୍ଲୀରେ କ୍ଷମତା ହରାଇବା ପରେ ପଞ୍ଜାବକୁ ଦଳର ମୁଖ୍ୟ କେନ୍ଦ୍ର ବନାଇ ଦିଆଗଲା।

ପଞ୍ଜାବ ସରକାରଙ୍କ ବିଭିନ୍ନ ବୋର୍ଡ, କମିଶନ୍ ଏବଂ ପଲିସି ମେକିଂ ସ୍ତରରେ କିଏ ବସିଛନ୍ତି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
• ମନୀଷ ସିସୋଦିଆ ପଞ୍ଜାବର ଶିକ୍ଷାଗତ ନୀତି ଏବଂ ଦଳୀୟ ଦାୟିତ୍ୱ ସମ୍ଭାଳୁଛନ୍ତି।
• ସତ୍ୟେନ୍ଦ୍ର ଜୈନ ସହ-ପ୍ରଭାରୀ ଭାବେ ପଞ୍ଜାବର ରାଜନୈତିକ ରଣନୀତି ଦେଖୁଛନ୍ତି।
• ଦିଲ୍ଲୀରେ କେଜ୍ରିୱାଲଙ୍କ ପାଖରେ କାମ କରିଥିବା ଅଧିକାରୀ ଏବଂ ପଲିସି ମେକର୍ସ—ଯେପରିକି ଜାସ୍ମିନ୍ ଶାହ (ଯିଏ ପଞ୍ଜାବ ଡେଭଲପମେଣ୍ଟ କମିଶନ ସହ ଜଡ଼ିତ) ଏବଂ ବୈଭବ କୁମାର (କେଜ୍ରିୱାଲଙ୍କ ପୂର୍ବତନ ପିଏ)—ସମସ୍ତେ ପଞ୍ଜାବର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।
ଅର୍ଥାତ୍, ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ନାମମାତ୍ର ସରକାର ଚାଲିଛି, କିନ୍ତୁ ପ୍ରକୃତ କ୍ଷମତା ଏବଂ ନିଷ୍ପତ୍ତି ନେବାର କ୍ଷମତା ଦିଲ୍ଲୀର ଏହି ‘ସୁପର କ୍ୟାବିନେଟ୍’ ହାତରେ ରହିଛି। ଏହା ଏକ ପ୍ରକାରର ସମାନ୍ତରାଳ ସରକାର।
ଏଠାରେ ପ୍ରଶ୍ନ ଉଠୁଛି—୨୦୨୨ ମସିହାରେ ପଞ୍ଜାବର ଜନସାଧାରଣ ବହୁତ ବଡ଼ ଆଶା ଏବଂ ଭରସା ରଖି ଆମ୍ ଆଦମୀ ପାର୍ଟିକୁ ୧୧୭ରୁ ୯୨ଟି ବିଶାଳ ଆସନ ଦେଇଥିଲେ। ସେମାନେ ଭଗୱନ୍ତ ମାନ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏବଂ ନିଜର ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭାକୁ ପଠାଇଥିଲେ।
କିନ୍ତୁ ଆଜି ସ୍ଥିତି ଏପରି ହୋଇଛି ଯେ ଜନସାଧାରଣ ଜାଣିପାରୁନାହାନ୍ତି ଯେ ପ୍ରକୃତରେ ସରକାର ଚାଳନା କରୁଛି କିଏ? ନିଷ୍ପତ୍ତି କିଏ ନେଉଛି?
ପଞ୍ଜାବ ଆଜି ଆର୍ଥିକ ଦିଗରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ରାଜ୍ୟରେ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ଏକ ସମ୍ବେଦନଶୀଳ ରାଜ୍ୟରେ, ଯେଉଁଠାରେ ସୀମାବର୍ତ୍ତୀ ସୁରକ୍ଷା ଏବଂ ଆର୍ଥିକ ଦାରିଦ୍ର୍ୟ ଏକ ବଡ଼ ଚ୍ୟାଲେଞ୍ଜ, ସେଠାରେ ଏହି ବାହାରୁ ଆସିଥିବା ‘ଉପଦେଷ୍ଟା’ ଏବଂ ଅଧିକାରୀମାନଙ୍କ ପଛରେ କେତେ ଟଙ୍କା ଖର୍ଚ୍ଚ ହେଉଛି? ସେମାନଙ୍କୁ କ’ଣ ସବୁ ସୁବିଧା ଦିଆଯାଉଛି? ଏହାର ହିସାବ କିଏ ଦେବ?
ଅରବିନ୍ଦ କେଜ୍ରିୱାଲ ଜଣେ ଜାତୀୟ ଦଳର ନେତା, ତାଙ୍କୁ ନିଜ ଦଳର ପ୍ରଚାର କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। କିନ୍ତୁ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଅଣଦେଖା କରି, ନିଜେ ଏକ ‘ସୁପର ସିଏମ୍’ ବନି ପଞ୍ଜାବରେ ଆଉ ଏକ କ୍ୟାବିନେଟ୍ ଚଳାଇବାର ଅଧିକାର କାହାଠାରୁ ପାଇଲେ?
ସାରାଂଶ କଥା ହେଲା—ଚଣ୍ଡୀଗଡ଼ର ସେହି ରହସ୍ୟମୟ ବଙ୍ଗଳା ଭିତରେ କିଏ ରହୁଥିଲା ଏବଂ ସେଠାରେ କେଉଁ ଦୁର୍ନୀତିର ଫାଇଲ୍ ଖୋଲୁଛି, ସେକଥା ତ ଇଡି ଏବଂ ଆଇନଗତ ତଦନ୍ତ ସ୍ପଷ୍ଟ କରିବ। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ପଞ୍ଜାବର ପ୍ରକୃତ ଶାସନ-ଡୋରି କାହା ହାତରେ ଅଛି—ତାହା ଆଜି ପଞ୍ଜାବର ପ୍ରତ୍ୟେକ ନାଗରିକଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଞ୍ଜାବର ଜନତା ନିଜର ଭବିଷ୍ୟତ ଏବଂ ସ୍ୱାଧୀନତା ପାଇଁ ଭଗୱନ୍ତ ମାନ୍ଙ୍କୁ ଭୋଟ୍ ଦେଇଥିଲେ, ଦିଲ୍ଲୀର ରିମୋଟ୍ କଣ୍ଟ୍ରୋଲ୍ ପାଇଁ ନୁହେଁ। ଏହି ପ୍ରଶ୍ନର ଉତ୍ତର ଆଜି ପଞ୍ଜାବର ଶାସକ ଦଳକୁ ଦେବାକୁ ପଡ଼ିବ।
also read
https://purvapaksa.com/will-rahul-defeat-akhilesh/


