ଆଜି ଭାରତର ସୁରକ୍ଷା ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖିହୋଇ ଯାଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଚୀନ୍ ଏବଂ ପାକିସ୍ତାନ ଭଳି ଦୁଇ ପଡ଼ୋଶୀ ଶତ୍ରୁ ରାଷ୍ଟ୍ରଙ୍କ ଆଖିରୁ ନିନ୍ଦ ଗାଏବ କରିବା ଭଳି ଏକ ମହାଶକ୍ତିଶାଳୀ ଅସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ। ଆମ ଓଡ଼ିଶା ମାଟିରୁ, ଅବଦୁଲ କଲାମ ଦ୍ୱୀପରୁ ମହାକାଶକୁ ଗର୍ଜନ କରି ଛୁଟିଯାଇଛି ଭାରତର ସ୍ୱଦେଶୀ ‘ଏୟାର ଡିଫେନ୍ସ ସିଷ୍ଟମ୍’— ‘କୁଶ’ (Kusha LRSAM)।
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ, ଅର୍ଥାତ୍ DRDO ଗୁରୁବାର ଦିନ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ‘କୁଶ’ ମିସାଇଲର ପ୍ରଥମ ସଫଳ ‘ମେଡେନ୍ ଫ୍ଲାଇଟ୍ ଟେଷ୍ଟ’ ଶେଷ କରିଛି। ଏହା କେବଳ ଗୋଟିଏ ମିସାଇଲ ପରୀକ୍ଷଣ ନୁହେଁ, ବରଂ ଆମ ଦେଶର ଆକାଶମାର୍ଗକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିବାର ସଂକଳ୍ପ। ଏହି ପରୀକ୍ଷଣ ପରେ ଶତ୍ରୁର ଯେକୌଣସି ଫାଇଟର ଜେଟ୍, ଡ୍ରୋନ୍ କିମ୍ବା କ୍ରୁଜ୍ ମିସାଇଲ୍ ଭାରତୀୟ ସୀମାରେ ପଶିବା ପୂର୍ବରୁ ଆକାଶରେ ହିଁ ପାଉଁଶ ହୋଇଯିବ।
ଏହି ଚିତ୍ତାକର୍ଷକ ପରୀକ୍ଷଣ କେଉଁଠି ଏବଂ କିପରି ହେଲା। ଓଡ଼ିଶା ଉପକୂଳରେ ଅବସ୍ଥିତ ଐତିହାସିକ ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷା କରାଯାଇଥିଲା। DRDO ର ବୈଜ୍ଞାନିକମାନେ ଦୀର୍ଘ ଦିନର ପରିଶ୍ରମ ପରେ ଏହି ସିଷ୍ଟମକୁ ପ୍ରସ୍ତୁତ କରିଥିଲେ। ପରୀକ୍ଷଣ ସମୟରେ ମିସାଇଲର ପ୍ରତ୍ୟେକଟି ସେନ୍ସର, ରଡାର, ଗାଇଡାନ୍ସ ସିଷ୍ଟମ ଏବଂ ଇଞ୍ଜିନର କାର୍ଯ୍ୟକ୍ଷମତା ସମ୍ପୂର୍ଣ୍ଣ ସଠିକ୍ ରହିଥିଲା।
ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO, ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, “କୁଶ ମିସାଇଲ ସିଷ୍ଟମ ଆମ ସେନାର ପ୍ରହାର କ୍ଷମତା ଏବଂ ସୁରକ୍ଷା କବଚକୁ ଆଉ ଏକ ନୂଆ ଉଚ୍ଚତାକୁ ନେଇଯାଇଛି।”
‘କୁଶ’ ମିସାଇଲ୍ ସିଷ୍ଟମ୍ ଏତେ ଖାସ୍ କାହିଁକି? ଏହାର କ୍ଷମତା କେତେ?
‘କୁଶ’ ହେଉଛି ଭାରତର ନିଜସ୍ୱ ‘ଲଙ୍ଗ୍-ରେଞ୍ଜ୍ ସରଫେସ୍-ଟୁ-ଏୟାର ମିସାଇଲ୍’ (LRSAM)। ଏହାର ସର୍ବାଧିକ ମାରକ କ୍ଷମତା ହେଉଛି ୪୦୦ କିଲୋମିଟର। ଅର୍ଥାତ୍, ସୀମା ପାର୍ ନକରି ମଧ୍ୟ ଭାରତ ନିଜ ମାଟିରେ ଥାଇ ଶତ୍ରୁ ଦେଶର ୪୦୦ କିଲୋମିଟର ଭିତରେ ଥିବା ଯେକୌଣସି ବିମାନ କିମ୍ବା ମିସାଇଲକୁ ନିମିଷକ ମଧ୍ୟରେ ଧ୍ୱଂସ କରିପାରିବ।
ଏହି ମିସାଇଲ କେବଳ ସାଧାରଣ ବିମାନକୁ ନୁହେଁ, ବରଂ:
୧. ଶତ୍ରୁର ଅତ୍ୟାଧୁନିକ ଷ୍ଟିଲ୍ଥ ଫାଇଟର ଜେଟ୍ (ଯାହା ରଡାରରେ ସହଜରେ ଧରାପଡ଼ନ୍ତି ନାହିଁ)
୨. ଆକାଶମାର୍ଗରୁ ଆସୁଥିବା କ୍ରୁଜ୍ ଏବଂ ବାଲିଷ୍ଟିକ୍ ମିସାଇଲ୍
୩. କ୍ରମାଗତ ଆକ୍ରମଣ କରୁଥିବା ଆତ୍ମଘାତୀ ଡ୍ରୋନ୍
୪. ଏବଂ ଶତ୍ରୁର AWACS (ଏୟାରବୋର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ) କିମ୍ବା ରିଫୁଏଲିଂ ଟ୍ୟାଙ୍କର ବିମାନକୁ ଦୂରରୁ ହିଁ ଚିହ୍ନଟ କରି ନିପାତ କରିପାରିବ।
ଏହି ସଫଳତା ଭାରତର ‘ଆତ୍ମନିର୍ଭର ଭାରତ’ ଅଭିଯାନ ପାଇଁ ଏକ ବିରାଟ ମାଇଲଖୁଣ୍ଟ। ଆପଣମାନେ ଜାଣିଥିବେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଦୂରଗାମୀ ଏୟାର ଡିଫେନ୍ସ ପାଇଁ ରୁଷିଆର S-400 ଟ୍ରାୟମ୍ଫ (S-400 Triumf) ସିଷ୍ଟମ୍ ଉପରେ ନିର୍ଭର କରୁଥିଲା। ଏଥିପାଇଁ ଭାରତକୁ ବିଦେଶୀ ମାଟିକୁ କୋଟି କୋଟି ଡଲାର ପଠାଇବାକୁ ପଡ଼ୁଥିଲା।
କିନ୍ତୁ ଏବେ ‘କୁଶ’ ଆସିବା ପରେ, ଭାରତର ବିଦେଶୀ ମାର୍କେଟ୍ ଉପରେ ନିର୍ଭରଶୀଳତା ସମ୍ପୂର୍ଣ୍ଣ କମିଯିବ। ଆମକୁ ଆଉ ଅନ୍ୟ ଦେଶ ଆଗରେ ହାତ ପାତିବାକୁ ପଡ଼ିବ ନାହିଁ। ବରଂ ଭାରତ ନିଜ ମାଟିରେ ନିଜ ପ୍ରଯୁକ୍ତିବିଦ୍ୟାରେ ଏଭଳି ସିଷ୍ଟମ ତିଆରି କରି ବିଲିୟନ୍ ବିଲିୟନ୍ ଡଲାର ସଞ୍ଚୟ କରିପାରିବ। ବିଶେଷଜ୍ଞମାନଙ୍କ ମତରେ, ବିଶ୍ୱର ମାତ୍ର କେତେକ ଗଣତି ଦେଶ (ଯେପରିକି ଆମେରିକା, ରୁଷିଆ, ଚୀନ୍ ଏବଂ ଇସ୍ରାଏଲ୍) ପାଖରେ ଏଭଳି ୪୦୦ କିଲୋମିଟର ପର୍ଯ୍ୟନ୍ତ ଗତି କରୁଥିବା ସ୍ୱଦେଶୀ ଏୟାର ଡିଫେନ୍ସ ସିଷ୍ଟମ ରହିଛି। ଏବେ ଭାରତ ସେହି ଶକ୍ତିଶାଳୀ ଏଲିଟ୍ କ୍ଲବରେ ନିଜର ସ୍ଥାନ ପକ୍କା କରିସାରିଛି।
ସରଳ ଭାଷାରେ ବୁଝିବା, ‘କୁଶ’ ଆସିବା ପରେ ଭାରତର ଆକାଶ କିପରି ଅଭେଦ୍ୟ ହୋଇଯିବ। ଭାରତ ବର୍ତ୍ତମାନ ଏକ ୩-ସ୍ତରୀୟ (3-Tier) ଏୟାର ଡିଫେନ୍ସ ସିଷ୍ଟମ୍ ଗଠନ କରୁଛି।
ପ୍ରଥମେ— ଆକାଶ (Akash Missile): ଯାହା କମ୍ ଦୂରତାରେ (Short Range) ଆସୁଥିବା ଶତ୍ରୁର ମିସାଇଲକୁ ଧ୍ୱଂସ କରେ।
ଦ୍ୱିତୀୟ— MRSAM: ଯାହା ମଧ୍ୟମ ଦୂରତାରେ (Medium Range) ସୁରକ୍ଷା ଦିଏ।
ତୃତୀୟ ଓ ସବୁଠାରୁ ଶକ୍ତିଶାଳୀ— କୁଶ (Kusha): ଯାହା ୪୦୦ କିଲୋମିଟର ଦୂରରେ ହିଁ ଶତ୍ରୁକୁ ଚିହ୍ନଟ କରି ନିଶ୍ଚିହ୍ନ କରିଦେବ।
ଏହି ତିନୋଟି ମିଶି ଭାରତର ପ୍ରମୁଖ ସହର, ପରମାଣୁ ପ୍ରକଳ୍ପ, ସେନା ଘାଟି ଏବଂ ସୀମାନ୍ତ ଅଞ୍ଚଳ ଚାରିପାଖରେ ଇସ୍ରାଏଲର ‘ଆଇରନ୍ ଡୋମ୍’ (Iron Dome) ଭଳି ଏକ ସୁରକ୍ଷା ବଳୟ କିମ୍ବା ଛାତା ତିଆରି କରିବେ। ଯାହାକୁ ଭେଦିବା ଶତ୍ରୁ ପକ୍ଷେ ଅସମ୍ଭବ।
ଆମର ଦୁଇ ପଡ଼ୋଶୀ— ଚୀନ୍ ଏବଂ ପାକିସ୍ତାନ। ଗୋଟିଏ ପଟେ ଲଦାଖ ଓ ଅରୁଣାଞ୍ଚଳ ସୀମାରେ ଚୀନର ଚାଲାକି, ଆଉ ଅନ୍ୟପଟେ ପାକିସ୍ତାନର ସୀମାପାର ଆତଙ୍କବାଦ ଓ ଡ୍ରୋନ୍ ଅନୁପ୍ରବେଶ। ଏହି ଦୁଇ ଶତ୍ରୁଙ୍କ ପାଇଁ ‘କୁଶ’ର ସଫଳତା ଏକ ବିରାଟ ସ୍ଲାପ୍ କହିଲେ ଅତ୍ୟୁକ୍ତି ହେବନାହିଁ।
‘କୁଶ’ ମିସାଇଲରେ ରହିଛି ଅତ୍ୟାଧୁନିକ AESA ରଡାର (Active Electronically Scanned Array Radar)। ଏହି ରଡାର ଏକାସଙ୍ଗରେ ଶହ ଶହ ଶତ୍ରୁ ଟାର୍ଗେଟକୁ ଟ୍ରାକ୍ କରିପାରିବ। ଏହା ଭାରତୀୟ ବାୟୁସେନାର IACCS (Integrated Air Command and Control System) ସହ ସିଧାସଳଖ ଯୋଡ଼ିହୋଇ କାମ କରିବ। ଅର୍ଥାତ୍, ଯଦି ଚୀନ୍ କିମ୍ବା ପାକିସ୍ତାନର କୌଣସି ଷ୍ଟିଲ୍ଥ ଫାଇଟର ଜେଟ୍ କିମ୍ବା କ୍ଷେପଣାସ୍ତ୍ର ଭାରତ ଆଡ଼କୁ ଆସେ, ତେବେ କମ୍ପ୍ୟୁଟରାଇଜ୍ଡ ଆପୋଚ୍ ମାଧ୍ୟମରେ ସ୍ୱୟଂଚାଳିତ ଭାବେ ‘କୁଶ’ ମିସାଇଲ୍ ଲଞ୍ଚ ହୋଇ ସେଗୁଡ଼ିକୁ ମାଟିରେ ମିଶାଇଦେବ। ଏହା ଦ୍ୱାରା ଦୁଇ ଶତ୍ରୁ ରାଷ୍ଟ୍ରଙ୍କ ଆକ୍ରମଣ କରିବାର ସାହସ ସମ୍ପୂର୍ଣ୍ଣ ଭାଙ୍ଗିଯିବ।
ଏହି ସଫଳତା ପଛରେ ରହିଛି DRDO ର ଶହ ଶହ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଆମ ସଶସ୍ତ୍ର ବାହିନୀର ଦିନରାତିର କଠିନ ପରିଶ୍ରମ। ବିଦେଶୀ କଟକଣା ଏବଂ ଜଟିଳ ପ୍ରଯୁକ୍ତିବିଦ୍ୟା ସତ୍ତ୍ୱେ ଭାରତୀୟ ମସ୍ତିଷ୍କ ପ୍ରମାଣିତ କରିଦେଇଛି ଯେ, ଆମେ କୌଣସି ଗୁଣରେ କାହାଠାରୁ କମ୍ ନୋହୁଁ। ଆମ ଓଡ଼ିଶାର ଏହି ପବିତ୍ର ଅବଦୁଲ କଲାମ ଦ୍ୱୀପରୁ ଯେଉଁ ଅଗ୍ନି ଓ ମିସାଇଲର ଗାଥା ଆରମ୍ଭ ହୋଇଥିଲା, ଆଜି ‘କୁଶ’ ମାଧ୍ୟମରେ ତାହା ଏକ ନୂଆ ଶିଖରରେ ପହଞ୍ଚିଛି।
‘କୁଶ’ର ଏହି ସଫଳ ପରୀକ୍ଷଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୋଟିଏ ଗୌରବର ବିଷୟ। ଏହା କେବଳ ଏକ ଯୁଦ୍ଧାସ୍ତ୍ର ନୁହେଁ, ଏହା ହେଉଛି ୧୪୦ କୋଟି ଭାରତୀୟଙ୍କୁ ସୁରକ୍ଷା ଦେବାର ଏକ ସ୍ୱଦେଶୀ ଗ୍ୟାରେଣ୍ଟି। ଏବେ ଭାରତର ସୀମା ସୁରକ୍ଷିତ, ଆମର ଆକାଶ ଅଭେଦ୍ୟ, ଏବଂ ଆମର ଭବିଷ୍ୟତ ଆତ୍ମନିର୍ଭର।
AlsoRead; https://purvapaksa.com/new-low-pressure-in-bay-of-bengal-bahuda-yatra-gets-soaked-in-rain/


