NEET ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଶିକ୍ଷା ମନ୍ତ୍ରଣାଳୟ ବିରୋଧରେ କୋକ୍ରୋଚ୍ ଜନତା ପାର୍ଟି ଏବଂ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଆହୂତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଚାଲିଥିବା ଅଟକଳ ଉପରେ ବିରାମ ଲଗାଇଛି ଦିଲ୍ଲୀ ପୋଲିସ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ସୁରକ୍ଷା ବଳ ‘ପେଲେଟ୍ ଗନ୍’ ଏବଂ ‘ଇଲେକ୍ଟ୍ରିକ୍ ଷ୍ଟନ୍ ଗନ୍’ ବ୍ୟବହାର କରିଥିବା ନେଇ CJP ପକ୍ଷରୁ ଆଣାଯାଇଥିବା ସମସ୍ତ ଅଭିଯୋଗକୁ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଭିତ୍ତିହୀନ, ମିଥ୍ୟା ଓ ଭ୍ରାନ୍ତିକର ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ ସୋସିଆଲ ମିଡିଆରେ ଭ୍ରାନ୍ତ ତଥ୍ୟ ପ୍ରସାରଣ କରୁଥିବା ଗୋଷ୍ଠୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସ୍ପଷ୍ଟ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ ଯେ, CJP ର ମୁଖପାତ୍ର ସୌରଭ ଦାସ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ (X)ରେ ଏକ ଭିଡିଓ ଶେୟାର କରି ଅଭିଯୋଗ କରିଥିଲେ ଯେ ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ଓ ସୁରକ୍ଷା ବଳ ନିରୀହ, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପେଲେଟ୍ ଗନ୍ରୁ ଗୁଳି ଚାଳନା କରିଛନ୍ତି। ସେହି ପୋଷ୍ଟରେ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ଯୁବକଙ୍କ ମୁହଁ ଓ ଶରୀରରେ କ୍ଷତ ଚିହ୍ନ ଥିବାର ଭିଡିଓ ଦେଖାଇ ତାହା ପେଲେଟ୍ ଗନ୍ର ଆଘାତ ବୋଲି ଦାବି କରାଯାଇଥିଲା। ଏହାବାଦ୍ ରାପିଡ୍ ଆକ୍ସନ୍ ଫୋର୍ସ (RAF) ପ୍ରଦର୍ଶନକାରୀଙ୍କ ଉପରେ ଶକ୍ ବାଟନ୍ କିମ୍ବା ଷ୍ଟନ୍ ଗନ୍ ବ୍ୟବହାର କରିଥିବା ନେଇ ମଧ୍ୟ ଗୁଜବ ପ୍ରଚାରିତ ହୋଇଥିଲା।

ଏହି ସମସ୍ତ ଗୁଜବ ଓ ଅଭିଯୋଗର କଡ଼ା ଜବାବ ଦେଇ ଦିଲ୍ଲୀ ପୋଲିସ ନିଜର ଆଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରେ ‘ଫେକ୍ ନ୍ୟୁଜ୍ ଆଲର୍ଟ’ (Fake News Alert) ଜାରି କରିଛି। ଦିଲ୍ଲୀ ପୋଲିସ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, “ଆନ୍ଦୋଳନକାରୀଙ୍କ ଉପରେ ପେଲେଟ୍ ଗନ୍ କିମ୍ବା ଇଲେକ୍ଟ୍ରିକ୍ ଷ୍ଟନ୍ ଗନ୍ ବ୍ୟବହାର କରାଯାଇଥିବା ନେଇ ହେଉଥିବା ଦାବି ସମ୍ପୂର୍ଣ୍ଣ ଭୁଲ୍, ଭିତ୍ତିହୀନ ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ। ଦିଲ୍ଲୀ ପୋଲିସ ପାଖରେ ପେଲେଟ୍ ଗନ୍ ନାହିଁ କିମ୍ବା ଚାଲିଥିବା ବିକ୍ଷୋଭ ପ୍ରଦର୍ଶନରେ ଏପରି କୌଣସି ଅସ୍ତ୍ରର ବ୍ୟବହାର କରାଯାଇନାହିଁ।”
🚨 FAKE NEWS ALERT 🚨
Reports claiming that police forces are using pellet guns against peaceful protesters are completely false and misleading.
The public is strongly advised not to share or circulate unverified content. Please verify facts from official sources before posting…
— Delhi Police (@DelhiPolice) July 21, 2026
ସରକାରଙ୍କ ତଥ୍ୟ ଯାଞ୍ଚ ସଂସ୍ଥା PIB Fact Check ମଧ୍ୟ ଏହି ମାମଲାର ଯାଞ୍ଚ କରି ଭିଡିଓଟିକୁ ଭ୍ରାନ୍ତିକର ବୋଲି ଅଭିହିତ କରିଛି। ପୋଲିସ ପ୍ରଶାସନ ପକ୍ଷରୁ ସାଧାରଣ ନାଗରିକ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମକୁ ବିନା ସତ୍ୟାସତ୍ୟ ଯାଞ୍ଚରେ କୌଣସି ଅପୁଷ୍ଟ ଖବର କିମ୍ବା ସୋସିଆଲ ମିଡିଆ ପୋଷ୍ଟକୁ ଶେୟାର କିମ୍ବା ପ୍ରସାରିତ ନକରିବାକୁ ଅନୁରୋଧ କରାଯାଇଛି। କେବଳ ସରକାରୀ ଓ ପ୍ରାମାଣିକ ସୂତ୍ରରୁ ମିଳୁଥିବା ସୂଚନା ଉପରେ ବିଶ୍ୱାସ କରିବାକୁ ପୁଲିସ ପରାମର୍ଶ ଦେଇଛି। ଗୁଜବ ସୃଷ୍ଟି କରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ସଂସଦ ମାର୍ଚ୍ଚ ସମୟରେ ଜନ୍ତର ମନ୍ତର ଓ ନିକଟସ୍ଥ କନ୍ନଟ୍ ପ୍ଲେସ୍ ଅଞ୍ଚଳରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏହି ସଂଘର୍ଷରେ ପ୍ରାୟ ୬୦ ଜଣ ପ୍ରଦର୍ଶନକାରୀ ଏବଂ ୧୧୮ ଜଣ ପୋଲିସ କର୍ମଚାରୀ ଆହାତ ହୋଇଥିବା ନେଇ ପୁଲିସ ସୂଚନା ଦେଇଛି। ଘଟଣାକୁ ନେଇ ରାଜନୈତିକ ବାତାବରଣ ସରଗରମ ଥିବା ବେଳେ, ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗକୁ ପୋଲିସ ସମ୍ପୂର୍ଣ୍ଣ ଖଣ୍ଡନ କରିବା ପରେ ବର୍ତ୍ତମାନ ଏହି ବିବାଦରେ ଏକ ନୂଆ ମୋଡ଼ ଆସିଛି।


