Air Pollution : ଲୋକସଭାରେ ଉପସ୍ଥାପିତ ତଥ୍ୟରୁ ମିଳିଥିବା ସୂଚନାନୁସାରେ ଗତ ପାଞ୍ଚବର୍ଷ ଭିତରେ ଅନୁଗୋଳରେ ସର୍ବାଧିକ ୭୨ ପ୍ରତିଶତ ପ୍ରଦୂଷଣ ବଢ଼ିଛି। ବାଲେଶ୍ୱରରେ ୪୮ ପ୍ରତିଶତ, ଭୁବନେଶ୍ୱରରେ ୩୪ ପ୍ରତିଶତ ଏବଂ କଟକରେ ୩୯ ପ୍ରତିଶତ ପ୍ରଦୂଷଣ ବଢ଼ିଛି।
ବାୟୁ ପ୍ରଦୂଷଣକୁ ନେଇ ଓଡ଼ିଶାରେ ଦିଲ୍ଲୀଠାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୫ ବର୍ଷ ଭିତରେ ବ୍ୟାପକ ପଦକ୍ଷେପ ଓ କୋଟି କୋଟି ଟଙ୍କା ଖର୍ଚ୍ଚସତ୍ତ୍ୱେ ରାଜ୍ୟରେ ପ୍ରଦୂଷଣ ମାତ୍ରା କମିବା ତ ଦୂରର କଥା ନିୟନ୍ତ୍ରଣ ବି ହେଉନାହିଁ। ଯାହା ସ୍ପଷ୍ଟ କରୁଛି ଯେ, ରାଜ୍ୟରେ ଯେଉଁ ଖର୍ଚ୍ଚ ଏଥିଲାଗି ହୋଇଛି ତାହା କେବଳ କାଗଜପତ୍ରରେ। ଚେଷ୍ଟାଦ୍ୱାରା ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମିପାରୁଛି କିନ୍ତୁ ଓଡ଼ିଶାର ୫ ପ୍ରମୁଖ ସହରରେ ଏତେ ଧୂଳି କଣିକା ବାୟୁରେ ମିଶୁଛି ଯେ ତାହା ଶ୍ୱାସରୋଗକୁ ପ୍ରସାରିତ କରିବାରେ ଲାଗିଛି।
ଲୋକସଭାରେ ଉପସ୍ଥାପିତ ତଥ୍ୟରୁ ମିଳିଥିବା ସୂଚନାନୁସାରେ ଗତ ପାଞ୍ଚବର୍ଷ ଭିତରେ ଅନୁଗୋଳରେ ସର୍ବାଧିକ ୭୨ ପ୍ରତିଶତ ପ୍ରଦୂଷଣ ବଢ଼ିଛି। ବାଲେଶ୍ୱରରେ ୪୮ ପ୍ରତିଶତ, ଭୁବନେଶ୍ୱରରେ ୩୪ ପ୍ରତିଶତ ଏବଂ କଟକରେ ୩୯ ପ୍ରତିଶତ ପ୍ରଦୂଷଣ ବଢ଼ିଛି।
ଦେଶର ବିଭିନ୍ନ ସହରରେ ଧୂଳିକଣିକାର ମାତ୍ରା ଏତେ ପରିମାଣରେ ବଢ଼ୁଛି ଯେ ତାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଧୂଳି କଣିକାର ମାତ୍ରା ଏତେ ସୂକ୍ଷ୍ମ ଯେ ତାହା ପ୍ରଶ୍ୱାସ ବାୟୁରେ ଛାତି ଭିତରେ ପଶି ଫୁସ୍ଫୁସ୍କୁ ଘର କରୁଛି। ଫଳରେ ଲୋକେ ଅନେକ ପ୍ରକାରର ଶ୍ୱାସ ରୋଗରେ ପୀଡ଼ିତ ହେଉଛନ୍ତି। ଏହି ପରିଣାମକୁ ନିୟନ୍ତ୍ରଣ କରିବା ଲାଗି ଜାତୀୟସ୍ତରରେ ସରକାର ଜାତୀୟ ନିର୍ମଳ ବାୟୁ ଅଭିଯାନ ଆରମ୍ଭ କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରୁ ଏହି ଉଦ୍ୟମ ଆର୍ମ ହୋଇଛି। ଯେଉଁଥିରେ ଦେଶର ୧୩୦ଟି ସହରକୁ ଚିହ୍ନଟ କରି ସେଠାରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ତଥା ବାୟୁରେ ମିଶୁଥିବା ପିଏମ୍୧୦ କଣିକାକୁ କମ୍ କରିବା ପାଇଁ ଉଦ୍ୟମ କରାଯାଇଛି। ଆଜି ୫ ବର୍ଷ ବିତିଛି ଏହି କାର୍ଯ୍ୟକ୍ରମକୁ। ଏହି ୫ ବର୍ଷ ଭିତରେ ୯୭ଟି ସହରରେ ଜାତୀୟ ନିର୍ମଳ ବାୟୁ ଅଭିଯାନକୁ ସୁଫଳ ମିଳିଛି; ହେଲେ ଓଡ଼ିଶାର ୪ ସହରକୁ ଏହି ସଫଳତା ମିଳିପାରି ନାହିଁ।
ଲୋକସଭାରେ ନଭେମ୍ବର ୨୫ ତାରିଖ ଦିନ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଜାତୀୟ ନିର୍ମଳ ବାୟୁ ଅଭିଯାନକୁ ନଗର ବା ସହରକୁ ଆଖି ଆଗରେ ରଖି ଲାଗୁ କରାଯାଇଥାଏ। ଅର୍ଥାତ୍ ଯେଉଁ ସହରରେ ଯେଉଁଠି ପ୍ରଦୂଷଣ ଆସୁଛି ତାହାକୁ ଆଖିରେ ରଖି ସେହି ଅନୁସାରେ ପଦକ୍ଷେପ ନିଆଯାଇଥାଏ। ପଞ୍ଚଦଶ ଅର୍ଥ କମିଶନଙ୍କ ନିଦ୍ଦେଶ ଅନୁସାରେ ସେଥିଲାଗି ଅର୍ଥ ଖର୍ଚ୍ଚ କରାଯାଇଥାଏ। ବୃକ୍ଷରୋପଣଠାରୁ ଆରମ୍ଭ କରି ମାଟି, ରାସ୍ତା, ନିର୍ମାଣ, ଭଙ୍ଗାରୁଜା ଅଥବା ଶିଳ୍ପ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ଲାଗି ଏହି ଅର୍ଥ ଖର୍ଚ୍ଚ କରାଯାଇଛି। ସ୍ୱଚ୍ଛ ଭାରତ ମିଶନଠାରୁ ଆରମ୍ଭ କରି, ଅମୃତ, ସ୍ମାର୍ଟସିଟି, ସତତ, ନଗର ବନ ଯୋଜନା ପ୍ରଭୃତି ମାଧ୍ୟମରେ ସରକାର କେନ୍ଦ୍ର ସରକାର ଏଥିଲାଗି ଅନୁଦାନ ପ୍ରଦାନ କରିଛନ୍ତି। ପପାଖାପାଖି ୧୧ ହଜାର ୨୧୧ କୋଟି ୧୩ ଲକ୍ଷ ଟଙ୍କା ଏଥିନେଇ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରାଜ୍ୟରେ ଗତ ପାଞ୍ଚ ବର୍ଷରେ ଫଳ ଶୂନ ଘଟିଛି।
ନିର୍ଦ୍ଧାରଣ ଅନୁସାରେ ଏହି ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ ( ଏନ୍ସିଏପି) ଅଧୀନରେ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୩୦ଟି ସହରରେ ବାୟୁରେ ମିଶି ରହୁଥିବା ପାର୍ଟିକୁଲେଟ ମ୍ୟାଟର ବା ୧୦ ମିଲିମିଟର ରୁ କମ୍ ଧୂଳିକଣାର ପରିମାଣକୁ ସେତେବଳର ଅବସ୍ଥାଠାରୁ ୪୦ ପ୍ରତିଶତ କମାଇବା ଅଥବା ଜାତୀୟ ମାନକୁ ଏକ ଘନମିଟର ବାୟୁରେ ୬୦ ମାକ୍ରୋଗ୍ରାମକୁ ସୀମିତ କରିବା ଲାଗି ଲକ୍ଷ୍ୟ ରଖିଛି। ଏଥିରେ ଦିଲ୍ଲୀ ସମେତ ୯୭ଟି ସହର ସକ୍ଷମ ହୋଇଛନ୍ତି। ହେଲେ ଓଡ଼ିଶାର ଭୁବନେଶ୍ୱର ହେଉ କି ତାଳଚେର, ବାଲେଶ୍ୱର ଅଥବା କଟକରେ ପିଏମ୍ ୧୦ ମାନକ ଧୂଳିକଣାର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି।
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ତାଳଚେରରେ ୨୦୧୭-୧୮ ଆର୍ଥିକ ବର୍ଷରେ ଅର୍ଥାତ୍ ଯୋଜନା ଲାଗୁ ହେବା ପୂର୍ବରୁ ପିଏମ୍ ୧୦ ପରିମାଣ ୧୧୩ ଥିବା ବେଳେ ଏବେବି ସେହି ୧୧୩ ରହିଛି। ଏହା ଏକ ଶିଳ୍ପାଞ୍ଚଳ। ଏଠାରେ ଶିଳ୍ପଗୁଡ଼ିକରୁ ନିର୍ଗତ ବାୟୁରେ ଧୂଳିକଣା କମାଇବା ଲାଗି ଅତ୍ୟାଧୁନିକ ଯନ୍ତ୍ର ବ୍ୟବହାର କରାଯାଇଛି। କିନ୍ତୁ ସେଗୁଡ଼ିକ କାର୍ଯ୍ୟ କରୁ ନଥିବା ବା ଅନେକ ସମୟରେ ଚାଲୁ କରାଯାଉ ନଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱରରେ ସେତେବଳେ ପିଏମ୍ ୧୦ ପରିମାଣ ୮୫ ଥିଲା। ଅର୍ଥାତ୍ ଏକ ଘନ ମିଟର ବାୟୁରେ ହାନୀକାରକ ଧୂଳିକଣାର ପରିମାଣ ୮୫ ମାକ୍ରୋଗ୍ରାମ ଥିଲା। ୨୦୨୩-୨୪ରେ ବାର୍ଷିକ ହାରାହାରି ପରିମାଣ ୧୧୪ରେ ପହଞ୍ଚିଛି। ଅର୍ଥାତ୍ ୩୪ ପ୍ରତିଶତ ବଢ଼ିଛି।
କଟକରେ ପାଞ୍ଚବର୍ଷ ପୂର୍ବେ ପିଏମ୍ ୧୦ ପରିମାଣ ୯୩ ଥିବା ବେଳେ ଏ ବର୍ଷ ହାରାହାରି ୧୨୯ରେ ପହଞ୍ଚିଛି। ଅର୍ଥାତ୍ ୩୯ ପ୍ରତିଶତ ବଢ଼ିଛି। ସେହିପରି ବାଲେଶ୍ୱରରେ ସର୍ବାଧିକ ୪୮ ପ୍ରତିଶତ ବାୟୁ ପ୍ରଦୂଷଣ ବଢ଼ିଛି। ଏଠାର ବାୟୁ ମଣ୍ଡଳରେ ୫ ବର୍ଷ ପୂର୍ବେ ୮୪ ମାଇକ୍ରୋଗ୍ରାମ ଧୂଳିକଣା ରହୁଥିଲା। ଏବେ ତାହା ୧୨୪ରେ ପହଞ୍ଚିଛି।
ଅନୁଗୋଳରେ ସେହି ବର୍ଷ ବାୟୁରେ ପିଏମ୍ ୧୦ ଧୂଳିକଣେ ୯୭ମାଇକ୍ରୋଗ୍ରାମ ରହୁଥିଲା। ଏବେ ଏହି ହାର ହାରାହାରି ୧୬୭ ହୋଇଛି। ଅର୍ଥାତ୍ ବିପଦ ସର୍ବାଧିକ ୭୨ ପ୍ରତିଶତ ବଢ଼ିଛି। ଜାତୀୟ ମାନକ ଅନୁସାରେ ଏହା ୬୦ ମାଇକ୍ରୋଗ୍ରାମ ରହିବା କଥା।
ଏନ୍ସିଏପି ଯୋଜନାରେ ନିଆଯାଉଥିବା ପଦକ୍ଷେପ ଯେ ବାୟୁ ପ୍ରଦୂଷଣକୁ ରୋକିବାରେ ବିଫଳ ହେଉଛି ତାହା ନୁହେଁ, ଆମ ରାଜ୍ୟର କଳିଙ୍ଗନଗର ଶିଳ୍ବାଞ୍ଚଳରେ ପାଞ୍ଚ ବର୍ଷ ଭିତରେ ହାରାହାରି ପ୍ରଦୂଷଣ ୭ ପ୍ରତିଶତ କମିଛି। ଦିଲ୍ଲୀରେ ୨୦୧୭-୧୮ ଆର୍ଥିକ ବର୍ଷରେ ବାୟୁ ମଣ୍ଡଳରେ ହାରାହାରି ପିଏମ୍ ୧୦ ପରିମାଣ ୨୪୧ ଥିଲା। ଚଳିତ ବର୍ଷ ଏହି ହାର ହାରାହାରି ୨୦୮ ହୋଇଛି। ଅର୍ଥାତ୍ ୧୪ ପ୍ରତିଶତ ଉନ୍ନତି ହୋଇଛି।
Also readhttps://purvapaksa.com/more-than-6-5-lakh-houses-have-been-returned-under-the-bjd-government/
