ରାଜ୍ୟରେ ଆପ୍-ଆଧାରିତ ଟ୍ୟାକ୍ସି ଓ ଅଟୋ ସେବା ଯୋଗାଉଥିବା ସଂସ୍ଥା ଏବଂ ଡ୍ରାଇଭରମାନଙ୍କ ମଧ୍ୟରେ ଚାଲିଥିବା ଭଡ଼ା ବିବାଦ ଏବେ ଗୁରୁତର ରୂପ ନେଇଛି। ଓଲା, ଉବେର୍, ରାପିଡୋ ଏବଂ ଓଡ଼ିଶା ୟାତ୍ରୀ ଭଳି ଆପ୍-ଆଧାରିତ ସଂସ୍ଥାଗୁଡ଼ିକର ମନମୁଖୀ ଭଡ଼ା ନିର୍ଦ୍ଧାରଣ ଏବଂ ଶୋଷଣ ବିରୋଧରେ ‘ଓଡ଼ିଶା ଅନ୍ଲାଇନ୍ ଡ୍ରାଇଭର୍ସ ୟୁନାଇଟେଡ୍ ଫୋରମ୍’ ପକ୍ଷରୁ ସୋମବାର ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବା ସହ ଆଗାମୀ ଦିନରେ ‘ଓଡ଼ିଶା ବନ୍ଦ’ ପାଇଁ ଡାକରା ଦିଆଯାଇଛି। ଡ୍ରାଇଭରମାନଙ୍କର ରୋଜଗାର ଓ ଜୀବିକା ସୁରକ୍ଷା ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରି ଏକ ସ୍ଥାୟୀ ଭଡ଼ା ନୀତି ଲାଗୁ କରିବାକୁ ଦାବି ହୋଇଛି।
/odishatv/media/media_files/2026/08/17/olaaa-2026-08-17-09-09-25.png)
୨୧ଟି ଚାଳକ ସଂଘର ସମର୍ଥନ
ଏହି ଆନ୍ଦୋଳନକୁ ଆହୁରି ମଜବୁତ୍ କରିବା ପାଇଁ ରାଜ୍ୟର ପ୍ରାୟ ୨୧ଟି କ୍ଷୁଦ୍ର ଓ ବୃହତ୍ ଡ୍ରାଇଭର ୟୁନିୟନ୍ ଏହି ବନ୍ଦ ଡାକରାକୁ ନିଜର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
- ବ୍ୟାପକ ପ୍ରଭାବ : ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ବ୍ୟାପକ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଆୟୋଜନ କରାଯିବ।
- ଜରୁରୀ ସେବା ପ୍ରଭାବିତ ସମ୍ଭାବନାନ : ଆପ୍-ଆଧାରିତ କାବ୍, ଟ୍ୟାକ୍ସି ଏବଂ ଅଟୋ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଲେ ରାଜଧାନୀ ସମେତ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସାଧାରଣ ଯାତ୍ରୀ, ବିମାନବନ୍ଦର ଓ ରେଳଷ୍ଟେସନ୍ ଯାଉଥିବା ଲୋକଙ୍କ ପାଇଁ ବଡ଼ ଧରଣର ଯାତାୟାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।
ମୁଖ୍ୟ ଦାବି ଏବଂ ଅଭିଯୋଗ
ଅନ୍ଲାଇନ୍ ଡ୍ରାଇଭର୍ସ ଫୋରମ୍ର କର୍ମକର୍ତ୍ତାମାନେ ସରକାର ଓ ଅନ୍ଲାଇନ୍ କମ୍ପାନୀଗୁଡ଼ିକ ବିରୋଧରେ ଏକାଧିକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି:

1. ମନମୁଖୀ ଭଡ଼ା ନିର୍ଦ୍ଧାରଣ : ଅନ୍ଲାଇନ୍ କମ୍ପାନୀଗୁଡ଼ିକ ନିଜ ଇଚ୍ଛାମୁତାବକ ଭଡ଼ା କମାଇବା ଓ ବଢ଼ାଇବା ଦ୍ୱାରା ଡ୍ରାଇଭରମାନେ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ନିଜେ ସରକାରୀ ସ୍ତରରେ ଏକ ନିର୍ଦ୍ଦିଷ୍ଟ ଭଡ଼ା ନିର୍ଦ୍ଧାରଣ କରନ୍ତୁ।
2. ସରକାରୀ ନିୟନ୍ତ୍ରଣର ଅଭାବ : ପ୍ରାଇଭେଟ୍ ଆପ୍ ସଂସ୍ଥାଗୁଡ଼ିକ ଉପରେ କୌଣସି ସରକାରୀ ନିୟନ୍ତ୍ରଣ ନଥିବାରୁ ସେମାନେ ନିଜସ୍ୱ କମିଶନ୍ ପ୍ରତିଶତ ବୃଦ୍ଧି କରି ଚାଳକଙ୍କୁ ଶୋଷଣ କରୁଛନ୍ତି।
3. ୧୨ ବର୍ଷର ଅସମାହିତ ସମସ୍ୟା : ସ୍ମାର୍ଟ ସିଟି ଅନ୍ଲାଇନ୍ ଅଟୋ ମହାସଂଘର ସଭାପତି ଦୀନବନ୍ଧୁ ନାୟକ ଏବଂ ଫୋରମ୍ର ଜୋନାଲ୍ ମୁଖ୍ୟ ଗଣେଶ୍ୱର ବେହେରା କହିଛନ୍ତି ଯେ, ଆପ୍-ଆଧାରିତ ଟ୍ୟାକ୍ସି ସେବାକୁ ନେଇ ଗତ ୧୨ ବର୍ଷ ହେବ ବିବାଦ ଚାଲିଆସୁଛି। ପୂର୍ବତନ ଓ ବର୍ତ୍ତମାନର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ।
ସରକାରୀ ହସ୍ତକ୍ଷେପ ପାଇଁ ଦାବି
ଡ୍ରାଇଭର ସଂଘଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଜନସାଧାରଣଙ୍କୁ ହଇରାଣ କରିବାକୁ ଚାହୁଁନାହାନ୍ତି, ମାତ୍ର କମ୍ପାନୀଗୁଡ଼ିକର ଅତ୍ୟାଚାର ଏବଂ ବାଧ୍ୟବାଧକତା ଯୋଗୁଁ ସେମାନେ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟ ପରିବହନ ବିଭାଗ ତୁରନ୍ତ ଆପ୍ କମ୍ପାନୀ ଏବଂ ଡ୍ରାଇଭର ସଂଘଗୁଡ଼ିକୁ ନେଇ ଏକ ମିଳିତ ବୈଠକ ଡାକନ୍ତୁ ଏବଂ ପରିବହନ ନୀତିରେ ଆବଶ୍ୟକୀୟ ସଂଶୋଧନ ଆଣି ଡ୍ରାଇଭରମାନଙ୍କ ଆର୍ଥିକ ସ୍ୱାର୍ଥ ରକ୍ଷା କରନ୍ତୁ।
ଯଦି ସରକାର ଶୀଘ୍ର ଏହି ଦାବି ଉପରେ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ‘ଓଡ଼ିଶା ବନ୍ଦ’ ଅତ୍ୟନ୍ତ କଠୋର ହେବ ଏବଂ ଏଥିପାଇଁ ଶାସନ ସଂସ୍ଥା ଦାୟୀ ରହିବେ ବୋଲି ଡ୍ରାଇଭର୍ସ ଫୋରମ୍ ଚେତାବନୀ ଦେଇଛି।


