ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଦୁଇ ବର୍ଷ ପୂରି ସାରିଲାଣି। ଡବଲ୍ ଇଞ୍ଜିନ୍ ସରକାରର ନାରା ଦେଇ ଦଳ କ୍ଷମତାକୁ ତ ଆସିଗଲା, ହେଲେ ଏବେ ଶାସନ ଗାଦିରେ ବସିବା ପରେ ସବୁକିଛି ଠିକ୍ ଚାଲିଛି ତ? ସରକାର ଓ ସଂଗଠନ ଭିତରେ ସବୁ ଅଲ୍-ଇଜ୍-ୱେଲ୍ ତ? ଉପରକୁ ସବୁ ଶାନ୍ତ ଦେଖାଯାଉଥିଲେ ବି, ଭିତରେ ଭିତରେ ଓଡ଼ିଶା ବିଜେପିର ସଂଗଠନରେ କୁହୁଳୁଛି ବିଦ୍ରୋହର ନିଆଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିରୋଧୀ ଗୋଷ୍ଠୀ ଏବେ ସକ୍ରିୟ ହୋଇଉଠିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବିରୋଧୀ ଗୋଷ୍ଠୀର ସୂତ୍ରଧର ସାଜିଛନ୍ତି ରାଜ୍ୟର ଜଣେ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ!
କେଉଁ ଗୁପ୍ତ ଫାଇଲ୍ ରେ ଲେଖା ହୋଇଛି ମୋହନ ସରକାରଙ୍କୁ ଅସ୍ଥିର କରିବାର ସମ୍ପୂର୍ଣ୍ଣ ରୋଡମ୍ୟାପ୍ ? କାହିଁକି ଓଡ଼ିଶା ଛୁଟି ଆସିଛନ୍ତି ବିଜେପିର ‘ଚାଣକ୍ୟ’ କୁହାଯାଉଥିବା ସୁନୀଲ ବଂଶଲ? ଆଉ କାହା ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଦନାମ କରିବାକୁ ଚାଲିଛି ଗୁପ୍ତ ଷଡ଼ଯନ୍ତ୍ର?
ନିତିନ ନବୀନଙ୍କ ସେହି ଆଶଙ୍କା ଆଜି ସତ ପ୍ରମାଣିତ
ଇତିହାସ କେବେ ମିଛ କହେନି। ଗତ ମଇ ମାସ ୧୭ ଏବଂ ୧୮ ତାରିଖର ଘଟଣାକୁ ମନେ ପକାନ୍ତୁ। ଯେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ଦଳର ସାଂଗଠନିକ ସ୍ଥିତିକୁ ନେଇ ସେ କିଛି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦେଇଥିଲେ। ସେ ସ୍ପଷ୍ଟ ଭାବେ ଆଶଙ୍କା ପ୍ରକାଶ କରିଥିଲେ ଯେ ଓଡ଼ିଶା ବିଜେପି ସଂଗଠନରେ ଫାଟ ସୃଷ୍ଟି ହେଉଛି। ନେତା ଏବଂ କର୍ମୀଙ୍କ ଭିତରେ ସମନ୍ୱୟର ଅଭାବ ରହିଛି। ସେତେବେଳେ ଅନେକେ ଏହାକୁ ସାଧାରଣ କଥା ଭାବି ଏଡ଼ାଇ ଦେଇଥିଲେ। ହେଲେ ଆଜି ଯେଉଁ ସ୍ଥିତି ଉପୁଜିଛି, ସେଥିରୁ ପ୍ରମାଣିତ ହେଉଛି ଯେ ନିତିନ ନବୀନଙ୍କ ଆକଳନ ଅମୂଳକ ନ ଥିଲା, ବରଂ ଶହେ ପ୍ରତିଶତ ସମ୍ପୂର୍ଣ୍ଣ ସତ୍ୟ ଥିଲା।

ଶାସନ କ୍ଷମତା ହାତକୁ ଆସିବା ପରେ ସାଧାରଣତଃ ଦଳ ଅଧିକ ମଜଭୁତ ହେବା କଥା। କିନ୍ତୁ ଓଡ଼ିଶାରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି। ସରକାର ଗଠନ ହେବା ଦିନଠାରୁ ସଚ୍ଚା କର୍ମୀ ଏବଂ ତୃଣମୂଳ ସ୍ତରର ସଂଗଠନକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଉଠିଲାଣି। ବିଜେପିର ଯେଉଁ ଲଢୁଆ ବୁଥ୍ ସ୍ତରୀୟ କର୍ମୀମାନେ ନିଜ ଝାଳ ବୁହାଇ ସରକାର ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେମାନେ ଆଜି ନିଜକୁ ଅସହାୟ ମଣୁଛନ୍ତି। ଫଳରେ ସରକାରଙ୍କ ବିରୋଧରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି, ଯାହା ବିରୋଧୀଙ୍କୁ ଆକ୍ରମଣ କରିବା ପାଇଁ ଏକ ବଡ଼ ସୁଯୋଗ ଯୋଗାଇ ଦେଇଛି।
ଚାଣକ୍ୟ ସୁନୀଲ ବଂଶଲଙ୍କ ଏଣ୍ଟ୍ରି ଏବଂ ବିରୋଧୀ ଗୋଷ୍ଠୀଙ୍କ ଛାତିରେ ଛନକା
ଏହି ସାଂଗଠନିକ ଅରାଜକତାକୁ ଦୂର କରିବା ପାଇଁ ଏବେ ମଇଦାନକୁ ଓହ୍ଲାଇଛନ୍ତି ଦଳର ସର୍ବଶ୍ରେଷ୍ଠ ‘ଟ୍ରବଲ୍ ସୁଟର୍’ ତଥା ଓଡ଼ିଶା ପର୍ଯ୍ୟବେକ୍ଷକ ସୁନୀଲ ବଂଶଲ। ସୁନୀଲ ବଂଶଲ କୌଣସି ସାଧାରଣ ନେତା ନୁହନ୍ତି। ୟୁପିରୁ ନେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବିଜେପିକୁ ଶୂନରୁ ଶିଖରରେ ପହଞ୍ଚାଇବାରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ଏବେ ସେ ଓଡ଼ିଶାରେ ଡେରା ପକାଇଛନ୍ତି। ସରକାର ଏବଂ ସଂଗଠନ ମଧ୍ୟରେ ଥିବା ମତଭେଦକୁ ଦୂର କରିବା ସହ ଦଳ ଭିତରେ ଥିବା କଳହକୁ ଶାନ୍ତ କରିବା ତାଙ୍କର ମୂଳ ଲକ୍ଷ୍ୟ।

ସୂଚନା ଅନୁଯାୟୀ, ସୁନୀଲ ବଂଶଲ ଏବେ ପ୍ରତି ଜିଲ୍ଲାର ସଂଗଠନ ପଦାଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଛନ୍ତି। କାହାକୁ କିଛି ନ ଜଣାଇ ସେ ସିଧାସଳଖ ତୃଣମୂଳ ସ୍ତରରୁ ଦଳର ବାସ୍ତବ ସ୍ଥିତି ସମ୍ପର୍କରେ ଗୁପ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। କିଏ କାମ କରୁଛି, କିଏ କାମରେ ବାଧା ସୃଷ୍ଟି କରୁଛି, ସବୁ ରିପୋର୍ଟ ତାଙ୍କ ଡାଏରୀରେ ଲିପିବଦ୍ଧ ହେଉଛି।
ଆଉ ଏହି ଖବର ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିରୋଧରେ ଗୋଟି ଚଳାଉଥିବା ନେତାମାନଙ୍କ ଛାତିରେ ଏବେ ଛନକା ପଶିଯାଇଛି। ସେମାନେ ଭୟ କରୁଛନ୍ତି ଯେ, ସେମାନଙ୍କର ସବୁ କଳା କାରନାମା ଏବେ ବଂଶଲଙ୍କ ଜରିଆରେ ଦିଲ୍ଲୀ ଦରବାରରେ ପହଞ୍ଚିଯିବ।
ଦୁଇ ମହାନାୟକ: ସୁନୀଲ ବଂଶଲ ଓ ଭୂପେନ୍ଦ୍ର ଯାଦବ
ଓଡ଼ିଶାରେ ଯେଉଁ ବିଜେପି ସରକାର ଆଜି ଶାସନ ଗାଦିରେ ବସିଛି, ତାହା କେବଳ ଭାଗ୍ୟ ବଳରେ ମିଳିନାହିଁ। ଏହା ପଛରେ ରହିଛି ଦୁଇଜଣ ନେତାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଦୂରଦୃଷ୍ଟି। ସେ ଦୁଇଜଣ ହେଲେ ଓଡ଼ିଶା ପର୍ଯ୍ୟବେକ୍ଷକ ସୁନୀଲ ବଂଶଲ ଏବଂ ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ।
ଏହି ଦୁଇ ଜଣଙ୍କ ଯୋଡ଼ି କେତେ ଶକ୍ତିଶାଳୀ, ତାହା ସାରା ଦେଶ ଜାଣେ। ପଶ୍ଚିମବଙ୍ଗ ଭଳି ହିଂସାତ୍ମକ ରାଜନୀତିର ପରିବେଶରେ ଟିଏମସି ସରକାରଙ୍କ ଦାଦାଗିରି ସତ୍ତ୍ୱେ ବିଜେପିକୁ ଏକ ପ୍ରମୁଖ ଶକ୍ତି ଭାବେ ଛିଡ଼ା କରାଇବାରେ ଏହି ଦୁଇ ଜଣଙ୍କର ବଡ଼ ଅବଦାନ ଥିଲା। ସେହି ଅଭିଜ୍ଞତାକୁ ନେଇ ସେମାନେ ଓଡ଼ିଶା ଆସିଥିଲେ ଏବଂ ଓଡ଼ିଶାରେ ବିଜେପି ସରକାର ଗଠନ କରିବାରେ ସଫଳ ମଧ୍ୟ ହୋଇଥିଲେ।

କିନ୍ତୁ ଦୁଃଖର କଥା ହେଉଛି, ଯେଉଁ ନେତାମାନେ ଏହି ବିଜୟର ଫଳ ଭୋଗୁଛନ୍ତି, ସେମାନେ ଆଜି ସେହି ବିଜୟର ମୂଳଦୁଆକୁ ଦୁର୍ବଳ କରିବାରେ ଲାଗିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ଇଶାରାରେ ଷଡ଼ଯନ୍ତ୍ର ଏବଂ ମନ୍ତ୍ରୀମାନଙ୍କ ଅସହଯୋଗ
ଓଡ଼ିଶାରେ ସରକାର ଗଠନ ହେବା ପରଠାରୁ କେତେକ ମନ୍ତ୍ରୀ ଓ ବିଧାୟକଙ୍କ ଆଚରଣରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତକୁ ମଜଭୁତ କରିବା ପରିବର୍ତ୍ତେ ଅଧିକାଂଶ ମନ୍ତ୍ରୀ ସରକାରଙ୍କ ଉନ୍ନୟନମୂଳକ କାମରେ ସହଯୋଗ କରୁନାହାନ୍ତି। କର୍ମୀମାନଙ୍କ ସହ ସମନ୍ୱୟ ରଖିବାକୁ ମଧ୍ୟ ସେମାନେ ଚାହୁଁନାହାନ୍ତି।
କିନ୍ତୁ କାହିଁକି? ଏହା ପଛରେ କାହାର ହାତ ଅଛି?
ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ଯେ, ଓଡ଼ିଶାର ଜଣେ ଅତି ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀଙ୍କ ଇଶାରାରେ ଏହି ସବୁ ଘଟୁଛି। ସେହି କେନ୍ଦ୍ରମନ୍ତ୍ରୀ ଚାହୁଁନାହାନ୍ତି ଯେ ମୋହନ ଚରଣ ମାଝୀ ଓଡ଼ିଶାରେ ଜଣେ ସଫଳ ମୁଖ୍ୟମନ୍ତ୍ରୀ ଭାବେ ନିଜର ପତିଆରା ପ୍ରତିଷ୍ଠା କରନ୍ତୁ। ତାଙ୍କୁ ବଦନାମ କରିବା ପାଇଁ ଏବଂ ତାଙ୍କ ନେତୃତ୍ୱକୁ ଦୁର୍ବଳ ଦର୍ଶାଇବା ପାଇଁ ଅହରହ ଗୋପନୀୟ ଷଡ଼ଯନ୍ତ୍ର ରଚାଯାଉଛି।
କେବଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୁହଁନ୍ତି ତାଙ୍କ ସହ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଯେପରି ସଂଗଠନକୁ ସମ୍ଭାଳି ନ ପାରିବେ ସେ ଦିଗରେ ମଧ୍ୟ ଷଡ଼ଯନ୍ତ୍ର ଚାଲିଛି।
ଏହି ରାଜନୈତିକ କଳିର ପ୍ରଭାବ ସିଧାସଳଖ ଶାସନ ଏବଂ ସଂଗଠନ ଉପରେ ପଡ଼ୁଛି। ମୁଖ୍ୟମନ୍ତ୍ରୀ ଏହି ଆଭ୍ୟନ୍ତରୀଣ ଷଡ଼ଯନ୍ତ୍ରକୁ ସମ୍ଭାଳିବାରେ ନିଜର ଅଧିକାଂଶ ସମୟ ଦେଉଥିବାବେଳେ, ରାଜ୍ୟ ସଭାପତି ମନମୋହନ ସାମଲ ସଂଗଠନକୁ ବଞ୍ଚାଇବା ପାଇଁ ଦିନରାତି ଏକ କରି ଓଡ଼ିଶା ସାରା ବୁଲୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଦଳର ସେହି ବିରୋଧୀ ଗୋଷ୍ଠୀ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କୌଣସି ପ୍ରକାର ସହଯୋଗ କରୁନାହାନ୍ତି।
ସୁରେଶ ପୂଜାରୀଙ୍କୁ ବିରୋଧ: ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା
ଏହି ସମନ୍ୱୟ ଅଭାବ ଓ ଗୋଷ୍ଠୀ କନ୍ଦଳ କେବଳ ବନ୍ଦ କୋଠରୀରେ ସୀମିତ ହୋଇ ରହିନାହିଁ, ଏହା ଏବେ ହାଟରେ ପଡ଼ି ବାଟରେ ଗଡ଼ିଲାଣି। ନିକଟରେ ଘଟିଥିବା ଏକ ଘଟଣା ଏହାକୁ ସ୍ପଷ୍ଟ ପ୍ରମାଣିତ କରିଛି।
ରାଜ୍ୟର ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଯେଉଁଭଳି ଭାବରେ ଝାରସୁଗୁଡାରେ ବିଜେପି କମୀଙ୍କଦ୍ୱାରା ବିରୋଧ କରାଗଲା, ତାହା ସମସ୍ତଙ୍କୁ ଚକିତ କରିଛି। କୁହାଯାଉଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତି ଅନୁଗତ ବୋଲାଉଥିବା ନେତା ଟଙ୍କଧର ତ୍ରିପାଠୀଙ୍କ ସମର୍ଥକମାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରବଳ ବିରୋଧ କରି ଅପଦସ୍ତ କରିଛନ୍ତି।
ବିଚାର କରିବାର କଥା: ଯଦି ନିଜ ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ନିଜ ଦଳର କର୍ମୀମାନେ ରାଜପଥରେ ଏଭଳି ଅସମ୍ମାନ କରୁଛନ୍ତି, ତେବେ ସାଧାରଣ ଲୋକଙ୍କ ପାଖକୁ କି ବାର୍ତ୍ତା ଯାଉଛି? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସରକାର, ମନ୍ତ୍ରୀ, ବିଧାୟକ ଏବଂ ଦଳର ନେତାଙ୍କ ମଧ୍ୟରେ କୌଣସି ତାଳମେଳ କିମ୍ବା ଶୃଙ୍ଖଳା ନାହିଁ।
ଓଡ଼ିଶା ବିଜେପି ଭିତରେ ଏହି ଯେଉଁ ଶାସନ ଗାଦିର ମହାଭାରତ ଆରମ୍ଭ ହୋଇଛି, ତାହା କେଉଁ ମୋଡ଼ ନେବ, ତାହା ତ ସମୟ କହିବ। କିନ୍ତୁ ଏତିକି ନିଶ୍ଚିତ ଯେ, ସୁନୀଲ ବଂଶଲଙ୍କ ଓଡ଼ିଶା ଆଗମନ ଏହି ବିରୋଧୀ ଗୋଷ୍ଠୀ ପାଇଁ ଏକ ବଡ଼ ଚେତାବନୀ। ଯେଉଁମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଏବଂ କ୍ଷମତା ପାଇଁ ଓଡ଼ିଶାର ଜନମତକୁ ଅପମାନିତ କରୁଛନ୍ତି, ସେମାନଙ୍କ ଉପରେ ଏବେ ଦିଲ୍ଲୀ ହାଇକମାଣ୍ଡଙ୍କ କଡ଼ା ନଜର ରହିଛି।


